Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୫୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏକାମ୍ର ନିର୍ବାଚନମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ୭୭.୭୪ କୋଟି ଟଙ୍କା ବ୍ୟୟରେ ଧଉଳି ଓ ଟିକରପଡା ଠାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୨୨ କୋଟି ଟଙ୍କା ବ୍ୟୟରେ ଲିଙ୍ଗିପୁର, ଇଟିପୁର ଓ ଟିକରପଡା ଗ୍ରାମପଞ୍ଚାୟତର ଦୟା ଡାହାଣ ପାର୍ଶ୍ବ ନଦୀବନ୍ଧରେ ଦୁଇ ଥାକିଆ ରାସ୍ତା ନିର୍ମାଣ ପ୍ରକଳ୍ପ ରହିଛି।

ସେହିପରି ୪୨.୫୫ କୋଟି ଟଙ୍କା ବ୍ୟୟରେ ବାସୁଆଘାଇର କାମେନା ଠାରେ ୬ଟି ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ କୋଟି ଟଙ୍କା ବ୍ୟୟରେ ଇଟିପୁର ଗ୍ରାମପଞ୍ଚାୟତରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ ପ୍ରକଳ୍ପ ରହିଛି।

ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏକାମ୍ର ନିର୍ବାଚନମଣ୍ଡଳୀର ଅଞ୍ଚଳବାସୀ ବହୁଳ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର କ୍ଷେତ୍ରରେ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ ଯୋଗେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଛନ୍ତି। ସେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ନିଜର ଟୁଇଟର ଆକାଉଣ୍ଟରେ ଲେଖି ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍‌

ଭୁବନେଶ୍ୱର: ସୋମବାର ସକାଳେ ଫାଇଭ୍‌ – ଟି ସଚିବ ଭିକେ ପାଣ୍ଡିଆନ୍‌ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସଚିବ କାର୍ଯ୍ୟ କିଷନ କୁମାର ବିଏମ୍‌ସି କମିଶନର ପ୍ରେମନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ପୁରୀ ପରି ଲିଙ୍ଗରାଜ ମନ୍ଦିର ମଧ୍ୟ ହେବ ବିଶ୍ବ ସ୍ତରୀୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରର କରାଯିବ। ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ବିକାଶ ସହିତ ଏକ ଉଚ୍ଚ କୋଟୀର ଧର୍ମ କ୍ଷେତ୍ରରେ ପରିଣତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ବଡ ଘୋଷଣା। ଏହି ପ୍ରାଚୀନ ଐତିହ୍ୟର ଚତୁଃପାର୍ଶ୍ଵ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା “ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା”। ଏହି ଯୋଜନାରେ ରହିଛି ଏକ ଆକର୍ଷଣୀୟ ପ୍ରବେଶ ପଥ ନିର୍ମାଣ, ବିନ୍ଦୁ ସାଗର ପୁନରୁଦ୍ଧାର, ନିକଟସ୍ଥ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ, ଇ- ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ତ୍ୟାଗ କରିବାକୁ ଜନ ସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯାହା ନିଷ୍ପତି କରାଯାଇଛି ସେଗୁଡିକ ହେଲା

୧-ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତରଣ
୨-ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ
୩- ମନ୍ଦିର ନିକଟସ୍ଥ ଚାରିଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
୪-ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ
୫-ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ ପଥ ନିର୍ମାଣ
୬-ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ
୭-ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ

୮-କେଦାରଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ

କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

୧-ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଏବଂ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ
୨-ପକ୍କା ଘର ଦୋକାନ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ମିଳିବ ୧୦ ହଜାର ଟଙ୍କାର ସହାୟତା

୩- ବିଏମସି, ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟ୍ କିମ୍ବା ନୂତନ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସଂପୃକ୍ତ ବ୍ୟବସାୟୀମାନଙ୍କୁ ଥଇଥାନ
୪-ସ୍ଥିତିବାନ ଆବାସିକ ଗୃହ, ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ

ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସବୁ ନିଷ୍ପତି ନିଆଯାଇଛି। ଏହା ଦ୍ବାରା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଫେରିପାଇବା ସହ ପର୍ଯ୍ୟଟକ ତଥା ଭକ୍ତମାନେ କୌଣସି ଅସୁବିଧାର ଯେପରି ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଗତ ସପ୍ତାହରେ ଫାଇବ-ଟି ସଚିବ ଭି.କେ ପାଣ୍ଡିୟାନ ଭୋର ୪ଟାରୁ ଯାଇ ଲିଙ୍ଗରାଜ ମନ୍ଦିରର ଆଧୁନିକକରଣ ଉପରେ ଆଲୋଚନା କରିଥିଲେ। ସେତେବେଳେ ସେ ସେଠାରେ ଥିବା ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ସେହି ରିପୋର୍ଟ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ବଡ ଘୋଷଣା କରିଛନ୍ତି।