Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବଜାରରେ ବଡ଼ ଧରଣର ଲୁଟ: ଏଟିଏମ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଚଡିଏଫସି ବୀମା କଂପାନୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣ ଛାଡିଲା ବିଜେଡି

ଭୁବନେଶ୍ୱର : ଓଡିଶାର ଲୋକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବ ଦେଖୁଛନ୍ତି। ଓଡିଶାର ଚାଷୀଙ୍କ ପ୍ରକୃତ ଫସଲ ବୀମା ପ୍ରାପ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ସମବାୟମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ସତ୍ୱେ କେନ୍ଦ୍ର ଚାଷୀଙ୍କ ଫସଲ୍ ବୀମା ଅଟକାଇଥିଲେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖାର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚାଷୀଙ୍କ ଚାପ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଯୋଗାଯୋଗ ପରେ ଫସଲ ବୀମା ଅର୍ଥ ମଞ୍ଜୁର କରାଯାଇଛି । ଓଡିଶାର ଫସଲ ବୀମାକୁ ଅଟକାଇବା ନେଇ ବିଜେପି ପ୍ରତି କୃଷକଙ୍କ କ୍ରୋଧ ଦେଖିବାକୁ ମିଳିଛି ।

ସେହିପରି ୨୦୧୯ ରେ ବିଜେପି କାଳିଆ ଯୋଜନାକୁ ରୋକିବାକୁ ଚେଷ୍ଟା କରିଥିଲା ଯାହା କୃଷକ ସହାୟତା ପାଇଁ ଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କାର୍ଯ୍ୟାଳୟକୁ ଯାଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ଏ ବିଷୟରେ ବୁଝାଇଥିଲେ। ଶେଷରେ ଏହି ଯୋଜନା ସଂକ୍ରାନ୍ତରେ ସ୍ପଷ୍ଟ ହୋଇଥିଲା। ବିଜୁ ଜନତା ଦଳ କୃଷକ ପ୍ରସଙ୍ଗରେ ରାଜନୀତି କରିବାକୁ ବିଶ୍ୱାସ କରେ ନାହିଁ। ରାଜନୀତି କରିବାକୁ ଆହୁରି ଅନେକ ପ୍ରସଙ୍ଗ ଅଛି ବୋଲି ଡକ୍ଟର ପାତ୍ର କହିଛନ୍ତି।

ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି। ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ। କିନ୍ତୁ ଏତେ ମାସ ଧରି କେନ୍ଦ୍ର ଏହାକୁ ବିଳମ୍ବ କରି ଚାଲିଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଲଭାବେ ଜାଣିଛନ୍ତି ଯେ ତାଙ୍କ ଚିଠିରେ କୌଣସି ସତ୍ୟତା ନାହିଁ।

ତଥାକଥିତ ଏଚଡିଏଫସି କମ୍ପାନୀ କେନ୍ଦ୍ର ଦ୍ୱାରା ତାଲିକାଭୁକ୍ତ ହୋଇଥିଲା। ଯଦି ଏହି କମ୍ପାନୀ ଏତେ ଦୁର୍ନୀତିଗ୍ରସ୍ତ ତେବେ କେନ୍ଦ୍ର କିପରି ଏହି କମ୍ପାନୀକୁ ତାଲିକାଭୁକ୍ତ କଲା? ଶ୍ରୀ ପ୍ରଧାନ ପ୍ରଥମେ ଏହାର ଉତ୍ତର ଦେବା ଉଚିତ। ତେବେ ଏହି କମ୍ପାନୀ କିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ କାର୍ଯ୍ୟ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ଦ୍ୱିତୀୟରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ଚକ୍ରାନ୍ତ ହୋଇଥିବା ଉଲ୍ଲେଖ କରି ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ନିଜ ସରକାର ଅନିୟମିତତା କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏକ ସ୍ୱଚ୍ଛ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଚଳାଇବାରେ ସେମାନେ ବିଫଳ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ କେନ୍ଦ୍ର ସ୍ୱୀକାର କରିବା ଉଚିତ।

ଓଡିଶାର କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବାର ଏହା ହେଉଛି ଅନ୍ୟ ଏକ ଉତ୍କୃଷ୍ଟ ଉଦାହରଣ, ଏହା ହେଉଛି ଫସଲ୍ ବୀମା ଦେୟକୁ ଅଟକାଇଥିବା କେନ୍ଦ୍ର। ଏତେ ଦିନ ଧରି କେନ୍ଦ୍ର କାହିଁକି ଏପରି କରୁଥିଲା ବୋଲି ଉଭୟ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ର ସରକାର ପଦମପୁରର ଚାଷୀଙ୍କୁ ଉତ୍ତର ଦେବା ଉଚିତ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ଆଞ୍ଚଳିକ ବ୍ୟବସାୟ

ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେଲା ବାଲୁଗାଁ ଏଚଡିଏଫସି ବ୍ୟାଙ୍କ: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଦିଗନ୍ତିକା ହୋଟେଲ ମହଲାରେ ପୁର୍ବରୁ ଅବସ୍ଥିତ ଥିବା ଏଚଡିଏଫସି ବ୍ୟାଙ୍କ ଟି ନିକଟସ୍ଥ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ଆଜି ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉଦଘାଟନ କରିଥିଲେ।

ଅନ୍ୟ ପ୍ରମୁଖ ଅତିଥି ଭାବେ ଜୋନାଲ ମୁଖ୍ୟ ଦୀପକ ସିଂ, କ୍ଲଷ୍ଟର ମୁଖ୍ୟ ଅନିଷ ବିଶ୍ୱାଳ, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, ସହ-ପରିଚାଳକ ଅମୂଲ୍ୟ ନାୟକଙ୍କ ସମେତ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦିଗରେ ବିଶେଷ ଦୃଷ୍ଟି ସହ ଏହି ଶାଖାକୁ ବାଲୁଗାଁ ସହରରେ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

ସୂଚନା ଥାଉକି ବାଲୁଗାଁ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୃଷ୍ଟିରୁ ସହରରେ ଅନେକ ସରକାରୀ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ଥିବାବେଳେ ଏଚଡିଏଫସି ବ୍ୟାଙ୍କର ଏକ ଶାଖା ୨୦୧୩ ମସିହାରୁ ଦିଗନ୍ତିକା ହୋଟେଲ ମହଲାରେ ଥିଲା। ମାତ୍ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଋଣ ତଥା ସ୍ୱାବଲମ୍ବୀ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ, ଗାଡିମୋଟର ଋଣ, ଗୃହ ଋଣ, ସୁନା ବନ୍ଧକ ଋଣ ଆଦି କ୍ଷେତ୍ରକୁ ନଜରରେ ରଖି ଉନ୍ନତ ମାନର ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ ଶାଖାକୁ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଯାହାକି ଉଦଘାଟନୀ ଦିବସରେ ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ପ୍ରଦାନ କରାଯିବା ସହ ଲଘୁ ଉଦ୍ୟୋଗରେ ସ୍ଥାନୀୟ ଜଣେ ବ୍ୟକ୍ତିକୁ ୮୦ ଲକ୍ଷ ଋଣ, ଦୁଇଟି ବାଇକ ଏବଂ ଗୋଟିଏ ଚାରି ଚକିଆ ଗାଡି ଋଣ ଦିଆଯାଇଥିବା ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।