ନାଚୁଣୀ ବଜାରରେ ବଡ଼ ଧରଣର ଲୁଟ: ଏଟିଏମ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published: Dec 23, 2022, 8:55 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Related posts