Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ  ମୃତ୍ୟୁ ହୋଇଛି। ମୃତକଙ୍କ ନାମ କୁମାର ବେହେରା (୩୦)। ଗଞ୍ଜାମ ଜିଲ୍ଲା ବ୍ରହପୁର ଶଗଡିଆ ସାହିରେ ତାଙ୍କ ଘର।

ପୋଲିସ ସୂଚନା ମୁତାବକ ଯୁବକ ଜଣକ ବାଇକ୍ ରେ ତାପଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନାଚୁଣୀ ଛକସ୍ଥିତ ଦିଭାଇଡରକୁ ଅସାବଧାନତା ବଶତଃ ପିଟି ଦେଇଥିଲେ। ଫଳରେ ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ଜବତ କରି ଟାଙ୍ଗୀ ପୋଲିସ୍ ନାଚୁଣୀ ଫାଣ୍ଡି ପୋଲିସ୍ କୁ ହସ୍ତାନ୍ତର କରିଥିଲା।

ତେବେ ଏ ନେଇ ବାଣପୁର ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ସାହୁ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବଜାରରେ ବଡ଼ ଧରଣର ଲୁଟ: ଏଟିଏମ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ମହଙ୍ଗା ପଡିଲା: ନାଚୁଣୀ ବଜାରରେ ସିଲ୍ ହେଲା ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ଦୋକାନୀକୁ ମହଙ୍ଗା ପଡିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଗୋଟିଏ ଦୋକାନକୁ ସିଲ୍  କରିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ଗୋଟିଏ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍  କରିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହରା ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ନାଚୁଣି ଅଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟ ତଦାରଖ କରୁଥିବା ସମୟରେ ନାଚୁଣୀ ବଜାରର ଏକ ବସ୍ତ୍ରାଳୟ ଖୋଲା ଥିବାର ଦେଖିବାକୁ ପାଇଥିଲେ। ଦିନ ଦ୍ବିପହର ସମୟରେ ଦୋକାନ ଭିତରେ ମାତ୍ରାଧିକ ଗ୍ରାହକଙ୍କ ଗହଣରେ ଦୋକାନୀ ଲୁଚିଛପି ବେପାର କରୁଥିଲେ। ତେବେ କୋଭିଡ ଗାଇଡଲାଇନ ଉଲଂଘନ ହେତୁ ବାଣପୁର ତହସିଲଦାର ଉକ୍ତ ଦୋକାନୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ସମ୍ପୃକ୍ତ ଦୋକାନକୁ ଚାରି ଦିନ ପାଇଁ ଜଉ ମୁଦା ସିଲ କରିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ ବଜାରରେ ଭିଡକୁ ଦେଖି ପୋଲିସର ଚଢାଉ: ଗାଡି ଜବତ ହେବା ସହ ୫୫ ହଜାର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ ପ୍ରବଳ ଭିଡ ସହ ମାଳ ମାଳ ବାଇକ ଧରି ଲୋକେ ବୁଲୁଥିବାର ଅଭିଯୋଗ ହୋଇଥିଲା।

ଏହାପରେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଚଢ଼ାଉ ଜାରି ରଖିଥିଲେ। ଚଢ଼ାଉର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୫୪ ଜଣ ବାଇକ ଆରୋହୀଙ୍କଠାରୁ ଏମ.ଭି ଆଇନ ଅନୁଯାୟୀ ବିଭିନ୍ନ ଫାଇନ ବାବଦକୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତତସହିତ ଦୁଇ ବାଇକ ଆରୋହୀ ଫାଇନ ଦେବାକୁ ଅମଙ୍ଗ ହେବାରୁ ସେମାନଙ୍କ ବାଇକ ଜବତ କରିଛି ପୋଲିସ।

ଆଜିର ଉକ୍ତ ଚଢ଼ାଉରେ ପୋଲିସ ଓଏଏସଆଇ ତପନ କୁମାର ହଂସଦା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।