ନାଚୁଣୀ ବଜାରରେ ଭିଡକୁ ଦେଖି ପୋଲିସର ଚଢାଉ: ଗାଡି ଜବତ ହେବା ସହ ୫୫ ହଜାର ଜରିମାନା ଆଦାୟ

Published: May 17, 2021, 11:48 am IST

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ ପ୍ରବଳ ଭିଡ ସହ ମାଳ ମାଳ ବାଇକ ଧରି ଲୋକେ ବୁଲୁଥିବାର ଅଭିଯୋଗ ହୋଇଥିଲା।

ଏହାପରେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଚଢ଼ାଉ ଜାରି ରଖିଥିଲେ। ଚଢ଼ାଉର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୫୪ ଜଣ ବାଇକ ଆରୋହୀଙ୍କଠାରୁ ଏମ.ଭି ଆଇନ ଅନୁଯାୟୀ ବିଭିନ୍ନ ଫାଇନ ବାବଦକୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତତସହିତ ଦୁଇ ବାଇକ ଆରୋହୀ ଫାଇନ ଦେବାକୁ ଅମଙ୍ଗ ହେବାରୁ ସେମାନଙ୍କ ବାଇକ ଜବତ କରିଛି ପୋଲିସ।

ଆଜିର ଉକ୍ତ ଚଢ଼ାଉରେ ପୋଲିସ ଓଏଏସଆଇ ତପନ କୁମାର ହଂସଦା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts