Categories
ଆଞ୍ଚଳିକ

ସାବଧାନ!, ଆଜି ବାଣପୁର-ବାଲୁଗାଁରେ ଚାଲିଛି ବାଇକ ଧରପଗଡ, ଏପର୍ଯ୍ୟନ୍ତ ୨ ଲକ୍ଷରୁ ଉର୍ଦ୍ଧ୍ଵ ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ଜଗି ରହୁଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଧରିବାରେ ଲାଗିଛି।

ଆଜି ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ତାଙ୍କର ମିଳିତ ଫାଇନ ଆଦାୟ ହୋଇଥିବା ବେଳେ ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ ପ୍ରମୋଦ ସିଂହ ଏବଂ ବାଲୁଗାଁ ପୋଲିସ ସାମିଲ ଥିଲା। ଅନୁରୂପ ଭାବେ ଖବର ଲେଖା ହେଲା ବେଳକୁ ବାଣପୁର ଥାନା ଅଞ୍ଚଳରେ ମିଳିତ ଚଢ଼ାଉ ଜାରି ରହିଅଛି। ଉକ୍ତ ଚଢ଼ାଉରେ କନିଷ୍ଠ ମୋଟରଜାନ ନିରୀକ୍ଷିକା ତୃପ୍ତିରେଖା ଜେନା ଏବଂ ବାଣପୁର ପୋଲିସ ସାମିଲ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଟ୍ରେଡ୍ ପ୍ରମାଣ ପତ୍ର ବିନା ଚାଲିଥିଲା ବାଇକ୍ ସୋ ରୁମକୁ ସିଲ କଲେ ପରିବହନ ଅଧିକାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦିର୍ଘ ଦିନ ହେଲା ଏକ ବାଇକ୍ ସୋ ରୁମ୍ ଚାଲିଥିଲା। ଭୁବନେଶ୍ୱରର ଏକ ନାମୀ ବାଇକ୍ ବିକ୍ରେତା ସୋ ରୁମ୍ ସହାୟତାରେ ନାଚୁଣୀରେ ବାଇକ୍ ସୋ ରୁମ୍ ଚାଲିଥିଲା। ସେଠାରେ ଗ୍ରାହକମାନଙ୍କୁ ବାଇକ୍ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର ସୋ ରୁମ୍ ସହାୟତାରେ ବିନା ବ୍ୟବସାୟ ଚାଲୁଥିଲା।

କିନ୍ତୁ ଏହି ବାଇକ୍ ସୋ ରୁମ୍ ପାଇଁ  ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି  ଟ୍ରେଡ୍  ପ୍ରମାଣ ପତ୍ର  ମିଳି ନଥିଲା। ଏହାର ସୁରାକ୍ ପାଇ ପରି ବହନ ବିଭାଗ ଅଚାନକ ଚଢାଉ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଆଂଚଳିକ ପରିବହନ ଅଧୀକାରୀ ପ୍ରଦୀପ ମହାନ୍ତିଙ୍କ ନିର୍ଦ୍ଧେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ  ଜୁନିଅର ଏମଭିଆଇରୁ ରୁପାଲିନ୍  ବାହୁବଳେନ୍ଦ୍ର, ଟ୍ରାଫିକ୍ ଇନସପେକ୍ଟର ଆରକେ ଦୋରା ପ୍ରମୁଖ ସାମିଲ ହୋଇଥିଲେ।

ଉକ୍ତ ଚଢାଉରେ ମୋଟ ୧୯ଟି ବାଇକକୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ସୋ’ ରୁମ ମାଲିକଙ୍କୁ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା  ଜରିମାନା କରାଯାଇଛି। ଏବଂ ବାଇକ୍ ସୋ ରୁମ୍ ମାଲିକଙ୍କ ନାମରେ ପରି ବହନ ବିଭାଗ ଏକ ମୋକଦ୍ଧମା ରୁଜୁ କରିଥିବା ସୂଚନା ରହିଛି। ଏହା ସହ ମାଲିକଙ୍କ ଠାରୁ ସମସ୍ତ ଜବତ  ଗାଡିର ୧୫ ବର୍ଷ ପର୍ଯ୍ୟନ୍ତ ଟିକସ ଆଦାୟ କରାଯିବ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସଟଡ଼ାଉନରେ ଜୁଆ ଅଡ୍ଡାଉପରେ ଚଢ଼ାଉ: ୭ ଜୁଆଡିଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ଜରିମାନା ଆଦାୟ

ଚାନ୍ଦପୁର: ସଟଡ଼ାଉନ ସମୟରେ ଜୁଆ ଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଆଡ୍ଡା ଉପରେ ଚଢାଉ କରିଛି। ଖେଳୁଥିବା ୭ ଜଣ ଜୁଆଡିକୁ ପୋଲିସ ଗିରଫ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲା ପୋଲିସ। ପରବର୍ତ୍ତୀ ସମୟରେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନକଦ ୨ ହଜାର ୬ଶହ ସତୁରି ଟଙ୍କା, ଚାରି ଗୋଟି ମୋବାଇଲ ଏବଂ ଜୁଆ ସମ୍ପର୍କିତ ଜିନିଷ ପୋଲିସ ଜବତ କରିଛି।

ତେବେ ସମସ୍ତ ଅଭିଯୁକ୍ତ ଚାନ୍ଦପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୋଭିଡ଼ ଏବଂ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୭୩/୨୧ ରେ ମାମଲା ରୁଜୁ କରାଯାଇଛି ଏବଂ ସଟଡ଼ାଉନ ଗାଇଡଲାଇନ ଉଲଂଘନ ହେତୁ ୧୪ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ଜୁଆଡ଼ି ତଥା ଅମାନିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦାୟିତ୍ଵ ନେବା ପରେ ଟାଙ୍ଗୀ ଥାନା ଆଇଆଇସିଙ୍କ କାର୍ଯ୍ୟାନୁଷ୍ଠାନ: ମୋଟା ଅଙ୍କର ତଣ୍ଡ ଗଣିଲେ ଅମାନିଆ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳରେ ପୋଲିସର କଡା କୋଭିଡ଼ ଏନ୍ଫୋର୍ସମେଣ୍ଟ ଦେଖିବାକୁ ମିଳିଛି। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ଥାନାରେ ନୂତନ ଭାବେ ଦାୟିତ୍ଵ ନେଇଥିବା ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଟାଙ୍ଗୀ ବଜାରରେ ଚଢ଼ାଉ ଜାରି ରଖିଥିଲେ।

ତେବେ ଉକ୍ତ ଚଢ଼ାଉ ସମୟରେ ଟାଙ୍ଗୀ ପୋଲିସ ଅମାନିଆଙ୍କ ଠାରୁ ୬ ହଜାର ୭୦୦ ଟଙ୍କା ଏବଂ ଅମାନିଆ ବାଇକ ଚାଳକଙ୍କ ଠାରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।  ତେବେ ଜନସାଧାରଣଙ୍କୁ ଲକ ଡ଼ାଉନ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ଟାଙ୍ଗୀ ଆଈଆଈସି ଶ୍ରୀ ମଲ୍ଲିକ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ ବଜାରରେ ଭିଡକୁ ଦେଖି ପୋଲିସର ଚଢାଉ: ଗାଡି ଜବତ ହେବା ସହ ୫୫ ହଜାର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ ପ୍ରବଳ ଭିଡ ସହ ମାଳ ମାଳ ବାଇକ ଧରି ଲୋକେ ବୁଲୁଥିବାର ଅଭିଯୋଗ ହୋଇଥିଲା।

ଏହାପରେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଚଢ଼ାଉ ଜାରି ରଖିଥିଲେ। ଚଢ଼ାଉର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୫୪ ଜଣ ବାଇକ ଆରୋହୀଙ୍କଠାରୁ ଏମ.ଭି ଆଇନ ଅନୁଯାୟୀ ବିଭିନ୍ନ ଫାଇନ ବାବଦକୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତତସହିତ ଦୁଇ ବାଇକ ଆରୋହୀ ଫାଇନ ଦେବାକୁ ଅମଙ୍ଗ ହେବାରୁ ସେମାନଙ୍କ ବାଇକ ଜବତ କରିଛି ପୋଲିସ।

ଆଜିର ଉକ୍ତ ଚଢ଼ାଉରେ ପୋଲିସ ଓଏଏସଆଇ ତପନ କୁମାର ହଂସଦା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସରକାରୀ ପୋଖରୀ ଖୋଳି ପଥର ନେବା ପଡିଲା ମହଙ୍ଗା: ମୋଟା ଅଙ୍କର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି।

ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି।

ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ ଟ୍ରାକ୍ଟର ଜବତ ହୋଇଛି। ଅନ୍ୟପକ୍ଷେ ପଥରଗୁଡିକୁ ଗ୍ରାମ କାମରେ ନିୟୋଜିତ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଲକଡାଉନ କଟକଣା: ପ୍ରଥମ ଦିନରେ ଅମାନିଆଙ୍କଠୁ ଆଦାୟ ହେଲା ୩ଠ ହଜାର ଜରିମାନା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ସାରା ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ଦମନ କରିବା ପାଇଁ ବିଭିନ୍ନ ଦିଗରୁ ସରକାର, ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନ ଜନତାଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବା ସହ ସମସ୍ତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଲକ୍‌ଡାଉନ୍‌ର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସକାଳ ୬ଟାରୁ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ଦିନତମାମ ପଇଁତରା ମାରିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩୦ ହଜାର ଟଙ୍କାର ଫାଇନ ଆଦାୟ କରିଛନ୍ତି।

କିନ୍ତୁ ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେତେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ପ୍ରଥମ ଦିନ ପୋଲିସ ଜନସାଧାରଣଙ୍କଠାରୁ ଫାଇନ ନକାଟି ସେମାନଙ୍କୁ ତାଗିଦ କରିବା କଥା। ତେବେ ଜନସାଧାରଣଙ୍କ ଠାରୁ ଜରିମାନା ଆଦାୟ କରିବା ପୋଲିସର ଉଦ୍ଦେଶ୍ୟ ନୁହେଁ ବୋଲି ବାଲୁଗାଁ ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।

ବାରମ୍ବାର ନିବେଦନ କଲା ପରେ ମଧ୍ୟ କିଛି ଆମାନିଆଙ୍କ ଲାଗି ସାରା ଅଞ୍ଚଳରେ ମହାମାରୀ ବ୍ୟାପିବାର ସମ୍ଭାବନା ବଢୁଛି। ଲକଡ଼ାଉନରେ ଯଦି ମହାମାରୀ କମିବା ବଦଳରେ ବଢିବ ତେବେ ଲକଡ଼ାଉନର ମୂଲ୍ୟ କିଛି ରହିବନାହିଁ। ସେଥିପାଇଁ ପୁନଶ୍ଚ ଗଣମାଧ୍ୟମ ଜରିଆରେ ଲକଡ଼ାଉନ ନିୟମକୁ ମାନିବାପାଇଁ ବାଲୁଗାଁ ବାସୀଙ୍କୁ ଆଇଆଇସି ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଙ୍ଗିଲା ଗତକାଲିର ରେକର୍ଡ: ଆଜି ଅମାନିଆ ଦେଲେ ୨୬ ଲକ୍ଷ ଜରିମାନା

ଭୁବନେଶ୍ଵର: ରାଜ୍ୟରେ କୋଭିଡ଼ କଟକଣାକୁ କଡାକଡି କରାଯାଇଛି। ରାଜ୍ୟରେ ସ୍ପେଶାଲ ଡ୍ରାଇଭ ପକ୍ଷରୁ କରୋନା ନିୟମକୁ ଉଲ୍ଲଂଘନକାରୀଙ୍କୁ ଜରିମାନା ଆଦାୟ କରାଯାଉଛି। ଆଜିର ଯାଞ୍ଚ ସମୟରେ ସ୍ପେଶାଲ ଡ୍ରାଇଭ ୨୬ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ୧୪୦୫ ଜଣଙ୍କ ଠାରୁ ୧ ଲକ୍ଷ ୫୬ ହଜାର ଟଙ୍କା ଆଦାୟ କରାଯାଇଛି। ସେହିଭଳି ମାସ୍କ ପିନ୍ଧିନଥିବା ୧୦ ହଜାର ୩୫୬ ଜଣଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ତେବେ ଗତକାଲିଠାରୁ ଆଜି ଅଧିକ ଜରିମାନା ଆଦାୟ ହୋଇଛି। ଗତକାଲି ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆଜି ସ୍ପେଶାଲ ଡ୍ରାଇଭ ୨୬ ଲକ୍ଷ ୬୧ ହଜାର ଟଙ୍କା ଆଦାୟ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳକ ବାଇକ ଚାଳକଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କଲା କୁହୁଡି ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗ୍ରାମାଂଚଳରେ ଅମାନିଆ ବାଇକ୍ ଆରୋହୀଙ୍କୁ ନିସ୍ତାର ନାହିଁ। ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ପୋଲିସ୍ ର ବାଇକ୍ ଧର ପଗଡ ବେଳେ ପୋଲିସ୍ ହାତରେ ଧରାପଡିଲା ନାବାଳକ ବାଇକ୍ ଆରୋହୀ। ପୋଲିସ୍ କାଟିଲା ୩୦ ହଜାର ଟଙ୍କାର ଫାଇନ୍।

ସୂଚନା ମୁତାବକ, ଆଜି କୁହୁଡି ଫାଣ୍ଡି ପୋଲିସ ଦ୍ୱାରା କୁହୁଡି ବଜାରରେ ବାଇକ ଚେକିଂ ବେଳେ ହିରୋ ଗ୍ଲାମର ବାଇକ୍ ଚଳାଉଥିବା ଜଣେ ୧୫ ବର୍ଷର ନାବାଳକକ ଠାରୁ ତିରିଶ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ। ହେଲେ ଜରିମାନା ରସିଦ କଟିଛି ଗାଡ଼ି ମାଲିକଙ୍କ ନାମରେ ଏବଂ ଗାଡ଼ି ତାଙ୍କ ସାନ ଭାଇ ଚଲାଉଥିଲେ। ମୋଟରଯାନ ଅଧିନିୟମ ଧାରା ୧୮୦ ଅନୁଯାୟୀ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଏବଂ ଧାରା ୧୯୯କ(୨) ଅନୁଯାୟୀ ଗାଡ଼ି ଚାଳକ ନାବାଳକ ହୋଇଥିବାରୁ ୨୫୦୦୦ ଟଙ୍କା ଫାଇନ ପଡ଼ିଛି ଗାଡ଼ି ମାଲିକଙ୍କୁ।

ହେଲେ ବର୍ତ୍ତମାନ ଜବତ ଗାଡ଼ି କୁହୁଡି ଫାଣ୍ଡି ପରିସରରେ ଥିବା ସୂଚନା ଦେଇଛନ୍ତି ଶ୍ରୀ ରାଉତ। ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଜଣେ ବାଇକ ଚାଳକଙ୍କୁ ଏତେ ଟଙ୍କାର ଫାଇନ ପଡ଼ିବା ପ୍ରଥମ ଘଟଣା ବୋଲି ସାଧାରଣରେ ଆଲୋଚନା ହେବା ସହ ବିନା ଲାଇସେନ୍ସ ଏବଂ ନାବାଳକ ଗାଡ଼ି ଚାଳକଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବାକୁ ପୋଲିସ ଅନୁରୋଧ କରିଛି।

Categories
ଆଞ୍ଚଳିକ

ଚିଲିକା ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ଦିନକରେ ରେକର୍ଡ଼ ଏକୋଇଶି ହଜାର ଜରିମାନା ଆଦାୟ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କରୋନା ମହାମାରୀ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ଚିଲିକା ନିର୍ବାଚନମଣ୍ଡଳୀରେ କମି କମି ଯାଉଛି। ବିଶେଷତଃ ବାଲୁଗାଁ ସହର ଏବଂ ଚିଲିକା ବ୍ଲକର କିଛି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାସ୍ଥଳେ ଏହାକୁ ବେଶ ଧ୍ୟାନ ଦେଉଛି ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ। ଗତକାଲି ସୁଦ୍ଧା ବାଲୁଗାଁ ଏନ.ଏ.ସି ରେ ୩୨ ଗୋଟି କୋଭିଡ ଆକ୍ଟିଭ କେସ ଥିବାବେଳେ ଚିଲିକା ବ୍ଲକରେ ୨୫ ଗୋଟି କୋଭିଡ କେସ ଆକ୍ଟିଭ ଅଛି। ତଥାପି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଅକ୍ଟୋବର ୩୧ ସୁଦ୍ଧା ଶୂନ କୋଭିଡ କେସ କରିବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଚିଲିକା ତହସିଲଦାର ଡ଼ା ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଗଠନ ହୋଇଥିଲା ଯେଉଁଥିରେ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା , ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଲୁଗାଁ  ପୋଲିସ ପ୍ରମୂଖ ସାମିଲ ଥିଲେ। ଉକ୍ତ ଟିମ ବାଲୁଗାଁ ଏନ.ଏ.ସି ସମେତ ବଡକୁଳ,ଡୁଙ୍ଗମାଳ ଏବଂ ନାଭାଲ ଛକ ବଜାର ଆଦି ସ୍ଥାନରେ କଡ଼ାକଡ଼ି କୋଭିଡ ଗାଇଡ଼ଲାଇନ ତଦାରଖ କରିଥିଲେ। ଏହି ସମୟରେ କେତେକ ଜାଗାରେ ଭିଡ଼ ପରିଲକ୍ଷିତ ହେବା ସହ କେତେ ଜଣ ଅମାନିଆ ମାସ୍କ ପିନ୍ଧିନଥିଲେ। ସ୍ଥାନୀୟ  ପ୍ରଶାସନ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ଏକୋଇଶି ହଜାର ଟଙ୍କା ଜରିମାନା ଆଦାୟ କରିଥିଲା ଯାହା ଚିଲିକା ଏବଂ ବାଲୁଗାଁ ଅଞ୍ଚଳରେ ଦିନିକିଆ ସର୍ବକାଳୀନ ରେକର୍ଡ ପରିମାଣର ଜରିମାନା।

ଅନ୍ୟପକ୍ଷରେ ତହସିଲଦାର ମହୋଦୟା କରୋନା ସଚେତନତା ବାର୍ତ୍ତା ଦେଇକହିଥିଲେ ଯେ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ। ଆଜିର ଏହି ଏନ୍ଫୋର୍ସମେଣ୍ଟ ଦ୍ୱାରା ବାଲୁଗାଁ ସହର ସହ ସମସ୍ତ ଚିଲିକାବାସୀ କୋଭିଡ ମହାମାରୀକୁ ନେଇ ଆହୁରି ସଚେତନ ଓ ସତର୍କ  ହୋଇଥିବା ଏବଂ ଅମାନିଆମାନଙ୍କ ମନରେ ଛନକା ପଶିଥିବା ପରିଲକ୍ଷିତ ହୋଇଛି।

Categories
ଆଞ୍ଚଳିକ

ବାଣପୁର ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ରେକର୍ଡ଼ ପରିମାଣର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା ପ୍ରଥମେ ବାଣପୁର ତହସିଲ ରୋଡ଼ ଏବଂ ଏହାପରେ ବାଣପୁର ସହର ସହ ନାଚୁଣୀ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୁରତ୍ଵ ନିୟ କୁ କଡ଼ାକଡ଼ି ଭାବେ ତଦାରଖ କରାଯାଇଥିଲା।

ତହସିଲଦାର ଶ୍ରୀ ବେହେରା ବଜାରର ଗୋଟି ଗୋଟି କରି ସମସ୍ତ ଦୋକାନରେ କୋଭିଡ ନିୟମର ତଦାରଖ କରିଥିଲେ। ସମଗ୍ର ବାଣପୁର ସହରରେ ବିଶାଳ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଏବଂ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। କରୋନାକୁ ହରାଇବାକୁ ହେଲେ ନିୟମକୁ ମାନିବାକୁ ପଡିବ ବୋଲି ତହସିଲଦାର ଶ୍ରୀ ବେହେରା ମତପ୍ରକାଶ କରିବା ସହ ଆଜି କୋଭିଡ କଟକଣା ମାନିନଥିବା ଦୋକାନୀ ଏବଂ ଜନସାଧାରଣଙ୍କ ଠୁ କୋଡିଏ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବାଣପୁର ଅଞ୍ଚଳରେ ଗୋଟିଏ ଦିନର ସର୍ବକାଳୀନ ରେକର୍ଡ ଫାଇନ।

ହେଲେ ସେପଟେ ବାଣପୁର ଏବଂ ବାଲୁଗାଁରେ ଜରିମାନା ଆଦାୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣଙ୍କୁ କିପରି ବିଶ୍ୱାସକୁ ନେଇ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡକୁ କମାଯିବ ତାହା ବର୍ତ୍ତମାନ ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।

ଏନେଇ ତହସିଲଦାରଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ ଯ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

ଅପରପକ୍ଷରେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ବ୍ୟାରିକେଡ଼, ସାନିଟାଇଜେସନ, ଏନ୍ଫୋର୍ସମେଣ୍ଟ, ଟ୍ରେସିଙ୍ଗ ଠିକ ଭାବରେ ହେଉନି ଏବଂ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହୁଥିବାରୁ ବାଣପୁର(ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ କୋଭିଡ ସଂକ୍ରମଣ କମୁନଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିବା ସହ ବାଣପୁର ତହସିଲଦାରଙ୍କୁ ଏ ସବୁ ଦିଗ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ କରୋନା ସଂକ୍ରମଣ ରୋକିବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଜରୁରୀ: ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।  ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି।

ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। କୋଭିଡ ନିୟମ ତଥା ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା କଟକଣାକୁ ଅମାନିଆମାନେ ବେଖାତିରି କରି ନିଜେ ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆମକୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବାକୁ ପଡୁଛି ବୋଲି ତହସିଲଦାର କ୍ଷୋଭର ସହ କହିଛନ୍ତି।

ଆଜି ଦିନ ତମାମ ବାଣପୁର ତହସିଲ ପକ୍ଷରୁ ତହସିଲର ବିଭିନ୍ନ ଅଞ୍ଚଳ ଚଢ଼ାଉ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଖୋଦ ତହସିଲଦାର ଶ୍ରୀ ବେହେରା ତହସିଲର ଏନ୍ଫୋର୍ସମେଣ୍ଟ ଟିମ ସହ ବାଣପୁର ବଜାର ବୁଲି ଗୋଟି ଗୋଟି ଦୋକାନରେ କୋଭିଡ ନିୟମର ଯାଞ୍ଚ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବାଣପୁର ତହସିଲରୁ କୋଭିଡ ଆଇନ ଉଲଂଘନକାରୀଙ୍କ ଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ଅପରପକ୍ଷରେ ଦେଖିବାକୁ ଗଲେ ବାଣପୁରରେ ଏବେ ପ୍ରାୟ ସମସ୍ତ ଜନସାଧାରଣ ସଚେତନ ହେଲେଣି ଏବଂ ମାସ୍କ ବ୍ୟବହାର କରିବା ସହ ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି।  ଯଦି ବାଣପୁରବାସି ଏହିପରି କଟକଣା ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବେ ଯଥା ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ, ଭିଡ଼ ଜମେଇବେ ନାହିଁ ତେବେ ଖୁବ ଶୀଘ୍ର ବାଣପୁର କରୋନାରୁ ମୁକ୍ତ ହୋଇପାରିବ ବୋଲି ତହସିଲଦାର ସୂଚନା ଦେବାସହ କଟକଣାଗୁଡିକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଭିଡ୍‌ ନିୟମ ଉଲ୍ଲଂଘନ: ଦୋକାନ ସିଲ କରିବା ସହ ଜରିମାନା ଆଦାୟ କଲେ ବାଣପୁର ପ୍ରଶାସନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଖାସ କରି ସହରର ବିଭିନ୍ନ ମିଠା ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ ନିୟମ ଉଲଂଘନରେ ସହରର ଏକ ପ୍ରମୁଖ ମିଠା ଦୋକାନୀ ରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରିବା ସହ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ଦୋକାନକୁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଅନୁରୂପ ଭାବେ ପଲଟନ ପଡ଼ିଆର ଦୁଇ ଗୋଟି ମିଠା ଦୋକାନଠୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ଏବଂ ଏନ.ଏ.ସି କର୍ମଚାରୀ ସାମିଲ ଥିଲେ।

ଲୋକଙ୍କୁ ଦୋକାନୀମାନେ କଟକଣାକୁ ମାନିବାକୁ ଅନୁରୋଧ କରୁଥିଲେ ମଧ୍ୟ ଜୋରଜବରଦସ୍ତି ଦୋକାନ ଭିତରେ ଗ୍ରାହକମାନେ ପସି ମିଠା କିଣୁଥିବା ସମୟରେ ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଫଳରେ ଅମାନିଆ ଗ୍ରାହକଙ୍କ କାରଣରୁ ଦୋକାନୀଙ୍କ ସମସ୍ୟା ସୃଷ୍ଟି ହେଉଛି।

ଅନୁରୂପ ଭାବେ ଆଜି ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା ତହସିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ନାଚୁଣୀ ଫାଣ୍ଡି କର୍ମଚାରୀଙ୍କ ସହଯୋଗରେ ନାଚୁଣୀ ବଜାରର ଗାଙ୍ଗୁରାମ ମିଠା ଦୋକାନକୁ ସାତ ଦିନ ପାଇଁ ସିଲ କରିବା ସହିତ ୫୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଉକ୍ତ ଦୋକାନରେ କୋଭିଡ ଗାଇଡ଼ଲାଇନର ଖୋଲାଖୋଲି ଉଲଂଘନ ହୋଇଥିବାର ଦେଖିବାକୁ ପାଇଥିଲେ ତହସିଲଦାର।  ଆଗାମୀ ଦିନରେ ଏହି କଟକଣା କୁ ଅଧିକ କଡାକଡି କରାଯିବା ସହ ପାଟ୍ରୋଲିଂ ଜୋରଦାର କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଏନଏସି କାର୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ ସୂଚନା ଦେଇଛନ୍ତି।