Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦୨୨ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା: ଏମ୍ସ ଭୁବନେଶ୍ୱରକୁ ମିଳିଲା ୨୬ତମ ସ୍ଥାନ

ଭୁବନେଶ୍ଵର: ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୨୬ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୩୧ତମ ସ୍ଥାନରେ ଥିଲା। ଚଳିତ ବର୍ଷ ଏହା ପାଞ୍ଚଟି ସୋପାନ ଉପରକୁ ଉଠି ୨୬ତମ ମାନ୍ୟତା ହାସଲ କରିଛି।

ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ (ଟିଏଲଆର), ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକୋତ୍ତର ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଇନକ୍ଲୁସିଭିଟି (ଓଆଇ) ଏବଂ ସାଥୀ ଧାରଣା (ପିପି) ଭଳି ପାଞ୍ଚଟି ପାରାମିଟରକୁ ଭିତ୍ତି କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୫୪.୭୧ ସ୍କୋର କରିଛି।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ (ଭାରପ୍ରାପ୍ତ) ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ସେହିଭଳି, ଏମ୍ସ ଭୁବନେଶ୍ୱରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମଧ୍ୟ ଏହି ସଫଳତା ନିମନ୍ତେ ଏମ୍ସର ବିଶାଳ ପରିବାରକୁ  ଅଭିନନ୍ଦନ ଜଣାଇବା ସହିତ ରୋଗୀ ସେବା ତଥା ଡାକ୍ତରୀ ଛାତ୍ରମାନଙ୍କର ଗବେଷଣା ଏବଂ ସାମଗ୍ରିକ ବିକାଶ ଦିଗରେ ଏହାର ବ୍ୟାପକ ଆଭିମୁଖ୍ୟକୁ ଦୋହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୨ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ରୋଗୀ ସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଏକ ସର୍ବୋତ୍ତମ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି। ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ତାଲିମ, ଚିକିତ୍ସା ଏବଂ ଅନୁସନ୍ଧାନ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଏହା ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛି। ଏହା ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସେବାରେ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ପାଇଁ ଥିବା ଲକ୍ଷ୍ୟ ପୂରଣ କରିବା ଦିଗରେ ଶତତ କାର୍ଯ୍ୟରତ।

ନିକଟରେ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୨୦ ମେଡିକାଲ କଲେଜ ମଧ୍ୟରେ ସ୍ଥାନିତ କରାଯାଇଥିଲା।

Categories
ବିଶେଷ ଖବର

‘ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ କାର୍ଯ୍ୟ କରୁଛନ୍ତି। ତେବେ ଏହି ଉଚ୍ଚ ଶିକ୍ଷା ପରିସଂସ୍ଥାନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏକ ସୁଦୃଢ ତଥା ଆସେସମେଂଟ୍‌, ଆକ୍ରେଡିଟେସନ ଓ ର‌୍ୟାଙ୍କିଂ ପାଇଁ ଉଦ୍ଦେଶ୍ୟମୂଳକ ଫ୍ରେମୱାର୍କ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନ ର‌୍ୟାକିଙ୍ଗ୍ ଫେମୱାର୍କ (ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ର‌୍ୟାକିଙ୍ଗସ୍‌- ୨୦୨୨କୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ନବସୃଜନ ଏବଂ ପ୍ରôଯୁକ୍ତିବିଦ୍ୟା ଯୁକ୍ତ ଶିକ୍ଷା ଆଧାରିତ ଅର୍ଥନୀତି ଗଠନ କରିବାରେ ଅଗ୍ରସର ହେଉଛୁ । ଆମର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଭାରତକୁ ବୈଶ୍ୱିକ ନବସୃଜନ ତଥା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆକ୍ରେଡିଟେସନ ଏବଂ ଆସେସମେଂଟ୍ ଆଗକୁ ବାଧ୍ୟତାମୂଳକ ହେବ ଓ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆକ୍ରିଡେଟେଡ୍ ହେବାକୁ ପଡିବ। ଆତ୍ମଘୋଷଣା(ସେଲଫ ଡିକ୍ଲାରେସନ) ଏବଂ ପାରଦର୍ଶିତା ମୂଲ୍ୟାଙ୍କନ ଏବଂ ଆକ୍ରେଡିଟେସନ ଆଧାରରେ ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ଏନଆଇଆରଏଫର ର‌୍ୟାଙ୍କିଂ ବ୍ୟବସ୍ଥାର ଅଂଶ ହେବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଶିକ୍ଷା ବର୍ଷରୁ ଏନଆଇଆରଫ୍ ର‌୍ୟାକିଙ୍ଗରେ ଇନୋଭେସନ ଏବଂ ଉଦ୍ୟମିତା ବିଭାଗ ମଧ୍ୟ ସାମିଲ କରାଯିବ। ସ୍କୁଲ, ଆଇଟିଆଇ ଏବଂ ପଲିଟେକନିକକୁ ର‌୍ୟାଙ୍କିଂ ଫ୍ରେମଓା୍ୱର୍କରେ ସାମିଲ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ଆମ ଆକ୍ରେଡିଟେସନ ଏବଂ ର‌୍ୟାଙ୍କିଂ ବ୍ୟବସ୍ଥା ଅନ୍ତରାଷ୍ଟ୍ରୀୟ କରାଯିବ। ବିଦେଶୀ ଶିିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଏଥିରେ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ ଦିଆଯିବ। ଆଗାମୀ ଶିକ୍ଷା ବର୍ଷରୁ ନାକ୍ ଏବଂ ଏନବିଏ ଦ୍ୱାରା କରାଯାଉଥିବା ଆକ୍ରିଡେସନକୁ ଏକୀକରଣ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷା ନୀତିରେ ମଲଟି ଡିସପ୍ଲିନାରୀକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ନୂଆ କ୍ରେଡିଟ ଫ୍ରେମୱାର୍କରେ ଛାତ୍ରଛାତ୍ରୀମାନେ ପଢୁଥିବା ପାଠକୁ ଅଭିଭାବକମାନେ ଅବଗତ ହେବା ଦିଗରେ ବ୍ୟବସ୍ଥା କରାଯାଉଛି। ସେହିପରି ଶିକ୍ଷାକୁ ସୁଲଭ କରିବା ପାଇଁ ଭାରତ ସରକାର ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା କରିଛନ୍ତି। ତେଣୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଶିକ୍ଷାକୁ ବ୍ୟବସାୟୀକରଣ ନ କରି ସାଧାରଣ ଘରର ବିଦ୍ୟାର୍ଥୀଙ୍କ ପାଖରେ କିପରି ଶିକ୍ଷା ପହଁଚାଯିବ ଏବଂ ସେଥିପାଇଁ କେଉଁ ଟେକ୍ନୋଲୋଜିର ବ୍ୟବହାର କରାଯିବ, ଏ ଦିଗରେ ଭାବିବା ଉଚିତ୍। ଦେଶର ସାଧାରଣ ଘରର ପିଲାଙ୍କୁ ଶିକ୍ଷା ମାଧମରେ ଆଗକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ସାମଗ୍ରିକ ବା ଓଭରାଲ ବର୍ଗରେ ଆଇଆଇଟି ମାଡ୍ରାସ୍‌‌ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଏସସି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ୍‌‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ନୂଆଦିଲ୍ଲୀ ସ୍ଥିତ ଜେଏନ୍‌‌ୟୁ ଏବଂ ତୃତୀୟ ସ୍ଥାନରେ ଜାମିଆ ମିଲିଆ ଇସ୍‌‌ଲାମିଆ ରହିଛି। ଇଞ୍ଜିିନିୟରିଂ ଶିକ୍ଷାନୁଷ୍ଠାନ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ରହିଛି।

ସେହିପରି ମ୍ୟାନେଜମେଂଟ୍ ବର୍ଗରେ ଆଇଆଇଏମ୍‌‌ ଅହମଦାବାଦ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ଆଇଆଇଏମ ବାଙ୍ଗାଲୋର ଓ ଆଇଆଇଏମ କୋଲକାତା। ଫାର୍ମାସି ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଜାମିଆ ହମ୍‌‌ଦର୍ଦ ତାଲିକାର ପ୍ରଥମ ସ୍ଥାନରେ  ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦର ନ୍ୟାସ୍‌‌ନାଲ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଫାର୍ମାସ୍ୟୁଟିକାଲ୍‌‌ ଏଜୁକେସନ୍‌‌ ଆଣ୍ଡ୍‌‌ ରିସର୍ଚ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ। ଏହାବ୍ୟତିତ କଲେଜ ବର୍ଗରେ ପ୍ରଥମ ସ୍ଥାନରେ ଦିଲ୍ଲୀର ମିରାଣ୍ଡା ହାଉସ, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି ଏବଂ ମେଡିକାଲ୍‌‌ କଲେଜ ବର୍ଗରେ ଏମ୍ସ ଦିଲ୍ଲୀ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଡେଂଟାଲରେ ଚଳିତ ବର୍ଷ ଚେନ୍ନାଇ ସ୍ଥିତ ସବିଥା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ଟେକ୍ନିକାଲ ସାଇନ୍ସ ଏବଂ ରିସର୍ଚ୍ଚ ବିଭାଗରେ ଆଇଆଇଏସସି ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ରହିଛି।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ସଚିବ କେ ସଞ୍ଜୟ ମୁର୍ଥୀ,  ଅନିତା କରୱାଲ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ.ଜଗଦେଶ କୁମାର,ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।