Categories
ଜାତୀୟ ଖବର ବିଶେଷ ଖବର

ଏନଏଫଏସଏ ଓ ଟିପିଡିଏସ ପରିଚାଳନା ମୂଲ୍ୟାଙ୍କନ: ରାଜ୍ୟ ମାନ୍ୟତା ସୂଚକାଙ୍କର ଶୀର୍ଷରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଛି। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ  ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ୨୦୧୩  ଏବଂ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ପ୍ରଣାଳୀ (ଟିପିଡିଏସ) କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଯୋଜନାରେ ଖାଦ୍ୟଶସ୍ୟ ବିତରଣର ମୂଲ୍ୟାଙ୍କନ କରୁଛନ୍ତି। ଏହି କ୍ରମରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ଏନଏଫଏସଏ ମୂଲ୍ୟାଙ୍କନ ସୂଚକାଙ୍କ ପ୍ରକାଶିତ ହୋଇଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ସୂଚକାଙ୍କ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯାହାକି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧାନର ବିଭିନ୍ନ ଦିଗକୁ ବିବେଚନା କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ବିଭିନ୍ନ ମାପଦଣ୍ଡ ରହିଛି ଯାହା ଏହି ମୂଲ୍ୟାଙ୍କନକୁ ସମର୍ଥନ କରିଥାଏ। ପ୍ରଥମ ସ୍ତମ୍ଭରେ ଏନଏଫଏସଏ, ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଏନଏଫଏସଏ ଅଧୀନରେ ସବୁ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଅନ୍ତର୍ଭୂକ୍ତ କରାଯାଇଛି। ଦ୍ବିତୀୟ ସ୍ତମ୍ଭ ବିତରଣ ପ୍ଲାଟଫର୍ମକୁ ବିଶ୍ଳେଷଣ କରିଥାଏ ଏବଂ ଏଥିରେ ଖାଦ୍ୟ ଶସ୍ୟ ଆବଣ୍ଟନ, ଏହାର ପରିବହନ ଏବଂ ଅନ୍ତିମ ସୋପାନରେ ଥିବା ସୁଲଭ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ପ୍ରତି ଧ୍ୟାନ ଦିଆଯାଏ। ତୃତୀୟ ସ୍ତମ୍ଭରେ ବିଭାଗର ପୁଷ୍ଟିସାଧନ ପ୍ରୟାସ ଉପରେ ଧ୍ୟାନ ଦିଆଯାଇଛି।

ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ପରିବେଶ ସୃଷ୍ଟି କରିବା, ଆପୋସ ସହଯୋଗ ଓ ପରସ୍ପର ଠାରୁ ଶିକ୍ଷା ଲାଭ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଗବେଷଣା ଓ ବିଶ୍ଳେଷଣ ପାଇଁ ସର୍ବସାଧାରଣ ମଞ୍ଚରେ ପ୍ରାମାଣିକ ତଥ୍ୟ ପ୍ରକାଶିତ କରିବା ଲାଗି ରାଜ୍ୟ ମାନ୍ୟତା ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ, ଶୀର୍ଷ ସ୍ଥାନରେ ରହିଥିବା ରାଜ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ତରରେ କୌଣସି ଖାଦ୍ୟ ଓ ପୁଷ୍ଟିସାଧନ ମାଧ୍ୟମକୁ କାର୍ଯ୍ୟକାରୀ କରିବାର ପ୍ରସ୍ତାବ ନାହିଁ। ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ଏନଏଫଏସଏର ସାମଗ୍ରିକ ଢାଞ୍ଚା ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କର ଶ୍ରେଷ୍ଠ ପଦ୍ଧତିକୁ ଗ୍ରହଣ କରିବା ଲାଗି ସମ୍ପୂର୍ଣ୍ଣ ସ୍ବାଧୀନ ଅଟନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତ ଲୋକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ, ଏଫସିଆଇ ର ପ୍ରସ୍ତୁତି

ଭୁବନେଶ୍ବର : ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୧ ପର‌୍ୟ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଏହି ଯୋଜନାର ଅଂଶବିଶେଷ ସ୍ବରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଖାଦ୍ୟ ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ମିଳୁଥିବା ମାସିକ ରାସନକୁ ବାଦ୍ ଦେଇ ଏବଂ ଅଧିକ ଆକାରରେ ପ୍ରଦାନ କରାଯିବ।

ଭାରତ ସରକାରଙ୍କ ଘୋଷଣା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର‌୍ୟ୍ୟାୟକୁ ସଠିକ୍ ଢଙ୍ଗରେ କାର‌୍ୟ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଦ୍ବାରା ସାରା ଦେଶରେ ୮୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୩.୨୪ କୋଟି ହିତାଧିକାରୀ ରହିଛନ୍ତି।

ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଫସିଆଇ ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ନିଶିଥ କୁମାର ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଖାଦ୍ୟ ଶସ୍ୟ କ୍ରୟ, ଭଣ୍ଡାରଣ, ପରିବହନ ଏବଂ ବିତରଣ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଏହି ପ୍ରକ୍ରିୟାରେ ଭାରତ ସରକାର ଚାଉଳ କିଲୋପ୍ରତି ୩୯ ଟଙ୍କା ଏବଂ ଗହମ କିଲୋ ପ୍ରତି ୨୮ ଟଙ୍କା ଖର୍ଚ୍ଚ କରିବେ।

ଏହି ଯୋଜନା ଅନ୍ତର୍ଗତ, ପାଖାପାଖି ୧୯୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିତରଣ କରାଯିବ। ଏଥିପାଇଁ ଭାରତ ସରକାର ଆନୁମାନିକ ୬୭,୪୯୨ କୋଟି ଟଙ୍କା ବ୍ୟୟ କରିବେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଖାଦ୍ୟ ଶସ୍ୟ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଜନା ଅଧୀନରେ ଆନୁମାନିକ ୭.୦୩ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧.୦୮ ଲକ୍ଷ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଛି। ଏହି ଖାଦ୍ୟଶସ୍ୟ କେନ୍ଦ୍ରୀୟ ପୁଲ୍ ଷ୍ଟକ୍ ଓ ଏଫସିଆଇ ଗୋଦାମରୁ ଓଏସସିଏସି ଲିମିଟେଡ୍ ଦ୍ବାରା ଉଠାଣ କରାଯିବ ବୋଲି ସେ କହିଥିଲେ।

ଏହି ଯୋଜନା ଅନ୍ତର୍ଗତ, ଓଡ଼ିଶାରେ ଖାଦ୍ୟଶସ୍ୟ ବିତରଣ ପାଇଁ ପାଖାପାଖି ୩୦୪୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଭାରତ ସରକାର ବହନ କରିବେ। ଏହାଫଳରେ ରାଜ୍ୟର ପାଖାପାଖି ୩.୨୪ କୋଟି ହିତାଧିକାରୀ ଲାଭବାନ ହେବେ ବୋଲି ପ୍ରଧାନ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏଫସିଆଇ ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର‌୍ୟ୍ୟାୟ ଅନ୍ତର୍ଗତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି, ଏଥିପାଇଁ ଅକ୍ଟୋବର ୩୧, ୨୦୨୧ ସୁଦ୍ଧା ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ଭାବେ ଉଠାଣ କରାଯିବ।

ପ୍ରଧାନ ଆହୁରି ସୂଚନା ଦେଇଥିଲେ ଯେ ଏହି ଯୋଜନାକୁ ସଫଳତା ପୂର୍ବକ କାର‌୍ୟ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା ନିଜର ସମସ୍ତ ଗୋଦାମରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିସାରିଲାଣି ଏବଂ ଉଠାଣ ପାଇଁ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟ ଯୋଗାଣ ଆରମ୍ଭ କରିସାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ମେ-ଜୁନ ୨୦୨୧ରେ ଘୋଷଣା କରାଯାଇଥିଲା। ଏହା ଅଧୀନରେ ୭୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ପାଖାପାଖି ୮୦ କୋଟି ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ଅନ୍ତର୍ଗତ ୨.୮୨ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୪୩୦୦୦ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଥିଲା। ଏହି ଖାଦ୍ୟଶସ୍ୟ ବିତରଣ ପାଇଁ ମୋଟ ୧୨୨୦ କୋଟି ଟଙ୍କା ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ତୁରନ୍ତ ରାସନ କାର୍ଡ ଜାରି ପାଇଁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଉଭୟ ସହର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି ।

ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି, ଫେରି ବାଲା, ରିକସା ଚାଳକ ଆଦିଙ୍କ ନିକଟରେ ପହଞ୍ଚିବା ଲାଗି ପଦକ୍ଷେପ ନେବାକୁ ବିଭାଗ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଆହ୍ୱାନ ଦେଇଛି । ଏନଏଫଏସଏ ଅଧୀନରେ ଯୋଗ୍ୟ ବ୍ୟକ୍ତି, ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାସନ କାର୍ଡ ଜାରି କରିବାର ପରିଚାଳନାଗତ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ରହିଛି ।