Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ ଗଠନ

ଭୁବନେଶ୍ବର: ବହୁରାଜ୍ୟ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ) ଗଠନ କରାଯାଇଛି। ବିବିଏସଏସଏଲକୁ ଭାରତୀୟ କୃଷକ ରସାୟନ ସମବାୟ ଲିମିଟେଡ୍ (ଇଫକୋ), କୃଷକ ଭାରତୀ ସମବାୟ ଲିମିଟେଡ୍ (କ୍ରିଭକୋ), ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ପ୍ରୋତ୍ସାହିତ କରୁଛନ୍ତି।

ବିବିଏସଏସଏଲର ପ୍ରାରମ୍ଭିକ ପେଡ୍ ଅପ୍ ପୁଞ୍ଜି ୨୫୦ କୋଟି ଟଙ୍କା ରହିଛି ଯାହାମଧ୍ୟରୁ ୫୦ କୋଟି ଟଙ୍କା ଲେଖାଏଁ ପାଞ୍ଚଟିଯାକ ପ୍ରୋମୋଟର ଯୋଗାଇଦେଇଛନ୍ତି ଓ ଅଧିକୃତ ଅଂଶଧନ ପୁଞ୍ଜି ୫୦୦ କୋଟି ଟଙ୍କା ରହିଛି। ଫସଲ ଅମଳରେ ଉନ୍ନତି ଆଣିବା ଏବଂ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟରେ ସମବାୟ ନେଟୱାର୍କ ମାଧ୍ୟମରେ ଗୋଟିଏ ବ୍ରାଣ୍ଡ ଅଧୀନରେ ଗୁଣାତ୍ମକ ବିହନ ଉତ୍ପାଦନ, କ୍ରୟ ଏବଂ ବିତରଣ କରିବା ପାଇଁ ବିବିଏସଏସଏଲ୍ ଗଠନ କରାଯାଇଛି। ସମବାୟ ସଂସ୍ଥା ମାଧ୍ୟମରେ ବିବିଏସଏସଏଲ୍ ଭାରତରେ ଗୁଣାତ୍ମକ ବିହନର ଉତ୍ପାଦନ ବୃଦ୍ଧି କରିବ ଯଦ୍ବାରା ଆମଦାନୀ ବିହନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ, କୃଷି ଉତ୍ପାଦନ ବୃଦ୍ଧି ପାଇବ, ଗ୍ରାମୀଣ ଅର୍ଥନୀତିକୁ ଅଭିବୃଦ୍ଧି ମିଳିବ, ମେକ୍ ଇନ ଇଣ୍ଡିଆକୁ ପ୍ରେତ୍ସାହନ ମିଳିବ ଓ ଭାରତ ଆତ୍ମନିର୍ଭରତା ଆଡକୁ ଗତି କରିବ।

ଏହି ସୋସାଇଟି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ନୀତିର ଉପଯୋଗ କରି ଦୁଇ ପିଢ଼ିର ବିହନ ଯଥା ଫାଉଣ୍ଡେସନ ଓ ପାକ୍ସ ମାଧ୍ୟମରେ ପ୍ରମାଣିତ ବିହନର ଉତ୍ପାଦନ, ପରୀକ୍ଷଣ, ପ୍ରମାଣନ, କ୍ରୟ, ପ୍ରକ୍ରିୟାକରଣ, ଷ୍ଟୋରେଜ୍, ବ୍ରାଣ୍ଡିଂ, ଲେବଲିଂ ଏବଂ ପ୍ୟାକେଜିଂ ଉପରେ ଗୁରୁତ୍ୱ ଦେବ। ଏହା ମଧ୍ୟ ସମବାୟର ସମାବେଶୀ ଅଭିବୃଦ୍ଧି ମଡେଲ ମାଧ୍ୟମରେ ‘ସମବାୟରୁ ସମୃଦ୍ଧି’ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ, ଯେଉଁଠାରେ ସଦସ୍ୟମାନେ ଉଚ୍ଚ ଗୁଣମାନର ବିହନ ଉତ୍ପାଦନ କରି, ଅଧିକ ଅମଳକ୍ଷମ ବିହନ ବ୍ୟବହାର ଦ୍ବାରା ଅଧିକ ଫସଲ ଉତ୍ପାଦନ କରି ଏବଂ ସୋସାଇଟି ଦ୍ବାରା ଉତ୍ପାଦିତ ବଳକା ବଣ୍ଟନ ମାଧ୍ୟମରେ ଉତ୍ତମ ମୂଲ୍ୟ ପାଇପାରିବେ।

ବିବିଏସଏସଏଲ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୪,୮୧୬ଟି ସମବାୟ ସଂସ୍ଥାକୁ ସଦସ୍ୟତା ଦିଆଯାଇଛି ଯାହା ମଧ୍ୟରୁ ୧୯୦ଟି ଓଡ଼ିଶାରୁ ଅଛନ୍ତି।

ବିବିଏସଏସଏଲ ନିମ୍ନଲିଖିତ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶା ସମେତ ଦେଶରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ବିହନ ଉତ୍ପାଦନରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଯୋଗଦାନ ଦେବ:

ସମବାୟ କ୍ଷେତ୍ରରେ ସମବାୟ ସୋସାଇଟି ଓ ଏଫପିଓ ନେଟଓ୍ବର୍କ ମାଧ୍ୟମରେ ବିହନ ଉତ୍ପାଦନ ଭିତ୍ତିଭୂମିକୁ ସୁଦୃଢ କରି ଉନ୍ନତ କିସମର ବିହନ ଉପଲବ୍ଧତା ମାଧ୍ୟମରେ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତାକୁ ପ୍ରେତ୍ସାହନ।

ପାରମ୍ପରିକ କିସମର ବିହନର ସଂରକ୍ଷଣ ଓ ଉନ୍ନତ କିସମର ବିହନର ବିକାଶ ଓ ପ୍ରସାର ପାଇଁ ଏକ ବ୍ୟବସ୍ଥାର ବିକାଶ କରିବା।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉନ୍ନତ ମାନର ବିହନ ଉତ୍ପାଦନ ପାଇଁ ପ୍ରେତ୍ସାହିତ କରିବା ଯଦ୍ବାରା ସେମାନେ ତାହାର ସୁଫଳ ପାଇପାରିବେ।

ବିବିଏସଏସଏଲର ଲାଭର ଉପଯୋଗ ପାଇଁ ଯୋଜନା ନିୟମାବଳୀର ଧାରା ୫୪ ଓ ୫୫ରେ ଦିଆଯାଇଛି ଯାହାକି ସଦସ୍ୟମାନଙ୍କୁ ୨୦% ପର୍ଯ୍ୟନ୍ତ ଲାଭାଂଶ ପ୍ରଦାନ କରିଥାଏ। ଏହାଛଡ଼ା ବିବିଏସଏସଏଲରେ ଦର ନିର୍ଦ୍ଧାରଣ ବ୍ୟବସ୍ଥା ରହିଛି ଯାହାକି ନିମ୍ନଲିଖିତ ସ୍କିମ ଅନୁସାରେ ନିଟ୍ ବଳକାର ୫୦% ପର୍ଯ୍ୟନ୍ତ ବଣ୍ଟନ କରି ସଦସ୍ୟମାନଙ୍କୁ ଉତ୍ପାଦର ଚୂଡ଼ାନ୍ତ ମୂଲ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

କ. ଉତ୍ପାଦଗୁଡ଼ିକର ପ୍ରଚଳିତ ବଜାର ଦରକୁ ଭିତ୍ତିକରି ସଦସ୍ୟମାନଙ୍କୁ ଅସ୍ଥାୟୀଭାବେ ସେଗୁଡ଼ିକର ପ୍ରାରମ୍ଭିକ ଅସ୍ଥାୟୀମୂଲ୍ୟ ପ୍ରଦାନ କରାଯାଇପାରେ।

ଖ. ବିକ୍ରୟ ପାଇଁ ସୋସାଇଟି ଦ୍ୱାରା କରାଯାଇଥିବା ସମସ୍ତ ଖର୍ଚ୍ଚକୁ ବାଦ ଦେବା ପରେ ବିକ୍ରୟ ମୂଲ୍ୟ ଏବଂ ପ୍ରାରମ୍ଭିକ ଅସ୍ଥାୟୀ ମୂଲ୍ୟ ମଧ୍ୟରେ ଥିବା ବ୍ୟବଧାନ ଅନୁସାରେ ନେଟ୍ ବଳକାକୁ ନିର୍ଣ୍ଣୟ କରାଯିବ।

ଗ. ସୋସାଇଟି ଏହାର ସଦସ୍ୟମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ନେଟ୍ ବଳକାର ୫୦% ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଚେଷ୍ଟା କରିବ ଯାହା ବୋର୍ଡ ଦ୍ୱାରା ସ୍ଥିର କରାଯାଇପାରେ ଏବଂ ସଦସ୍ୟ ସେହି ଲାଭକୁ ଉତ୍ପାଦନକାରୀ କୃଷକମାନଙ୍କୁ ପ୍ରଦାନ କରିପାରିବେ।

ଘ. ଉତ୍ପାଦର ଚୂଡ଼ାନ୍ତ ମୂଲ୍ୟକୁ ପ୍ରାରମ୍ଭିକ ଅସ୍ଥାୟୀ ମୂଲ୍ୟ ଓ ପରବର୍ତ୍ତୀ ଉପ-ଧାରା ଅନୁସାରେ ଦିଆଯିବାକୁ ଥିବା ନେଟ୍ ବଳକାର ଅଂଶ ଭିତ୍ତିରେ ବୋର୍ଡ ନିର୍ଦ୍ଧାରଣ କରିପାରିବେ।

ଙ. ଧାରା ୫୫ର ବ୍ୟବସ୍ଥା ଅନୁଯାୟୀ ଆୟକର ପୈଠ ପରେ ବଳକା ବଳକା ଅର୍ଥକୁ ସୋସାଇଟି ପାଖରେ ବଣ୍ଟନ ପାଇଁ ରଖାଯାଇପାରିବ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୩୦୦ କୋଟି ମୂ ଲ୍ୟର ବିଭିନ୍ନ କୃଷକ କଲ୍ୟାଣ କାର୍ଯ୍ୟର ଉଦଘାଟନ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦ ଠାରେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି)ର ହୀରକ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ୩୦୦ କୋଟି ଟଙ୍କାର ଅନେକ କୃଷକ କଲ୍ୟାଣକାରୀ ଯୋଜନାର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିକଟରେ ଆରମ୍ଭ ହୋଇଥିବା ଶ୍ୱେତ ବିପ୍ଳବ ୨.୦ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦର୍ଶାଯାଇଥିବା ସମସ୍ତ ପ୍ରମୁଖ କୃଷକ ଅନୁକୂଳ ପଏଣ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ସମବାୟ କ୍ଷେତ୍ର ଏକ ଲକ୍ଷ ନୂତନ ଏବଂ ପୂର୍ବରୁ ରହିଥିବା  ଡାଏରୀଗୁଡିକୁ ସଶକ୍ତ କରିବ ଏବଂ ଦ୍ୱିତୀୟ ଶ୍ୱେତ ବିପ୍ଳବ ଦୁଗ୍ଧ ପାଇଁ ମାର୍ଗକୁ ବିସ୍ତାର କରିବ।

ଶ୍ରୀ ଶାହ କହିଥିଲେ ଯେ ତ୍ରିଭୁବନ ଦାସ ଜୀ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କର କଠିନ ପରିଶ୍ରମପୂର୍ଣ୍ଣ ଜୀବନ ସମ୍ପର୍କରେ ବର୍ଣ୍ଣନା କରିବା କଷ୍ଟକର। ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବାଦ୍ ଦେଇ ତ୍ରିଭୁବନଦାସ ପଟେଲ ଦେଶର ଗରିବ କୃଷକଙ୍କ ସଶକ୍ତୀକରଣ ପାଇଁ ଏକ ନିଆରା ଦୃଷ୍ଟିକୋଣ ନେଇ କାର୍ଯ୍ୟ କରିଥିଲେ। ସେ ନିଜର ଖୁସିକୁ ତ୍ୟାଗ କରି ଦେଶର ଗରିବ କୃଷକ ମାନଙ୍କର ସଶକ୍ତୀକରଣ ପାଇଁ କାର୍ଯ୍ୟ କରିଥିଲେ। ଜୀବନ ସାରା ତ୍ରିଭୁବନଦାସ ଜୀ ବ୍ୟକ୍ତିଗତ ଲାଭରୁ ନିଜକୁ ଦୂରେଇ ରଖିଥିଲେ ଏବଂ ଦେଶର ପ୍ରତ୍ୟେକ କୃଷକଙ୍କୁ ସହଯୋଗର ପ୍ରକୃତ ଭାବନା ସହିତ ଯୋଡ଼ିବା ପାଇଁ ତାଙ୍କର ପ୍ରୟାସକୁ ସମର୍ପିତ କରିଥିଲେ ଏବଂ ଏହି ପ୍ରୟାସରେ ବଡ଼ ସଫଳତା ହାସଲ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ ତ୍ରିଭୁବନ ଦାସଙ୍କ ଯୋଗୁଁ ଦେଶର ୫ କୋଟି ଗୋପାଳକ ଶାନ୍ତିରେ ଶୋଇଛନ୍ତି ଏବଂ ଆଜି ଦେଶର କୋଟି କୋଟି କୃଷକ, ବିଶେଷ କରି ମହିଳାମାନେ ସମୃଦ୍ଧ ହେଉଛନ୍ତି । ତ୍ରିଭୁବନ ଦାସ ଜୀ ଏକ କ୍ଷୁଦ୍ର ସମବାୟ ସମିତି ଗଠନ କରିଥିଲେ ଯାହା ଆଜି ଦେଶର ୨ କୋଟି କୃଷକଙ୍କୁ ସମବାୟ କ୍ଷେତ୍ର ସହିତ ଯୋଡ଼ି ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ୧୯୬୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅମୂଲ ଡାଏରୀ ପରିଦର୍ଶନ କରି ନିଷ୍ପତ୍ତି ନେଇଥିଲେ ଯେ କେବଳ ଗୁଜରାଟ ନୁହେଁ ସମଗ୍ର ଦେଶର ପଶୁସମ୍ପଦ ମାଲିକମାନେ ଏହି ସଫଳ ମଡେଲରୁ ଉପକୃତ ହେବା ଉଚିତ୍ । ଏହାପରେ ଶାସ୍ତ୍ରୀ ଜୀ ଏନଡିଡିବି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ୬୦ ବର୍ଷ ମଧ୍ୟରେ ଏନଡିଡିବି କେବଳ ସମବାୟ କ୍ଷେତ୍ର, କୃଷକ ଏବଂ ମା’ ଭଉଣୀମାନଙ୍କୁ ସଶକ୍ତ ଓ ସଂଗଠିତ କରିନାହିଁ, ବରଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ କାର୍ଯ୍ୟ କରିଛି ବୋଲି ସେ କହିଥିଲେ । ସମବାୟ ମାଧ୍ୟମରେ ପଶୁପାଳନ କରାଗଲେ ଏହା କେବଳ କୃଷକଙ୍କ ପାଇଁ ସମୃଦ୍ଧି ଆଣିନଥାଏ ବରଂ ଦେଶର ପୁଷ୍ଟିହୀନ ପିଲାଙ୍କ ସମସ୍ୟାର ମଧ୍ୟ ସମାଧାନ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଅମୂଲ ମାଧ୍ୟମରେ ଗଠିତ ଏହି ବିଶ୍ୱାସ କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ବରଂ ପିଲାମାନଙ୍କୁ ପୁଷ୍ଟି ଯୋଗାଇ ଶକ୍ତିଶାଳୀ ନାଗରିକ ସୃଷ୍ଟି କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି ।

ଏନଡିଡିବି ଗ୍ରାମୀଣ କ୍ଷେତ୍ର ଏବଂ ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ସହ କୃଷିକୁ ଆତ୍ମନିର୍ଭରଶୀଳ କରିଛି ବୋଲି ଶ୍ରୀ ଅମିତ ଶାହ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତ୍ରିଭୁବନ ଜୀ ଏନଡିଡିବିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ଆଜି କେବଳ ଦେଶରେ ନୁହେଁ ବିଶ୍ୱରେ ଏକ ବହୁତ ବଡ ଅନୁଷ୍ଠାନରେ ପରିଣତ ହୋଇଛି । ୧୯୮୭ରେ ଏନଡିଡିବି ଏକ ସରକାରୀ ଅନୁଷ୍ଠାନରେ ପରିଣତ ହୋଇଥିଲା ଏବଂ ୧୯୭୦ ରୁ ୧୯୯୬ ପର୍ଯ୍ୟନ୍ତ ଏହା ଅପରେସନ ଫ୍ଲଡ୍ ପ୍ରୋଗ୍ରାମ୍ ବିକଶିତ ତଥା କାର୍ଯ୍ୟକାରୀ କରିଥିଲା, ଯାହା ଶ୍ୱେତ ବିପ୍ଳବର କାରଣ ହୋଇଥିଲା ବୋଲି ସେ ଉଲ୍ଳେଖ କରିଥିଲେ । ସେ କହିଛନ୍ତି ଯେ ଅମୂଲ ଆଜି ୬୦,୦୦୦ କୋଟି ଟଙ୍କାର ବାର୍ଷିକ ବ୍ୟବସାୟ କରୁଛି ଯାହା ପ୍ରାରମ୍ଭିକ ଭାବରେ ମହିଳାମାନଙ୍କର ଅତି ଅଳ୍ପ ଅଂଶଧନ ପୁଞ୍ଜିରେ ନିର୍ମିତ ହୋଇଥିଲା । ଶ୍ରୀ ଶାହ କହିଛନ୍ତି ଯେ ୧୯୬୪ ମସିହାରେ ଯେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଜୀ ଏନଡିଡିବି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ କେହି ଜାଣି ନଥିଲେ ଯେ ଏହା ଦିନେ ଏକ ବିଶାଳ ବଟ ବୃକ୍ଷରେ ପରିଣତ ହେଉଥିବା ଏକ କ୍ଷୁଦ୍ର ମଞ୍ଜି ପରି ବଢିବ । ଏନଡିଡିବିର ଦୁଗ୍ଧ ବିକ୍ରି ଦୈନିକ ୪୨୭ ଲକ୍ଷ ଲିଟରରେ ପହଞ୍ଚିଥିବା ବେଳେ ଦୈନିକ ୫୮୯ ଲକ୍ଷ ଲିଟର ଦୁଗ୍ଧ କ୍ରୟ ହେଉଛି । ଏହାର ରାଜସ୍ୱ ୩୪୪ କୋଟି ଟଙ୍କାରୁ ୪୨୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଶୁଦ୍ଧ ଲାଭ ୫୦ କୋଟି ଟଙ୍କା ରହିଛି ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏନଡିଡିବି ପନିପରିବା ପ୍ରକ୍ରିୟାକରଣ ଆରମ୍ଭ କରିଛି, ଆମର କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ସୁଯୋଗ ଦେଇଛି ଏବଂ ଏହାର ଲାଭ ସମବାୟ ମଡେଲ ଅଧୀନରେ ତୃଣମୂଳ ସ୍ତରରେ ବଣ୍ଟନ କରାଯିବ । ସେ କହିଥିଲେ ଯେ ଗୋବର୍ଦ୍ଧନ ଯୋଜନା ଆମ ଜମିର ସଂରକ୍ଷଣ ଏବଂ ଅଭିବୃଦ୍ଧି, ଅମଳ ବୃଦ୍ଧି, ଉନ୍ନତ କୃଷକ ସମୃଦ୍ଧି ଏବଂ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିଛି । ଗୋବରରୁ ଗ୍ୟାସ ଓ ସାର ଉତ୍ପାଦନ ହେଉଛି ଏବଂ କାର୍ବନ କ୍ରେଡିଟ୍ ଦେୟ ଆମ ମା’ ଓ ଭଉଣୀଙ୍କ ପାଖରେ ପହଞ୍ଚୁଛି । ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି  ନେଇ ଗୋବର୍ଦ୍ଧନ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏନଡିଡିବି ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପଞ୍ଜିକରଣ କରିଛି ।

ଏନଡିଡିବିର ପଦକ୍ଷେପ ପରେ ଏବେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଦୁଗ୍ଧ କ୍ଷେତ୍ରର ସମସ୍ତ କାରଖାନା ନିର୍ମାଣ କରାଯିବ ବୋଲି ଶ୍ରୀ ଅମିତ ଶାହ କହିଥିଲେ । ଆଜି ୨୧୦ କୋଟି ଟଙ୍କା ବ୍ୟୟରେ ମଦର ଡାଏରୀ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟର ଶିଳାନ୍ୟାସ କରାଯାଇଛି । ଏହାବ୍ୟତୀତ ଉତ୍ତରାଖଣ୍ଡର ବଦ୍ରି ଘିଅ ଏବଂ ମଦର ଡାଏରୀର ଗିର ଘିଅ ବ୍ରାଣ୍ଡକୁ ମଧ୍ୟ ଆଜି ଉନ୍ମୋଚନ କରାଯାଇଛି । ସେ କହିଛନ୍ତି ଯେ ସମବାୟ ସାମଗ୍ରୀର ବ୍ରାଣ୍ଡିଂ କରିବା ଏବଂ କର୍ପୋରେଟ୍ ସାମଗ୍ରୀ ସହିତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ କରିବା ହେଉଛି ସଫଳତାର ଚାବିକାଠି । ଆଜି ଆମର ଅମୂଲ ବ୍ରାଣ୍ଡ ବିଶ୍ୱସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଛି, ଯାହା କି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଲଦାଖରେ ଆପ୍ରିକଟ, ହିମାଚଳରେ ସେଓ ଏବଂ ମେଘାଳୟରେ ସପୁରୀ ଚାଷ କରୁଥିବା କୃଷକମାନେ ଆଜି ଆରମ୍ଭ ହୋଇଥିବା ପଦକ୍ଷେପ ଦ୍ୱାରା ଉପକୃତ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ସମବାୟ ମନ୍ତ୍ରଣାଳୟ ତିନୋଟି ନୂତନ ଜାତୀୟ ସ୍ତରର ସମବାୟ ଅନୁଷ୍ଠାନ ପ୍ରତିଷ୍ଠା କରିଛି । ନେତୃତ୍ୱ ସ୍ତରରେ ଯେତେବେଳେ ପ୍ରକୃତରେ କୃଷକଙ୍କ ପାଇଁ ଚିନ୍ତା କରାଯାଏ, ସେତେବେଳେ ଏଭଳି ନୂଆ ପଦକ୍ଷେପ ନିଆଯାଇପାରିବ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମବାୟ କ୍ଷେତ୍ରରେ ଅନେକ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ବର୍ତ୍ତମାନ ପ୍ରାୟ ୨୨ଟି ରାଜ୍ୟ ମହାସଂଘ ଓ ୨୩୧ଟି ଜିଲ୍ଲା ମହାସଂଘ ସମେତ ୨୮ଟି ମାର୍କେଟିଂ ଡାଏରୀ ଓ ୨୧ଟି ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ମୋଦୀ ସରକାର ୨ ଲକ୍ଷ ନୂତନ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଯାହା ଆମର ସମବାୟ ଢାଞ୍ଚାକୁ ଯଥେଷ୍ଟ ସୁଦୃଢ଼ କରିବ ବୋଲି ସେ ମତ ଦେଇଥିଲେ । ସେ କହିଛନ୍ତି ଯେ ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ସମସ୍ତ ସଂସ୍ଥାର ଶକ୍ତି ବୃଦ୍ଧି କରିବ । ୨୩୧ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ ସହ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛି ବୋଲି ସେ ଆଲୋକପାତ କରିଥିଲେ । ଆମର ଦୁଗ୍ଧ ଉତ୍ପାଦନ ଅଭିବୃଦ୍ଧି ହାର ୬% ଥିବା ବେଳେ ବିଶ୍ୱ ଅଭିବୃଦ୍ଧି ହାର ମାତ୍ର ୨% ରହିଛି । ଆଜି ୮ କୋଟି ଗ୍ରାମୀଣ ପରିବାର ଦୈନିକ କ୍ଷୀର ଉତ୍ପାଦନ କରୁଥିବା ବେଳେ ସମବାୟ କ୍ଷେତ୍ର ସହ ମାତ୍ର ଦେଢ଼ କୋଟି ଲୋକ ଯୋଡ଼ି ହୋଇଛନ୍ତି । ଏହାର ଅର୍ଥ ବାକି ୬.୫ କୋଟି ପରିବାର ଉଚିତ ମୂଲ୍ୟ ପାଉନାହାନ୍ତି ଏବଂ ଶୋଷଣର ଶିକାର ହେଉଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଭବିଷ୍ୟତରେ ଦୁଗ୍ଧ ଉତ୍ପାଦନରେ ନିୟୋଜିତ ସମସ୍ତ ୮ କୋଟି କୃଷକ ପରିବାର ଯେପରି କଠିନ ପରିଶ୍ରମ ପାଇଁ ପୂର୍ଣ୍ଣ କ୍ଷତିପୂରଣ ପାଇବେ ଏବଂ ସମବାୟ କ୍ଷେତ୍ର ସହ ଯୋଡ଼ି ହୋଇପାରିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ହେବ ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ସମବାୟ ସମୃଦ୍ଧି ଅଭିଯାନର ଫଳସ୍ୱରୂପ, ଦେଶରେ କ୍ଷୀରର ଉପଲବ୍ଧତା ଯାହା ୧୯୭୦ ରେ ବ୍ୟକ୍ତି ପିଛା ୪୦ କିଲୋଗ୍ରାମ ଥିଲା, ୨୦୧୧ରେ ଏହା ୧୦୩ କିଲୋଗ୍ରାମକୁ ବୃଦ୍ଧି ପାଇଥିଲା ଏବଂ ୨୦୨୩ରେ ଏହା ବୃଦ୍ଧି ପାଇ ବ୍ୟକ୍ତି ପିଛା ୧୬୭ କିଲୋଗ୍ରାମରେ ପହଞ୍ଚିଛି । ସେ ଉଲ୍ଲେଖ କରିଛନ୍ତି ଯେ ଦେଶପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ହେଉଛି ୧୧୭ କିଲୋଗ୍ରାମ୍ ।