Categories
ବିଶେଷ ଖବର

ସନାତନ ଧର୍ମକୁ ନଷ୍ଟ କରିବା ବୟାନରେ ଉଦୟନିଧି ଅଟଳ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରବିବାର ସନ୍ଧ୍ୟାରେ ପୁଣି ଥରେ ସନାତନ ଧର୍ମର ଅନ୍ତ ବିଷୟରେ କହିଥିଲେ। ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଉଦୟନିଧି କହିଛନ୍ତି ଯେ ସେ ତାଙ୍କ ବୟାନରେ ଅଟଳ ଅଛନ୍ତି। ଲୋକମାନେ ଏହାକୁ ଅଯଥାରେ ଗଣହତ୍ୟା ସହ ଯୋଡ଼ିଛନ୍ତି।

ଶନିବାର ଦିନ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଉଦୟନିଧିଙ୍କ ବୟାନକୁ ଗଣହତ୍ୟା ପ୍ରୋତ୍ସାହନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସ ମୁକ୍ତ ଭାରତ କଥା କହୁଛନ୍ତି, ତେବେ ଏହାର ଅର୍ଥ କ’ଣ କଂଗ୍ରେସକର୍ମୀଙ୍କୁ ହତ୍ୟା କରାଯିବା ଉଚିତ କି ବୋଲି ଉଦୟନିଧି ପାଲଟା ପ୍ରଶ୍ନ କରିଛନ୍ତି?

ବିବାଦ କେଉଁଠୁ ଆରମ୍ଭ ହେଲା ?

ଉଦୟନିଧି ଷ୍ଟାଲିନ ସେପ୍ଟେମ୍ବର ୨ରେ ଚେନ୍ନାଇରେ ଏକ ସନାତନ ଧର୍ମ ଉଚ୍ଛେଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଭାଷଣ ଦେବା ସମୟରେ ସେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ସହ ତୁଳନା କରିଛନ୍ତି। ମଶା, ଡେଙ୍ଗୁ, ଜ୍ୱର, ମ୍ୟାଲେରିଆ ଓ କରୋନା ଏପରି କିଛି ଜିନିଷ ଯାହାକୁ କେବଳ ପ୍ରତିରୋଧ କରାଯାଇପାରିବ ନାହିଁ, ବରଂ ଏହାକୁ ଦୂର କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଉଦୟନିଧି କହିଲେ- ମୁଁ ସର୍ବଦା ସନାତନ ଧର୍ମର ଅନ୍ତ ବିଷୟରେ କହିବି

ଉଦୟନିଧି ରବିବାର ସନ୍ଧ୍ୟାରେ କହିଛନ୍ତି, ମୁଁ ପୁଣି କହୁଛି ଯେ ମୁଁ କେବଳ ସନାତନ ଧର୍ମକୁ ସମାଲୋଚନା କରିଛି ଏବଂ ସନାତନ ଧର୍ମକୁ ଉଚ୍ଛେଦ କରାଯାଉ। ମୁଁ ଏହା କ୍ରମାଗତ ଭାବରେ କହିବି। କିଛି ଲୋକ ପିଲାଳିଆ ଆଚରଣ କରୁଛନ୍ତି ଏବଂ କହୁଛନ୍ତି ଯେ ମୁଁ ଗଣହତ୍ୟା ପାଇଁ ଆହ୍ୱାନ କରିଛି।

କିଛି ଲୋକ ଦ୍ରାବିଡ଼ବାଦର ଅନ୍ତ ବିଷୟରେ ମଧ୍ୟ କହୁଛନ୍ତି। ଏହାର ଅର୍ଥ କ’ଣ ଡିଏମକେ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯିବା ଉଚିତ?

ଉଦୟନିଧି କହିଲେ- ମୋ ବିରୋଧରେ ମାମଲା ରୁଜୁ କର, ମୁଁ ଏଥିପାଇଁ ପ୍ରସ୍ତୁତ
ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନ ଦେଇଥିବା ବୟାନ ବିରୋଧରେ ଜଣେ ଓକିଲ ଦିଲ୍ଲୀ ପୁଲିସରେ ଏତଲା ଦେଇଛନ୍ତି। ଏହା ଉପରେ ଷ୍ଟାଲିନ୍ କହିଛନ୍ତି ଯେ ଯଦି ତାଙ୍କ ବୟାନକୁ ନେଇ କୌଣସି ମାମଲା ରୁଜୁ ହୁଏ, ତେବେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି।

ଉଦୟନିଧି କହିଲେ, ସନାତନ କ’ଣ? ସନାତନ ଅର୍ଥ କିଛି ପରିବର୍ତ୍ତନ ହେବା ଉଚିତ ନୁହେଁ ଏବଂ ସମସ୍ତେ ସ୍ଥାୟୀ ଅଟନ୍ତି। କିନ୍ତୁ ଦ୍ରାବିଡ଼ ମଡେଲରେ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ସମସ୍ତେ ସମାନ ହେବା ଉଚିତ। ବିଜେପି ଇଣ୍ଡିଆ ଆଲାଏନ୍ସକୁ ଭୟ କରୁଛି ଏବଂ ଏହାକୁ ହଟାଇବା ପାଇଁ ସେମାନେ ଏସବୁ କହୁଛନ୍ତି। ଡିଏମକେର ନୀତି ଗୋଟିଏ ପରିବାର, ଗୋଟିଏ ଭଗବାନର।

ଉଦୟନିଧିଙ୍କ ବୟାନରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ

ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, ଆମର ଆଭିମୁଖ୍ୟ ସ୍ପଷ୍ଟ। କଂଗ୍ରେସ କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରେ କୌଣସି ମନ୍ତବ୍ୟ ଦିଏ ନାହିଁ କିମ୍ବା ବିଶ୍ୱାସ କରେ ନାହିଁ। ଅନ୍ୟ କାହାର ବୟାନ ପାଇଁ ଆମେ ଦାୟିତ୍ୱ ନେଇପାରିବୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଏମକେ ଷ୍ଟାଲିନ ହେଲେ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ଶପଥ ପାଠ କରାଇଲେ ରାଜ୍ୟପାଳ

ଚେନ୍ନାଇ: ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଆଜି ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇ ସ୍ଥିତ ରାଜଭବନରେ ଷ୍ଟାଲିନଙ୍କୁ ରାଜ୍ୟପାଳ ବନବାରିଲାଲ ପୁରୋହିତ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟକୁ ଆସୁଥିବା ୩୩ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଡିଏମକେକୁ ହରାଇ ଡିଏମକେ ଶାସନ କ୍ଷମତାକୁ ଆସିଛି। ଷ୍ଟାଲିନଙ୍କ ନେତୃତ୍ଵରେ ଡିଏମକେ ଷଷ୍ଠ ଥର ପାଇଁ ତାମିଲନାଡୁରେ କ୍ଷମତାକୁ ଆସିଛି। ଡିଏମକେ ୨୦୦୬-୨୦୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ପର୍ଯ୍ୟନ୍ତ ତାମିଲନାଡୁରେ ସରକାର ଗଠନ କରିଥିଲା।

ତେବେ ଏହି ନିର୍ବାଚନରେ ତାମିଲନାଡୁ ବିଧାନସଭା ମୋଟ ୨୩୪ ଟି ଆସନରୁ ଡିଏମକେ ମେଣ୍ଟକୁ ୧୫୯ ଟି ଆସନ ମିଳିଛି। ଯେଉଁଥିରେ ଡିଏମକେ ୧୩୩ ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୧୮ ଟି ଆସନ, ବିସିକେ ଦଳକୁ ୪ ଟି ଏବଂ ସିପିଏମ, ସିପିଆଇକୁ ୨ ଟି ଲେଖାଏଁ ଆସନ ମିଳିଛି। ସେହିଭଳି ବିରୋଧୀ ଦଳ ଏଆଇଡିଏମକେ ମେଣ୍ଟକୁ ମୋଟ ୭୫ ଟି ଆସନ ମିଳିଛି। ୭୫ ଆସନ ମଧ୍ୟରୁ ଏଆଇଡିଏମକେକୁ ୬୬ ଟି ଆସନ ମିଳିଥିବା ବେଳେ ପିଏମକେକୁ ୫ ଟି ଆସନ ଏବଂ ବିଜେପିକୁ ୪ ଟି ଆସନ ମିଳିଛି।