ଏମକେ ଷ୍ଟାଲିନ ହେଲେ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ଶପଥ ପାଠ କରାଇଲେ ରାଜ୍ୟପାଳ

Published: May 7, 2021, 11:55 am IST

ଚେନ୍ନାଇ: ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଆଜି ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇ ସ୍ଥିତ ରାଜଭବନରେ ଷ୍ଟାଲିନଙ୍କୁ ରାଜ୍ୟପାଳ ବନବାରିଲାଲ ପୁରୋହିତ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟକୁ ଆସୁଥିବା ୩୩ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଡିଏମକେକୁ ହରାଇ ଡିଏମକେ ଶାସନ କ୍ଷମତାକୁ ଆସିଛି। ଷ୍ଟାଲିନଙ୍କ ନେତୃତ୍ଵରେ ଡିଏମକେ ଷଷ୍ଠ ଥର ପାଇଁ ତାମିଲନାଡୁରେ କ୍ଷମତାକୁ ଆସିଛି। ଡିଏମକେ ୨୦୦୬-୨୦୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ପର୍ଯ୍ୟନ୍ତ ତାମିଲନାଡୁରେ ସରକାର ଗଠନ କରିଥିଲା।

ତେବେ ଏହି ନିର୍ବାଚନରେ ତାମିଲନାଡୁ ବିଧାନସଭା ମୋଟ ୨୩୪ ଟି ଆସନରୁ ଡିଏମକେ ମେଣ୍ଟକୁ ୧୫୯ ଟି ଆସନ ମିଳିଛି। ଯେଉଁଥିରେ ଡିଏମକେ ୧୩୩ ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୧୮ ଟି ଆସନ, ବିସିକେ ଦଳକୁ ୪ ଟି ଏବଂ ସିପିଏମ, ସିପିଆଇକୁ ୨ ଟି ଲେଖାଏଁ ଆସନ ମିଳିଛି। ସେହିଭଳି ବିରୋଧୀ ଦଳ ଏଆଇଡିଏମକେ ମେଣ୍ଟକୁ ମୋଟ ୭୫ ଟି ଆସନ ମିଳିଛି। ୭୫ ଆସନ ମଧ୍ୟରୁ ଏଆଇଡିଏମକେକୁ ୬୬ ଟି ଆସନ ମିଳିଥିବା ବେଳେ ପିଏମକେକୁ ୫ ଟି ଆସନ ଏବଂ ବିଜେପିକୁ ୪ ଟି ଆସନ ମିଳିଛି।

Related posts