Categories
ଆଞ୍ଚଳିକ

ନବ ବର୍ଷରେ ବାଲୁଗାଁ ସହରବାସୀଙ୍କୁ ଏନଏସି ର ଭେଟି: ଉଦଘାଟିତ ହେଲା ସେଲଫି ପଏଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନୂତନ ବର୍ଷ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଦୁଇଟି ସ୍ୱାଗତ ଫଳକ ସହ ସେଲଫି ପଏଣ୍ଟ ଉନ୍ମୋଚନ ହୋଇଯାଇଛି।

ସୂଚନା ମୁତାବକ ଏସିଆ ମହାଦେଶର ବୃହତ୍ତମ ଲୁଣ ହ୍ରଦ ଚିଲିକା ତଟ ଦେଶରେ ଅବସ୍ଥିତ ବାଲୁଗାଁ ସହର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ବ୍ୟସ୍ତବହୁଳ ସହର ଭାବେ ପରିଚିତ।ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ଦୀର୍ଘ ୪୦ ବର୍ଷ ହେବ ଏନଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାଗତ ଫଳକଟିଏ ଅବା ସେଲଫି ପଏଣ୍ଟ ଦେଖିବାକୁ ମିଳୁନଥିଲା। ଏନଏସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ, ୟୁଜର ଫି, ପାର୍କିଂ ଫି ଆଦି ନିୟମିତ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦୁପଯୋଗ କେଉଁଠି କରାଯାଉଛି ତାହା ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳ ହେଉ ଅବା ବାହାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯିବାଆସିବା ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟକ ଋତୁରେ ଦେଶବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଯାହାକି ବାହାରୁ ଆସୁଥିବା ଲୋକମାନେ ବାଲୁଗାଁ ସହରର ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଥିବା ବେଳେ ଆଜି ମୁକ୍ତା ଯୋଜନାରେ ସହର ସୀମା ତଥା ଦକ୍ଷିଣ ପାର୍ଶ୍ଵ ପ୍ରବେଶ ଦ୍ୱାର ସୋମନାଥ ବସ ଷ୍ଟାଣ୍ଡ ଓ ଉତ୍ତର ପାର୍ଶ୍ଵ ମାମୁଁ ଭଣଜା ପାଦଦେଶ ପୋଲିସ ଥାନା ଠାରେ ନବନିର୍ମିତ ଦୁଇ ଗୋଟି ସ୍ୱାଗତ ଫଳକ ସହ ଚିଲିକା କୁଳ ଜେଟି ଠାରେ ସେଲଫି ପଏଣ୍ଟ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏଥିସହିତ ବାଲୁଗାଁ-ବାଣପୁର ରେଲୱେ ଓଭର ବ୍ରିଜ ଉପରେ ଥିବା ବିଦ୍ୟୁତ ଖୁଣ୍ଟର ସୌନ୍ଦର୍ଯ୍ୟକରଣ ଲାଇଟ ଏବଂ ବିଜ୍ଞାପିତ ପରିଷଦର ପରିମଳ କାର୍ଯ୍ୟ ପାଇଁ ନୂତନ ଭାବେ ନିୟୋଜିତ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟାଟା ଏସି ର ଶୁଭ ଉଦଘାଟନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ପୌର ଯନ୍ତ୍ରୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: କାଠ ଚୋରି ଅଭିଯୋଗ, ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କୁ ଆଣ୍ଠେଇଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ। ଏହି ଶାଗୁଆନ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କଡାକଡି କରାଯାଉଛି। ଏହି ଜଙ୍ଗଲ ମଧ୍ୟରେ ସାଧାରଣ ଜନତା ପ୍ରବେଶ କରିବା ତ ଦୂରର କଥା, ଏଠି ମାଛି ପଡିଲେ ନବଖଣ୍ଡ। କିନ୍ତୁ ଏହାର ସୁଯୋଗ ନେଇ ବନ ବିଭାଗ କର୍ମଚାରୀ ଶାଗୁଆନ କାଠ ଚୋରୀ କରି ମାଫିଆଙ୍କୁ ଦେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। କେବଳ ଅଭିଯୋଗ ନୁହେଁ, ବନ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀ ଆଣ୍ଠେଇ ବସେଇଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ବନ ସୁରକ୍ଷାରେ ଥିବା କର୍ମଚାରୀମାନେ ଗଛ କାଟି ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡି ହଟହଟା ହୋଇଛନ୍ତି।

ଜଙ୍ଗଲର ସୁରକ୍ଷା ପାଇଁ ସିଆରପିଏଫ ହାତକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ  ହସ୍ତାନ୍ତର କରିଥିଲେ। ଉକ୍ତ ସମୟ ଠାରୁ ଜଙ୍ଗଲ ସୁରକ୍ଷିତ ଥିଲା। କିନ୍ତୁ ସିଆରପିଏଫଙ୍କ ଅପସାରଣ ପରେ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି।

ଉଲ୍ଲେଖ ଯୋଗ୍ୟ ଯେ, ଜଙ୍ଗଲର ରକ୍ଷଣା ବେକ୍ଷଣର ଦାଇତ୍ୱ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀ ମାନଙ୍କ ଉପରେ ନ୍ୟସ୍ତ କରଯାଇଥିବା ବେଳେ ଆଜି ଅରାଙ୍ଗ ସଂରକ୍ଷିତ ଜଙ୍ଗଲ ଧୂଆଁନଳୀ ବିଟ ଅନ୍ତର୍ଗତ କିଆ ଗୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଙ୍ଗଲ ଦାୟିତ୍ୱରେ ଥିବା ଗ୍ରାମବାସୀ ଫରେଷ୍ଟ ବିଭାଗର ତିନିଜଣ କର୍ମଚାରୀଙ୍କୁ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବାବେଳେ ଅଟକ ରଖିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଜଙ୍ଗଲ ବିଭାଗର ସାତ ଜଣ କର୍ମଚାରୀ ଏବଂ କାଠ କଟାଳି ପାଖାପାଖି ୧୫ ଫୁଟ ଗୋଲେଇ ଏକ ଶଗୁଆନ ଗଛକୁ କାଟିସାରିଥିବା ବେଳେ ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ। କଟାଳି ଏବଂ କିଛି କର୍ମଚାରୀ ଖସି ପଳାଇବାରେ ସକ୍ଷମ ହୋଇଥିବାବେଳେ ଜଙ୍ଗଲ ବିଭାଗର ତିନିଜଣ କର୍ମଚାରୀଙ୍କୁ ଗ୍ରାମବାସୀ କାବୁକରି ଉକ୍ତ ଜାଗାରେ ଆଣ୍ଠୁମାଡ଼ି ବସାଇ ଦେଇଥିଲେ।

ସେମାନେ ହେଲେ ବନପାଳ ଦୁଃଶାସନ ନାୟକ, ଏବଂ ଅନ୍ୟ ଦୁଇଜଣ ବନରକ୍ଷୀ ବୋଲି ଜଣାପଡିଛି। ଖବର ପାଇ ବାଣପୁର ପୋଲିସ ତରଫରୁ ଏସଆଇ ପ୍ରସନ୍ନ ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି। ଅପରପକ୍ଷେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରାଯିବାରୁ ଉକ୍ତ ଗଛଟି ୯୦ ପ୍ରତିଶତ ନଷ୍ଟ ହୋଇଯାଇଥିବାବେଳେ ଦୁର୍ଘଟଣାରୁ ବର୍ତ୍ତିବା ନିମନ୍ତେ କାଟିବା ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଏବଂ ଏହି ଘଟଣା ବିଷୟରେ ଗ୍ରାମବାସୀମାନେ ମିଛ ଅଭିଯୋଗ କରିବା ସହ ବନ କର୍ମଚାରୀଙ୍କୁ ମାଡ଼ ମାରିଥିବାର ଶ୍ରୀ ମହାନ୍ତି କହିଛନ୍ତି।

ତେବେ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ଅଛନ୍ତି ଏବଂ ସିଧାସଳଖ ବନବିଭାଗର କର୍ମଚାରୀମାନେ କାଠ ଚୋରି କରି ନେଉଥିବାର ଅଭିଯୋଗ କରିଛନ୍ତି। ତେବେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ବାଣପୁର ପୋଲିସ ସେଠାରେ ଉପସ୍ଥିତ ଅଛି।

Categories
ଆଜିର ଖବର ଜାତୀୟ ଖବର

ବେଙ୍ଗାଲୁରୁରେ ଭାରତର ଶକ୍ତି ପ୍ରଦର୍ଶନ: ଏରୋ ଇଣ୍ଡିଆ ୨୦୨୧ କୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଳୁରୁ: ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ ଏରୋ ଇଣ୍ଡିଆ ୨୦୨୧ ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜିଠାରୁ ଆରମ୍ଭ ହୋଇଛି। ଏରୋ ଇଣ୍ଡିଆ ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ। ଏହି ସୋ’ ରେ ୧୪ ଟି ଦେଶ ସାମିଲ ହୋଇଛନ୍ତି। ଏଥିରେ ଭାରତର ତେଜସ, ରାଫେଲ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜିଠାରୁ ଏହି ଏୟାର ସୋ’ ତିନି ଦିନ ପାଇଁ ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସେନାରେ ଆଧୁନିକକରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଆଗାମୀ ୭/୮ ବର୍ଷ ଭିତରେ ୧୩୦ ବିଲିଅନ ଡ଼ଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଯୋଜନା ରଖାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ୍ ବିପିନ ରାଓ୍ୱତ ସମେତ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏରୋ ଇଣ୍ଡିଆ ସୋ’ର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ ହୋଇଥିଲା।