ନବ ବର୍ଷରେ ବାଲୁଗାଁ ସହରବାସୀଙ୍କୁ ଏନଏସି ର ଭେଟି: ଉଦଘାଟିତ ହେଲା ସେଲଫି ପଏଣ୍ଟ

Published: Jan 1, 2023, 6:49 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନୂତନ ବର୍ଷ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଦୁଇଟି ସ୍ୱାଗତ ଫଳକ ସହ ସେଲଫି ପଏଣ୍ଟ ଉନ୍ମୋଚନ ହୋଇଯାଇଛି।

ସୂଚନା ମୁତାବକ ଏସିଆ ମହାଦେଶର ବୃହତ୍ତମ ଲୁଣ ହ୍ରଦ ଚିଲିକା ତଟ ଦେଶରେ ଅବସ୍ଥିତ ବାଲୁଗାଁ ସହର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ବ୍ୟସ୍ତବହୁଳ ସହର ଭାବେ ପରିଚିତ।ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ଦୀର୍ଘ ୪୦ ବର୍ଷ ହେବ ଏନଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାଗତ ଫଳକଟିଏ ଅବା ସେଲଫି ପଏଣ୍ଟ ଦେଖିବାକୁ ମିଳୁନଥିଲା। ଏନଏସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ, ୟୁଜର ଫି, ପାର୍କିଂ ଫି ଆଦି ନିୟମିତ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦୁପଯୋଗ କେଉଁଠି କରାଯାଉଛି ତାହା ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳ ହେଉ ଅବା ବାହାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯିବାଆସିବା ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟକ ଋତୁରେ ଦେଶବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଯାହାକି ବାହାରୁ ଆସୁଥିବା ଲୋକମାନେ ବାଲୁଗାଁ ସହରର ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଥିବା ବେଳେ ଆଜି ମୁକ୍ତା ଯୋଜନାରେ ସହର ସୀମା ତଥା ଦକ୍ଷିଣ ପାର୍ଶ୍ଵ ପ୍ରବେଶ ଦ୍ୱାର ସୋମନାଥ ବସ ଷ୍ଟାଣ୍ଡ ଓ ଉତ୍ତର ପାର୍ଶ୍ଵ ମାମୁଁ ଭଣଜା ପାଦଦେଶ ପୋଲିସ ଥାନା ଠାରେ ନବନିର୍ମିତ ଦୁଇ ଗୋଟି ସ୍ୱାଗତ ଫଳକ ସହ ଚିଲିକା କୁଳ ଜେଟି ଠାରେ ସେଲଫି ପଏଣ୍ଟ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏଥିସହିତ ବାଲୁଗାଁ-ବାଣପୁର ରେଲୱେ ଓଭର ବ୍ରିଜ ଉପରେ ଥିବା ବିଦ୍ୟୁତ ଖୁଣ୍ଟର ସୌନ୍ଦର୍ଯ୍ୟକରଣ ଲାଇଟ ଏବଂ ବିଜ୍ଞାପିତ ପରିଷଦର ପରିମଳ କାର୍ଯ୍ୟ ପାଇଁ ନୂତନ ଭାବେ ନିୟୋଜିତ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟାଟା ଏସି ର ଶୁଭ ଉଦଘାଟନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ପୌର ଯନ୍ତ୍ରୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related posts