Categories
ଆଞ୍ଚଳିକ

ଘୋଷଣା ହେଲା ବାଣପୁର ଓକିଲ ସଂଘ ନିର୍ବାଚନର ଫଳାଫଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକକାଳୀନ ଭାବେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ମଧ୍ୟ ଶାନ୍ତିପୂର୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ବିନୋଦ ବିହାରୀ ସ୍ୱାଇଁ ଉକ୍ତ ନିର୍ବାଚନକୁ ପରିଚାଳନା କରିଥିଲେ।

ସକାଳ ୮ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ଯାଏଁ ଉକ୍ତ ନିର୍ବାଚନର ମତଦାନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ଜାରି ରହିଥିଲା। ଅପରାହ୍ନ ୪ ଟାରୁ ଗଣତି ଜାରି ରହିଥିବା ସ୍ଥଳେ ସଂଧ୍ୟା ସୁଦ୍ଧା କେତେଗୋଟି ବାର ଆସୋସିଏସନର ଫଳାଫଳ ପ୍ରକାଶ ପାଇଛି।

ତେବେ ବାଣପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ହସ୍ତଗତ ହୋଇଛି। ସଭାପତି ଭାବେ ପ୍ରଭାତ କୁମାର ପାଟଯୋଶୀ, ଉପସଭାପତି ଭାବେ ପଦ୍ମଜ ପଟ୍ଟନାୟକ, ସମ୍ପାଦକ ଭାବେ ଜଗନ୍ନାଥ ଭୋଳ, ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟନିର୍ବାହୀ କମିଟିର ଅନ୍ୟାନ୍ୟ ସଦସ୍ୟ ଭାବେ ରଜନୀ କାନ୍ତ ରାଉତରାୟ, ଦେବବ୍ରତ ବଡ଼ଜେନା ଓ ମନୋଜ କୁମାର ନନ୍ଦ ଯଥାକ୍ରମେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

୧୨ରେ ଓକିଲ ସଂଘ ନିର୍ବାଚନ: ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆସନ୍ତା ଡ଼ିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ବର୍ତ୍ତମାନ ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ ଦେଖିବାକୁ ମିଳିଛି। କରୋନାକୁ ଆଖି ଆଗରେ ରଖି ହେବାକୁ ଥିବା ଓକିଲ ସଂଘ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ତିନିମାସ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାର ସମସ୍ତ କୋର୍ଟର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେବ।

ଏଠାରେ ସୂଚନାଥାଉକି ବ୍ରହ୍ମପୁର ଓକିଲ ସଂଘ ନିର୍ବାଚନରେ ମୋଟ ବିଭିନ୍ନ ପଦପଦବି ପାଇଁ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ କପିଳ ପଟ୍ଟନାୟକ ଏବଂ ବଂଶିଧର ପାଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଂପାଦକ ପାଇଁ ବରିଷ୍ଠ ଆଇନଜୀବୀ ପ୍ରଦୀପ ବେହେରା ଏବଂ ରାମକୃଷ୍ଣ ମହାରଣା ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ନିର୍ବାଚନକୁ ଓଡ଼ିଶା ବାର୍ କାଉନ୍‌ସିଲ ପରିଚାଳନା କରୁଥିବାବେଳେ ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ନୟନ ମହାପାତ୍ର କାର୍ଯ୍ୟ ନିର୍ବାହ କରିବେ।

ବ୍ରହ୍ମପୁର ବାର୍‌ର ୧୩୩୩ ଜଣ ଭୋଟ ଦେବାର କାର୍ଯ୍ୟକ୍ରମ ଅଛି। ୧୨ ତାରିଖ ସକାଳ ୮ ଘଣ୍ଟାଠାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ। ୪ଟା ପରେ ଭୋଟ ଗଣତି ହୋଇ ସେହିଦିନ ହିଁ ଅପରାହ୍ନରେ ଫଳାଫଳ ଘୋଷିତ ହେବ। ଯାହାକି ଆସନ୍ତା ବର୍ଷ ତଥା ମାର୍ଚ୍ଚ ୨୧, ୨୦୨୧ ଯାଏଁ ଏମାନଙ୍କର କାର୍ଯ୍ୟକାଳ ରହିବ ଏବଂ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି।

ବର୍ତ୍ତମାନ କରୋନା ସମୟରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରେ ସ୍ଥଗିତ ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡାଙ୍କୁ ସଂପାଦକ ଦାୟିତ୍ୱ ତୁଲାଇବା ପାଇଁ ଓଡ଼ିଶା ବାର୍ କାଉନ୍‌ସିଲ ନିର୍ଦ୍ଦେଶ ଦେଇଥିଲା। ଯାହାକି ଏହି ନିର୍ବାଚନ ସରିବା ପରେ ସୁଧାଂଶୁ ପଣ୍ଡା ନବ ନିର୍ବାଚିତ ସଂପାଦକଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବେ।

ନିର୍ବାଚନକୁ ଆଖି ଆଗରେ ରଖି ଆଇନଶୃଙ୍ଖଳାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ବ୍ରହ୍ମପୁର କୋର୍ଟ ପରିସର ନିର୍ବାଚନ ପାଇଁ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀମାନେ ନିଜ ନିଜର ଲବି ଜାହିର କରିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ସଭାପତି ପାଇଁ କପିଲ ପଟ୍ଟନାୟକଙ୍କ ପଲା ଭାରି ଥିବାବେଳେ ସଂପାଦକ ପାଇଁ ପ୍ରଦୀପ ବେହେରାଙ୍କ ପଲା ଭାରି ରହିଥିବା ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବ। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏହିକ୍ରମରେ ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ ଦାଖଲ କରିଥିବାବେଳେ ଉପସଭାପତି ପଦବି ପାଇଁ କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ରାଉତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସଂପାଦକ ପଦବୀ ପାଇଁ ପ୍ରତାପ ବେହେରା ଏବଂ ଯୁଗ୍ମ ସଂପାଦକ ପଦବୀ ପାଇଁ ହେମନ୍ତ ପଣ୍ଡା, ସୋମନାଥ ମହାରଣା ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଅନ୍ୟ କେତେଜଣ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି।