Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଟିଡିସିରେ ସାମିଲ ହେଲା ୧୦ଟି ନୂଆ ଗାଡି, ପର୍ଯ୍ୟଟକ ପରିବହନରେ ୩ କୋଟି ଟଙ୍କା ଲାଭାଂଶ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି। ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍‌ ଡିଜାୟାର-ସିଡାନ୍‌ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି।

ଏଥି ସହ ଦୁଇଟି ଭଲ୍‌ବୋ ବସ୍‌ ଏବଂ ଲକଜରୀ କୋଚ୍‌ ଥିବା ୨ଟି ଅନ୍ୟାନ୍ୟ ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି। ଏଥିରେ ଅତ୍ୟାଧୁନିକ ଓ ପରିବେଶ ଅନୁକୂଳ ସୁବିଧା ଉପଲବ୍ଧ ରହିଛି। ଏହା ଦ୍ୱାରା ନିରନ୍ତର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହୋଇପାରିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ବୈଭବକୁ ଉପଭୋଗ କରିପାରିବେ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରାକାଳୀନ ସେବା ଯୋଗାଇଦେବାର ଲକ୍ଷ୍ୟ ରଖି ଓଟିଡିସି ଏହି ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଟିଡିସିର ପର୍ଯ୍ୟଟନ ପରିବହନ କ୍ଷେତ୍ରରେ ୧.୯୪ କୋଟି ଟଙ୍କା ଲାଭାଂଶ ମିଳିଥିବାବେଳେ ଏହି ନୂତନ ଗାଡ଼ିଗୁଡ଼ିକ ସାମିଲ ହେବା ପରେ ଆସନ୍ତା ଆର୍ଥିକ ବର୍ଷରେ ୩.୧୦ କୋଟି ଟଙ୍କା ଲାଭାଂଶ ବୃଦ୍ଧି ହେବ ବୋଲି ନିଗମ ପକ୍ଷରୁ ଆକଳନ କରାଯାଇଛି।

ଆଜି ନୂତନ କରି ସାମିଲ ହୋଇଥିବା ଗାଡ଼ିକୁ ମିଶାଇ ଓଟିଡିସିର ସମୁଦାୟ ଗାଡ଼ି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି କରାଯାଇ ପର୍ଯ୍ୟଟକମାନଙ୍କୁ ଆନୁଷଙ୍ଗିକ ଉନ୍ନତ ସେବା ପ୍ରଦାନ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍‌କ ଦିଗ୍‌ଦର୍ଶନରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ରାଜ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହୋଇଥିବାରୁ ୫-‘ଟି’ ଉପକ୍ରମକୁ ଆଧାର କରି ଉନ୍ନତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ସୁବିଧା ଓ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ଡ. ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଓଟିଡିସି ପକ୍ଷରୁ ୟଙ୍ଗ ମାଇଣ୍ଡସ୍‌ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି। ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ଉକ୍ତ ଉତ୍ସବରେ ଆଇନା ଫାଉଣ୍ଡେସନର ପିଲାମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଡିଟ୍‌ କରି ନିଜର ତୀକ୍ଷ୍ମ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, କାର୍ଯ୍ୟକଳାପ, ଉପଲବ୍ଧ ସୁବିଧା ଏବଂ ସାମଗ୍ରିକ ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ଥିଲା। ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ।

ଅଡିଟ୍‌ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ। ଡଃ ମହାନ୍ତି ଉଦ୍‌ବୋଧନ ଦେଇ ଆଇନା ଫାଉଣ୍ଡେସନର ଛାତ୍ରଛାତ୍ରୀମାନଙ୍କର ସୁଚିନ୍ତିତ ଅଡିଟ୍‌ ଓ ଅନୁଧ୍ୟାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଇନା ଫାଉଣ୍ଡେସନର କିଶୋରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ମତାମତ ଆଧାରରେ ଓଟିଡିସିର ଉପଲବ୍ଧତା ଏବଂ ସାମଗ୍ରିକ ପର୍ଯ୍ୟଟକ ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଡିଟ୍‌ କାର୍ଯ୍ୟର ପୁଙ୍ଖାନୁପୁଙ୍ଖତାକୁ ଡଃ ମହାନ୍ତି ପ୍ରଶଂସା କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ସହ ସେବାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଟିଡିସିକୁ ହେଲା ୪୪ ବର୍ଷ: ବିଶେଷ ଅବଦାନ ପାଇଁ ଦିଆଗଲା ପୁରସ୍କାର

ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି।

ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଥିବା ନେଇ ଡଃ ମହାନ୍ତି ଉଲ୍ଲେଖ କରିଥିଲେ। ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଥିବା ସେ ଉଲ୍ଲେଖ କରିଥିଲେ। ନିଗମର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ବେଳେ ଏହି ଲାଭାଂଶ ବହୁଗଣିତ ହେବ ବୋଲି ସେ କହିଥିଲେ।

ସେହିଭଳି ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଓଟିଡିସି ଗୁରୁ ଭୂମିକା ଗ୍ରହଣ କରିଛି। ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ଆପଣେଇବାରେ ଏହା ସଫଳହୋଇଛି। କରୋନା ମହାମାରୀ ସମୟରେ କାର୍ଯ୍ୟକରି ଓଡିଟିସି ଏହାର ଦକ୍ଷତା ପ୍ରତିପାଦିତ କରିଥିବା ସେ କହିଥିଲେ। ଓଡିଶା ୱାକ୍ସ, ତାଳଦଣ୍ତା ଓ କଟକରେ ବୋଟ କ୍ଲବ ଖୋଲିବା ସହ ନୂତନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଓଟିଡିସି ଆଗରେ ରହିଥିବା ଶ୍ରୀ ଯାଦବ କହିଥିଲେ।

ଏହି ଅବସରରେ ଓଟିଡିସି ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର‌୍ୟ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ଓଟିଡିସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବରୁ ଓଟିଡିସି ପରିସରରେ ଚାରାରୋପଣ କରାଯିବା ସହ ଉନ୍ନତିକରଣ ହୋଇଥିବା ୧୨ଟି ଶଯ୍ୟାକୁ ଲୋକାର୍ପିତ କରାଯାଇଥିଲା। ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସେହିଭଳି ନିଗମର ଉତ୍କର୍ଷତା କ୍ଷେତ୍ରରେ ପୁରୀ ଓ ଗୋପାଳପୁର ସ୍ଥିତ ପାନ୍ଥନିବାସ, ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁ ସମେତ ଓଟିଡିସିର ବିଭିନ୍ନ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କର୍ମଚାରୀ ଶ୍ରୀମତୀ ବିଦୁ ନାୟକ, ଶ୍ରୀ କେଦାର ବାରିକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଉପହାର ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଫୁଡ ବ୍ଲଗର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା,ପର‌୍ୟ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଶ୍ରୀ ଅନନ୍ତ ନାରାୟଣସିଂ ଲାଗୁରୀ, ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନିଆଳି ମାଧବ ମନ୍ଦିର ପରିଦର୍ଶନ କଲେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି

ଭୁବନେଶ୍ବର: ଆଜି ନିଆଳିର ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଓଟିଡିସିର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି। ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ରୂପେ ପରିଚିତ ନିଆଳି ମାଧବ ମନ୍ଦିରର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଏହି ପ୍ରାଚୀନ ମନ୍ଦିରକୁ ସେ ବୁଲି ଦେଖିଛନ୍ତି। ପୁରୀ ଶ୍ରୀମନ୍ଦିର ରୀତିନୀତି ସହ ଏହି ମାଧବାନନ୍ଦଜୀଉ ମନ୍ଦିରର ଭୂମିକା ଜଡ଼ିତ ଥିବାରୁ ଏହି ପୁରାତନ ମନ୍ଦିରଟିର ସଂରକ୍ଷଣ, ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି।

ଅଧ୍ୟକ୍ଷ ଡଃ ମହାନ୍ତି ଉକ୍ତ ମନ୍ଦିର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିରର ପୂଜକ, ସେବକ ଗୋଷ୍ଠୀ, ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ଏହି ମନ୍ଦିରର ସାମଗ୍ରିକ ଉନ୍ନତି ଦ୍ୱାରା ଉକ୍ତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ଉପଯୁକ୍ତ ବିକାଶ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବା ବୋଲି ମତ ପ୍ରକାଶ ପାଇଥିଲା।

ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀ ତଟରେ ଅବସ୍ଥିତ ଏହି ମନ୍ଦିରର ବିକାଶ ସହ ଏଠାକୁ ଆସୁଥିବା ପର‌୍ୟ୍ୟଟକମାନଙ୍କ ସୁବିଧା ନିମନ୍ତେ ପାରିପାର୍ଶ୍ଵିକ ଉନ୍ନତି ଦିଗରେ ସମ୍ଭାବ୍ୟ ପଦକ୍ଷେପ ନିଆଯିବା ସଂପର୍କରେ ମଧ୍ୟ ଡଃ. ମହାନ୍ତି ଆଲୋଚନା କରିଥିଲେ। ଏହି ଅବସରରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଆଦିତ୍ୟ ପାଣି, ବିଶିଷ୍ଟ ଐତିହାସିକା ଓ ଲେଖିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ପରିବେଶବିତ୍ ପିତାମ୍ବର ରାଉତ, ସମିତି ସଭ୍ୟ ଅବିନାଶ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ବାବୁରାମ ମଲ୍ଲିକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ

ଭୁବନେଶ୍ବର: ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ। ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ। ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସହିଦନଗରସ୍ଥିତ ‘ନିମନ୍ତ୍ରଣ’ରେ ପଣା ପ୍ରସ୍ତୁତି ପର୍ବ ବହୁ ଆଡମ୍ବରରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ମିଳିତ ଆନୁକୂଲ୍ଯରେ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ ଯେ ଓଡିଶାର ସଂସ୍କୃତି ସହ ପଣା ଅଙ୍ଗାଅଙ୍ଗୀ ଭାବେ ଜଡିତ। ଖୁସିର ବିଷୟ ହେଉଛି ଓଡିଆ ମାନଙ୍କ ନବ ବର୍ଷ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି। କ୍ଷୀର, ଛେନା, ଗୁଡ, ବେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପାରମ୍ପରିକ ଭାବେ ଏହି ତୃଷ୍ଣା ମେଣ୍ଟାଉଥିବା ପାନୀୟ ପ୍ରସ୍ତୁତ କରାଯାଏ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ର ଜନପଥରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳ ଛତ୍ରର ଉଦଘାଟନ କରିଥିଲେ। ଏହାଦ୍ବାରା ପଥଚାରୀ ମାନେ ଦେୟମୁକ୍ତ ଭାବେ ପାଣି ପିଇ ପାରିବେ। ସେହିଭଳି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ୩୦ଟି ସ୍ଥାନରେ ମଧ୍ୟ ଜଳଛତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।

ଏହି ଅବସରରେ ନିମନ୍ତ୍ରଣର ମୁଖ୍ୟ ସେଫ ସଞ୍ଜୟ ସରକାର ପଣା ପ୍ରସ୍ତୁତି ପ୍ରକ୍ରିୟା ସଂପର୍କରେ ଉପସ୍ଥାପନ କରିଥିଲେ। ପ୍ରାୟ ୨୫ ଜଣ ସେଲିବ୍ରିଟି ସେଫ ଏଫ ଫୁଡ ବ୍ଲଗର ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ବେଲ ଏବଂ ଛେନା ଓ ବିଭିନ୍ନ ଫଳକୁ ମୁଖ୍ୟ ସାମଗ୍ରୀ ଭାବେ ନେଇ ଦୁଇ ପ୍ରକାର ପଣା ପ୍ରସ୍ତୁତ କରାଯାଇଥିଲା। ସେହିଭଳି ଶରୀର ଶୁଦ୍ଧ ନିମନ୍ତେ ଧନିଆ ପତ୍ର, ସତେଜ ପନିପରିବା, ଫଳ ଓ ମହୁକୁ ନେଇ ମଧ୍ୟ ଏକ ପଣା ପ୍ରସ୍ତୁତ କରାଯାଇଥିଲା।

ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କଥାବାର୍ତ୍ତା ବେଳେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ପଣାର ସ୍ବାସ୍ଥ୍ୟ ଉପକାରିତା ଓ ଶୋଷ ମେଣ୍ଟାଇବାରେ ଏହାର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। ଏହି ପାରମ୍ପରିକ ପାନୀୟର ପ୍ରଚାର ଓ ପ୍ରସାର ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ସଚିବ ଶ୍ରୀମତୀ ଏଲୋରା ଭାରତୀ ଜେନା, ଆର୍ଥିକ ପରାମର୍ଶଦାତା ଶ୍ରୀ ରାଜକିଶୋର ପଲେଇ, ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତ, ମ୍ୟାନେଜର ଅଭିଜିତ ସ୍ବାଇଁ, ପର୍ଯ୍ୟଟନ ବିଭାଗ ଓଏସଡି ଶ୍ରୀ ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଆ ନବବର୍ଷ ଉପଲକ୍ଷେ ନିମନ୍ତ୍ରଣକୁ ଆସୁଥିବା ସମସ୍ତ ଅତିଥି ମାନଙ୍କୁ ଶୁଦ୍ଧ ନିରାମିଷ ସ୍ବତନ୍ତ୍ର ସଂକ୍ରାନ୍ତି ମିଲ ପରଷା ଯିବ ବୋଲି ଘୋଷଣା କରାଯାଇଥିଲା।

ଏହି ଅବସରେ ସେଲିବ୍ରିଟି ସେଫ ଏବଂ ଫୁଡ ବ୍ଲଗର ମାନଙ୍କୁ ଉପହାର ସ୍ବରୂପ ନୂତନ ବର୍ଷର ଓଡିଆ ପାଞ୍ଜି ଏବଂ ଓଡିଆ କ୍ୟାଲେଣ୍ତର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର

ଭୁବନେଶ୍ୱର: ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ। ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ। ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ସଂପର୍କ ରହିଛି। ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେ କରୁ। ‘ପଖାଳ’ ଖାଦ୍ୟ  କେଉଁ ଆବହମାନ କାଳରୁ ରହିଆସିଛି। ପଖାଳ ଖାଇ ଆମେ ଦିନସାରା ନିଜ ପାଇଁ ଶକ୍ତି ସଂଚୟ କରୁ। ବିଶ୍ୱ ପଖାଳ ଦିବସ ପାଳନ କରି ଆନ୍ତର୍ଜାତିକ  ସ୍ତରରେ ଓଡିଶା ‘ପଖାଳ’ର ପ୍ରଚାର ପ୍ରସାର ଏବଂ  ଲୋକପ୍ରିୟତା ବୃଦ୍ଧି ପାଇଁ ଓଟିଡିସିର ପ୍ରୟାସ ଅତ୍ୟନ୍ତ  ପ୍ରଶଂସନୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର  ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଡଃ.ଲେନିନ୍ ମହାନ୍ତି ଯୋଗଦେଇ ‘ପଖାଳ’ର ଉପକାରିତା ଏବଂ ପୁଷ୍ଟିକାରିତା ସମ୍ପର୍କରେ ସେ ଆଲୋକପାତ କରିଲେ ଯେ, ପଖାଳ ହେଉଛି ଆମ ଐତିହ୍ୟର ପରିଚୟ। ଗରୀବ, ମଜଦୁରଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଧନୀଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇଥା’ନ୍ତି। ବିଶ୍ୱ ପଖାଳ ଦିବସ ଅବସରରେ ଓଟିଡିସି ତରଫରୁ ନିଆରା ପ୍ରୟାସ କରାଯାଇ ସାମୁହିକ ଭାବେ ଏକତ୍ରିତ ହୋଇ  ଶହ ଶହ ସଂଖ୍ୟାରେ ସମସ୍ତେ ପଖାଳ ଖାଇବାର ଆୟୋଜନ, ଆମ ଐତିହ୍ୟ ଓ ପରଂପରାର ସୁରକ୍ଷା ଦିଗରେ ଅନନ୍ୟ ପ୍ରୟାସ ବୋଲି ଡଃ ମହାନ୍ତି ମତବ୍ୟକ୍ତ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ, ପଖାଳ ଏବେ କେବଳ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ,ବରଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ଭାବେ ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଓଟିଡିସିର ସାଧାରଣ ପରିଚାଳକ ଲଗ୍ମଜିତ୍ ରାଉତ କହିଲେ ଯେ, ଓଡିଆମାନଙ୍କର ପ୍ରିୟ ଖାଦ୍ୟ ପଖାଳକୁ  ବିଶ୍ୱରେ  ଅଧିକରୁ ଅଧିକ ପରିଚିତ କରାଇବା ଓଟିଡିସିର ପ୍ରମୁଖ ପ୍ରୟାସ ରହିଛି। କିମ୍ସ ହସ୍ପିଟାଲର ଡାକ୍ତର ଡ. ସଂଘମିତ୍ରା ନାୟକ ଯୋଗଦେଇ ପଖାଳ ଏବଂ ପଖାଳରେ ଲୁଣ ସହ ଖିଆଯାଉଥିବା ବିଭିନ୍ନ ବ୍ୟଞ୍ଜନ ଯଥା, ଭଜା, ଶାଗ, ବଡି,ଲଙ୍କା,ଲେମ୍ବୁ  ଓ ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ପୋଷକ ଯଥା,ସୋଡିୟମ୍, ପୋଟାସିୟମ, କ୍ୟାଲସିଅମ ଏବଂ ପଖାଳ ତୋରାଣୀରୁ  ଇଲେକ୍ଟୋଲାଇଟ୍ ଆଦି କଠିନ ପରିଶ୍ରମ ପାଇଁ ଶକ୍ତି ଯୋଗାଇଥାଏ ବୋଲି କହିଥିଲେ। ମାଷ୍ଟର ସେଫ୍ ଇଣ୍ଡିଆ ସ୍ମୃତିଶ୍ରୀ ସିଂ ଯୋଗଦେଇ ପଖାଳର ପ୍ରଚଳନ ଦଶମ ଶତାବ୍ଦୀରୁ ଚଳି ଆସିଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମରେ  ବହୁଳ ବ୍ୟବହାର  ଆମର ଲୋକପ୍ରିୟ ଖାଦ୍ୟ ପଖାଳକୁ ଭଲ ପାଇବା ଓ ଏହାର ପ୍ରଚାର ଓ ପ୍ରସାରରେ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ପଖାଳ ତଥା ଓଡିଆ ସୁସ୍ୱାଦୁ ଖାଦ୍ୟର ପ୍ରସ୍ତୁତି  ପ୍ରଚାର ପ୍ରସାର ପାଇଁ ମାଷ୍ଟର ସେଫ ଇଣ୍ଡିଆ ସ୍ମୃତିଶ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବଅନନ୍ତ ନାରାୟଣ ସିଂ ଲାଗୁରୀ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥଙ୍କ ସମେତ ବିଭାଗ ତଥା ଓଟିଡିସିର ସମସ୍ତ ଅଧିକାରୀ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଟିଭି ଉପସ୍ଥାପିକା ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେନିନ୍ ମହାନ୍ତି

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡଃ ଲେନିନ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡଃ ମହାନ୍ତିଓଟିଡିସି କାର‌୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅଂଶୁମାନ ରଥ, ଓଟିଡିସିର ମ୍ୟାନେଜର ଶ୍ରୀ ଶକ୍ତିକାନ୍ତ ରାୟ, କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ନୂତନ କାର‌୍ୟ୍ୟଭାର ଗ୍ରହଣ ଅବସରରେ ଡଃ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ କାର‌୍ୟ୍ୟ କରିବା ପାଇଁ ସେ ପୂର୍ଣ୍ଣ ପ୍ରୟାସ ଜାରି ରହିବେ। ଓଟିଡିସିର ଅଧ୍ୟକ୍ଷ ହିସାବରେ ପର୍ଯ୍ୟଟକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସେବା ଯୋଗାଇଦେବାକୁ ଅଗ୍ରାଧିକାର ଦେବେ ବୋଲି ଡଃ. ମହାନ୍ତି ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର‌୍ୟ୍ୟଟନ ବିଭାଗରେ ଏବେ ଅନେକଗୁଡିଏ ଭଲ ଭଲ ପ୍ରକଳ୍ପ କାର‌୍ୟ୍ୟକାରୀ କରାଯାଉଛି। ପର୍ଯ୍ୟଟନ ଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ଓଟିଡିସି ଏକ ପ୍ରମୁଖ ସହଯୋଗୀ ଭାବେ କାର‌୍ୟ୍ୟ କରିବ। କୋଭିଡ୍ ପରବର୍ତ୍ତୀ ପର‌୍ୟ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଟିସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ କାର‌୍ୟ୍ୟ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ରାଜ୍ୟବାସୀଙ୍କ ସେବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଠା ରହିବ ବୋଲି ଡଃ. ମହାନ୍ତି କହିଛନ୍ତି।

ପୂର୍ବରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶ ପାଉଥିବା ଓଡିଶା ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟୁ’ର ସଂପାଦକ ଭାବେ ଡଃ. ମହାନ୍ତି ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ପତ୍ରିକା ଦ୍ୱୟର ନିୟମିତ ପ୍ରକାଶନ ସାଙ୍ଗକୁ ଏହାର ନବକଳେବର ସ୍ୱତନ୍ତ୍ର ସଂଖ୍ୟା, ଓଡିଶାରେ ଗାନ୍ଧିଜୀଙ୍କ ଆଗମନ ପତ୍ରିକାର ଇଂରାଜୀ ଏବଂ ଓଡିଶା ଭାଷା ସଂସ୍କରଣର ପୂନଃ ପ୍ରକାଶନ ଭଳି ପତ୍ରିକା ପ୍ରକାଶନରେ ସେ ଯେଉଁଭଳି ନିରବଚ୍ଛିନ୍ନ ପ୍ରୟାସ କରିଥିଲେ, ସେହିଭଳି ଓଡିଟିସି ଭଳି ଏକ ଗୁରୁତ୍ୱପୂଣ୍ଣ ନିଗମର କାର‌୍ୟ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଏହାକୁ ଶୀର୍ଷତମ ସୋପାନରେ ପହଁଚାଇବାକୁ ତାଙ୍କର ପୂର୍ଣ୍ଣ ପ୍ରୟାସ ଜାରି ରହିବ ବୋଲି ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଟିଡିସିର ‘ନିମନ୍ତ୍ରଣ’ ହୋଟେଲ ଟଙ୍କା ହେରଫେର ଅଭିଯୋଗରେ ଦୁଇ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଟଙ୍କା ହେରଫେର ନେଇ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସହିଦନଗର ପୋଲିସ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରିଛି ।

ସେମାନେ ହୋଟେଲର ୬ ମାସରେ ଆୟ ଜମା କରି ନାହାଁନ୍ତି। ଯାହାର ମୂଲ୍ୟ ୧୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏମାନେ ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ। ଅଡିଟ ପରେ ଏହା ଜଣାପଡିବା ପରେ ଟଙ୍କା ହେରଫେର ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖାଣ୍ଟି ଓଡିଆ ଖାଦ୍ୟକୁ ନେଇ ଓଟିଡିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ବର, ଖାଣ୍ଟି ଓଡିଶାର ଖାଦ୍ୟକୁ ନେଇ ଭୁବନେଶ୍ବରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ରେଷ୍ଟୁରାଣ୍ଟ। ଯାହାର ନାମ ରହିଛି ନିମନ୍ତ୍ରଣ। ରୂପାଲି ଛକରେ ଏହି ଭିନ୍ନ ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ଓଡିଆ ଖାଦ୍ୟ ସହିତ ପିଠା ମଧ୍ୟ ପରିବେଷଣ କରାଯିବ। ରାଜଧାନୀରେ ବିଭିନ୍ନ ବିଦେଶୀ ଖାଦ୍ୟର ଚାହିଦା ବଢୁବାରେ ଲାଗିଛି। ଏପରି ସ୍ଥଳେ ଓଡିଶାର ଯୁବ ପିଢୀଙ୍କୁ ଓଡିଆ ଖାଦ୍ୟ ସ୍ବାଦ ଚଖାଇବା ପାଇଁ ଓଟିଡିସି ତରଫରୁ ଏହି ଉଦ୍ୟମ କରାଯାଇଛି।

ଏହାର ସଫଳତା ପରେ ଏହିପରି ରେଷ୍ଟୁରାଣ୍ଟ ପୁରୀ, କଟକ, ରାଉରକେଲାରେ ମଧ୍ୟ କରାଯିବ ବୋଲି ଓଟିଡିସି ନିଷ୍ପତି କରିଛି। ଏହି ଉଦଘାଟନ ସମାରୋହରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲକଡାଉନରେ ରଜର ମଜା ନେବା ପାଇଁ ଓଟିଡିସି ତରଫରୁ ଆରମ୍ଭ ହେଲା ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ

ଭୁବନେଶ୍ବର, ଆସନ୍ତାକାଲି ହେଉଛି ଓଡିଶାର ଗଣପର୍ବ ରଜ। ତିନିଦିନ ଧରି ସାରା ଓଡିଶାରେ ଏହି ପର୍ବ ପାଳନ କରାଯିବ। ହେଲେ କୋରନା ପାଇଁ ସାରା ଓଡିଶାରେ ଲାଗିଛି ଲକ ଡାଉନ। ରଜ ପରେ ଖୋଲିବ ଏହି ଲକ ଡାଉନ। ତେବେ ଲୋକଙ୍କୁ ରଜର ସ୍ବାଦ ଚଖାଇବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ବିଲ୍’ କାଯ୍ୟକ୍ରମ।

ଆଜି ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ଏହି କାର‌୍ୟ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଏଥିରେ ଏକ ଗାଡି ଭିତରେ ଭଳିକି ଭଳି ରଜପିଠା ରଖି ବିଭିନ୍ନ ସ୍ଥାନରେ ବିକ୍ରି କରାଯିବ। ଚଲିତ ବର୍ଷ ଭୁବନେଶ୍ବର ସହିତ ସମ୍ବଲପୁରରେ ଏହି ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ କରାଯିବ।

ଏହି ଗାଡିରେ ୪ ପ୍ରକାରର ପୋଡପିଠା, ଆରିଶା, କାକରା, ଏଣ୍ଡୁରୀ ପରି ପ୍ରାୟ ୧୨ ପ୍ରକାରର ପିଠା ରହିବ। ଭୁବନେଶ୍ବରରେ ଏହି ‘ପିଠା ଅନ୍ ହ୍ବିଲ୍’ ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ସିଆରପି ଛକ, ପଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲି ଛକରେ ରହି ବିକ୍ରି କରାଯିବ। ଏହିପିଠା ଓଡିଶାର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ସମୟରେ ଯୋଦ୍ଧାଙ୍କୁ ଆହାର ଯୋଗାଇଲା ଓଟିଡିସି

ଭୁବନେଶ୍ବର, କରୋନା ଲଢ଼େଇରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜକୁ ସାମିଲ କରିଛି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ନିମନ୍ତେ ପାନ୍ଥନିବାସଗୁଡ଼ିକୁ ଉନ୍ମୁକ୍ତ କରାଯାଇଛି। ସେହିପରି ଦୈନିକ ମିଲ୍ ପ୍ରସ୍ତୁତ କରାଯାଇ କୋଭିଡ୍ ଯୋଦ୍ଧାମାନଙ୍କ ସମେତ ରୋଗୀଙ୍କୁ ପ୍ରଦାନ କରାଯାଉଛି। ଏପରିକି ପୁରୀରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ଖାଦ୍ୟ ଯୋଗାଯାଉଛି। ଗତ ଥର ମଧ୍ୟ ଓଟିଡିସି ତରଫରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସିଲଭର ସିଟି ବୋଟିଂ କ୍ଲବରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

କଟକ, ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରି ଏହି ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ବେଳେ ପର୍ଯ୍ୟଟକଙ୍କୁ ମହାନଦୀରେ ଆଡ଼ଭେଂଚର ୱାଟର ସ୍ପୋଟର୍ସ (ଦୁଃସାହାସିକ ଜଳକ୍ରୀଡ଼ା) ସହ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା କଟକର ମାତା ମଠ ଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେ୍ଲକ୍ସ ପରିସରରେ ଏକ ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଖୁବ ଶୀଘ୍ର ପର‌୍ୟ୍ୟଟକଙ୍କ ନିମନ୍ତେ ଲୋକାର୍ପିତ ହେବ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ମଙ୍ଗଳବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ସହ କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର‌୍ୟ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଓଟିଡିସି ଅଧ୍ୟକ୍ଷା ସମସ୍ତ କାର୍ଯ୍ୟ ବୁଲି ଦେଖିବା ପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପର‌୍ୟ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମତୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟର ସ୍ପୋଟର୍ସ ବ୍ୟତୀତ ପର‌୍ୟ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ କାର‌୍ୟ୍ୟ କରିବ। ପର‌୍ୟ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି।

କଟକବାସୀ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ। ରାଜ୍ୟ ତଥା ଦେଶବିଦେଶର ପର‌୍ୟ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର‌୍ୟ୍ୟ କରାଇବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କରୋନା ପଜେଟିଭି, ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି

ଭୁବନେଶ୍ବର, ବିଜୁ ଜନତା ଦଳର ନେତ୍ରୀ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ ସେମିତି କିଛି ଲକ୍ଷଣ ନାହିଁ। ହେଲେ ସେ କରୋନା ଟେଷ୍ଟ କରିବା ପରେ ଡାକ୍ତର ତାଙ୍କୁ ପଜେଟିଭ ବୋଲି ଘୋଷଣା କରିଛନ୍ତି। ଫଳରେ ଶ୍ରୀମୟୀ ବର୍ତ୍ତମାନ ଆବାସିକ କ୍ବାରେଣ୍ଟାଇନରେ ରହିଛନ୍ତି। ଶ୍ରୀମୟୀ ଓଟିଡିସିର ଅଧ୍ୟକ୍ଷା ସହିତ ବିଜେଡିର ସାଧାରଣ ସଂପାଦକ ମଧ୍ୟ ଅଛନ୍ତି। ନିକଟରେ ସେ ବିଜେଡି ଯୁବ ସଂଗଠନ ତରଫରୁ ଆୟୋଜିତ ୱେବନାରରେ ଅଂଶ ଗ୍ରହଣ କରିଥିଲେ।

ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ଶ୍ରୀମୟୀ ଅନୁରୋଧ କରିଛନ୍ତି।