Categories
ଆଞ୍ଚଳିକ

ପୁରୀ ଜିଲ୍ଲା ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଦର୍ଶ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି।

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନେ ଚଳିତ ମାସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଜୋନାଲସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ।

ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ପ୍ରଶିକ୍ଷଣ ଏବଂ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବିକାଶ ଦିଗରେ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ୨୦୧୬ ସେପେଫମ୍ବର ୧୯ରେ ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ରାଜ୍ୟର ସମସ୍ତ ବ୍ଲକ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଏକ ସ୍ୱତନ୍ତ୍ର ଆଇକନିକ୍‌ ବିଦ୍ୟାଳୟ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଉପେନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ଵ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ।

ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି। ୧୯୯୯-୨୦୦୧ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ସରକାରରେ ଜନ ନିର୍ଦ୍ଦେଶାଳୟର କମିସନର ଭାବେ ରହିଥିବାବେଳେ ୩ ଲକ୍ଷ ଶିକ୍ଷକଙ୍କ ସମେତ ପ୍ରାୟ ୧ କୋଟି ଛାତ୍ରଙ୍କୁ ସେ ଶିକ୍ଷାର ନୂଆ ଦିଶା ଏବଂ ଦିଗଦର୍ଶନ ପ୍ରଦାନ କରିଥିଲେ। ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅୟମାରମ୍ଭ କରିବାରେ ଶ୍ରୀ ତ୍ରିପାଠୀଙ୍କ ଯଥେଷ୍ଟ ଭୂମିକା ରହିଥିଲା। ଏହାସହ ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲିଆନ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ବିଶ୍ୱସ୍ତରରେ ପ୍ରଥମଥର ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟ ବିଜୟ କୁମାର ସାହୁଙ୍କ କରୋନାରେ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା।