ଉପେନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ଵ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ହେଲେ ନିଯୁକ୍ତ

Published: Aug 2, 2021, 7:05 pm IST

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ।

ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି। ୧୯୯୯-୨୦୦୧ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ସରକାରରେ ଜନ ନିର୍ଦ୍ଦେଶାଳୟର କମିସନର ଭାବେ ରହିଥିବାବେଳେ ୩ ଲକ୍ଷ ଶିକ୍ଷକଙ୍କ ସମେତ ପ୍ରାୟ ୧ କୋଟି ଛାତ୍ରଙ୍କୁ ସେ ଶିକ୍ଷାର ନୂଆ ଦିଶା ଏବଂ ଦିଗଦର୍ଶନ ପ୍ରଦାନ କରିଥିଲେ। ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅୟମାରମ୍ଭ କରିବାରେ ଶ୍ରୀ ତ୍ରିପାଠୀଙ୍କ ଯଥେଷ୍ଟ ଭୂମିକା ରହିଥିଲା। ଏହାସହ ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲିଆନ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ବିଶ୍ୱସ୍ତରରେ ପ୍ରଥମଥର ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟ ବିଜୟ କୁମାର ସାହୁଙ୍କ କରୋନାରେ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା।

Related posts