Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା-ମୋ ପରିବାର, ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସଂଗ୍ରହ ହେଲା ୪ଲକ୍ଷ ୟୁନିଟ୍ ରକ୍ତ

ଭୁବନେଶ୍ବର: ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ। କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ଏହି ରକ୍ତ ସଂଗ୍ରହ ହୋଇଛି।

ଯେପରି ରକ୍ତ ବିନା ଓଡ଼ିଶାବାସୀଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଓଡ଼ିଶା-ମୋ ପରିବାର ଅଧୀନରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା।

କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ଵତନ୍ତ୍ର ପରିକଳ୍ପନା, ଓଡ଼ିଶା-ମୋ ପରିବାର, ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ସର୍ବଦା ସମର୍ପିତ ହୋଇ ରହିଆସିଛି। ଫସି ରହିଥିବା ଶ୍ରମିକମାନଙ୍କୁ ବିଦେଶରୁ ସ୍ଥାନାନ୍ତରଣ ହେଉ କି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାର ସହାୟତା ହେଉ, ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ ସଂଯୋଜନା କରି ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ଆସିଛି।

ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ, ଦଳୀୟ କର୍ମୀ, ରାଜ୍ୟର ସମସ୍ତ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏବଂ ସର୍ବୋପରି ରକ୍ତଦାତାଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା-ମୋ ପରିବାର ସହାୟତାରେ ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ସାସଣ୍ଡା ଗ୍ରାମର ୩୬ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଗତ ୬ବର୍ଷ ଧରି କତାରରେ ରହି କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ ୨ତାରିଖରେ ତାଙ୍କର ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ସାଉଦି ଆରବ ଯାତ୍ରା କରିଥିଲେ। ସେ ଅଗ୍ନାଶୟ ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ପୁନର୍ବାର ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଗତ ଜୁଲାଇ ୧୦ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ବିୟୋଗରେ ପୁରା ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ତାଙ୍କ ମୃତଦେହକୁ ବିଂଝାରପୁର ଫେରାଇ ଆଣିବା ପାଇଁ ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ସହଯୋଗ ଲୋଡ଼ିଥିଲେ ।

ଶ୍ରୀମତୀ ମଲ୍ଲିକ ଘଟଣା ବିଷୟରେ ପ୍ରଥମେ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ଜଣାଇଥିଲେ ଏବଂ ଠିକ୍ ସେହିପରି, ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ବାହାରିନ୍ ରେ ଥିବା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡଃ.ଅରୁଣ ପ୍ରହରାଜ (ଓଡ଼ିଆ ସମାଜର ପ୍ରତିଷ୍ଠାତା- ବାହାରିନ)ଙ୍କୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡଃ. ପ୍ରହରାଜ ତୁରନ୍ତ ପଦକ୍ଷେପ ନେଇ ସାଉଦି ଆରବର ପ୍ରଶାସନିକ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ମୃତ ଦେହକୁ ସାଉଦି ଆରବରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଥିଲେ।

ଏହି ପରିପ୍ରେକ୍ଷିରେ ଆଜି ଗୋବିନ୍ଦଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ଜନତା ଦଳ ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୃତଦେହକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରି ନିଜ ଜନ୍ମସ୍ଥାନ ବିଂଝାରପୁରକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ଯାତାୟାତ ବ୍ୟବସ୍ଥା କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଭୁବନେଶ୍ବର: ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ।

ବ୍ରେନ୍ ଟ୍ୟୁମର ଭଳି ଅସାଧ୍ୟ ରୋଗ ଚିହ୍ନଟ ହେବାପରେ ମାନସିକ ସନ୍ତୁଳନ ହରାଇ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ ଓ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସନ୍ଧ୍ୟା ସମୟରେ ତାଙ୍କ ମୃତ୍ୟୁ ବିଷୟରେ ଜାଣି, ଅଞ୍ଚଳବାସୀ ମାନେ ଓଡ଼ିଶା-ମୋ ପରିବାର ର ହେଲ୍ପ ଲାଇନ୍ ନମ୍ବର ରେ ସହାୟତା ନିମନ୍ତେ ଯୋଗାଯୋଗ କରିଥିଲେ।

ଏହି ଦୁଃଖଦ ଖବର ପାଇ, ଓଡ଼ିଶା-ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଏହି ସବୁ ପ୍ରସ୍ତୁତି କାର୍ଯ୍ୟ ମଧ୍ୟରେ ଅଞ୍ଚଳବାସୀ ମାନେ, ରାତି ପ୍ରାୟ ୧୦ ଟା ବେଳେ ତାଙ୍କ ପୁଅ ଓ ବୋହୂ ଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ଏବଂ ମା ଙ୍କ ଅକାଳ ବିୟୋଗ ସମ୍ବନ୍ଧରେ ଖବର ପହଞ୍ଚାଇ ଥିଲେ।

ଖବର ପାଇ ପୁଅ ଓ ବୋହୂ ସେହି ମଧ୍ୟରାତ୍ର ରେ ହିଁ ତାଙ୍କ ଶେଷକୃତ୍ୟ କରିବାକୁ ଇଛା ପ୍ରକାଶ କରିଥିଲେ । ଏହାପରେ, ଶ୍ରୀ ସାମନ୍ତରାୟ ଙ୍କ ସଂଯୋଜନାରେ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ, ରାତି ପ୍ରାୟ ୧ଟା ରେ ତାଙ୍କ ମୃତ ଶରୀରକୁ ବଡଗଡରୁ ଶ୍ମଶାନ ସ୍ଥାନାନ୍ତର କରାଯାଇଥିଲା।

ଓଡ଼ିଶା-ମୋ ପରିବାର ର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର କୁ ସାନ୍ତ୍ଵନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୃତକଙ୍କ ପରିବାରବର୍ଗଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ମୋଚିଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହିତ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କଲା ଓଡ଼ିଶା- ମୋ ପରିବାର।

ଘଟଣାଟି ଏମିତି, ଭୁବନେଶ୍ୱର ସହର ମୋଚିସାହି ଅଞ୍ଚଳର ୫୩ବର୍ଷିୟ ବାସିନ୍ଦା ଟି ବଙ୍ଗରମାଙ୍କର ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଏବଂ ସୁଶାନ୍ତ ସାହୁ ନାମକ ସ୍ଥାନୀୟ ମୁରବୀ, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର)ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ, ବିଳମ୍ବ ନ କରି ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାରେ ସଂଯୋଜନା କରିଥିଲେ ଏବଂ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଥିଲା, ସେଠାରେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ବଙ୍ଗରମାଙ୍କର ଶେଷଦର୍ଶନ କରିଥିଲେ। ପରିଶେଷରେ, ମୃତଶରୀର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଏଭଳି ଅସମୟରେ ଓଡ଼ିଶା-ମୋ ପରିବାର ବଙ୍ଗରମାଙ୍କ ପରିବାର ସହିତ ଛିଡ଼ା ହୋଇଥିବାରୁ ପରିବାରବର୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଠାରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

କ୍ରମଶଃ, ସେହି ଆଘାତ ସଂକ୍ରମଣ ଆଡ଼କୁ ଗତି କରିବାରୁ ୨୦୦୨ମସିହାରେ ଡାକ୍ତର ତାଙ୍କ ଗୋଡ଼ର ଆଣ୍ଠୁ ତଳକୁ କାଟିବା ପାଇଁ ପରାମର୍ଶ ଦେଇଥିଲେ। ୨୦୦୫ମସିହାରେ ସେ ଏକ ହସ୍ପିଟାଲରୁ କୃତ୍ରିମ ଗୋଡ଼ ଲଗାଇଥିଲେ। କିନ୍ତୁ, ତାହା ତାଙ୍କୁ ଆରାମଦାୟକ ଲାଗିନଥିଲା। ଭୁବନେଶ୍ଵର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଲାଗିଥିବା ସଚେତନତା ଷ୍ଟଲ୍ ରେ, ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଠିକ୍ ସେହିପରି ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା, ଯାଜପୁର ଜିଲ୍ଲାର ୭୧ବର୍ଷିୟ ବାସିନ୍ଦା ଚତୁର୍ଭୁଜ ପଣ୍ଡାଙ୍କ ସହିତ, ସେ ୨୦୦୩ମସିହାରେ ଏକ ଦୋକାନରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ୍ ଚଢିଯାଇଥିଲା। ଯାହା ଫଳରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ହେତୁ ଗୋଡ଼ କଟା ହୋଇଯାଇଥିଲା। ସେ ପୂର୍ବରୁ ଥରେ କୃତ୍ରିମ ଗୋଡ଼ ଲଗାଇଥିଲେ, ଯାହା ତାଙ୍କୁ ଆରାମଦାୟକ ଲାଗିନଥିଲା। ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପାଇଥିବା ଅଶୋକ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା ପରେ ସେ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରି ତାଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଏହି ଦୁଇଜଣ ଭିନ୍ନକ୍ଷମଙ୍କ ଅନୁରୋଧ ରକ୍ଷାକରି ଓଡ଼ିଶା- ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ ଆଜି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। ଗୋଡ଼ ଲାଗିବା ସମୟରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

ଗୋଡ଼ ଲାଗିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶା-ମୋ ପରିବାର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସାଲିଆସାହିର ନୀଳଚକ୍ର ନଗର ସ୍ଥିତ ବିର୍ସା ଭବନରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।

ସକାଳ 8ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ 90 ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା।

ପରୀକ୍ଷା ପରେ ବିଶେଷକରି ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ ଚିହ୍ନଟ ରୋଗୀମାନଙ୍କୁ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ରେ ସଂପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି ଏହାଛଡ଼ା ଯେଉଁମାନଙ୍କ ଚଷମା ଏବଂ ଆଇ ଡ୍ରପ୍ ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ଏବଂ ଆଇ ଡ୍ରପ୍ ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି।

ଶିବିରରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହିଥିଲେ ଏବଂ ସେ ନିଜର ଚକ୍ଷୁ ମଧ୍ୟ ପରୀକ୍ଷା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା-ମୋ ପରିବାର ସଦସ୍ୟା ତଥା କର୍ପୋରେଟର ଶ୍ରୀମତୀ ଭାରତୀ ସିଂହ, ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟଙ୍କ ବ୍ୟତିତ ବହୁ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର), ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିଥିଲେ।