ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

Published: Jan 11, 2023, 4:47 pm IST
OdishaMoParibar3

ଭୁବନେଶ୍ବର: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଠାରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

କ୍ରମଶଃ, ସେହି ଆଘାତ ସଂକ୍ରମଣ ଆଡ଼କୁ ଗତି କରିବାରୁ ୨୦୦୨ମସିହାରେ ଡାକ୍ତର ତାଙ୍କ ଗୋଡ଼ର ଆଣ୍ଠୁ ତଳକୁ କାଟିବା ପାଇଁ ପରାମର୍ଶ ଦେଇଥିଲେ। ୨୦୦୫ମସିହାରେ ସେ ଏକ ହସ୍ପିଟାଲରୁ କୃତ୍ରିମ ଗୋଡ଼ ଲଗାଇଥିଲେ। କିନ୍ତୁ, ତାହା ତାଙ୍କୁ ଆରାମଦାୟକ ଲାଗିନଥିଲା। ଭୁବନେଶ୍ଵର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଲାଗିଥିବା ସଚେତନତା ଷ୍ଟଲ୍ ରେ, ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଠିକ୍ ସେହିପରି ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା, ଯାଜପୁର ଜିଲ୍ଲାର ୭୧ବର୍ଷିୟ ବାସିନ୍ଦା ଚତୁର୍ଭୁଜ ପଣ୍ଡାଙ୍କ ସହିତ, ସେ ୨୦୦୩ମସିହାରେ ଏକ ଦୋକାନରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ୍ ଚଢିଯାଇଥିଲା। ଯାହା ଫଳରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ହେତୁ ଗୋଡ଼ କଟା ହୋଇଯାଇଥିଲା। ସେ ପୂର୍ବରୁ ଥରେ କୃତ୍ରିମ ଗୋଡ଼ ଲଗାଇଥିଲେ, ଯାହା ତାଙ୍କୁ ଆରାମଦାୟକ ଲାଗିନଥିଲା। ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପାଇଥିବା ଅଶୋକ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା ପରେ ସେ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରି ତାଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଏହି ଦୁଇଜଣ ଭିନ୍ନକ୍ଷମଙ୍କ ଅନୁରୋଧ ରକ୍ଷାକରି ଓଡ଼ିଶା- ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ ଆଜି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। ଗୋଡ଼ ଲାଗିବା ସମୟରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

ଗୋଡ଼ ଲାଗିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Related posts