Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ବନ୍ୟା ବିପତ୍ତି, ଫୁଲୁଛି ମହାନଦୀ, ବିଭିନ୍ନ ସ୍ଥାନରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତ୍ତୟନ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଗଲାଣି। ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ତଳିଆ ଗାଁଗୁଡିକ ଜଳବନ୍ଦୀ ହୋଇ ରହିଛନ୍ତି। ସେଠାରେ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ପରବର୍ତ୍ତି ସମୟରେ ଏହା ଭୟଙ୍କର ହେବ ବୋଲି ଜଣାପଡିଛି।

ସେପଟେ ନଦୀ ଫୁଲିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁ ମୁହୁର୍ତ୍ତରେ ନଦୀବନ୍ଧ ଭାଙ୍ଗିଯିବ ତାହା କହି ହେବ ନାହିଁ। ସେଥିପାଇଁ ଦୁବର୍ଳ ସ୍ଥାନରେ ପ୍ରଶାସନ ଜଗି ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଜଳସେଚନ ଇଂଜିନିୟର, ସ୍ଥାନୀୟ ପୋଲିସ, ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଚବିଶ ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଗୁଆ ସତର୍କ ହେବା ପାଇଁ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮ ଟି ଏନଡିଆରଏଫ , ୧୩ ଟି ଓଡ୍ରାଫ ଦଳ ଏବଂ ୨୩ ଟି ଅତିରିକ୍ତ ଅଗ୍ନିଶମ ଦଳକୁ ୧୫ ଟି ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଧା ଏବଂ ଜଗତସିଂହପୁର।

ମହାନଦୀର ଜଳସ୍ତର ବର୍ତ୍ତମାନ ଭୟଙ୍କର ସ୍ଥିତିରେ ରହିଛି। ମୁଣ୍ଡଳି ଦେଇ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଗୁଡିକ ହେଲା ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା। ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଆଜି ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ମୁହାଁଇଛି। ଆଗକୁ ଏହା ଦୁର୍ବଳ ହୋଇ ଅବପାତ ଓ ସଦୃଶ୍ୟ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଆହୁରି ୧୨ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଅଧିକାଂଶ ସ୍ଥାନରେ ୨ଶହ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୦ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର ଓ ଯାଜପୁରରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ସେପଟେ ଛତିଶଗଡ଼ରେ ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ମହାନଦୀ ଜଳସ୍ତର ବଢିପାରେ

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଚିକିତ୍ସା ଓ ଟୀକାକରଣରେ ୟୁଜର୍ସ ଫି ଛାଡ଼ କଲେ ସରକାର

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍‌ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛାଡ଼ କରାଯାଇଛି। ପ୍ରାଣୀଧନମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ।

ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟୀକାକରଣ ନିମନ୍ତେ ବ୍ୟାପକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଏସ୍‌ଡ଼ିଆର୍‌ଏଫ୍‌ ମାର୍ଗଦର୍ଶିକା ଅନୁସାରେ ଗୋପାଳନରେ ନିୟୋଜିତ ଚାଷୀମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀଧନର ସୁରକ୍ଷା ଓ ତୁରନ୍ତ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀମାନଙ୍କୁ ଏ ଦିଗରେ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟା ପାଇଁ ବାତିଲ ହେଲା ଏଏସଓ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବନ୍ୟା ଦେଖା ଦେଇଥିବାରୁ କେହି ଘରୁ ବାହାରି ପାରୁ ନାହାଁନ୍ତି। ଏପରି ପରିସ୍ଥିତିକୁ ଲକ୍ଷ ରଖି ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ବାରା ହେବାକୁ ଥିବା ଏଏସଓ ପରୀକ୍ଷାକୁ ବାତିଲ କରାଯାଇଛି।

ଏ ନେଇ କମିସନର କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପରିସ୍ଥିତି ପାଇଁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା 21 ତାରିଖ ରବିବାରରେ ହେବାକୁ ଥିଲା। ତେବେ ପରବର୍ତ୍ତି ପରୀକ୍ଷା ଦିନ ପରେ ଜଣାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟା ସହାୟତା ଘୋଷଣା : କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି।

ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ବନ୍ୟାଜନିତ  ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିମ୍ନୋକ୍ତ ଜରୁରୀ ସହାୟତା ଘୋଷଣା କରିଛନ୍ତି।

(୧) ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

(୨) ଗୁରୁତର ଭାବରେ କ୍ଷତିଗ୍ରସ୍ତ ଓ ଜଳମଗ୍ନ ଗ୍ରାମର ପରିବାରବର୍ଗଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ।

(୩) ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ।

(୪) SDRF ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।

(୫) SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ।

(୬)SDRF ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ।

(୭) କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ।

(୮) କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ।

ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ SDRF ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି। ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ  ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ସହାୟତା ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରିଦର୍ଶନ କରିବେ। ରାଜ୍ୟରେ ତିନୋଟି ଲଘୁଚାପ ସୃଷ୍ଟି ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଦେଖିବା ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କିଛି ଘୋଷଣା କରିପାରନ୍ତି ବୋଲି ଜଣାପଡିଛି।