Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ କୁଇ ଓ ଦେଶିଆ ଭାଷାର କର୍ମଶାଳା

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ତା.୨୯.୦୫.୨୦୨୩ ରୁ ତା.୦୨.୦୬.୨୦୨୩ରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା। ଏହି କର୍ମଶାଳାଟି NCERTର ମାନ୍ୟବର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ମିଳିତ ସହଯୋଗ କ୍ରମେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ।

ଏଥିରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଝରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ପାଠ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ BSc ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ ଏମ୍ ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ।

ନିକଟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏକ ବୈଠକ କରି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଯୁବପିଢ଼ିଙ୍କ ପାଇଁ ନୂତନ ଶିକ୍ଷା କାର‌୍ୟ୍ୟକ୍ରମ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ଶିକ୍ଷା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ସମେତ ଯୁବପିଢ଼ିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନୂତନ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି, ପୂର୍ବ ଘାଟରେ ଅବସ୍ଥିତ କୋରାପୁଟ ଅଞ୍ଚଳ ଏକ ଉଚ୍ଚସ୍ତରୀୟ ମାଳଭୂମି, ଯେଉଁଠାରେ ଅନେକ ପାହାଡ଼ ଓ ପର୍ବତ ମାନ ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସମଗ୍ର ଜିଲ୍ଲା ଘଞ୍ଚ ଜଙ୍ଗଲ ଓ ଅତ୍ୟଧିକ ଦୁର୍ଗମ ପର୍ବତରେ ଘେରି ରହିଛି।

କୃଷି, ପଶୁସମ୍ପଦ ଓ ଜଙ୍ଗଲ ଜାତ ଦ୍ରବ୍ୟ ଜିଲ୍ଲା ଅର୍ଥନୀତିର ମୁଖ୍ୟ ଆଧାର ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ୮୦% ରୁ ଅଧିକ ଲୋକ ସିଧାସଳଖ କୃଷି ଉପରେ ନିର୍ଭର କରନ୍ତି । ସାରା ଦେଶରେ କୃଷକମାନେ ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରିବାକୁ ସଂଘର୍ଷ କରୁଥିବେ ବେଳେ କୋରାପୁଟରେ ଅଧିକାଂଶ କୃଷକ ପାରମ୍ପରିକ ଚାଷ ପ୍ରଣାଳୀ ବ୍ୟବହାର କରୁଛନ୍ତି।

ଏହି ପାରମ୍ପରିକ ଜ୍ଞାନ କୃଷକ ମାନଙ୍କ ପରିବାର ଦ୍ୱାରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପ୍ରସାରିତ ହେଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଖାଦ୍ୟ ନିରାପତ୍ତା ଓ ଜୈବ ବିବିଧତା ସଂରକ୍ଷଣ ପାଇଁ ୨୦୧୨ମସିହାରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ଓଡ଼ିଶାର କୋରାପୁଟ ଅଞ୍ଚଳରେ ପ୍ରଚଳିତ ପାରମ୍ପରିକ କୃଷି ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କୃଷି ଐତିହ୍ୟ ବ୍ୟବସ୍ଥା (ଜିଆଇଏଏଚ୍ଏସ୍)ର ମାନ୍ୟତା ପ୍ରଦାନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ୪ ବର୍ଷିଆ ଈ.ଝମ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।

ଏହାବ୍ୟତୀତ କୁଳପତି କହିଥିଲେ ଯେ କୋରାପୁଟ ଚାଉଳ, ବାଜରା, ଅଦା, କଫି, ଗୋଲମରିଚ, ପନିପରିବା ଓ କଦଳୀ ଉତ୍ପାଦନରେ ପ୍ରମୁଖ ଉତ୍ପାଦନକାରୀ। କୋରାପୁଟ ମାଟିରେ ଷ୍ଟ୍ରବେରୀ, ଡ୍ରାଗନ୍ ଫ୍ରୁଟ୍, ସେଓ, କଦଳୀ ଓ ଅନ୍ୟାନ୍ୟ ବିରଳ ଫଳ ମଧ୍ୟ ଉତ୍ପାଦନ ହୋଇଥାଏ। ଏତେ ବଡ଼ ଉତ୍ପାଦନ ସତ୍ତ୍ୱେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଉତ୍ପାଦଗୁଡ଼ିକର ମାର୍କେଟିଂ ପାଇଁ ପର‌୍ୟ୍ୟାପ୍ତ ପରିଚାଳନା ଓ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ନାହିଁ। ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ଏମ୍ବିଏ କାର‌୍ୟ୍ୟକ୍ରମ ଏହି ଆବଶ୍ୟକତାକୁ ପୂରଣ କରିବ।

ଉପରୋକ୍ତ ପାଠ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ଖୁବଶୀଘ୍ର ନାମଲେଖା ବିଜ୍ଞପ୍ତି ପ୍ରକାଶ କରିବ ଏବଂ ୨୦୨୩ ଜୁଲାଇ ୩୧ ପୂର୍ବରୁ ନାମଲେଖା ପ୍ରକ୍ରିୟା ଶେଷ ହେବ। ପ୍ରତ୍ୟେକ ବିଷୟରେ ପ୍ରବେଶ କ୍ଷମତା ୪୪ ରହିବ। ନିକଟ ଭବିଷ୍ୟତରେ ଉପରୋକ୍ତ କାର‌୍ୟ୍ୟକ୍ରମ ପାଇଁ ନୂତନ ଅଧ୍ୟାପକ ନିଯୁକ୍ତି ଦିଆଯିବ।