Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଯିବାକୁ ନିଷ୍ପତି, ହେବ ଗୋଲ୍ଡ କ୍ୟାଟେଗୋରି

ଭୁବନେଶ୍ୱର,  ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍ଡ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୦୫ତମ ବୋର୍ଡ ଅଫ୍‌ ଡାଇରେକଫରସ୍‌ ବୈଠକରେ ନିଷ୍ପତି ହୋଇଛି।

ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧିକ ବିନିଯୋଗ କରାଯିବ। ନିଗମ ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥିବାରୁ ବୋର୍ଡ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍‌ ଡେଭେଲପ୍‌ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଯାଇଛି ।

ଏହି କ୍ରମରେ ବିଭିନ୍ନ ସ୍ୱତନ୍ତ୍ର ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ପେସାଲ୍‌ ପରପସ୍‌ ଭେଇକିଲ୍‌(ଏସ୍‌ପିିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ଗୁଣୀ ଓ କୁଶଳୀ ମାନବସମ୍ବଳକୁ ଉପଯୋଗ କରାଯିବ । ଏସ୍‌ପିଭି ଗଠନ ପାଇଁ ସର୍ତ୍ତ ଓ ନିୟମାବଳୀ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ ଅଧିକରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଛି ।

ନିଗମ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଲାଗି ଖାଲି ପଡ଼ିଥିବା ମୂଳପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କମ୍ପୁ୍ୟଟରୀକରଣ ଏବଂ ଡିଜିଟାଇଜେସନ୍‌ ପରି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଏବଂ ଆନୁଷଙ୍ଗିକ କଞ୍ଚାମାଲ୍‌ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ଏହାର ପରିସରକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିସହିତ ନିଗମ ନିଜର ମୌଳିକ ଦାୟିତ୍ୱ ସଂପାଦନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।
ଏହି ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ୱାଳ, ଅର୍ଥ ବିଭାଗ ନିର୍ଦ୍ଦେଶକ(ଆଇଏଫ୍‌) ଡ. ପ୍ରଜ୍ଞାସ୍ମିତା ସାହୁ, ସ୍ୱାଧୀନ ନିର୍ଦ୍ଦେଶକ, ଶ୍ରୀମତୀ ନିରୁପମା ହାତି, ଓଏସ୍‌ମେ୍‌ର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ଓସିଆର ସଭାପତି  ସ୍ମରଜିତ୍‌ ମହାନ୍ତି. ଓଇଆର ସଭାପତି ଶ୍ରୀ ମିହିର କୁମାର କାନୁନଗୋ ଏବଂ ସ୍ୱାଧୀନ ଡାଇରେକଫର ଭେଙ୍କଟେଶ୍ୱରଲୁ ସୁରୁ ଉପସ୍ଥିତ
ଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୧୦୦୦ କୋଟି ଟଙ୍କାରେ ପହଞ୍ଚିବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ, ନିଆଗଲା ଭିନ୍ନ ପଦକ୍ଷେପ

ଭୁବନେଶ୍ୱର,  ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଆଲୋଚନା କରି ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭାଗ ତରଫରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ବିଟୁମିନ୍‌ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥା ହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।

ଏହା ଦ୍ୱାରା କୃଷି ଯନ୍ତ୍ରପାତିରେ ନିଗମ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ବିକି୍ର କରାଇବା ପାଇଁ ପ୍ରାଥମିକତା ଦେବା ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ମଧ୍ୟ  ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ନିଗମ ପାଇଁ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ସମୀକ୍ଷା ବୈଠକରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଜଣାଇଥିଲେ ଯେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ମାନ ବୃଦ୍ଧି ତଥା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ନିଗମର ଆଗାମୀ ଯୋଜନା ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ । ଏହି ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ମନ୍ମଥ ବିଶ୍ୱାଳ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବୈଠକ: ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ ଖଟ ଏହିପରି କେତୋଟି ପ୍ରଡକ୍ଟର ବିଭିନ୍ନ ମାନ ନିର୍ଦ୍ଧାରଣ କରାଯାଇ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ଵାରା ଏକ କମନ୍ ବ୍ରାଣ୍ଡି କରାଯିବ। ରାଜ୍ୟ ରପ୍ତାନି ନିର୍ଦ୍ଦେଶେକଙ୍କ ଅଧ୍ୟକ୍ଷତାରେ ଏକ ମାନଦଣ୍ଡ ନିର୍ଦ୍ଧାରଣ କମିଟି ଗଠନ କରାଯାଇ ଏହି ପ୍ରଡକ୍ଟ ଗୁଡିକର ମାନ ନିର୍ଦ୍ଧାରଣ କରାଯିବ।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଏହି ଫର୍ଣ୍ଣିଚର ଗୁଡିକୁ ଡିସପ୍ଲେ କରିବା ପାଇଁ ଓଡିଶାର ସବୁ ଜିଲ୍ଲା ସଦର ମହକୁମାରେ କମରସିଆଲ ସ୍ପେଶ ଯୋଗାଇ ଦେବାକୁ ଏହାର ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରାଯାଉଛି। ଏହା ବ୍ୟତିତ ନିଗମ ଡିଜିଟାଲ ମେଡ଼ିଆର ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଡକ୍ଟଗୁଡିକର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯିବା ପାଇଁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରତିଶୃତି ଦେଇଛନ୍ତି।

ରାଜ୍ୟର ଶିକ୍ତ ଅଭିବୃଦ୍ଧି ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏଭଳି ଯୁଗାନ୍ତକାରୀ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ନିଷ୍ପତ୍ତିକୁ ଓଡିଶାର ଉଦ୍ୟୋଗୀସଂଘଗୁଡିକ ପ୍ରଶଂସା କରିଛନ୍ତି ଏବଂ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର କରୋନା ମହାମାରୀ ସମୟରେ ଅତ୍ୟାଧୁନିକ ଚିନ୍ତାଧାରା ପାଇଁ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇଛନ୍ତି।

ଉକ୍ତ ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହାଣୀ, ରାଜ୍ୟ ରପ୍ତାନି ଉନ୍ନୟନ ନିର୍ଦ୍ଦେଶକ ଶରଣ କୁମାର ଜେନା, ରପ୍ତାନି ଉନ୍ନୟନ ଯୁଗ୍ମ ନିର୍ଦ୍ଦେଶକ ଡଃ ଏନ୍ କେ ଦାସ ବିଭିନ୍ନ ଏମ୍.ଏସ୍.ଏମ୍.ଇ ଆସୋସିଏସନର କର୍ମକର୍ତ୍ତା ସରଙ୍ଗ ପାଟୋତିଆ, ଦେବପ୍ରସାଦ ମିଶ୍ର, ବିଜୟ କୁମାର ସିଂ, ସଞ୍ଜୟ କୁମାର ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର ଦିପକ୍ କଜାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।