୧୦୦୦ କୋଟି ଟଙ୍କାରେ ପହଞ୍ଚିବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ, ନିଆଗଲା ଭିନ୍ନ ପଦକ୍ଷେପ

Published: Jun 11, 2021, 1:17 am IST

ଭୁବନେଶ୍ୱର,  ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଆଲୋଚନା କରି ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭାଗ ତରଫରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ବିଟୁମିନ୍‌ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥା ହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।

ଏହା ଦ୍ୱାରା କୃଷି ଯନ୍ତ୍ରପାତିରେ ନିଗମ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ବିକି୍ର କରାଇବା ପାଇଁ ପ୍ରାଥମିକତା ଦେବା ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ମଧ୍ୟ  ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ନିଗମ ପାଇଁ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ସମୀକ୍ଷା ବୈଠକରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଜଣାଇଥିଲେ ଯେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ମାନ ବୃଦ୍ଧି ତଥା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ନିଗମର ଆଗାମୀ ଯୋଜନା ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ । ଏହି ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ମନ୍ମଥ ବିଶ୍ୱାଳ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts