Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ବୃହତ୍‌ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ ସରଳ।

ଏହି ଶିଳ୍ପ ଅନେକ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ହେବାର ବାଟ ଦେଖାଇବ। ତେଣୁ ଶିଳ୍ପ ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉପରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ (ରାଷ୍ଟ୍ର) ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।

ବିଭାଗ ପକ୍ଷରୁ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ୫-‘ଟି’ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଲେ ଯେ ଏବେ ହୋଇଥିବା ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସାଧାରଣ ଲୋକେ ପାଇପାରିବେ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରଧାନ ଆଭିମୁଖ୍ୟ। ତେଣୁ ଲୋକଙ୍କ ଆସ୍ଥାଭାଜନ ହେବା ଭଳି ଯୋଜନା ପ୍ରଣୟନ ସହ ବିଭିନ୍ନ ବିଭାଗ ସହିତ ଯୋଗସୂତ୍ରରେ ରହି ରାଜ୍ୟରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ନେଇ ମନ୍ତ୍ରୀ ବିଭାଗୀୟ ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ‘ମୋ ସରକାର’ ରେ କିପରି ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ସମେତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୧୦୦୦ କୋଟି ଟଙ୍କାରେ ପହଞ୍ଚିବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ, ନିଆଗଲା ଭିନ୍ନ ପଦକ୍ଷେପ

ଭୁବନେଶ୍ୱର,  ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଆଲୋଚନା କରି ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭାଗ ତରଫରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ବିଟୁମିନ୍‌ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥା ହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।

ଏହା ଦ୍ୱାରା କୃଷି ଯନ୍ତ୍ରପାତିରେ ନିଗମ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ବିକି୍ର କରାଇବା ପାଇଁ ପ୍ରାଥମିକତା ଦେବା ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ମଧ୍ୟ  ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ନିଗମ ପାଇଁ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ସମୀକ୍ଷା ବୈଠକରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଜଣାଇଥିଲେ ଯେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ମାନ ବୃଦ୍ଧି ତଥା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ନିଗମର ଆଗାମୀ ଯୋଜନା ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ । ଏହି ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ମନ୍ମଥ ବିଶ୍ୱାଳ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।