Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଡ୍ରାଇଭର ବା କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଯୋଜନାକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀମତୀ ସାହୁ ଗଣମାଧ୍ୟମ ପ୍ରତିନିଧି ଏବଂ ମୋଟରଯାନ ଚାଳକ ସଂଘର କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ ମୋଟରଯାନ କର୍ମଚାରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ବୋର୍ଡ ପଞ୍ଜୀକରଣ ଶୁÂ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବ।

ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଲେ ଯେ ଏହି ଯୋଜନାରେ ଦୁର୍ଘଟଣାଜନିତ ଡ୍ରାଇଭର/କର୍ମଚାରୀଙ୍କ ମୃତୁ୍ୟ କ୍ଷେତ୍ରରେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା, ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି। ସେହିପରି ସ୍ଥାୟୀ ଭାବେ ଅକ୍ଷମତା ପାଇଁ ଡ୍ରାଇଭର କିମ୍ବା କର୍ମଚାରୀଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଏଥି ସହିତ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ମୋଟରଯାନ ଡ୍ରାଇଭର ଓ କର୍ମଚାରୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା ଆଦିରେ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ ହେବେ। ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟରଯାନ ଡ୍ରାଇଭର/କର୍ମଚାରୀମାନଙ୍କ ପ୍ରତିନିଧି ସଦସ୍ୟ ରହିବେ। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ୫ ଲକ୍ଷରୁ ଊଦ୍ଧ୍ୱର୍ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି।

ରାଜ୍ୟ ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁର ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଡ୍ରାଇଭର/କର୍ମଚାରୀ ସଂଘର କମକର୍ତ୍ତାଙ୍କୁ ବିଶଦ ସୂଚନା ଦେଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଡ୍ରାଇଭରଙ୍କ ଦାବି ତିନି ମାସ ମଧ୍ୟରେ ପୂରଣ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଧାରଣା ଦିଆଯାଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ। ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍‌ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ।

ତତ୍‌କ୍ଷଣାତ୍‌ ରାଜ୍ୟ ସରକାରଙ୍କ ତରଫରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ରାଜ୍ୟର ଘରୋଇ ଡ୍ରାଇଭରମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା। ଦେଶର ପଡ଼ୋଶୀ ରାଜ୍ୟମାନଙ୍କରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଅନୁସାରେ ଆମ ରାଜ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଆସନ୍ତା ତିନିମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ଘରୋଇ ଡ୍ରାଇଭରମାନଙ୍କ ଦାବି ପୂରଣ କରାଯିବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସାମ୍ବାଦିକମନଙ୍କୁ ସୂଚନା ଦେଇଛନ୍ତି। ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପୋଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଘରୋଇ ଡ୍ରାଇଭରମାନଙ୍କର ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନୁ୍ୟ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ, ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟର ସମସ୍ତ ପରିବହନ ଅଧିକାରୀ (ଆର୍‌ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଏହି କମିଟିରେ ୪ଟି ବିଭାଗ ଯଥା- ସ୍ୱରାଷ୍ଟ୍ର, ଅର୍ଥ, ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ । ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧା ସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ଆମ ରାଜ୍ୟରେ ଏହାକୁ ଆସନ୍ତା ତିନିମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ଶ୍ରୀ ସୁବାଷ ସିଂହ, ଏଡିଜି (ଆଇନଶୃଙ୍ଖଳା) ଆର୍‌.କେ. ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ପରିବହନ କମିଶନର ଅରୁଣ ବୋଥ୍ରା, ଶ୍ରମ କମିଶନର ଏନ୍‌. ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିଶନର ଏନ୍‌. ମିଶାଲ ଓ ଡିଏଲ୍‌ସି ବି. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଆନ୍ଦୋଳନ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଳାଇଛି। ୧୦ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଳାଇଛି। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଗାଡି ଚାଳକ ଏକାଠି ହୋଇଛନ୍ତି। ୩୦ ଜିଲ୍ଲାର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଗାଡି ଚାଳକମାନେ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ମାସ ପୂର୍ବେ ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଭୁବନେଶ୍ୱରରେ ପଦଯାତ୍ରା କରିଥିଲା। ପଞ୍ଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଆଶ୍ଵାସନା ଦିଆଯାଇଥିଲା। କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଦାବି ଉପରେ ସରକାର କୌଣସି ବିଚାର ନକରିବାରୁ ଆଜି ମହାସଂଘ ପକ୍ଷରୁ ବିଶାଳ ସମାବେଶ କରାଯାଉଛି।

ଯାହାଫଳରେ ରାଜମହଲ ଛକ ଠାରୁ ରାମମନ୍ଦିର ଛକ, ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ ଏବଂ ସେଠାରୁ ଏଜି ଛକ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅସ୍ତିଶଲ୍ୟରେ ପୀଡ଼ିତ ଡ୍ରାଇଭରକୁ ଚିକିତ୍ସା କରି ଚର୍ଚ୍ଚାରେ ଓଡିଶା ଡ୍ରାଇଭର ମହାସଂଘ

କନ୍ଦର୍ପ ବେହେରା

ରେଢାଖୋଲ: ଓଡିଶା ଡ଼୍ରାଇଭର ମହାସଂଘର ମହାନତା। ଅସ୍ତିଶଲ୍ୟ ବିଭାଗରେ ପିଡୀତ ଡ଼୍ରାଇଭରକୁ ଚିକିତ୍ସା କରେଇ ଚର୍ଚ୍ଚାରେ ଓଡ଼ିଶା ଡ୍ରାଇଭର ମହାସଂଘ। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ କାଙ୍କଣପଡା ଗ୍ରାମର ଜଣେ ଡ୍ରାଇଭର ବେଲାର୍ସନ ସେଠୀ ଦିର୍ଘ ଦୁଇ ବର୍ଷ ହେଲା ଅସ୍ତିଶଲ୍ୟରେ ପୀଡ଼ିତ ହୋଇ ତାଙ୍କର ଡାହାଣ ଗୋଡ ଅଚଳ ହୋଇ ପଡିଥିଲା। ଯାହାଫଳରେ ସେ କଟକର ସରକାରୀ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ବେଲାର୍ସନ ସେଠୀଙ୍କ ଅର୍ଥ ରାଶି ଅଭାବ ହେତୁ ସେ ଓଡିଶା ଡ୍ରାଇଭର ମହାସଂଘ ଠାରେ ନିବେଦନ କରିଥିଲେ।

ଏହି ଖବର ଶୁଣିବା ପରେ ସମ୍ବଲପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଭାପତି ଜୟନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ରେଢାଖୋଲ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ଶାଖାର ସମସ୍ତ ସଦସ୍ୟ ମାନେ ତାଙ୍କୁ ଅର୍ଥ ରାଶି ସାହାଯ୍ୟ ସହଯୋଗ କରି ବେଲାର୍ସନ ସେଠୀଙ୍କୁ କଟକର ସରକାରୀ ବଡ ମେଡିକାଲରେ ଚିକିତ୍ସା କରେଇ ତାଙ୍କ ଗୋଡ଼କୁ ପ୍ଳାଷ୍ଟିକ ସର୍ଜରୀ କରାଇ ସୁସ୍ଥ କରିଥିଲେ।

ଏଥିରେ କଟକ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଭାପତି ଜଗନ୍ନାଥ ଦିଖିତ ଏବଂ ସାଲେପୁରର ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ଉମାକାନ୍ତ ଖୁଣ୍ଟିଆ ସାହାଯ୍ୟର ହାତବଢେଇ ସୁସ୍ଥ ହେବା ଯାଏଁ ପ୍ରୟାସ ଯାରି ରଖିଥିଲେ। ଶ୍ରୀ ସେଠୀ ସୁସ୍ଥ ହେବାପରେ ଉମାକାନ୍ତ ଖୁଣ୍ଟିଆ ତାଙ୍କୁ ନେଇ ତାଙ୍କ ଘର କାଙ୍କଣପଡା ଠାରେ ଗତ ଗୁରୁବାର ଦିନ ସନ୍ଧ୍ୟା ରେ ପହଁଞ୍ଚେଇଥିଲେ। ପରେ ରେଢାଖୋଲ ବ୍ଲକର ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇଥିଲେ। ଓଡିଶା ଡ୍ରାଇଭର ମହାସଂଘର ଏହି ମହାନତା କାର୍ଯ୍ୟକୁ ଦେଖି ପ୍ରଶଂସା କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।