Categories
ଆଞ୍ଚଳିକ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିରମାନ ଆୟୋଜନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକର ଭେଟେଶ୍ୱର ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଏବଂ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରାମର୍ଶ ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରି ସଂସ୍ଥାମାନେ ଯୋଗ ଦେଇଥିଲେ।

ଏହି ତାଲିମ ପ୍ରଦାନକାରି ସଂସ୍ଥା ମାନେ ବିଭିନ୍ନ ଟ୍ରେଡ଼ ମାନଙ୍କରେ ଜାତୀୟ ବୈଷୟିକ ଦକ୍ଷତା ଓ କୌଶଳ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀ ମାନଙ୍କର ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ। ଏହାର ଅବଧି ଏକ ମାସରୁ ଛଅ ମାସ ମଧ୍ୟରେ ହେବା ଜଣାଯାଇଛି।

ତାଲିମ ସମୟରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ଓଡିଶା ସରକାର ବହନ କରିବେ। ତାଲିମ ପରେ ମୂଲ୍ୟ ନିର୍ଦ୍ଧାରଣ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ SSCଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହିତ ତିନିମାସ ମଧ୍ୟରେ ଦକ୍ଷତା ଅନୁସାରେ ରାଜ୍ୟ ଭିତରେ ଓ ବାହାରେ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ବୋଲି ବାଣପୁର ବିଇଓ ସନାତନ ଜାଲି କହିଛନ୍ତି।

ସେହିପରି ଦଶମ ଶ୍ରେଣୀରେ ପାସ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ର ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯିବ।

ଭେଟେଶ୍ୱର ହାଇସ୍କୁଲରେ ଆୟୋଜିତ ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ସମାଜସେବୀ ଜିତେନ୍ଦ୍ର ଭୋଳ ଯୋଗଦେଇ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଆୟୋଜିତ ପରାମର୍ଶ ଶିବିରରେ ଅଂଶ ଗ୍ରହଣ କରି ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଆସନ୍ତା ୬ରେ ନିଯୁକ୍ତି ମେଳା, ଜାଣନ୍ତୁ କେଉଁଠି ଏବଂ କେଉଁମାନେ ନେଇପାରିବେ ଭାଗ

ଖୋର୍ଦ୍ଧା: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଆସନ୍ତା ୬ ତାରିଖରେ ଦିବା ୧୦ ଘଟିକା ସମୟରେ ଖୋର୍ଦ୍ଧା ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରର ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିଯୁକ୍ତି ମେଳାରେ ୧୨ ଟି ପ୍ରତିଷ୍ଠିତ ବେସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଯୋଗଦାନ କରିବେ। ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ନିଯୁକ୍ତିର ସୁଯୋଗ ନେଇପାରିବେ।

ଏତଦବ୍ୟତୀତ ଏହି ନିଯୁକ୍ତି ମେଳାରେ ମଧ୍ୟ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ୬ ଗୋଟି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଦକ୍ଷତା ବିକାଶ ତାଲିମ ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଦକ୍ଷତା ବିକାଶ ତାଲିମ ପ୍ରାପ୍ତ ହୋଇପାରିବେ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ନିଯୁକ୍ତି ଆଶାୟୀ ମାନଙ୍କୁ ଏହି ନିଯୁକ୍ତି ମେଳାରେ ଖୋର୍ଦ୍ଧା, ଚିଲିକା, ଟାଙ୍ଗୀ, ବାଣପୁର, ବୋଲଗଡ ଓ ବେଗୁନିଆ ପଞ୍ଚାୟତ ସମିତି ଅନ୍ତର୍ଗତ ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ/ଆଇଟିଆଇ/ଡିପ୍ଲୋମା/ଏଏନଏମ/ ଜିଏନଏମ ଇତ୍ୟାଦି ପାସ କରିଥିବା ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ ପ୍ରାର୍ଥୀନୀ ବହୁ ସଂଖ୍ୟାରେ ଯୋଗଦାନ କରି ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।

ଏହି ନିଯୁକ୍ତି ମେଳାରେ ଭାଗ ନେବା ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ସେମାନଙ୍କର ନିଜ ନିଜର ଶିକ୍ଷାଗତ ଯୋଗ୍ୟତା/ ବାସିନ୍ଦା/ଜାତିଗତ/ ଡ୍ରାଇଭିଂ ଏବଂ ଆଧାର ପ୍ରମାଣ ପତ୍ର ସହିତ ନିଜ ପାସପୋର୍ଟ ସାଇଜ ଫଟୋ (୬ ଟି) ସାଥିରେ ଆଣିବାକୁ ଅନୁରୋଧ କରାଯାଇଛି।