Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖଣି ଅଞ୍ଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର, ଖଣିଜ କ୍ଷେତ୍ର ପାଇଁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌ କାଉନସିଲ୍‌ ଫର୍‌ ମାଇନିଂ ସେକଫର (ଏସ୍‌.ସି.ଏମ୍‌.ଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି ।

ଓଡ଼ିଶାର ଅଧିକାଂଶ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳ। ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି । ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ । ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼େଇ କହିଛନ୍ତି ।

ତେବେ ସ୍ଥାନୀୟ ଖଣିଜ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ । ସେହି ଦକ୍ଷତା ବିକାଶ କେନ୍ଦ୍ର ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ଓଡ଼ିଶା ସରକାର । ଖଣି ଅଞ୍ଚଳର ଯୁବବର୍ଗଙ୍କୁ କୁଶଳୀ କରିବାରେ ସଫଳ ହୋଇଥିବା ଏସ୍‌.ସି.ଏମ୍‌.ଏସ ଖୁବଶୀଘ୍ର ରାଜ୍ୟସ୍ତରୀୟ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁଜୀ, ଏସ୍‌.ସି.ଏମ୍‌.ଏସର ଏମ୍‌ଡି ପଙ୍କଜ ସତେଜା, ସିଇଓ ସଞ୍ଜୟ ଶର୍ମା, ଅପରେସନ ମୁଖ୍ୟ ନଭନୀତ କୁମାର ଏବଂ ଟିସଏମଏଲ୍‌ ମାନବ ସମ୍ଭଳ ପ୍ରବନ୍ଧକ ଗୌତମ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ଜାତିସଂଘ ପ୍ରତିନିଧି, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା,ମହିଳା ସଶକ୍ତିକରଣ ପ୍ରଶଂସା

ଭୁବନେଶ୍ୱର : ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍‌ ଫର୍ଗୁସନ୍‌ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ବାଗ୍‌ଚି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି ।

ଶ୍ରୀ ବାଗ୍‌ଚି ପ୍ରକାଶ କରିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମକୁ ଲିଙ୍ଗଗତ ବୈଷମ୍ୟରୁ ମୁକ୍ତ ହେବା ଆବଶ୍ୟକ ।ଦକ୍ଷତା ଏବଂ ବୃତ୍ତିକୁ ପୁରୁଷକୈନ୍ଦ୍ରିକ ବୋଲି ବିବେଚନା ନକରି ସେଇ କ୍ଷେତ୍ରରେ ଅଧିକ ମହିଳା ଆଗକୁ ଆସିବା ଦରକାର । ଓଡିଶାର ମହିଳାମାନଙ୍କର ଅନେକ ଉଦାହରଣ ଉପସ୍ଥାପନ କରି ସେମାନେ ଲୋକୋ-ପାଇଲଟ୍‌, ଅଟୋମୋବାଇଲ୍‌ ମେକାନିକ୍‌, େୱଲ୍‌ଡର୍‌, ଶିଳ୍ପାନୁଷ୍ଠାନ ଅପରେଟର ଇତ୍ୟାଦି କାର୍ଯ୍ୟରେ ଉତ୍କର୍ଷ ଅର୍ଜନ କରିଛନ୍ତି ବୋଲି ଶ୍ରୀ ବାଗ୍‌ଚି ଉଲ୍ଲେଖ କରିଥିଲେ ।

ଡିଜିଟାଲ୍‌ ସ୍କିଲ ଉପରେ ନିଜର ମତ ଉପସ୍ଥାପନ କରି ଶ୍ରୀ ବାଗ୍‌ଚି କହିଥିଲେ ଯେ ଏଥି ନିମନ୍ତେ ଉଚ୍ଚମାନର ଶିକ୍ଷକ ତାଲିମ, ବିଷୟବସ୍ତୁ, ଯନ୍ତ୍ରପାତି ଓ ଇଣ୍ଟରନେଟ୍‌ ବ୍ୟବହାର ଉପରେ ସାର୍ବଜନୀନ ଅଧିକାର ରହିବା ଆବଶ୍ୟକ ।

ଜାତିସଂଘ ମହିଳା, ଭାରତ ପ୍ରତିନିଧି ଶ୍ରୀମତୀ ଫର୍ଗୁସନ୍‌ ଓଡିଶା ସରକାର ଏବଂ ଜାତିସଂଘ ମହିଳାଙ୍କ ମଧ୍ୟରେ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହିତ ଜାତିସଂଘ ମହିଳା ରାଜ୍ୟ ସରକାରଙ୍କ ସହ ବିଶେଷ କରି ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣରେ ଦ୍ୱିତୀୟ ସୁଯୋଗ ପ୍ରଦାନ (ସେକଣ୍ଡ ଚାନ୍ସ ଏଜୁକେସନ ଏଣ୍ଡ ଭୋକେସନାଲ ଲର୍ଣ୍ଣିଂ) ମାଧ୍ୟମରେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜାତିସଂଘ ମହିଳାଙ୍କ ସହ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସଂପାଦନ କରିଛନ୍ତି । ବୁଝାମଣାର ଅଂଶ ଭାବରେ ଓଡିଶାର ଦଶଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ଅନଲାଇନ୍‌ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ ମାର୍କେଟିଂ ଏବଂ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବ ।

ଜାତିସଂଘ ମହିଳା ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ମହିଳା ଫୁଟବଲ ଦଳ ଏବଂ ଗୋପବନ୍ଧୁ ଆଇଟିଆଇ, କୋରାପୁଟ ଓ ସରକାରୀ ଆଇଟିଆଇ, ବଲାଙ୍ଗୀରଠାରେ ଭଲିବଲ କୋର୍ଟ ନିମନ୍ତେ ସହଯୋଗ କରିବ । ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ । ମୟୂରଭଞ୍ଜ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ମାନଙ୍କରେ ସେକଣ୍ଡ ଚାନ୍ସ ଏଜୁକେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି ।

ଏହି ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ୱାର୍ଲï ସ୍କିଲ୍‌ ସେଣ୍ଟର ପରିଦର୍ଶନ କରି ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ, ଏସ୍‌ସିଇ, ଜାତିସଂଘ ମହିଳା, ଶ୍ରୀମତି କାନ୍ତା ସିଂ, ବୈଷୟିକ ପରାମର୍ଶଦାତା (ଜେଣ୍ଡର) ଶ୍ରୀମତୀ ସ୍ମିତା ଜଗଦେବ ଏବଂ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।