ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହାର ଉଦ୍ଘାଟନ କରିଥିଲେ। ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୪,୫୦୦ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ।
ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନିମାପଡ଼ା ଓ ଗୋପ ବ୍ଲକ୍ର ୧୯୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ବ୍ଲକ୍ର କମ୍ୟୁନିଟି ସପୋର୍ଟ ଷ୍ଟାଫ ଶାନ୍ତିଲତା ସ୍ୱାଇଁ, ନିରୁପମା ଛଟୋଇ, ରୁବିନା ପ୍ରଧାନ ଓ ରୂପାଲି ବେହେରା ଏବଂ ଗୋପ ବ୍ଲକ୍ର ପ୍ରଭାତୀ ନାୟକ, ରଶ୍ମିରେଖା ନନ୍ଦ ଓ ମନୋରମା ନାଥଶର୍ମାଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ।
ରାଜ୍ୟରେ କାର୍ଯ୍ୟରତ ସମୁଦାୟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ପର୍ଯ୍ୟାୟକ୍ରମେ ପରିଚୟପତ୍ର ପ୍ରଦାନ କରାଯିବ। ଏଥିରେ କମ୍ୟୁନିଟି ରିସୋର୍ସ ପର୍ସନ୍, ମାଷ୍ଟର ବୁକ୍ କିପର୍, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଲାଇଭଲିହୁଡ୍ ସପୋର୍ଟ ପର୍ସନ୍ ସାମିଲ ଅଛନ୍ତି।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲକ୍ଷପତି ଦିଦି’ ଅଭିଯାନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରିବା ସହ ଅଧିକରୁ ଅଧିକ ଲକ୍ଷପତି ଦିଦି, ମହାଲକ୍ଷପତି ଦିଦି ଏବଂ କୋଟିପତି ଦିଦି ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
ଏହି ଲକ୍ଷ୍ୟ ହାସଲରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଦକ୍ଷତା ବୃଦ୍ଧି ଓ କ୍ଷମତା ବିକାଶ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତୀକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ ଯେ, କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ମିଶନ ଶକ୍ତିର ମେରୁଦଣ୍ଡ। ସେମାନଙ୍କ ଦକ୍ଷତା, ନେତୃତ୍ୱ ଏବଂ କ୍ଷେତ୍ରସ୍ତରରେ ନିଷ୍ଠାପୂର୍ବକ କାର୍ଯ୍ୟ ମହିଳା ସଶକ୍ତୀକରଣ ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ରାଜ୍ୟରେ ଅଧିକରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ।
ଏହି ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନର ସଶକ୍ତୀକରଣ, ଜୀବିକା ବିକାଶ, ଉଦ୍ୟୋଗୀ ସୃଷ୍ଟି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଡିଜିଟାଲ ସଶକ୍ତୀକରଣ, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ କ୍ଷେତ୍ରସ୍ତରରେ ଉତ୍ତମ ସେବା ପ୍ରଦାନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ, ଉପ ସଚିବ ଶ୍ରୀମତୀ ନମ୍ରତା ମୋଦୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ। ଏହି ଅବସରରେ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


