Categories
ଆଜିର ଖବର

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଜାଣନ୍ତୁ କଣ ହେବ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି। ଏହି ଉପଲକ୍ଷେ ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଟାଟା ପାୱାର ସହିତ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।

ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଟାର୍ଗେଟେଡ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ଶକ୍ତି କ୍ଷେତ୍ରର ବିକଶିତ ଚାହିଦା ପାଇଁ ସେମାନଙ୍କର ଉନ୍ନତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା।

ଶ୍ରୀମତୀ ପାଢ଼ୀ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶରେ ଉତ୍କର୍ଷ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଶିକ୍ଷଣ ମଡ୍ୟୁଲ ଏବଂ ପ୍ରାକ୍ଟିକାଲ ଅଧିବେଶନରେ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ ହେବା ସହିତ ବିଶ୍ୱ ବଜାରରେ କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଏବଂ ବିଶ୍ୱସନୀୟତାକୁ ସୁଦୃଢ କରିବ ବୋଲି ଆଶା କରାଯାଏ।

ଟାଟା ପାୱାର ସହିତ ସହଯୋଗ ଅତ୍ୟନ୍ତ ଦକ୍ଷ ପେସାଦାର ଉତ୍ପାଦନ ଦିଗରେ ଏକ ପଦକ୍ଷେପକୁ ସୂଚିତ କରେ। ଡିଟିଇଟିର ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି. ଏବଂ ଟାଟା ପାୱାରର ଟି ଆଣ୍ଡ ଡି ସଭାପତି ଶ୍ରୀ ସଞ୍ଜୟ ବଙ୍ଗା ଆଜିର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ବୁଝାମଣା ଫଳରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଯାହା ଛାତ୍ରଛାତ୍ରୀମାନଙ୍କୁ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ପ୍ରଥମ ବର୍ଷରେ ଟାଟା ପାୱାର ଦକ୍ଷତା ବିକାଶ କେନ୍ଦ୍ର ନିକଟରେ ଥିବା ୨୦ଟି ସରକାରୀ ଆଇଟିଆଇ (ପ୍ରତି ଡିସ୍କମରେ ୫ଟି) ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି । ପରବର୍ତ୍ତୀ ବର୍ଷଗୁଡ଼ିକରେ ଅନ୍ୟ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ।

ଟାଟା ପାୱାର ଓଡ଼ିଶାର ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ସହ ପରାମର୍ଶ କରି ଏଭଳି ମଡ୍ୟìଲ୍‌ ପ୍ରସ୍ତୁତ କରିବ, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ମଡ୍ୟìଲ୍‌ଗୁଡ଼ିକ ଶକ୍ତି କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନକୁ ଅନ୍ତର୍ଭୁକ୍ତ କରେ।

ବାସ୍ତବ ଦୁନିଆର ଅନୁଭୂତି ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ଡିସ୍କମର ହ୍ୟାଣ୍ଡସ୍‌ ଅନ୍‌ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିବେ। ଏହି ପ୍ରଦର୍ଶନ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟକୁ ସୁରକ୍ଷିତ ଏବଂ ଦକ୍ଷତାର ସହ ସମ୍ପାଦନ କରିବାରେ ସାହାଯ୍ୟ କରିବ ଏହା ବ୍ୟତୀତ ନେଟ୍‌ୱାର୍କ କଣ୍ଟ୍ରୋଲ ସେଣ୍ଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବ୍‌ ଷ୍ଟେସନ ପରିଦର୍ଶନ କରି ବିଦ୍ୟୁତ କ୍ଷେତ୍ରର ଉପକରଣ ସମ୍ପର୍କରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଯୋଜନା କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚୀ: ଅଳକା ମିଶ୍ର ହେଲେ ନୂତନ ଅଧ୍ୟକ୍ଷା

ଭୁବନେଶ୍ଵର: ଆଜି ସୁବ୍ରତ ବାଗଚୀ ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି। ଶ୍ରୀଯୁକ୍ତ ବାଗଚୀ ଏହି ପଦବୀରେ ୭ ବର୍ଷ ଦାୟିତ୍ଵରେ ଥିଲେ। ପଦ ଛାଡିବା ନେଇ ସୁବ୍ରତ ବାଗଚୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡୁଥିବା ସେ କହିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ବିଶ୍ଵାସକୁ ନେଇ ଏହି ପଦବୀ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତେବେ ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷା ଦାୟିତ୍ଵ ନେଇଛନ୍ତି। ଅଳକା ମିଶ୍ର ଏବେ ଦକ୍ଷତା ବିକାଶର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖଣି ଅଞ୍ଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର, ଖଣିଜ କ୍ଷେତ୍ର ପାଇଁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌ କାଉନସିଲ୍‌ ଫର୍‌ ମାଇନିଂ ସେକଫର (ଏସ୍‌.ସି.ଏମ୍‌.ଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି ।

ଓଡ଼ିଶାର ଅଧିକାଂଶ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳ। ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି । ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ । ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼େଇ କହିଛନ୍ତି ।

ତେବେ ସ୍ଥାନୀୟ ଖଣିଜ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ । ସେହି ଦକ୍ଷତା ବିକାଶ କେନ୍ଦ୍ର ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ଓଡ଼ିଶା ସରକାର । ଖଣି ଅଞ୍ଚଳର ଯୁବବର୍ଗଙ୍କୁ କୁଶଳୀ କରିବାରେ ସଫଳ ହୋଇଥିବା ଏସ୍‌.ସି.ଏମ୍‌.ଏସ ଖୁବଶୀଘ୍ର ରାଜ୍ୟସ୍ତରୀୟ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁଜୀ, ଏସ୍‌.ସି.ଏମ୍‌.ଏସର ଏମ୍‌ଡି ପଙ୍କଜ ସତେଜା, ସିଇଓ ସଞ୍ଜୟ ଶର୍ମା, ଅପରେସନ ମୁଖ୍ୟ ନଭନୀତ କୁମାର ଏବଂ ଟିସଏମଏଲ୍‌ ମାନବ ସମ୍ଭଳ ପ୍ରବନ୍ଧକ ଗୌତମ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶାର ସଫଳତା, ୧୦ଟି ସ୍ୱର୍ଣ୍ଣ ଓ ୧୮ଟି ରୌପ୍ୟ ପଦକ ହାସଲ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଆଜି ନୂଆଦିଲ୍ଲୀସ୍ଥିତ ତାଲକଟୋରା  ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ୨୦୨୧ ପ୍ରତିଯୋଗିତାରେ ସର୍ବାଧିକ ପଦକ ଜିତି ସ୍କିଲ-ଇନ୍-ଓଡିଶା ପ୍ରତିଯୋଗୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ୧୦ ଟି ସ୍ୱର୍ଣ୍ଣ , ୧୮ ଟି ରୌପ୍ୟ, ୯ଟି କାଂସ୍ୟ ପଦକ ଏବଂ ୧୪ ଟି ମେଡାଲିୟନ ଅଫ୍‌ ଏକ୍ସଲେନ୍ସସହ ସର୍ବମୋଟ ୫୧ଟି ପଦକ ହାସଲ କରି ଶୀର୍ଷ ସ୍ଥାନରେ ରହିଛି  ।

ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ୭୬ ଜଣ ପ୍ରତିଯୋଗୀ  ଅଂଶଗ୍ରହଣ କରିଥିଲେ । ମୋଟ ୭୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ  ୧୭ ଜଣ ଯୁବତୀ ଭାଗ ନେଇଥିଲେ ।

ଏଥିରେ କୃତିତ୍ୱ ଲାଭ କରିଥିବା ବିଜେତା ୨୦୨୨ ଅକ୍ଟୋବରରେ ଚୀନର ସାଘାଂଇ  ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱକରିବାର ସୁଯୋଗ ପାଇବେ । ସୂଚନା ଥାଉ କି  ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ନିମନ୍ତେ  ଓଡିଶାର ମିଶନ ୨-୩-୪ ଅର୍ଥାତ୍‌ ଦୁଇଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଏବଂ ଚାରୋଟି  କାଂସ୍ୟ ପଦକ ହାସଲ ଲକ୍ଷ୍ୟ ରହିଛି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ବିଜେତା ମାନଙ୍କୁ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ ଜାରି ରଖିବାକୁ କାମନା କରିଛନ୍ତି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି  ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି  ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ବିଜେତା ମାନଙ୍କୁ ଆଗାମୀ ସାଘାଂଇ ୱାର୍ଲ୍ଡ ସ୍କିଲ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶର ଗୌରବ ବୃଦ୍ଧି କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ  ମଧ୍ୟ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜାନୁଆରୀ ୬ରୁ ୧୦ ମଧ୍ୟରେ ନୂଆଦିଲ୍ଲୀଠାରେ ଆୟୋଜିତ ଏହି  ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଦ୍ୱାରା ଆୟୋଜନ କରାଯାଇଥିଲା ।