Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖଣି ଅଞ୍ଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର, ଖଣିଜ କ୍ଷେତ୍ର ପାଇଁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌ କାଉନସିଲ୍‌ ଫର୍‌ ମାଇନିଂ ସେକଫର (ଏସ୍‌.ସି.ଏମ୍‌.ଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି ।

ଓଡ଼ିଶାର ଅଧିକାଂଶ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳ। ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି । ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ । ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼େଇ କହିଛନ୍ତି ।

ତେବେ ସ୍ଥାନୀୟ ଖଣିଜ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ । ସେହି ଦକ୍ଷତା ବିକାଶ କେନ୍ଦ୍ର ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ଓଡ଼ିଶା ସରକାର । ଖଣି ଅଞ୍ଚଳର ଯୁବବର୍ଗଙ୍କୁ କୁଶଳୀ କରିବାରେ ସଫଳ ହୋଇଥିବା ଏସ୍‌.ସି.ଏମ୍‌.ଏସ ଖୁବଶୀଘ୍ର ରାଜ୍ୟସ୍ତରୀୟ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁଜୀ, ଏସ୍‌.ସି.ଏମ୍‌.ଏସର ଏମ୍‌ଡି ପଙ୍କଜ ସତେଜା, ସିଇଓ ସଞ୍ଜୟ ଶର୍ମା, ଅପରେସନ ମୁଖ୍ୟ ନଭନୀତ କୁମାର ଏବଂ ଟିସଏମଏଲ୍‌ ମାନବ ସମ୍ଭଳ ପ୍ରବନ୍ଧକ ଗୌତମ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।