Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ମିଲେଟ ମିଶନର ଦୀର୍ଘ ମିଆଦି ରଣନୀତି ନିମନ୍ତେ ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର: ଓଡ଼ିଶା ମିଲେଟ୍‌ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ମିଲେଟସ୍‌ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ସଂପର୍କରେ ଆଜି ଏକ ବୈଠକ ଓଡ଼ିଶା ସରକାରଙ୍କ ଇନ୍‌ଷ୍ଟିଚୁ୍ୟସନାଲ୍‌ କାପାସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍‌ ମିଶନର ଅଧିକାରୀମାନେ ଯୋଗଦେଇଥିଲେ।
ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟସ୍‌ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ ଓ ଏ ପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଉପଭୋକ୍ତା ସ୍ତରରେ ମିଲେଟସର୍‌ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି କରିବା ଓ ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା କୃଷକମାନେ ପାରମ୍ପରିକ ବାଣିଜି୍ୟକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍‌ ଚାଷ ପ୍ରତି ପ୍ରୋତ୍ସାହିତ ହେବେ।

ଏଥି ପାଇଁ ବିଭାଗ ପକ୍ଷରୁ ମିଲେଟସ୍‌ ଚାଷୀ ଏବଂ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସଂପର୍କରେ ଡ. ପାଢ଼ୀ ଉଲ୍ଲେଖ କରିଥିଲେ।

ଓଡ଼ିଶା ମିଲେଟସ୍‌ର ୪ଟି ପାରମ୍ପରିକ ଭୂପ୍ରଜାତିର ବିହନ ଜାରି କରିବାରେ କୃତିତ୍ୱ ହାସଲ କରିବାରେ ଭାରତବର୍ଷରେ ପ୍ରଥମ ରାଜ୍ୟ ବୋଲି ଡ. ପାଢ଼ୀ କହିଥିଲେ। ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମିଲେଟସ୍‌ ମିଶନ ସର୍ବଦା ଅଂଶୀଦାରଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ କହିଥିଲେ। ଏଥି ସହିତ ଡ. ପାଢ଼ୀ ମିଲେଟସ୍‌ ସଂପର୍କରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ।

ବୈଠକରେ ଶ୍ରୀ ବାଗ୍‌ଚୀ ଓଡ଼ିଶା ମିଲେଟସ୍‌ ମିଶନର ଉଲ୍ଲେଖନୀୟ ସଫଳତା ନେଇ ପ୍ରଶଂସା କରିଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘମିଆଦି ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏଥି ସହିତ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ନମନୀୟତା ରଖିବା ପାଇଁ ସେ ପରାମର୍ଶ ଦେଇ କହିଲେ ଯେପରି କୌଣସି ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ସମୟୋଚିତ ପରିବର୍ତ୍ତନ କରାଯାଇପାରିବ।

ସେ ପୁଣି କହିଲେ ଯେ କୃଷି-ପର୍ଯ୍ୟଟନ ପରି ଅଭିନବ ପ୍ରଣାଳୀ, ମିଲେଟସ୍‌ ସହ ଜଡ଼ିତ ଆନନ୍ଦଦାୟକ ଦିଗ ଉପରେ ଧ୍ୟାନଦେବା ଏବଂ ମିଲେଟସ୍‌ ଆମ୍ବାସଡର ଭାବରେ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଅନ୍ୟ ସେଲିବ୍ରେଟିମାନଙ୍କୁ ଜଡ଼ିତ କରି ଆଗାମୀ ବର୍ଷରେ ଓଡ଼ିଶା ମିଲେଟସ୍‌ ମିଶନର ସଫଳ ରୂପାୟନ କରାଯାଇପାରିବ।

ଏଥି ସହିତ ତୃଣମୂଳ ସ୍ତରରେ ୟୁଟୁ୍ୟବ୍‌ରମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଏବଂ ତୃଣମୂଳ ପର୍ଯ୍ୟାୟର ସଂଗଠନ ଏବଂ ମିଲେଟ ଆମ୍ବାସଡରମାନଙ୍କୁ ଉପଯୋଗ କରି ସମାଜର ବୃହତ୍ତର ଅଂଶରେ ମିଲେଟସ୍‌କୁ ଲୋକପି୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ଏହିସବୁ ରଣନୀତିଗୁଡ଼ିକୁ ଆପଣାଇ ଓଡ଼ିଶାକୁ ଭାରତ ତଥା ବିଦେଶରେ ଏକ ଆଦର୍ଶ ମଡେଲ ଭାବରେ ଉପସ୍ଥାପନ କରିବା ପାଇଁ ଶ୍ରୀ ବାଗ୍‌ଚୀ କହିଥିଲେ।

ଓଡ଼ିଶା ମିଲେଟସ୍‌ ମିଶନ ଏବଂ ଆନ୍ତର୍ଜାତିକ ମିଲେଟସ୍‌ ସମ୍ମିଳନୀ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ଶ୍ରୀ ବାଗଚୀଙ୍କ ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୈଠକରେ ଓଡ଼ିଶା ମିଲେଟସ୍‌ ମିଶନର ଯୁଗ୍ମ ନିର୍ଦ୍ଦେଶକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁବ୍ରତ ବାଗଚୀଙ୍କୁ ସରାକରଙ୍କ ମୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ ଦେଇଛନ୍ତି। ସେ ରାଜ୍ୟର ସମସ୍ତ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟକରିବେ। ଏଥିପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପଦ ଓ ମାନ୍ୟତା ଦିଆଯାଇଛି।

ଏହାପୂର୍ବରୁ ସେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ନୂତନ ଭୂମିକାରେ, ସେ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ।

ସେମାନଙ୍କୁ ଦୁନିଆର ସର୍ବୋତ୍ତମ ଦକ୍ଷତା ସହିତ ସମାନ କରିବାରେ ସାହାଯ୍ୟ କରିବେ। ଉଭୟ ଏଣ୍ଟ୍ରି ସ୍ତର ତଥା ରାଜ୍ୟର ସେବାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ସେ କାମ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚୀ: ଅଳକା ମିଶ୍ର ହେଲେ ନୂତନ ଅଧ୍ୟକ୍ଷା

ଭୁବନେଶ୍ଵର: ଆଜି ସୁବ୍ରତ ବାଗଚୀ ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି। ଶ୍ରୀଯୁକ୍ତ ବାଗଚୀ ଏହି ପଦବୀରେ ୭ ବର୍ଷ ଦାୟିତ୍ଵରେ ଥିଲେ। ପଦ ଛାଡିବା ନେଇ ସୁବ୍ରତ ବାଗଚୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡୁଥିବା ସେ କହିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ବିଶ୍ଵାସକୁ ନେଇ ଏହି ପଦବୀ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତେବେ ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷା ଦାୟିତ୍ଵ ନେଇଛନ୍ତି। ଅଳକା ମିଶ୍ର ଏବେ ଦକ୍ଷତା ବିକାଶର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାଗଚୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ରୁଥ୍‌

ଭୁବନେଶ୍ୱର : ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍‌ ରୁଥ୍‌ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ସମୟରେ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ଶ୍ରୀ ରୁଥ୍‌ଙ୍କ ସହ ଉପସ୍ଥିତ ଥିଲେ। ଶ୍ରୀ ରୁଥ୍‌ ଏବଂ ତାଙ୍କ ସହଯୋଗୀମାନେ ଶ୍ରୀ ବାଗ୍‌ଚୀଙ୍କ ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଦୀର୍ଘ ଏକ ଘଣ୍ଟାକାଳ ଆଲୋଚନା କରିଥିଲେ।

ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ବାଗଚୀ ଅତିଥିମାନଙ୍କୁ ଓଡ଼ିଶା ପରିଦର୍ଶନ ନେଇ ଧନ୍ୟବାଦ ଜ୍ଞାପନ କରିବା ସହ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ ସହ ସମସ୍ତ ସ୍ତରରେ ଅଧିକ ସହଯୋଗ ଏବଂ ଭାବବିନିମୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ। ଶ୍ରୀ ବାଗଚୀଙ୍କ ତରଫରୁ ଶ୍ରୀ ରୁଥ୍‌ଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସୁବ୍ରତ ବାଗଚୀ ଶୁଭାରମ୍ଭ କଲେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲ

ଭୁବନେଶ୍ୱର : ୱାର୍ଲଡ ସ୍କିଲ ସେଣ୍ଟରଠାରେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ( ଓଏସଡିଏ) ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ପଞ୍ଜୀକରଣ ନିମନ୍ତେ ଲୋକାର୍ପଣ କରିଛନ୍ତି ।

ଆଧୁନିକ ଦକ୍ଷତା ବିକାଶରେ ଓଡିଶାକୁ ଏକ ମହାନ ରାଜ୍ୟ ଭାବରେ ଅଭିହିତ କରି ଓଏସଡିଏର ଅଧ୍ୟକ୍ଷ ଶ୍ରୀ ବାଗଚି କହିଛନ୍ତି ଯେ ପିରାମିଡର ତଳ ଭାଗକୁ ସ୍ପର୍ଶ କରୁଥିବା ସ୍କିଲ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ସେମାନଙ୍କ ଉପରେ ଧ୍ୟାନ ଦେବା ଉଚିତ । ଓଡିଶା ସ୍କିଲ୍ସ-୨୦୨୩ରେ ପ୍ରାୟ ୧୦,୦୦୦ ଯୁବକଯୁବତୀ ଭାଗ ନେବା ଆମର ସାମୂହିକ ଲକ୍ଷ୍ୟ ହେବା ଉଚିତ୍‌ ଏବଂ ସେମାନେ ଅଣଇଞ୍ଜିନିୟରିଂ ଟ୍ରେଡ୍‌ରେ ଯେପରି ଭାଗ ନେବେ ସେ ନେଇ ପ୍ରୋତ୍ସାହନ ଦେବା ଆବଶ୍ୟକ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଓଡ଼ିଶାର ଯୁବକଯୁବତୀମାନଙ୍କ ପାଇଁ ସମଗ୍ର ଦେଶରେ ନିଜର ଆଭ୍ୟନ୍ତରୀଣ ସାମର୍ଥ୍ୟ ପ୍ରଦର୍ଶନ କରିବା ନିମନ୍ତେ ଓଡିଶା ସ୍କିଲ୍ସ -୨୦୨୩ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଜ୍ଞାନକୁ ଧନରେ ପରିଣତ କରିବା ହେଉଛି ସମୟର ଆହ୍ୱାନ । ସଠିକ୍‌ ଦକ୍ଷତା ତାଲିମ ସହିତ ରାଜ୍ୟର ଯୁବକଯୁବତୀମାନେ ଓଡିଶାରେ ରୂପାନ୍ତରଣର ବାର୍ତ୍ତା ପ୍ରଦାନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଡବ୍ଲìଏସସିର ସିଇଓ ଶ୍ରୀ ରେଘୁ ଜି. କହିଛନ୍ତି ଯେ ଏଥର ଓଡିଶା ସ୍କିଲ୍ସ-୨୦୨୩ରେ ଇଞ୍ଜିନିୟରିଂ ଭିତ୍ତିକ ଟ୍ରେଡ୍‌ ଛଡା ଶିକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ, ଜୁଏଲରୀ ଡିଜାଇନ୍‌, କ୍ୟାବିନେଟ୍‌ ମେକିଙ୍ଗ୍‌ ପରି ଅଣ ଇଞ୍ଜିନିୟରିଂ ଟ୍ରେଡ୍‌ରେ ଓଡିଶାର ଯୁବପିଢିଙ୍କୁ ସାମିଲ ହେବାପାଇଁ ପ୍ରୋତ୍ସାହନ ଦିଆଯିବ ।

ଓଡିଶା ସ୍କିଲ୍ସ -୨୦୨୩ ପାଇଁ ଅନଲାଇନ୍‌ ପଞ୍ଜୀକରଣ ଆଜି ଆରମ୍ଭ ହୋଇଛି ଏବଂ ପଞ୍ଜୀକରଣର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୨ । ୫୨ ଟି ସ୍କିଲ କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେବାର ଯୋଜନା ରହିଛି । ଚଳିତ ଥର ରାଜ୍ୟର ଚାରିଟି ଜୋନ୍‌ରେ ଏହାକୁ ଆୟୋଜନ କରାଯିବ । ଏହି ପ୍ରତିଯୋଗିତାର ବିଜେତାମାନେ ଆଞ୍ଚଳିକ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ, ଯେଉଁଠାରେ ସେମାନେ ଅନ୍ୟ ରାଜ୍ୟର ବିଜେତାମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବେ ଏବଂ ଆଞ୍ଚଳିକ ସ୍ତରର ବିଜେତାମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡେପୁଟି ପ୍ରିନ୍ସିପାଲ ଶ୍ରୀ ଏସ୍‌ କେ ଦାସ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ, ପ୍ରିନ୍ସିପାଲ ଶ୍ରୀ ସଙ୍ଗରନ ଗୋପାଲ ଏବଂ ବିଭିନ୍ନ ଅନୁଷ୍ଠାନର ୭୪ ଜଣ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ 10 ଟି ପ୍ରସ୍ତାବକୁ ଲାଗିଲା ମୋହର: ସ୍ୱାସ୍ଥ୍ୟ ସେବା ପାଇଁ ୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ୯ ଟି ପ୍ରାସ୍ତାବ ମଧ୍ୟରୁ ସ୍ୱାସ୍ଥ୍ୟସେବା ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ବାଗଚୀ- ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମିତ ହେବ।

ଏହି ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଦେବେ। ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗଚୀ ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ। ୨୦୨୪ ମସିହା ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନଫୋସିଟି ଭ୍ୟାଲି-୨ରେ ୨୦ ଏକର ଜମି ଯୋଗାଇଦେବ। ୨୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

ଏତଦବ୍ୟତୀତ ଭୁବନେଶ୍ବରରେ ବାଗଚୀ ପଲିଆଟିଭ କେୟାର ସେଣ୍ଟର ଖୋଲିବ। ସେଥିପାଇଁ ବାଗଚୀ ଦମ୍ପତି ମଧ୍ୟ ୧୩୦ କୋଟି ଟଙ୍କା ଦେବେ। ରାଜ୍ୟ ସରକାର ଏଥିପାଇଁ ୨୦ ଏକର ଜମି ମଧ୍ୟ ଯୋଗାଇଦେବେ। ଏହି ପଲିଆଟିଭ କେୟାର ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ମିଳିବ।

Categories
ଆଜିର ଖବର

ଦୁଇ ସପ୍ତାହ ପାଇଁ ହୋମ କ୍ବାରଣ୍ଟାଇନରେ ଅଛନ୍ତି କୋଭିଡ19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ

ଭୁବନେଶ୍ବର, ବର୍ତ୍ତମାନ ଦୁଇ ସପ୍ତାହ ପାଇଁ ହୋମ କ୍ବାରଣ୍ଟାଇନରେ ଅଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ କାରଣ ହେଲା ଯେ ଓଡିଶା ଦକ୍ଷତା ବିକାଶ କାର୍ଯ୍ୟାଳୟର କେତେକ ଅଧିକାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହି କାର୍ଯ୍ୟାଳୟର ସେ ଅଧ୍ୟକ୍ଷ ଅଛନ୍ତି ଏବଂ ସେହି ଅଧିକାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ଫଳରେ ତାଙ୍କୁ ଡାକ୍ତର ଅଫିସ ନ ଆସି ହୋମ କ୍ବାରଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବାଗଚୀ ନିଜ ଅଫିସକୁ ଆସିବା ବନ୍ଦ କରିବା ସହିତ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେବେ ତାଙ୍କ ଦେହରେ କୌଣସି କରୋନା ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ବର୍ତ୍ତମାନ ସେ ସଂପୂର୍ଣ୍ମ ସୁସ୍ଥ ଏବଂ ଫିଟ୍ ଅଛନ୍ତି ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଥରରେ ମୋଟ ୧୦ କୋଟି ଟଙ୍କା ଦେଲେ ପତ୍ନୀ ସୁସ୍ମିତା ଏବଂ ସୁବ୍ରତ ବାଗଚୀ

ଭୁବନେଶ୍ବର, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି।  କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ। ପୂର୍ବରୁ ଉଭୟ ବଲାଙ୍ଗିର ପାଇଁ ଅଢେଇ କୋଟି ମୋଟ ଦଶ କୋଟି ଦାନ କରିଛନ୍ତି।

ଉଭୟଙ୍କ ଏପରି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଚେକ୍ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀମତୀ ବାଗ୍‌ଚୀ କହିଥିଲେ ଯେ ଓଡିଶା ବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମନ୍ଦିର ବନ୍ଦ ହେବା ପରେ ମନ୍ଦିର ନିକଟରେ ଓ ପୁରୀ ସହରରେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ମା’ ମାଉସୀ ମାନଙ୍କ ସହାୟତା ପାଇଁ ଏହି ଅନୁଦାନ ପ୍ରଦାନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ଏହି ଅନୁଦାନ ପ୍ରଦାନ କରି ସେମାନେ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଛୋଟ ସହାୟତା ଗ୍ରହଣ କରିଥିବାରୁ ସେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ କହିଥିଲେ ଯେ ପୁରୀ ର ଅସହାୟ ମହିଳା ମାନଙ୍କ କଲାଣ ପାଇଁ ଏହା ବିନିଯୋଗ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀମତୀ ବାଗଚୀ ବଲାଙ୍ଗୀର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମହିଳା ମାନଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସଚିବ ଭି.କେ ପାଣ୍ଡିୟାନ୍ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୈନିକ 15 ହଜାର କୋଭିଡ-19 ପରୀକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ରେ ଖୁବ୍‌ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ କୋଭିଡ୍‌-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ଏଥିସହିତ ସେ କୋଭିଡ 19 ସଂପର୍କରେ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ହେଲା..

1- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶାରେ ରହିଥିବା ଅନ୍ୟ ରାଜ୍ୟର ୯୨୮୭ ଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୧୩୮୫ ଜଣ, ଛତିଶଗଡ଼ର ୪୩୬ ଜଣ, ଝାଡ଼ଖଣ୍ଡର ୨୪୨୪ ଜଣ, ରାଜସ୍ଥାନର ୬୨୦ ଜଣ, ଉତ୍ତରପ୍ରଦେଶର ୫୩୦ ଜଣ, ମଧ୍ୟପ୍ରେଦଶର ୩୪୦ ଜଣ ଓ ତେଲେଙ୍ଗାନାର ୩୨୨ ଜଣ ଶ୍ରମିକ ଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୬ ଜଣ, ବଲାଙ୍ଗୀରରୁ ୯୧୨ ଜଣ, କଟକରୁ ୬୩୬ ଜଣ, କଳାହାଣ୍ଡିରୁ ୫୧୬ ଜଣ, ପୁରୀରୁ ୬୦୯ ଜଣ, ବାଲେଶ୍ୱରରୁ ୪୮୫ ଜଣ, ରାୟଗଡ଼ାରୁ ୪୨୩ ଜଣ ଓ ମାଲକାନଗିରିରୁ ୩୮୪ ଜଣ ଶ୍ରମିକ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏହିସବୁ ଶ୍ରମିକମାନଙ୍କୁ ଯିବାବେଳେ ପାଣିବୋତଲ, ମାସ୍କ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଦିଆଯାଇଛି ।

2-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ପ୍ରାୟ ୧୫,୦୦୦ ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର) ପ୍ରସ୍ତୁତ କରାଯାଇଛି । ପ୍ରତି ପଞ୍ଚାୟତରେ ଥିବା ଏହି କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା କରାଯାଇଛି । ଅନ୍ତେବାସୀଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଓ ବ୍ୟାୟାମର ମଧ୍ୟ ଆୟୋଜନ କରାଯାଉଛି ।

3-ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।

4-ପୂର୍ବ ଭାରତର ଅଗ୍ରଣୀ ଗବେଷଣା ସଂସ୍ଥା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇ.ଏଲ୍‌.ଏସ୍‌), ଭୁବନେଶ୍ୱର ଦ୍ୱାରା ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୩,୧୨୧ ଟି କୋଭିଡ୍‌-୧୯ ପରୀକ୍ଷା ହୋଇଛି।  ଆଗକୁ ମଧ୍ୟ ଏହି ପରୀକ୍ଷଣ କ୍ଷମତା ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । କୋଭିଡ୍‌-୧୯ ସଂପର୍କିତ ବିଭିନ୍ନ ଉଚ୍ଚତର ଗବେଷଣା ପାଇଁ ମଧ୍ୟ ଏଠାରେ ବୈଜ୍ଞାନିକମାନେ କାର୍ଯ୍ୟରତ ଅଛନ୍ତି ।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୧,୪୮୭‬ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୦୦,୦୩୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୮୮୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୬,୦୦,୮୫୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

7-ଆଜି ରାଜ୍ୟର ୪୭୩୪ ଗ୍ରାମ ପଞ୍ଚାୟତରେ ୩,୨୧,୧୭୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୩ରୁ ମଇ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୦ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରାଯାଇଛି ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବର୍ତ୍ତମାନ କେବଳ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ, ରାଜ୍ୟ ସରକାର ଦେଲେ ସୂଚନା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଏହିଭଳି ମକ୍‌ ଡ୍ରିଲ୍‌ କରିବା ନିମନ୍ତେ ଯୋଜନା କରାଯାଉଛି।

2-ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଥିବା ପ୍ରତିନିଧି ଦଳ ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି। ସେମାନେ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌, ବ୍ରହ୍ମପୁରରେ ଅଧିକ କୋଭିଡ୍‌ ପରୀକ୍ଷଣ, ଜିଲ୍ଲାରେ ଅଧିକ କୋଭିଡ୍‌-୧୯ ଚିକିତ୍ସା ସୁବିଧା, ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ନିୟମାବଳୀର ଅନୁପାଳନ ଏବଂ ବଫର ଅଞ୍ଚଳଗୁଡ଼ିକରେ ରୋଗ ନିରୀକ୍ଷଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

3-ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ଗୁଡ଼ିକକେବଳ କ୍ୱାରାଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି।

4-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର/ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ପୌର ପରିଷଦମାନଙ୍କୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସେବା ପରିଚାଳନା କରୁଥିବା ଦଳଗୁଡ଼ିକୁ ନିୟୋଜିତ କରାଯାଇଛି।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୧,୬୧୯ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୬୭,୫୩୫ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୫୬୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୫,୮୧,୯୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

7-ଆଜି ରାଜ୍ୟର ୪୮୫୭ ଗ୍ରାମ ପଞ୍ଚାୟତରେ ୩,୧୭,୭୮୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୩୨,୫୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୦ରୁ ମଇ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୩ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ଗୁଜବ ପ୍ରଚାର ପାଇଁ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୩ ଜଣଙ୍କୁ ଗିରଫ କରାଯାଇଛି।