ଭୁବନେଶ୍ବର: କର୍ଣ୍ଣାଟକ ସରକାର ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ତଥା ବରିଷ୍ଠ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ରାଜ୍ୟର ନୂତନ ଭାବେ ଗଠିତ ଭିଜନ୍ ଗ୍ରୁପ୍ ଫର୍ ସ୍କିଲ୍ ଡେଭଲପମେଣ୍ଟର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହା ଏକ ପରାମର୍ଶଦାତା ସଂସ୍ଥା ଯାହା ରାଜ୍ୟର ଦକ୍ଷତା ବିକାଶ ଇକୋସିଷ୍ଟମକୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରିବ। ଭିଜନ୍ ଗ୍ରୁପ୍ କର୍ଣ୍ଣାଟକ ରାଜ୍ୟ ଦକ୍ଷତା ନୀତି 2025-32 ଅଧୀନରେ ପ୍ରତିଷ୍ଠିତ ହୋଇଛି।
ଏହି ନିଯୁକ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଗଚୀ କହିଛନ୍ତି ଯେ, “ଦକ୍ଷତା ବିକାଶ ଉପରେ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ହେବାକୁ ନେଇ ଆନନ୍ଦିତ। ଆମେ ଭବିଷ୍ୟତ ଯୁବ ପିଢିଙ୍କ ପାଇଁ ସୁଦୃଢ ଭିତ୍ତିଭୂମି ନିର୍ମାଣ କରିବୁ।” ଭିଜନ୍ ଗ୍ରୁପ୍ ଶିଳ୍ପ, ଶିକ୍ଷାନୁଷ୍ଠାନ, ନାଗରିକ ସମାଜ ଏବଂ ସରକାରଙ୍କ ଅଧିକାରୀମାନଙ୍କୁ ଏକାଠି କରି ଆଇଟି, ବାୟୋଟେକ୍ନୋଲୋଜି, ଷ୍ଟାର୍ଟଅପ୍ସ ଏବଂ ଉଚ୍ଚଶିକ୍ଷାରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବୁ।
ପୂର୍ବରୁ ବାଗଚୀ ଓଡିଶା ସରକାରଙ୍କ ଦକ୍ଷତା ବିକାଶ କର୍ତ୍ତୁପକ୍ଷର ଅଧ୍ୟକ୍ଷ ଥିଲେ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ବାଗଚୀଙ୍କୁ ଓଡିଶା ଆଣି ଦକ୍ଷତା ବିକାଶର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଏଥିସହିତ କରୋନା ସମୟରେ ସେ ଜନସାଧାରଣଙ୍କୁ ସୂଚନା ଦେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯାହା ନେଇ ସେ ଓଡିଶାର ଘରେଘରେ ପରିଚିତ ହୋଇପାରିଥିଲେ।
ସେହିପରି ବାଗଚି ତାଙ୍କର ଦାନ ଦେବା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଭୁବନେଶ୍ୱରର ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ପାଇଁ 340 କୋଟି ଟଙ୍କା, ଆଇଆଇଏସସି ବେଙ୍ଗାଲୁରୁରେ 800 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ 212.5 କୋଟି ଟଙ୍କା ଏବଂ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର ବାଗଚି ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥ ପାଇଁ 55 କୋଟି ଟଙ୍କା ଦାନ କରିଛନ୍ତି। ସେ ଜଣେ ଲେଖକ ଭାବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବେଶ ଜଣାଶୁଣା।


