ରାଜ୍ୟରେ ଦୈନିକ 15 ହଜାର କୋଭିଡ-19 ପରୀକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

Published: May 14, 2020, 11:26 pm IST

ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ରେ ଖୁବ୍‌ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ କୋଭିଡ୍‌-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ଏଥିସହିତ ସେ କୋଭିଡ 19 ସଂପର୍କରେ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ହେଲା..

1- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶାରେ ରହିଥିବା ଅନ୍ୟ ରାଜ୍ୟର ୯୨୮୭ ଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୧୩୮୫ ଜଣ, ଛତିଶଗଡ଼ର ୪୩୬ ଜଣ, ଝାଡ଼ଖଣ୍ଡର ୨୪୨୪ ଜଣ, ରାଜସ୍ଥାନର ୬୨୦ ଜଣ, ଉତ୍ତରପ୍ରଦେଶର ୫୩୦ ଜଣ, ମଧ୍ୟପ୍ରେଦଶର ୩୪୦ ଜଣ ଓ ତେଲେଙ୍ଗାନାର ୩୨୨ ଜଣ ଶ୍ରମିକ ଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୬ ଜଣ, ବଲାଙ୍ଗୀରରୁ ୯୧୨ ଜଣ, କଟକରୁ ୬୩୬ ଜଣ, କଳାହାଣ୍ଡିରୁ ୫୧୬ ଜଣ, ପୁରୀରୁ ୬୦୯ ଜଣ, ବାଲେଶ୍ୱରରୁ ୪୮୫ ଜଣ, ରାୟଗଡ଼ାରୁ ୪୨୩ ଜଣ ଓ ମାଲକାନଗିରିରୁ ୩୮୪ ଜଣ ଶ୍ରମିକ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏହିସବୁ ଶ୍ରମିକମାନଙ୍କୁ ଯିବାବେଳେ ପାଣିବୋତଲ, ମାସ୍କ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଦିଆଯାଇଛି ।

2-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ପ୍ରାୟ ୧୫,୦୦୦ ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର) ପ୍ରସ୍ତୁତ କରାଯାଇଛି । ପ୍ରତି ପଞ୍ଚାୟତରେ ଥିବା ଏହି କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା କରାଯାଇଛି । ଅନ୍ତେବାସୀଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଓ ବ୍ୟାୟାମର ମଧ୍ୟ ଆୟୋଜନ କରାଯାଉଛି ।

3-ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।

4-ପୂର୍ବ ଭାରତର ଅଗ୍ରଣୀ ଗବେଷଣା ସଂସ୍ଥା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇ.ଏଲ୍‌.ଏସ୍‌), ଭୁବନେଶ୍ୱର ଦ୍ୱାରା ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୩,୧୨୧ ଟି କୋଭିଡ୍‌-୧୯ ପରୀକ୍ଷା ହୋଇଛି।  ଆଗକୁ ମଧ୍ୟ ଏହି ପରୀକ୍ଷଣ କ୍ଷମତା ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । କୋଭିଡ୍‌-୧୯ ସଂପର୍କିତ ବିଭିନ୍ନ ଉଚ୍ଚତର ଗବେଷଣା ପାଇଁ ମଧ୍ୟ ଏଠାରେ ବୈଜ୍ଞାନିକମାନେ କାର୍ଯ୍ୟରତ ଅଛନ୍ତି ।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୧,୪୮୭‬ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୦୦,୦୩୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୮୮୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୬,୦୦,୮୫୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

7-ଆଜି ରାଜ୍ୟର ୪୭୩୪ ଗ୍ରାମ ପଞ୍ଚାୟତରେ ୩,୨୧,୧୭୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୩ରୁ ମଇ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୦ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରାଯାଇଛି ।

Related posts