Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ଆରମ୍ଭ ହେଲା ଚିନ୍ତନ ବୈଠକ, ଫୋକସ ବ୍ରଜରାଜନଗର

ଭୁବନେଶ୍ବର: ଆଜି ବିଜେପି କୋର କମିଟର ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ଦଳର ଓଡିଶା ପ୍ରଭାରୀ ଡି ପୁରେନ୍ଦଶ୍ବରୀଙ୍କ ଉପସ୍ଥିତିରେ ଏହି ବୈଠକ ଚାଲିଛି। ମୁଖ୍ୟତଃ ଏହି ବୈଠକରେ ଆଗାମୀ ବ୍ରଜରାଜନଗର ଉପନିର୍ବାଚନରେ ଦଳ କିପରି ରଣନୀତି ପ୍ରସ୍ତୁତ କରିବ ସେ ନେଇ ବିଶେଷ ଆଲୋଚନା ହେବ।

ଏଥିସହିତ ଦଳର ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ଯେଉଁ ବିଫଳତା ହେଲା ତାହାର ମଧ୍ୟ ମାନସ ମନ୍ଥନ କରାଯିବ। ଏହି ନିର୍ବାଚନରେ ଦଳର ସ୍ଥିତି ପୂର୍ବ ଅପେକ୍ଷା କିପରି ରହିଲା ଏବଂ ଭୋଟରଙ୍କ ମୁଡ କଣ ତାହା ସମୀକ୍ଷା କରାଯିବ। ଏଥିସିହତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ମଧ୍ୟ ଦଳ କରିବ ବୋଲି ଜଣାପଡିଛି।

ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ରାଜ୍ୟ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ସଭାପତି ତଥା କୋର କମିଟି ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଭିସି ଜରିଆରେ ଉପସ୍ଥିତ ଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।