ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

Published: Nov 14, 2020, 1:28 pm IST

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Related posts