Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ।

ରାଷ୍ଟ୍ରପତି ନଭେମ୍ବର ୨୦ ତାରିଖ, ସୋମବାର ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର  ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ । ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ ।

ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ବାଦାମପାହାଡ଼ ରେଳଷ୍ଟେସନରେ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ;  ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ।

ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ରାଷ୍ଟ୍ରପତି ପୁଟ୍ଟପର୍ତୀ ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥାନ ସୁଦୃଢ଼ କଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୨୩ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଏହା ସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଏହି ସମୟରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ସହିତ ଓଡ଼ିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି।

ଜାତୀୟ ସ୍ତରରେ, ୨୦୨୩ ଅଗଷ୍ଟରେ ଜିଓ ସର୍ବାଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚିଛି। ରିଲାଏନ୍ସ ଜିଓ ମଧ୍ୟ ଅଗଷ୍ଟରେ ସାରାଦେଶରେ ୧.୭୮ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇରହିଥିବା ବେଳେ ଶିଳ୍ପରେ ଏହାର ସର୍ବାଧିକ ୪୩ ପ୍ରତିଶତ ଗ୍ରାହକ ବଜାର ଅଂଶ ଓ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ରହିଛି। ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ସମ୍ପ୍ରସାରଣ କରୁଛି ଏବଂ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରାଇଥିବା ପ୍ରଥମ ଟେଲିକମ ଅପରେଟର ଅଟେ। ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ହାସଲ କରିଛି, ଯାହାକୁ ୫ଜି ନେଟୱାର୍କ ନିୟୋଜନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଉଛି।

ସାରା ରାଜ୍ୟରେ ଟ୍ରୁ-୫ଜି ସୁବିଧା ପହଂଚାଇବା ଲାଗି ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୫ଜି ବିଟିଏସ୍ ମୂତୟନ କରିଛି। ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବିପୁଳ ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଆରମ୍ଭ କରିଛି। ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତିକୁ ସକ୍ଷମ କରିଛି ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସଶକ୍ତ କରିଛି। ଯେହେତୁ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଗ୍ରହଣ କରୁଛନ୍ତି, ଏହା ଦେଶର ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବାର କ୍ଷମତା ରଖିଥିବା ବେଳେ ଜ୍ଞାନ ଆଦାନପ୍ରଦାନ, ନବସୃଜନ, ଉଦ୍ଭାବନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନାର ପଥ ଉନ୍ମୁକ୍ତ କରିବ। ସମଗ୍ର ଭାରତରେ କ୍ୟାମ୍ପସଗୁଡିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ଏହାର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସମାନ୍ତରାଳ ଭାବେ ଆରମ୍ଭ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଂକଳ୍ପ ଯାତ୍ରାର ଏହି ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବ। ଯାତ୍ରା ଅବସରରେ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯିବ। ସଚେତନତା ରଥରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯିବ।

ଏହି ଅବସରରେ ଆୟୋଜିତ ସଭାରେ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅତିରିକ୍ତ ସଚିବ ରଞ୍ଜନା ଚୋପ୍ରା, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ସମାରୋହରେ ଉପସ୍ଥିତ ଜନସାଧାରଣଙ୍କୁ ସେ ବିକଶିତ ଭାରତ ସଂକଳ୍ପର ଶପଥ ପାଠ କରାଇଥିଲେ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ବ୍ୟାପକ ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ‘ଆମ ସଂକଳ୍ପ ବିକଶିତ ଭାରତ’ ଶପଥ ପାଠ କରିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହୋଇଛି ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି। ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ। ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ।

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ। ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଛଟ ପୂଜା ପାଇଁ ଓଡିଶା ଏବଂ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି। ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08419 ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ଗୁରୁବାର (16 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ଜୟନଗର ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ 08420 ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ଜୟନଗର ଠାରୁ ଶୁକ୍ରବାର (17 ନଭେମ୍ବର 2023) ରାତ୍ରି 11ଘ.30ମି. ରେ ଛାଡି ପୁରୀ ଯାତ୍ରା କରିବ।

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର, ହିଜଲୀ, ମେଦିନପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରl, ଆସାନସୋଲ, ମଧୁପୁର, ଜଶିଡ଼ିହ, ଝାଝା, କିଉଲ, ବରାଉନି, ସମସ୍ତିପୂର, ଲେହେରିଆ ସରାଇ, ଦରଭଙ୍ଗା, ସକରି ଏବଂ ମଧୁବାଣି ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ବାଦିପାଲା ଦରବାର: ପରିବେଷଣ କରୁଛନ୍ତି ଓଡ଼ିଶାର ସୁନାମଧନ୍ୟ ଗାୟକ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ରବିବାର ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ତଥା ଗ୍ରାମବାସୀଙ୍କ ସୌଜନ୍ୟରେ ଆୟୋଜିତ ଏହି ନବମ ବାର୍ଷିକ ପଞ୍ଚ ଦିବସୀୟ (ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ) ବାଦିପାଲା ଦରବାର କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଞ୍ଚଗାଁ, ଜଗତସିଂହପୁରର ଗାୟକ ପ୍ରବୀର ସନାତନ ଦାଶ ଓ ସାଥୀ ଏବଂ ସାଲୁଣି, ନୟାଗଡ଼ର ଗାୟକ ପୀୟୂଷ ବିଶ୍ଵନାଥ ସ୍ବାଇଁ ଓ ସାଥୀମାନେ ପାଲା ପରିବେଷଣ କରୁଛନ୍ତି।

ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା ଓଡ଼ିଶାର ଏହି ପ୍ରାଚୀନ ଗରିମାମୟ ଲୋକକଳା ତଥା ଓଡ଼ିଶାର ସୌରଭ ରୂପେ ପରିଚିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୂଜା ପରିପ୍ରେକ୍ଷୀରେ ଏଠି ପରିବେଷଣ ହେଉଥିବା ଏହି ବାଦୀପାଲା, ଆଜିର ସମାଜ ଏବଂ ଆମ ପ୍ରାଚୀନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଆଜିକାର ଯୁବପୀଢୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସ୍ରୋତ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ। ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ଗତକାଲି (ରବିବାର) ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି।

ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ତଥା ଗ୍ରାମବାସୀଙ୍କ ସୌଜନ୍ୟରେ ଆୟୋଜିତ ଏହି ନବମ ବାର୍ଷିକ ପଞ୍ଚ ଦିବସୀୟ (ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ) ବାଦିପାଲା ଦରବାର କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଞ୍ଚଗାଁ, ଜଗତସିଂହପୁରର ଗାୟକ ପ୍ରବୀର ସନାତନ ଦାଶ ଓ ସାଥୀ ଏବଂ ସାଲୁଣି, ନୟାଗଡ଼ର ଗାୟକ ପୀୟୂଷ ବିଶ୍ଵନାଥ ସ୍ବାଇଁ ଓ ସାଥୀମାନେ ପାଲା ପରିବେଷଣ କରୁଛନ୍ତି।

ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା ଓଡ଼ିଶାର ଏହି ପ୍ରାଚୀନ ଗରିମାମୟ ଲୋକକଳା ତଥା ଓଡ଼ିଶାର ସୌରଭ ରୂପେ ପରିଚିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୂଜା ପରିପ୍ରେକ୍ଷୀରେ ଏଠି ପରିବେଷଣ ହେଉଥିବା ଏହି ବାଦୀପାଲା, ଆଜିର ସମାଜ ଏବଂ ଆମ ପ୍ରାଚୀନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଆଜିକାର ଯୁବପୀଢୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସ୍ରୋତ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି;  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

Categories
ଆଜିର ଖବର

ଓଡିଶାର ନୂଆ ରେଳପଥ ପାଇଁ ଖର୍ଚ୍ଚ ହେବ ୪୦୦୦ କୋଟି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (ଡିପିଆଇଆଇଟି) ତଥା ଲଜିଷ୍ଟିକ୍ସ ବିଭାଗର ସ୍ୱତନ୍ତ୍ର ସଚିବ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଙ୍ଗ ଗ୍ରୁପ (ଏନ୍‌ପିଜି) ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ସଡକ ପରିବହନ ଓ ରାଜମାର୍ଗ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଟେଲି ଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟମାନଙ୍କର  ନୋଡାଲ ଅଧିକାରୀଗଣ  ଭାଗ ନେଇ ନିଜର ମତାମତ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଓଡିଶାରେ ସମ୍ପୂର୍ଣ୍ଣ  ନୂଆ ରେଳପଥ ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ରେଳପଥ  ନିର୍ମାଣ ପାଇଁ ୪୦୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହେବ । ଏହି ରେଳପଥ ନିର୍ମାଣ ଦ୍ୱାରା ଓଡିଶାର ବନ୍ଦରଗୁଡିକୁ ରେଳ ସଂଯୋଗ ସୁବିଧା ବଢିବା ସହ ମାଲ ପରିବହନ ବ୍ୟବସ୍ଥା ସୁଗମ ହେବ । ଏହାଛଡା ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ଅଞ୍ଚଳରୁ ବନ୍ଦରକୁୁ ସୁବିଧାରେ ପରିବହନ କରିବାରେ ଏହି ନୂଆ ରେଳପଥ ସହାୟକ ହେବ । ଏହା ଦ୍ୱାରା ଓଡିଶାରେ ମଲ୍ଟିମୋଡାଲ କନେକ୍ଟିଭିଟି ବଢିବା ସହିତ ଶିଳ୍ପାୟନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ।

ଆଜିର ବୈଠକରେ ମଧ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଓ କେରଳରେ ନିର୍ମିତ ହେବାକୁ ଥିବା ବୃହତ୍ ସଡକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ସେହି ସଡକ ପ୍ରକଳ୍ପ ଏସବୁ ରାଜ୍ୟର ଖଣି, କୃଷି ଓ ଶିଳ୍ପାଞ୍ଚଳ ସହିତ ଅନଗ୍ରସର ଇଲାକାକୁ ଯୋଡି ନିର୍ମିତ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପାୟନ ଓ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହା ସହାୟକ ହେବ । ଏହି ସଡକ ପ୍ରକଳ୍ପ ମଧ୍ୟ ପରିବହନ ବ୍ୟବସ୍ଥାକୁ  ସେହି ଅଞ୍ଚଳରେ ସୁବ୍ୟବସ୍ଥିତ କରିବା ସହିତ ସ୍ୱାସ୍ଥ୍ୟସେବା ଶିକ୍ଷାବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ବିଶେଷକରି ଏହି ସଡକ ପ୍ରକଳ୍ପ ଦ୍ୱାରା ଅନେକ ଗ୍ରାମାଞ୍ଚଳକୁ ସଂଯୋଗ ବ୍ୟବସ୍ଥା ସୁଗମ ହୋଇ ସେ ଅଞ୍ଚଳର ଭାଗ୍ୟୋଦୟ ହେବ । ଲୋକେ ଅଳ୍ପ ସମୟରେ ସହଜେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ  ଏବଂ ସେମାନଙ୍କ ଅର୍ଥନୀତିକ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ । ସେ ଅଞ୍ଚଳରେ ନୂଆ ନୂଆ ଶିଳ୍ପଦ୍ୟୋଗ ସ୍ଥାପନ ସହ ନିଯୁକ୍ତି ସୁଯୋଗ ବଢିବ।

ଏସବୁ ଅଞ୍ଚଳରେ ଆଞ୍ଚଳିକ ବିକାଶ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏହି ବୈଠକରେ ସ୍ୱତନ୍ତ୍ର ସଚିବ ସମ୍ପୃକ୍ତ ମନ୍ତ୍ରଣାଳଗୁଡିକ ଅନୁରୋଧ କରିଥିଲେ । ସମ୍ପୃକ୍ତ  ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଏଥିପାଇଁ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଞ୍ଚଳର ଭିତ୍ତିଭୂମିର ଅଭାବ ରହିଚି ତାହାକୁ ଚିହ୍ନଟ କରି ସେଥି ପାଇଁ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିବା ସହିତ ଏକ୍ଷେତ୍ରରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ପିଏମ୍ ଗତିଶକ୍ତି ଯୋଜନାରେ ସମନ୍ୱିତ ଯୋଜନାକୁ ଅଗ୍ରାଧିକାର ଦିଆଯାଉଛି । ଏଥିରେ ମଲ୍ଟି ମୋଡାଲ କନେକ୍ଟିଭିଟି ଅଗ୍ରାଧିକାର ପାଇଛି । ଏହି ମଲ୍ଟି ମୋଡାଲ ବ୍ୟବସ୍ଥାରେ ରେଳ, ସଡକ,ବନ୍ଦର ଓ ଅନ୍ୟାନ୍ୟ ପରିବହନ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଯେଉଁ ଅଞ୍ଚଳ ଅବିକଶିତ ଓ ଯେଉଁଠି ସଂଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ନାହିଁ ତାହାକୁ ଚିହ୍ନଟ  କରି ମୋଡାଲ କନେକ୍ଟିଭିଟି ସୁବିଧା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ କାର୍ଯ୍ୟ କରାଯାଉଛି । ଡାଟାକୁ ଆଧାର କରି ସକ୍ରିୟ ସହଯୋଗ  ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହାର ପ୍ରଗତି ସନ୍ତୋଷଜନକ ରହିଛି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏଗୁଡ଼ିକ ହେଉଛି ଦେଶର ସବୁଠାରୁ ସୁନ୍ଦର ଗ୍ରାମ, ଓଡିଶାର ଏହି ଗାଁକୁ ଗଲେ ଫେରିବାକୁ କରିବନି ମନ

ଭୁବନେଶ୍ଵର: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ସହରର ଝଲକ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି। ସମସ୍ତେ ଏହି ସହରଗୁଡିକ ପରିଦର୍ଶନ କରିବାକୁ ଚାହାଁନ୍ତି। ଭାରତର ସହର ଅପେକ୍ଷା ଅଧିକ ଗାଁ ଅଛି, ଯେଉଁଠାରେ ସେଗୁଡିକର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ଅଟେ। ଆଜି ଆମେ ଭାରତର ସବୁଠାରୁ ସୁନ୍ଦର ଗାଁ ବିଷୟରେ ଆଲୋଚନା କରିବା, ଏହି ଗ୍ରାମଗୁଡିକର ସୌନ୍ଦର୍ଯ୍ୟ ଏପରି ଯେ ଯଦି ଆପଣ ଥରେ ଏଠାକୁ ଯାଆନ୍ତି, ତେବେ ଆପଣ ସେଠାରେ ରହିଯିବା ପାଇଁ ମନ କରିବେ। ଏହି ସୁନ୍ଦର ଗ୍ରାମଗୁଡ଼ିକୁ ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଆସନ୍ତି।

ମେଘାଳୟର ମୌଲିଂନୋଙ୍ଗ ଗ୍ରାମ:

ମୌଲିଂନୋଙ୍ଗ ଗ୍ରାମ ଭାରତର ମେଘାଳୟରେ ଅବସ୍ଥିତ। ଏହା ମଧ୍ୟ ଏସିଆର ସବୁଠୁ ସ୍ଵଚ୍ଛ ଗ୍ରାମ ଅଟେ। ଆପଣ ଏହି ଗାଁର ସୌନ୍ଦର୍ଯ୍ୟକୁ ଅନୁମାନ କରିପାରିବେ ଯେ ଏହାର ଅନ୍ୟ ନାମ ହେଉଛି ଇଶ୍ବରଙ୍କ ଉଦ୍ୟାନ। ଏହି ସୁନ୍ଦର ଗାଁର ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ନାହିଁ ଏବଂ ବାଉଁଶରେ ନିର୍ମିତ ଡଷ୍ଟବିନ ବ୍ୟବହାର କରନ୍ତି।

ରାଜସ୍ଥାନର ଖିମସର ଗ୍ରାମ:

ଚାରିଆଡ଼େ ବାଲି, ଶୁଦ୍ଧ ପବନ, ଗାଁ ମଝିରେ ଏକ ହ୍ରଦ, ଚାରିପାଖରେ ଖଜୁରୀ ଗଛ ଏବଂ ବୁଦା। ବାସ୍ତବରେ ଏହା ଏକ ଗାଁ ଉପରେ ନିର୍ମିତ ଏକ ରିସୋର୍ଟ।

ପୁୱର ଗ୍ରାମ, କେରଳ:

ଥିରୁବନନ୍ତପୁରମର ଦକ୍ଷିଣ ମୁଣ୍ଡରେ ଅବସ୍ଥିତ ପୁୱର ଗ୍ରାମ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏଠାରେ ଥିବା ପରିଷ୍କାର ଏବଂ ସୁନ୍ଦର ବେଳାଭୂମି ପର୍ଯ୍ୟଟକମାନଙ୍କୁ ଏଠାରେ କିଛି ଦିନ ରହିବାକୁ ବାଧ୍ୟ କରିଥାଏ। ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ।

କୋଲେଙ୍ଗୋଡେ, କେରଳ;

ଏହି ଗ୍ରାମ ସବୁଜ ଏବଂ ଆମ୍ବ ଚାଷ ପାଇଁ ପ୍ରସିଦ୍ଧ ଏବଂ ବହୁତ ପରିଷ୍କାର ଅଟେ। ଏଠାରେ ନିର୍ମିତ କୋଲେଙ୍ଗୋଡେ ପ୍ୟାଲେସ୍ ହେଉଛି ପ୍ରମୁଖ ଆକର୍ଷଣର କେନ୍ଦ୍ର। ଦୂର ସ୍ଥାନରୁ ଲୋକମାନେ ଏହି ସ୍ଥାନ ପରିଦର୍ଶନ କରିବାକୁ ଆସନ୍ତି।

ଜିରାଙ୍ଗ, ଓଡିଶା:

ଓଡିଶାରେ ଅବସ୍ଥିତ ଚନ୍ଦ୍ରଗିରି ନାମକ ଏହି ଗାଁ ଶୁଦ୍ଧ ଗ୍ରାମୀଣ ଜୀବନ ପାଇଁ ଜଣାଶୁଣା। ଦୂର ଦୂରାନ୍ତର ଲୋକମାନେ ଏହାକୁ ଅନୁଭବ କରିବାକୁ ଏଠାକୁ ଆସନ୍ତି। ଏହା ବହୁତ ପରିଷ୍କାର ଅଟେ। ଏହା ଦେଶର ସର୍ବୋତ୍ତମ ଗ୍ରାମ ମଧ୍ୟରୁ ଗୋଟିଏ।

Categories
ଆଜିର ଖବର ଜାତୀୟ ଖବର

‘ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ’ ୨୦୨୩ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା। ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା। ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି। ଆମେ ଏକ ନୂଆ ଭାରତର ମୂଳଦୁଆ ପକାଇବା ସମୟରେ ଆମର ସାମୁଦ୍ରିକ ଶକ୍ତି ମଧ୍ୟ ବୃଦ୍ଧି କରିବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏକ ସୁଦୃଢ଼, ଦକ୍ଷତା-ଭିତ୍ତିକ ଏବଂ ଶିଳ୍ପ-ପ୍ରସ୍ତୁତ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ । ଜାତୀୟ ଶିକ୍ଷା ନୀତି ଦ୍ୱାରା ଆମେ ଆମର ନାବିକମାନଙ୍କୁ ସ୍କିଲ, ରି-ସ୍କିଲ୍  ଏବଂ ଅପ୍-ସ୍କିଲ୍ କରିବା ସହ ସେମାନଙ୍କୁ ଭବିଷ୍ୟତ ଏବଂ ଶିଳ୍ପ ପାଇଁ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଅଧିକରୁ ଅଧିକ ଭାରତୀୟ ମହିଳା ନାବିକଙ୍କୁ ନିୟୋଜିତ କରିବା ପାଇଁ ନାବିକମାନଙ୍କୁ ଭବିଷ୍ୟତର ଦକ୍ଷତା, ମାନକୀକରଣ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ଗ୍ଲୋବାଲ ମେରିଟାଇମ ଇଣ୍ଡିଆ ସମ୍ମିଟ୍ କାର୍ଯ୍ୟ କରିବାର ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହିତ ଜାହାଜ ଚଳାଚଳ ଶିଳ୍ପର କଲ୍ୟାଣ, ଅଧିକାର ଏବଂ ନାବିକଙ୍କ ସ୍ୱୀକୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବନ୍ଦର, ଜାହାଜ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସହ ସାକ୍ଷାତ୍ କରିଥିଲେ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ଅନେକ ଏମଓୟୁ ସ୍ୱାକ୍ଷର ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମେରି ମାଟି ମେରା ଦେଶ ଅଭିଯାନ ଓ ଅମୃତ କଳଶ ଯାତ୍ରା ଆୟୋଜିତ

ଭୁବନେଶ୍ଵର: ‘ମେରି ମାଟି ମେରା ଦେଶ ଅଭିଯାନ’ ଅଧୀନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୩.୧୦.୨୦୨୩ରେ ଏହାର ଉଭୟ କ୍ୟାମ୍ପସରେ ଅମୃତ କଳଶ ଯାତ୍ରା ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆମର ପ୍ରିୟ ମାତୃଭୂମି ଏବଂ ଆମ ମହାନ ଦେଶ ପାଇଁ ଉଲ୍ଲେଖନୀୟ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା କଳସ ଯାତ୍ରାକୁ ଉଦ୍ ଘାଟନ କରିବା ସହ ଏହି ଅଭିଯାନର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶପଥ ପାଠ କରାଇଥିଲେ।

ବିଶ୍ୱବିଦ୍ୟାଳୟ ସ୍ତରରେ କଳଶ ଯାତ୍ରାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ନିଜ ନିଜ ଘର ଓ ବାସସ୍ଥାନରୁ ପବିତ୍ର ମାଟି ଆଣିଥିଲେ ଯାହା ଉଭୟ ସୁନାବେଡ଼ା ଓ ଲାଣ୍ଡିଗୁଡ଼ା ପରିସରରେ ଅମୃତ କଳସରେ ସଂଗ୍ରହ କରାଯାଇଥିଲା। ଏହି ପବିତ୍ର ମାଟି ସଂଗ୍ରହ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀମାନେ ଏକାଠି ହୋଇ ‘ପଞ୍ଚ ପ୍ରାଣ’ ଶପଥ ନେଇଥିଲେ, ଯାହା ଏକ ସୁଦୃଢ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏଥିସହ ସୁନାବେଡ଼ା ପରିସରରେ ସ୍ଵଦେଶୀ ଚାରା ରୋପଣ କରାଯାଇ ପରିବେଶ ସଂରକ୍ଷଣର ବାର୍ତ୍ତାକୁ ଆହୁରି ସୁଦୃଢ଼ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମାଟି ସହ କଳସକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ।।

ଏହି କାର୍ଯ୍ୟକ୍ରମରେ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଲିତା, ପ୍ରଫେସର ଭିବାସ ଚନ୍ଦ୍ର ଝା, ଉପଦେଷ୍ଟା-ପ୍ରଶାସନ; ଡ. ପ୍ରଶାନ୍ତ ମେଶ୍ରାମ, ପରୀକ୍ଷା ନିୟନ୍ତ୍ରକ; ରାଜଭାଷା ସେଲ୍ ର ନିର୍ଦ୍ଦେଶକ ପ୍ରଫେସର ହେମରାଜ ମୀନା; ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପକ ଓ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଗବେଷକ ଅଂଶଗ୍ରହଣ କରିଥିଲେ।।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଡିନ୍ ଡ. ରାମେନ୍ଦ୍ର କୁମାର ପାଢ଼ୀ ସଂଯୋଜନା କରିଥିଲେ। ଆମ ମାତୃଭୂମି ପ୍ରତି ଏକତା ଏବଂ ଶ୍ରଦ୍ଧାର ଏହି ଉତ୍ସବ ଏହାର ଶିକ୍ଷାବିତ୍ ସମୁଦାୟ ମଧ୍ୟରେ ଗର୍ବ ଏବଂ ଦେଶଭକ୍ତିର ଭାବନା ସୃଷ୍ଟି କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ବାଲେଶ୍ୱର ଏବଂ ଦେଓଗଡ଼ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଗସ୍ତ କରି ୪୨୦ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୮ଟି ଆଇଡିଆ ସଂଗ୍ରହ କରିଛି।

ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାରେ କେକେଏସ୍ ମହିଳା ମହାବିଦ୍ୟାଳୟ ଏବଂ ମଣିଭଦ୍ରା ହାଇସ୍କୁଲ ପରିକ୍ରମା କରିଛି। ଯେବେକି ଏହାର ଭ୍ୟାନ୍ ଦେବଗଡ଼ ଜିଲ୍ଲାରେ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିଛି।

ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୯ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୯୪୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ସଶକ୍ତ କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ଵର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରଆଇଇ (ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ), ଏନସିଇଆରଟି (ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ) ସହଯୋଗରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁୱି ଏବଂ ଦେଶିଆ ଭାଷା ଉପରେ କେନ୍ଦ୍ରିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛି।  ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅକ୍ଟୋବର ୯ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।

ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ପ୍ରୟାସ ଓ ନିର୍ଦ୍ଦେଶକ୍ରମେ ଏକ କୁୱି ଓ ଦେଶିଆ ପୁସ୍ତକ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ହେବା ସହ ଭୁବନେଶ୍ୱରରେ ଉନ୍ମୋଚନ ହୋଇଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ସ୍ୱଦେଶୀ-ଜନଜାତି ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଶିକ୍ଷା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ରହିବେ। ଭୁବନେଶ୍ୱର ଏନସିଇଆରଟିର ଆରଆଇଇ ଅଧ୍ୟକ୍ଷ ପ୍ରଫେସର ପିସି ଅଗ୍ରୱାଲ;. କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ ଡ. ରସ୍ମିରେଖା ସେଠୀ; ବିଶ୍ବବିଦ୍ୟାଳୟର ଭାଷା ବିଦ୍ୟାଳୟର ଡିନ୍ ତଥା ରେଜିଷ୍ଟ୍ରାର ଆଇ/ସି ପ୍ରଫେସର ଏନ୍.ସି ପଣ୍ଡା; କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସ୍ଥାନୀୟ ସଂଯୋଜକ ଡ. କପିଳା ଖେମୁଣ୍ଡୁ;  ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସହ ସଂଯୋଜକ ଡ. ରୁଦ୍ରାଣୀ ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ବହୁଭାଷୀ ଶିକ୍ଷାର ଉପଦେଷ୍ଟା ଡ. ମହେନ୍ଦ୍ର କୁମାର ମିଶ୍ର; ଶିକ୍ଷା ସମ୍ବଳ ବିଶେଷଜ୍ଞ (ଇଆରପି) ଶ୍ରୀ ଶିବ ଶଙ୍କର ପଟ୍ଟନାୟକ, ଡ. ରାଜେନ୍ଦ୍ର ପାଢ଼ୀ, ତ୍ରିନାଥ ଖୋରା ଓ ସୁରେଶ ଖୋରା ପ୍ରମୁଖ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  ଭାଗନେବେ। କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ ଶିଖା ପ୍ରଦାନ କରୁଥିବା କୁଭି ଓ ଦେଶୀ ଭାଷାରେ ଦକ୍ଷ ୬୦ ଜଣ ଉତ୍ସର୍ଗୀକୃତ ଶିକ୍ଷକ ଏଥିରେ ଅଂଶଗ୍ରହଣ କରିବେ। ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଏହି ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ଭାଷା ଶିକ୍ଷା ଅଭିଜ୍ଞତା ବୃଦ୍ଧି କରିବା ପାଇଁ ଅମୂଲ୍ୟ ଦକ୍ଷତା ପ୍ରଦାନ କରିବା।

ଏହି ଐତିହାସିକ ପ୍ରୟାସର ମୂଳରେ ରହିଛି ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ଶିକ୍ଷାରେ ସ୍ଥାନୀୟ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା, ଯାହା କି ୨୦୨୦ର ଜାତୀୟ ଶିକ୍ଷା ନୀତିରେ ଦୃଢ଼ ଭାବରେ ସ୍ଥାପିତ ହୋଇଛି। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ଦେଶିଆ ଓ କୁୱି ଭାଷାଭାଷୀ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ।

Categories
ଆଜିର ଖବର ଜାତୀୟ ଖବର

୬୭୦୦ କୋଟି ଟଙ୍କାର ୨ଟି ପ୍ରସ୍ତାବିତ ରେଳ ପ୍ରକଳ୍ପରୁ ଓଡିଶାରେ ଗୋଟିଏ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ୫୬ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ନେଟୱର୍କ ଯୋଜନା ଗୋଷ୍ଠୀ) ବୈଠକରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍ଟିଏଚ୍) ର ୪ଟି ପ୍ରକଳ୍ପ ଏବଂ ରେଳ ମନ୍ତ୍ରଣାଳୟର ୨ଟି ପ୍ରକଳ୍ପ ସମେତ ୬ଟି ପ୍ରକଳ୍ପ ପ୍ରସ୍ତାବର ଆକଳନ କରାଯାଇଥିଲା, ଯାହାର ସମୁଦାୟ ବ୍ୟୟ ଅଟକଳ ପ୍ରାୟ ୫୨,୦୦୦ କୋଟି ଟଙ୍କା ରହିଛି। ଲଜିଷ୍ଟିକ୍ସ, ଶିଳ୍ପ ସମ୍ବର୍ଦ୍ଧନ ଓ ଆନ୍ତରିଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀର ଯଶୋଭୂମି କନଭେନ୍ସନ୍ ସେଣ୍ଟରରେ ୫୬ତମ ଏନ୍ପିଜି ବୈଠକ ଅନୁଷ୍ଠିତ ହୋଇଥିଲା। ପିଏମ୍ ଗତିଶକ୍ତି ଆଭିମୁଖ୍ୟ ଆରମ୍ଭ ହେବା ପର ଠାରୁ ଏନ୍ପିଜି ଦ୍ୱାରା ଆକଳନ କରାଯାଇଥିବା ମୋଟ ପ୍ରକଳ୍ପ ପ୍ୟୟ ପ୍ରାୟ ୧୧.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ପ୍ରକଳ୍ପ ସଂଖ୍ୟା ୧୧୨ ହୋଇ ଯାଇଛି । ଏମଓଆରଟିଏଚ୍ ପ୍ରାୟ ୪୫୦୦୦ କୋଟି ଟଙ୍କାର ୪ଟି ସଡ଼କ ପ୍ରକଳ୍ପ ଏନପିଜି ନିକଟରେ ଉପସ୍ଥାପିତ କରିଥିଲା ଏବଂ ଏଥିରେ ଗତିଶକ୍ତି ନିୟମାବଳୀର ଅନୁପାଳନ ପ୍ରଦର୍ଶନ କରିଥିଲା।

ଏହି ବୈଠକରେ , ପ୍ରାୟ ୬୭୦୦ କୋଟି ଟଙ୍କାର ମୋଟ ପ୍ରକଳ୍ପ ବ୍ୟୟରେ ଦୁଇଟି ରେଳ ପ୍ରକଳ୍ପ ପ୍ରସ୍ତାବକୁ ଆକଳନ କରା ଯାଇଥିଲା । ଏହା ମଧ୍ୟରୁ ଗୋଟିଏ ପ୍ରସ୍ତାବିତ ଗ୍ରୀନଫିଲ୍ଡ ରେଳଲାଇନ ପ୍ରକଳ୍ପ ଓଡ଼ିଶାରେ ଅବସ୍ଥିତ ଏବଂ ଏହା ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ଅନଗୁଳ ଜିଲ୍ଲା ଦେଇ ଯିବ । ଏହା ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣିଜ କ୍ଲଷ୍ଟରକୁ ପୂର୍ବତଟ ବନ୍ଦର ସହ ସଂଯୋଗ କରିବ । ଏହା ବ୍ୟତୀତ ପୂର୍ବ ଛତିଶଗଡ଼ ଶିଳ୍ପ କ୍ଲଷ୍ଟର ଗୁଡ଼ିକର ପୂର୍ବତଟ ବନ୍ଦର ସହିତ ସଂଯୋଗ ଦୂରତା କମ୍ ହେବ । ଏହି ରେଳଲାଇନ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଂଚଳରେ ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ଆଣିବ ଏବଂ ପ୍ରସ୍ତାବିତ ଲାଇନରେ ନୂତନ ଶିଳ୍ପ କରିଡର ପାଇଁ ସୁଯୋଗ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଉଛି ।

ଅନ୍ୟ ଏକ ପ୍ରସ୍ତାବିତ ରେଳ ପ୍ରକଳ୍ପ କେରଳ ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ରେଳ ଲାଇନର ଦୋହରୀକରଣ ଅନ୍ତର୍ଭୁକ୍ତ । ପ୍ରସ୍ତାବିତ ଭିତ୍ତିଭୂମି ବୃଦ୍ଧି ଦକ୍ଷିଣ ରେଳପଥର ଏକ ଅତ୍ୟଧିକ ଚାପଗ୍ରସ୍ତ କରିଡରରେ ରେଳ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବ । ଏହା ବ୍ୟତୀତ ଏହା ଦ୍ୱାରା ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ ।

ପ୍ରଥମ ପ୍ରସ୍ତାବିତ ସଡକ ପ୍ରକଳ୍ପ ହେଉଛି ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଏକ ଗ୍ରୀନଫିଲ୍ଡ ମାର୍ଗ, ଯାହା କେବଳ ନବସାରୀ, ନାସିକ, ଅହମ୍ମଦନଗର ଜିଲ୍ଲାର ଶିଳ୍ପାଞ୍ଚଳ ନୁହେଁ ବରଂ ଏହି ଅଞ୍ଚଳର କୃଷି କ୍ଷେତ୍ରକୁ ମଧ୍ୟ ଉପକୃତ କରିବ । ଏହା ବ୍ୟତୀତ ଏହି ପ୍ରକଳ୍ପ ନବସାରୀ, ବଲସାଦ ଏବଂ ନାସିକ ଭଳି ଆଦିବାସୀ ଜିଲ୍ଲା ଗୁଡ଼ିକର ସାମଗ୍ରିକ ସାମାଜିକ – ଅର୍ଥନୈତିକ ବିକାଶରେ ସହଜ ଏବଂ ସୁବିଧାଜନକ ଯୋଗାଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଉପକୃତ ହେବ ଏବଂ ଉସମାନବାଦ ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ମଧ୍ୟ ସଂଯୋଗ କରିବ ।

ଦ୍ୱିତୀୟ ଗ୍ରୀନଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟ ଗୁଜରାଟ ରାଜ୍ୟରେ ଅବସ୍ଥିତ, ଯାହା ବନସକଣ୍ଠା, ପାଟନ, ମହେସାନା, ଗାନ୍ଧୀନଗର ଏବଂ ଅହମ୍ମଦାବାଦ ଜିଲ୍ଲା ଦେଇ ଯିବ । ଏହା ଅମୃତସର – ଜାମନଗର ଅର୍ଥନୈତିକ କରିଡରକୁ ଅହମ୍ମଦାବାଦ ଏବଂ ଭଦୋଦରା ସହିତ ସଂଯୋଗ କରିବ ଏବଂ ପରିବହନର ଅନ୍ୟାନ୍ୟ ମାଧ୍ୟମ ସହିତ ସମନ୍ୱିତ ହେବ, ଯାହା ଫଳରେ ଏହି ଅଞ୍ଚଳରେ ବହୁମୁଖୀ ପ୍ରୋତ୍ସାହନ ଏବଂ ଉପଯୋଗ କ୍ଷେତ୍ରରେ ଏହା ଯୋଗଦାନ କରିବ ।

ପ୍ରସ୍ତାବିତ ତୃତୀୟ ସଡ଼କ ପ୍ରକଳ୍ପ ବିହାର ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ଭାରତମାଳା ପରିଯୋଜନା ଅଧୀନରେ ପାଟନା – ଆରା – ସାସାରାମ କରିଡରର ୪ ଲେନ୍ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ । ଆଦିବାସୀ ଅଂଚଳ ସମେତ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଜିଲ୍ଲା ମାନଙ୍କରେ ଏହି ପ୍ରକଳ୍ପ ସାମାଜିକ – ଅର୍ଥନୈତିକ ବିକାଶ ଆଣିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ପୂର୍ବରୁ ରହିଥିବା ମାର୍ଗ ଏବଂ ଯାତ୍ରା ସମୟକୁ ହ୍ରାସ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା କ୍ଷେତ୍ରରେ ସହାୟକ ହେବ ଏବଂ ଉତ୍ତର ପ୍ରଦେଶରୁ ପୂର୍ବାଂଚଳ ଏକ୍ସପ୍ରେସୱେ ଦେଇ ଏବଂ ଝାଡ଼ଖଣ୍ଡ ଏବଂ ପାଟନା ଅଭିମୁଖେ ଯାଉଥିବା ଟ୍ରାଫିକ୍ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । ଏହା ଏହି ଅଞ୍ଚଳର ଜଳପଥକୁ ମଧ୍ୟ ସମନ୍ୱିତ କରିବ ।

ଏହି ବୈଠକରେ ଆଲୋଚନା ହୋଇଥିବା ଚତୁର୍ଥ ସଡ଼କ ପ୍ରକଳ୍ପ ଉତ୍ତରପ୍ରଦେଶରେ ଅବସ୍ଥିତ ଏବଂ ଏହା ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କରାଯାଉଛି ।

ଏହି ବୈଠକରେ ଏନପିଜି ସ୍ୱୀକାର କରିଛି ଯେ ଏହି ପ୍ରକଳ୍ପ ଗୁଡିକ ଶିଳ୍ପ ବିକାଶର ଦ୍ୱାର ଉନ୍ମୁକ୍ତ କରି ଅନେକ ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ଜିଲ୍ଲାକୁ ଉପକୃତ କରିବ ।

ଏହି ବୈଠକରେ ସଦସ୍ୟ ବିଭାଗ ଓ ମନ୍ତ୍ରଣାଳୟ, ଯଥା : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ବୈଠକରେ ପ୍ରକଳ୍ପ ଯୋଜନା ନିୟୋଜନରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମ୍ପି) ପୋର୍ଟାଲ୍ ବ୍ୟବହାର କରିବାର ଉପକାରିତା ଉପରେ ଆଲୋକପାତ କରାଯାଇଥିଲା ଏବଂ ଅଭିଜ୍ଞତା ଏହା ଦର୍ଶାଉଛି ଯେ ଏନ୍ଏମପି ପୋର୍ଟାଲ୍ କିପରି ଖର୍ଚ୍ଚରେ ପ୍ରଭାବଶାଳୀ ହୋଇପାରିଛି ଏବଂ ପ୍ରକଳ୍ପ ଯୋଜନାରେ ସମୟ ସଞ୍ଚୟ କରୁଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଡିଜିଟାଲ ସର୍ଭେ ମାଧ୍ୟମରେ ଯୋଜନା କରିବା ଭିତ୍ତିଭୂମି ଯୋଜନା ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଯାହା ଫଳରେ ଡିପିଆର୍ ପ୍ରସ୍ତୁତି ପାଇଁ ଲାଗୁଥିବା ସମୟ ହ୍ରାସ ପାଉଛି, ଜଙ୍ଗଲ / ଅର୍ଥନୈତିକ କ୍ଷେତ୍ର / ପ୍ରତ୍ନତାତ୍ତ୍ୱିକ ସ୍ଥାନ / ସାମାଜିକ ନୋଡ୍ ଇତ୍ୟାଦି ସହିତ ଯୋଜନାବଦ୍ଧ ପ୍ରକଳ୍ପର ସଂଯୋଗ ଗୁଡ଼ିକର ସହଜ ଦୃଶ୍ୟମାନ ହେଉଛି । ଏହା ପ୍ରକଳ୍ପ କ୍ଷେତ୍ରର ପ୍ରମୁଖ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରକୁ ମାର୍ଗ ଏବଂ ସଂରେଖିତ ଅନୁକୂଳନ ଏବଂ ପ୍ରଭାବଶାଳୀ ଅନ୍ତିମ / ପ୍ରଥମ ମାଇଲ୍ ସଂଯୋଗ ଯୋଜନାରେ ମଧ୍ୟ ସାହାଯ୍ୟ କରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଏହା ବ୍ୟତୀତ, ଏହି ପ୍ରକଳ୍ପ ଗୁଡିକ ପରିବହନର ଅନ୍ୟ ମାଧ୍ୟମ ସହିତ ଭଲ ଭାବରେ ସମନ୍ୱିତ ଏବଂ ତେଣୁ ଏହା ବହୁମୁଖୀତାକୁ ପ୍ରୋତ୍ସାହିତ କରିବ ।

ଏହି ଅଞ୍ଚଳର ସାମଗ୍ରିକ ସାମାଜିକ – ଅର୍ଥନୈତିକ ଉନ୍ନତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତିଶକ୍ତି ଦୃଷ୍ଟିକୋଣରୁ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ ସମୟରେ ପ୍ରକଳ୍ପ ଯୋଜନାରେ କ୍ଷେତ୍ର ବିକାଶ ଆଭିମୁଖ୍ୟ ଏନପିଜିର କେନ୍ଦ୍ରବିନ୍ଦୁ ଥିଲା ।

ବିଭିନ୍ନ ପରିବହନ ପଦ୍ଧତିର ନିରବଚ୍ଛିନ୍ନ ସମନ୍ୱୟ ଏବଂ ବହୁମୁଖୀ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ନିର୍ଦ୍ଦେଶାବଳୀକୁ ଗ୍ରହଣ କରିବାର ଗୁରୁତ୍ୱ ଉଭୟ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଲାଭଦାୟକ ବୋଲି ବିଚାର କରାଯାଉଥିବା ସମସ୍ତ ପ୍ରକଳ୍ପରେ ଦେଖିବାକୁ ମିଳିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସକୁ ଅଭୂତପୂର୍ବ ସଫଳତା, ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ ସହ, ଏକ ବୃହତ ସଫଳତା ହାସଲ କରିଛି । ଷ୍ଟାର୍ଟଅପ୍ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କେଉଁଝର, ରାୟଗଡା ଏବଂ ବରଗଡ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୫ଟି ସ୍କୁଲ ଗସ୍ତ କରି ୧୨୧୨ ଛାତ୍ରଙ୍କ ଠାରୁ ୧୫୯ଟି ଆଇଡିଆ ସଂଗ୍ରହ କରିଛି ।

ଏହା କେନ୍ଦୁଝର ଜିଲ୍ଲାର ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଯଥା ଓଡିଶା ମାଇନିଂ ଇଂଜିନିୟରିଂ ସ୍କୁଲ, କେନ୍ଦୁଝର ସ୍କୁଲ ଅଫ୍ ଇଂଜିନିୟରିଂ, ଧରଣୀଧର ଅଟୋନୋମସ୍ କଲେଜ୍‌, ସରକାରୀ କଲେଜ ଅଫ୍ ଇଂଜିନିୟରିଂ ଏବଂ ଡିଏନ୍ ସ୍କୁଲ କେନ୍ଦୁଝର ଗସ୍ତ କରିବା ସହ ବରଗଡରେ ଜର୍ଜ ହାଇସ୍କୁଲ ଏବଂ ଇମ୍ପୋରିଆଲ କଲେଜ, ରାୟଗଡ଼ା ଜିଲ୍ଲାର ଗାୟତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଣ୍ଣ ଟେକ୍ନୋଲୋଜି, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ କମ୍ପ୍ୟୁଟର ଏଣ୍ଡ ରିସର୍ଚ ଏବଂ ଗାନ୍ଧୀ ପବ୍ଲିକ ସ୍କୁଲ ଗସ୍ତ କରିଛି ।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୦୬ଟି କଲେଜ୍ ଏବଂ ୩୪ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୪୭୮୨ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୫୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଆସନ୍ତା ଗୁରୁବାର ଦିନ ଏହି ଯାତ୍ରା ଆଉ ୪ଟି ଜିଲ୍ଲା ଯଥା – ଦେଓଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କଲେଜ ଓ ଶିକ୍ଷାନଷ୍ଠାନଗୁଡ଼ିକ ଗସ୍ତ କରିବ ।
ଆସନ୍ତା ଗୁରୁବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ ଦେବଗଡ଼ ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ମଡେଲ ଡିଗ୍ରୀ କଲେଜ, +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିବ । ବଲାଙ୍ଗୀର ଜିଲ୍ଲାର ପିପି ଏକାଡେମୀ, ଜେଏସଏମ କମର୍ସ ଡିଗ୍ରୀ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିବ । କଳାହାଣ୍ଡି ଜିଲ୍ଲାରେ ଏହି ଭ୍ୟାନ୍ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, କଲେଜ ଅଫ ଅଗ୍ରିକଲଚର (ଭବାନୀପାଟଣା) ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ପହଞ୍ଚିବ । ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସାରଙ୍ଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍‌, ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସମେତ ୫ ରାଜ୍ୟର ୫୪ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ (ଏନଇଏସଟିଏସ୍) ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଡଭାନ୍ସ ବ୍ଲକ ପ୍ରୋଗ୍ରାମିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଆଦିବାସୀ ବ୍ୟାପାର ସଚିବ ଅନିଲ କୁମାର ଝା ଆଜି ନୂଆଦିଲ୍ଲୀଠାରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ତଥା ଇଏମଆରଏସ କୋଡର୍ସ ଏକ୍ସପୋକୁ ଉଦଘାଟନ କରିଛନ୍ତି ଯାହାକି ଗତ ଶିକ୍ଷାବର୍ଷରେ ଇଏମଆରଏସର ଶ୍ରେଷ୍ଠ ୨୦ଟି କୋଡିଂ ପ୍ରକଳ୍ପର ଏକ ପ୍ରଦର୍ଶନୀ।

ପୂର୍ବ ବର୍ଷର କାର୍ଯ୍ୟକାରିତାର ଉତ୍ସାହଜନକ ଫଳାଫଳ ଆଧାରରେ ସଂଶୋଧିତ ମଡ୍ୟୁଲରେ ଏକ ନିର୍ଦ୍ଦିଷ୍ଟ କୋଡିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ କରାଯିବ ଯାହା ସିବିଏସଇ ଦକ୍ଷତା ଶିକ୍ଷା ସହିତ ସମାନ । ଏହା କୋଡିଂ, ଲଜିକାଲ ସିକ୍ୱେନ୍ସିଂ, ଲର୍ଣ୍ଣିଂ ଲୁପ୍ ଏବଂ ବ୍ଲକ ପ୍ରୋଗ୍ରାମିଂରେ ପ୍ରଚଳିତ ପାଠ୍ୟକ୍ରମ ଅତିରିକ୍ତ ପ୍ରଦାନ କରାଯିବ । କମ୍ପ୍ୟୁଟର ବିଜ୍ଞାନର ସାମ୍ପ୍ରତିକ ଅଭିଜ୍ଞତା ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ କୋଡିଂକୁ ଦୃଷ୍ଟିରେ ରଖି ୨୦ ଘଣ୍ଟିଆ ମଡ୍ୟୁଲ୍ ନିର୍ମାଣ କରାଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିଜ୍ଞାନର ମୌଳିକ ଶିକ୍ଷା ଦିଆଯିବ । ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭିଜୁଆଲ ପ୍ରୋଗ୍ରାମିଂର ଉନ୍ନତ ଧାରଣା ବିଷୟରେ ଅବଗତ କରାଯିବ। ଅଷ୍ଟମ ଶ୍ରେଣୀ ପାଇଁ ଏଆଇ ର ଏକ ଇଣ୍ଟରଆକ୍ଟିଭ୍ ଅଧିବେଶନ ହେବ; ଏବଂ ନବମ ଶ୍ରେଣୀ ଏଆଇର ମୌଳିକ ତାଲିମ ଶିଖିବ । ଦଶମ ଶ୍ରେଣୀ ପାଇଁ ସିବିଏସଇ ଦକ୍ଷତା ପାଠ୍ୟକ୍ରମ ଅନୁଯାୟୀ ଏଆଇ ମଡ୍ୟୁଲ୍ ୨୦୨୪-୨୫ ଶିକ୍ଷାବର୍ଷରେ ଆରମ୍ଭ ହେବ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଏହି କାର୍ଯ୍ୟକ୍ରମର ପାଇଲଟ୍ ପର୍ଯ୍ୟାୟର ଶୁଭାରମ୍ଭ କରି କହିଛନ୍ତି, ଭବିଷ୍ୟତ ପିଢ଼ି ଯେପରି ଡିଜିଟାଲ୍ ସୁଯୋଗର ଫାଇଦା ଉଠାଇବା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେ ଦିଗରେ ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ ଏକ ବଡ଼ ପଦକ୍ଷେପ। ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ ଏବଂ ଏନଇଟିଏସ ମଧ୍ୟରେ ସହଯୋଗ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଥିବା ଶିକ୍ଷାଗତ ବ୍ୟବଧାନକୁ ଦୂର କରିବାର କ୍ଷମତା ରଖିଛି, ଯାହା ଉଦୀୟମାନ ଜ୍ଞାନକୌଶଳରେ ସେମାନଙ୍କର ସଫଳ କ୍ୟାରିୟରସୁନିଶ୍ଚିତ କରିବ ।”

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଦିବାସୀ ବ୍ୟାପାର ସଚିବ ଶ୍ରୀ ଅନୀଲ କୁମାର ଝା କହିଥିଲେ ଯେ ଭାରତରେ ୧୦ କୋଟିରୁ ଅଧିକ ଆଦିବାସୀ ଜନସଂଖ୍ୟା ରହିଛି, ଯେଉଁମାନେ ଅନେକ କ୍ଷେତ୍ରରେ ଆଧୁନିକ ଶିକ୍ଷା ପାଇବା ପାଇଁ ଭାଷା ଏବଂ ସାଂସ୍କୃତିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଶିକ୍ଷାଦାନରେ ଥିବା ଏହି ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସହାୟକ ହେବ। ସେ କହିଥିଲେ ଯେ ସେମାନଙ୍କର ସ୍ଥାନୀୟ ଭାଷାରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି, ବିଶେଷକରି ଭାରତର ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ଅତ୍ୟନ୍ତ ଉନ୍ନତ ପଦ୍ଧତିରେ ପାଠ୍ୟକ୍ରମ ପ୍ରଦାନ କରିବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ଉନ୍ନତ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ କରିବାକୁ ସଶକ୍ତ କରିବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୋଡିଂ ଓ ଏଆଇର ମୌଳିକ ଶିକ୍ଷା ଗ୍ରହଣ କରିବାକୁ ଶ୍ରୀ ଝା ଇଏମଆରଏସ ଶିକ୍ଷକମାନଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ସେ ଶ୍ରେଷ୍ଠ ୩ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଆମାଜନ ଇଣ୍ଡିଆ ଆଣ୍ଡ ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନ (ଏଲଏଲଏଫ)ର ମିଳିତ ସହଯୋଗରେ ଗତବର୍ଷ ଆରମ୍ଭ ହୋଇଥିବା ଏହି ପାଇଲଟ୍ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିଜ୍ଞାନ ଓ ବ୍ଲକ ପ୍ରୋଗ୍ରାମିଂ ମଡ୍ୟୁଲର ମୌଳିକ ତାଲିମ ଦିଆଯାଇଛି। ଦିନକୁ ଦିନ ବଢୁଥିବା ବୈଷୟିକ ଦୃଶ୍ୟପଟ ପାଇଁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ଶିକ୍ଷକମାନଙ୍କୁ ସଠିକ ଜ୍ଞାନ ଓ ସମ୍ବଳ ସହିତ ପ୍ରଶିକ୍ଷିତ କରିବା ଜରୁରୀ। ପ୍ରଥମ ପର୍ଯ୍ୟାୟରେ ୫୦ରୁ ଅଧିକ ଶିକ୍ଷକଙ୍କୁ ୨ ଦିନିଆ ଦକ୍ଷତା ବିକାଶ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ପରେ ସମୟକ୍ରମେ ଭର୍ଚୁଆଲ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ ଆମାଜନ ଇଣ୍ଡିଆର ପବ୍ଲିକ ପଲିସି (ଗ୍ରାହକ ବିଶ୍ୱାସ) ମୁଖ୍ୟ ନୀତିନ ସାଲୁଜା, ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନର ପରିଚାଳନା ସହଯୋଗୀ ନୁରିଆ ଅନସାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ‘ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ବିଗତ ବର୍ଷ ମାନଙ୍କରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ପୂର୍ବରୁ କରାଯାଇଥିବା ଅଣଦେଖା ମୋଦି ସରକାରରେ ଦୂର ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରରେ ଅମୃତକାଳରେ ଯାତ୍ରୀ ସୁବିଧା ବଢିବା ସହ ଓଡ଼ିଶାର ରେଳବାଇର ବ୍ୟାପକ ଉନ୍ନତି ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଦେଶରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସମଗ୍ର ଭାରତବର୍ଷ ଓ ଓଡ଼ିଶା ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀଜଗନ୍ନାଥ ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ ହୋଇଛି । ଏହା ଖୁସିର ବିଷୟ ।  ଓଡ଼ିଶା ଏବଂ ଦେଶରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ  ପ୍ରଥମ ପର୍ଯ୍ୟାୟରେ ବନ୍ଦେ ଭାରତ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଳାଚଳ ହେଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଧୀରେ ଧୀରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୧୧ ରାଜ୍ୟକୁ ଯୋଡୁଥିବା ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ନୂଆ ଭାରତର ସାମର୍ଥ୍ୟ, ସମ୍ଭାବନା ଏବଂ ସଂକଳ୍ପର ପ୍ରତୀକ’ । ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ରାଉରକେଲା, ଝାରସୁଗୁଡା, ରେଢ଼ାଖୋଲ, ସମ୍ବଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ଵର ଦେଇ ପୁରୀ ଯାତାୟତ କରିବ । ଏହା ଦ୍ୱାରା ପୁରୀ ଓ ସମ୍ବଲପୁରରେ ଧାର୍ମିକ ପର୍ଯ୍ୟଟନରେ ଅଭିବୃଦ୍ଧି ହେବା ସହ ଆର୍ଥିକ ବିକାଶ ହେବ ଏବଂ ବ୍ୟବସାୟର ସୁଯୋଗ ବୃଦ୍ଧି ହେବ ।

ରେଳ ଦୂରତାକୁ କମାଇଥାଏ । ମହାତ୍ମା ଗାନ୍ଧି ରେଳରେ ବୁଲି ଦେଶରେ ଜାଗରଣ ତିଆରି କରିଥିଲେ । ଏକବିଂଶ ଶତାବ୍ଦୀରେ ଅମୃତ କାଳର ପିଢି ତିଆରି କଲାବେଳେ ବୁଲେଟ ଟ୍ରେନ୍ କଲା ଭଳି ଓଡ଼ିଶାରେ ଟ୍ରେନ୍ ଚଳାଚଳ ହେଉଛି । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିବା ବେଳେ କମ୍ ସମୟର ବ୍ୟବଧାନରେ ପୁରୀ- ଭୁବନେଶ୍ୱର- ରାଉରକେଲା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ  ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଟ୍ରେନର ଯୋଜନା ଆରମ୍ଭ ହେଲେ ଉକ୍ତ ଟ୍ରେନକୁ ପୁରୀରୁ ଭାୟା ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡା ଦେଇ ରାୟପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୂର୍ବରୁ ଓଡ଼ିଶାରେ ରେଳ କହିଲେ ଖୋର୍ଦ୍ଧାକୁ ବୁଝାଯାଉଥିଲା । ପୂର୍ବ ସରକାରରେ ଓଡ଼ିଶାରେ ରେଳ ଅନୁଦାନ ବର୍ଷକୁ ହଜାର କୋଟି ଟଙ୍କା ଆସୁନଥିବା ବେଳେ ଆଜି ମୋଦି ସରକାରରେ ବିନା ଦାବିରେ ରେକର୍ଡସଂଖ୍ୟକ ରେଳ ଅନୁଦାନ ଆସୁଛି । ଓଡ଼ିଶାର ପୁରୀ, କଟକ, ଚାଳଚେର ରୋଡ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର ସମେତ ୫୭ଟି ରେଳ ଷ୍ଟେସନକୁ ନବୀକରଣ କରିବାର କାମ ଚାଲୁରହିଛି । ସବୁ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ନୂଆ ନୂଆ ରେଳ ଲାଇନ ହେଉଛି । ଯାଜପୁର ରୋଡରୁ ଧାମରା, ଦେବଗଡର ବାରକୋଟରୁ କୁଚିଣ୍ଡା ସବଡିଭିଜନ ଦେଇ ଝାରସୁଗୁଡା ପର୍ଯ୍ୟନ୍ତ ରେଳଲାଇନ ପାଇଁ ସର୍ଭେ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଓଡ଼ିଶାର ସବୁ ସ୍ଥାନରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଲୋକାର୍ପିତ ବନ୍ଦେ ଭାରତ ଟ୍ରେନରେ ଭୁବନେଶ୍ୱରରୁ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ଠାରୁ ବନ୍ଦେ ଭାରତ ଟ୍ରେନ ଯାତ୍ରାର ଅନୁଭୂତି ବୁଝିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ ସମେତ ବିଭିନ୍ନ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ଵର: ଓଡ଼ିଶା ପାଇଁ ଏହି ପାର୍ବଣ ଅବସରରେ ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯିବ।

ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା 24 ସେପ୍ଟେମ୍ବର, 2023 ରେ ସମଗ୍ର ଦେଶରେ ଅନ୍ୟାନ ଆଠଟି ବନ୍ଦେ ଭରତ ଏକ୍ସପ୍ରେସ ସହ ଏହି ଟ୍ରେନର ଶୁଭାରମ୍ଭ କରିବେ।

ପ୍ରଗତିଶୀଳ ତଥା ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ ଏହି ବନ୍ଦେ ଭାରତ ଏକ୍ସପ୍ରେସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଆତ୍ମନିର୍ଭାରଭାରତ” ଉଦ୍ୟମର ସଫଳତାର ପ୍ରମାଣ ଅଟେ। ଏହି ବନ୍ଦେ ଭାରତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ଏବଂ ଏହା ଯାତ୍ରୀମାନଙ୍କୁ ଏକ ନୂତନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଗତି, ନିରାପତ୍ତା ଏବଂ ସେବା ଏହି ଟ୍ରେନର ହଲମାର୍କ ଅଟେ।

ବନ୍ଦେ ଭାରତ ଏକ୍ସପ୍ରେସ ଉନ୍ନତ ମାନର ଵିଶେଶ୍ୱତଃ ସହ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ କରିଥାଏ। ଓଡିଶାର କେତେକ ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର କୁ ସଂଯୋଗ କରିବା ସହିତ ଏହି ଟ୍ରେନ୍ଟି ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ କୁ ଯଥେଷ୍ଟ ଭାବରେ ହ୍ରାସ କରିବ ଏବଂ ଏହା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଉପକୃତ କରିବ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Categories
ଆଞ୍ଚଳିକ

ଓଡିଶାର ନୂତନ ରାମସାର ସାଇଟ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚଳିତ ବର୍ଷ ଆମ ରାଜ୍ୟ ଓଡିଶାର ନୂତନ ଚାରିଗୋଟି ଆଦ୍ରଭୂମି ରାମସାର ସାଇଟ ଅନ୍ତର୍ଭୁକ୍ତ ହୋଇଛି। ପ୍ରକୃତି ଓ ପରିବେଶ ସୁରକ୍ଷା ନିମନ୍ତେ ଚଳିତ ବର୍ଷ ଏହି ନୂତନ ଚାରିଗୋଟି ଆଦ୍ରଭୂମି ରାମସାର ସାଇଟ ହେଲା ପମ୍ପରା, ଅଂଶୁପା, ସାତକୋଶିଆ ଏବଂ ହିରାକୁଦ। ଆଦ୍ରଭୂମି ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଓ ଅନ୍ୟାନ୍ୟ ଜଙ୍ଗଜାତ ବୃକ୍ଷ ରୋପଣ କରାଯାଇଛି।

ଏଥିରେ ଗୋଟିଏ ଆଦ୍ରଭୂମିର ପାଞ୍ଚଗୋଟି ଲେଖାଏଁ ବିଦ୍ୟାଳୟ ଯାହାକି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପମ୍ପରା ରାମସାର ସାଇଟର ହୁମର ୟୁପି ସ୍କୁଲ, ଚଷାକଣମଣା ୟୁପି ସ୍କୁଲ, ତରେଇ ପାଟପୁର ୟୁପି ସ୍କୁଲ, ପୋଡା ପହର ହାଇସ୍କୁଲ ଓ ଏ-ନୂଆଗାଁ ୟୁପିସ୍କୁଲ। କଟକ ଜିଲ୍ଲା ଅନ୍ତର୍ଗତ ଅଂଶୁପା ରାମସାର ସାଇଟର ଏସ-ଗାରହ ହାଇସ୍କୁଲ,  ସୁବର୍ଣ୍ଣପୁର ୟୁପି ସ୍କୁଲ, ଘୋଡାବର ୟୁପି ସ୍କୁଲ, ବିଷ୍ଣୁପୁର ୟୁପି ସ୍କୁଲ, ନୂଆଓସ୍ତିଆ ଏଲପି ସ୍କୁଲ ଓ କେ ଖାନି ୟୁପିସ୍କୁଲ। ନୟାଗଡ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ରାମସାର ସାଇଟର ଛାମୁଣ୍ଡିଆ ହାଇସ୍କୁଲ, ବେଣ୍ଟପଡା ଏଲପିସ୍କୁଲ, ବେଠିଆ ସାହି ୟୁପିସ୍କୁଲ ଓ ମାଳିସାହି ଏଲପି ସ୍କୁଲ। ସେହିଭଳି ବରଗଡ ଜିଲ୍ଲା ଅନ୍ତର୍ଗତ ହୀରାକୁଦ ରାମସାର ସାଇଟର ଲଖନପୁର ହାଇସ୍କୁଲ, ଚଣ୍ଡୀପାଲି ୟୁପି ସ୍କୁଲ, ଡ଼ୁଙ୍ଗୁରୀ ହାଇସ୍କୁଲ, ଲାମସାରା ଏଲପି ସ୍କୁଲ ଓ ଉତ୍ତମ ହାଇସ୍କୁଲ ଏହିପରି ସମୁଦାୟ ୨୦ ଗୋଟି ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟତ୍ରୀ, ଶ୍ରେଣୀ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ପରିବେଶବିତ୍ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମକୁ କେଇଡାନ୍ରେନ ନେଚର କଞ୍ଜରଭେସନ ଫଣ୍ଡ ଜାପାନ ବୈଷୟିକ ସହାୟତା ଆରସି ଜାପାନ ସହାୟତା କରିଥିବା ବେଳେ ଭୁବନେଶ୍ବର ପଲ୍ଲୀଶ୍ରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଂଗଠିତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

୨୧ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି।

ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।