Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆମ୍ପାନ୍‌ ଅପଡେଟ୍‌ : ଦୁର୍ବଳ ହୋଇଚାଲିଛି ବାତ୍ୟା ଆମ୍ଫାନ୍‌

ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍‌ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଇଛି ଆମ୍ଫାନ୍‌ । ପଶ୍ଚିମବଙ୍ଗ ଉପକୂଳ ପାଇଁ ସାଇକ୍ଲୋନିଂ ଓ୍ବାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଆଡକୁ ଗତିଶୀଳ କରୁଛି । ଗତ 6 ଘଣ୍ଟା ଧରି ଘଣ୍ଟାକୁ 30 କିମି ବେଗରେ ଗତି କରୁଛି ଆମ୍ଫାନ୍‌ । ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର 210 କିମି ଦୂରରେ ରହିଛି ଆମ୍ପନ୍‌ । ସେହିପରି ପଶ୍ଚିମବଙ୍ଗ ଦୀଘାଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ 340 କିମି ଦୂରରେ ରହିଛି ଆମ୍ଫାନ୍‌ । ସେହିପରି ସାଗର ଦ୍ବୀପଠୁ 300 କିମି ଦୂରରେ ଓ ବାଂଲାଦେଶର ଖେପୁପରାଠୁ 260 କିମି ଦୂରରେ ରହିଛି । ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେବ । ଆଗାମୀ ତିନି ଘଣ୍ଟା ପରେ ଡିପ୍‌ ଡିପ୍ରେସନ୍‌ । 6ଘଣ୍ଟା ପରେ ଡିପ୍ରେସନ୍‌ରେ ପରିଣତ ହେବ ।

ତେବେ ଆମ୍ପାନ୍‌ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଂଶରେ ନିଜର କାୟା ଦେଖାଇଛି । ଏଠାରେ ପ୍ରବଳ ପବନ ସହିତ ମୂଷଳଧାରରେ ବର୍ଷା ମଧ୍ୟହୋଇଛି । ଦୁଇ ରାଜ୍ୟର କିଛି ଅଂଶରେ ଗଛ ଭାଙ୍ଗି ପଡିଛି । ବାତ୍ୟା ଆମ୍ପାନ୍‌ ସୁନ୍ଦରବନରେ ଲ୍ୟାଣ୍ଡ ହେବା ପରେ ବାତ୍ୟାର ଖଣ୍ଡପ୍ରଳୟ ଦେଖିବାକୁ ମିଳିଛି । ଭୀଷଣ ପବନ ସହ ଗଛ ଓ ଘର ଦ୍ବାର ଭାଙ୍ଗିଛି ।  ପଶ୍ଚିମବଙ୍ଗର ମେଦିନିପୁର,  ଉତ୍ତର 24 ପ୍ରାଗଣା, ଦକ୍ଷିଣ 24 ପ୍ରାଗଣା ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି ।ପୂର୍ବରୁ  ପଶ୍ଚିମବଙ୍ଗରେ ଏପରି ବାତ୍ୟା 1737 ମସିହାରେ ଆସିଥିଲା ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମ୍ୟାପ ଅନୁସାରେ ସୂଚନା ମିଳିଛି। ଏବେ ଭଦ୍ରକରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଛି। ଏବେ ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ 51 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 30 ଜଣ। ଓଡ଼ିଶାରେ ମାତ୍ର ଜଣକର କରୋନା ଜନିତ ମୃତ୍ୟୁ ହୋଇଛି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟ୍‌ରୁ ପ୍ରକାଶ। ତେବେ  ଗତକାଲି ଓଡ଼ିଶାରେ 44 ନମ୍ବର କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବାର ସ୍ପଷ୍ଟ ହୋଇଛି।

Categories
ବିଶେଷ ଖବର

ତେଇଶ ବର୍ଷରେ ବିଜୁ ଜନତା ଦଳ, ନିରଙ୍କୁଶ କ୍ଷମତା ଓ ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ କେନ୍ଦ୍ର ପାଖରେ ଏ ଆତ୍ମ ସମର୍ପଣ କାହିଁକି?

କେଦାର ମିଶ୍ର

ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ୟକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା। କିନ୍ତୁ ବିଜେଡି ଗଠନର ୨୨ ବର୍ଷ ପରେ ଓ ବିଶେଷ କରି ଓଡିଶାର ନିରଙ୍କୁଶ କ୍ଷମତା ୨୦ ବର୍ଷ ଧରି ଭୋଗି ସାରିଲା ପରେ, ଆଜି ବିଜେଡି କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

ରାଜ୍ୟର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଜେଡି ନେତୃତ୍ବକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ। ଶିକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାର ଏକ ଆଦର୍ଶ ବ୍ୟବସ୍ଥା  ଦେଶ ଆଗରେ ଥୋଇଛନ୍ତି। ଓଡିଶାରେ ସେମିତି ଶିକ୍ଷା ଓ ସ୍ଵାସ୍ଥ୍ୟର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ନାହିଁ କାହିଁକି? ଯଦିଓ ଦିଲ୍ଲୀ ତୁଳନାରେ ଓଡିଶାର ଭୌଗୋଳିକ ଇଲାକା ବିସ୍ତୃତ ଓ ଏହାର ଜନସଂଖ୍ୟା ର ବିବିଧତା ରହିଛି, ତଥାପି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡିଶା ସରକାର ଯାହା କରିଛନ୍ତି, ତାହା ରାଜ୍ୟର ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ।

ସରକାରୀ ଯୋଜନା ଅପେକ୍ଷା ଓଡିଶାର ରାଜନୀତିରେ ବିଜଡି କୌଣସି ମୌଳିକ ପାର୍ଥକ୍ୟ ଆଣି ପାରିଛି କି?  ଆଜି ବିଜେଡି ପ୍ରତିଷ୍ଠା ଦିବସରେ ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଥିଲେ ମଧ୍ୟ ଦଳ ଭିତରେ ଏହାକୁ ନେଇ ଏବେବି ଅସ୍ପଷ୍ଟତା ରହିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଥିଲା। କିନ୍ତୁ ବିଜେଡି ଭିତରେ ଓ ବିଜେଡି ସରକାରରେ ମହିଳାଙ୍କ ଅଂଶୀଦାରିତା ଉତ୍ସାହଜନକ ନୁହେଁ। ଦଳରେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଙ୍ଖ୍ୟାଲଘୁଙ୍କ ସଂପୃକ୍ତି ବିଷୟ କୁହାଯାଉଥିଲେ ମଧ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଭୂମିକା ଆଜି ମଧ୍ୟ ସୀମିତ। ତେବେ ମହିଳା ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଇ ବିଜେଡି ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପରେ କିନ୍ତୁ ମହିଳା ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ନୀରବ ରହିଛି।

ରାଜନୈତିକ ସ୍ତରରେ ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି। ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତେ ଦୀର୍ଘ ହୋଇଯାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ୟନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ।

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଦ୍ଵିତୀୟ ଥର ଲାଗି ଜାତୀୟ ରାଜନୀତିରେ ଚାଲିଥିବା ମୋଦୀ ହାୱାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେପି ସହିତ ବିଜେଡ଼ିର ନିବିଡତା ଅନେକଙ୍କୁ ଅଡୁଆରେ ପକାଇଛି। ରାଜ୍ୟର ସ୍ଵାର୍ଥ ଲାଗି ଏହା କରାଯାଉଛି ବୋଲି ବିଜେଡି ଯେତେ କହିଲେ ମଧ୍ୟ ବିଜେପିର ବିଭାଜନକାରୀ ଏଜେଣ୍ଡା ପ୍ରତି ଏହାର ନିଃସର୍ତ୍ତ ସମର୍ଥନ ଦଳର ସ୍ଵାଧୀନ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି।ବିଜେଡି ବିଜେପି ପାଖରେ ଆତ୍ମା ସମର୍ପଣ କରିଛି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଇଛି।

୨୨ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ। ହେଲେ ଏହି ସମର୍ଥନ କୁ ଯଦି ଆତ୍ମ ସମର୍ପଣ ଓ ଆତ୍ମ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଏ, ତାହେଲେ କ୍ଷମତା ହାସଲର ରାଜନୀତିରେ ଯେତେ ସଫଳ ହେଲେ ମଧ୍ୟ ଇତିହାସରେ ବିଜେଡି ଏକ ସାମ୍ପ୍ରଦାୟିକ ଦଳର ଛାଇ ହୋଇ ରହିଯିବ।

Categories
ଆଜିର ଖବର

ଆସନ୍ତା 27 ତାରିଖରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 24/12: ଆସନ୍ତା 27 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ସେଦିନ ସେ ବଲାଙ୍ଗୀରରେ ଆୟୋଜିତ ଦୁଇଟି କାଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସକାଳ 9ଟା 20 ମିନିଟରେ ଉପରାଷ୍ଟ୍ରପତି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଏହାପରେ ସେ ରାଜେନ୍ଦ୍ର ସ୍ବଂୟଚାଳିତ କଲେଜର ପ୍ଲାଣ୍ଟିନିୟମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ 10ଟା 35 ମିନଟରେ ଉପରାଷ୍ଟ୍ରପତି ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେବେ। ତାଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।