Categories
ବିଶେଷ ଖବର ସ୍ବାସ୍ଥ୍ୟ

ଡରାଇଲାଣି ଓମିକ୍ରନ: ୱାର ରୁମ ସହ କଣ୍ଟେନମେଣ୍ଟ ଜୋନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଧିରେ ଧିରେ ଦେଶକୁ କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ପ୍ରସାର ଲାଭ କରିବାରେ ଲାଗିଛି। ଏହା ଏତେ ଦ୍ରୁତ ଗତିରେ ମାଡି ଚାଲିଛି ଯେ, ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ। ସେଥିପାଇଁ ସମସ୍ତ ରାଜ୍ୟ ସରକାର ୱାର ରୁମ ପ୍ରସ୍ତୁତ କରି ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସଚିବ ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ପୁଣି ଥରେ ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ପଡିବ। ଏଥିସହିତ ଯଦି କୌଣସି ସ୍ଥାନରୁ ଅଧିକ ସଂଖ୍ୟକ ପଜେଟିଭ ଚିହ୍ନଟ ହେଲେ ତେବେ ସେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କର। ସେହିପରି ପ୍ରଥମ ଲହର ବେଳେ ଯେପରି ବେଡ, ଅକ୍ସିଜେନ, ମେଡିକାଲ କର୍ମଚାରୀଙ୍କୁ ସଜାଗ ରଖାଯାଇଥିଲା ତାହା ମଧ୍ୟ କର। ଏହି ଚିଠି ପାଇବା ପରେ ବିଭିନ୍ନ ରାଜ୍ୟ ତରଫରୁ ବର୍ତ୍ତମାନ ତତ୍ପରତା ପ୍ରକାଶ ପାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଅତି କମରେ ଯେଉଁଠି 10 ପ୍ରତିଶତ କରୋନା ପଜେଟିଭ ବାହାରିଲେ ତାହାକୁ ତୀକ୍ଷ୍ଣ ନଜରରେ ରଖ। ପୂର୍ବରୁ ନାଇଟ କର୍ଫ୍ୟୁକୁ ମଧ୍ୟ ଲାଗୁ କରାଯାଇପାରେ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ଉତ୍ସବ, ବିବାହ, ବ୍ରତ, ମୃତ କାର୍ଯ୍ୟରେ ଯେପରି ଅଧିକ ଭିଡ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଟେଷ୍ଟିଂ ଏବଂ ଟିକାକରଣ ପାଇଁ ଗୁରୁତ୍ବ ଦେବାକୁ ମଧ୍ୟ କେନ୍ଦ୍ର ଗୃହ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଅନେକ ରାଜ୍ୟରେ ଟିକାକରଣ ଯେପରି ସଫଳତା ହାସଲ କରିବା କଥା ତାହା ହୋଇ ନାହିଁ। ସେଥିପାଇଁ ଟିକାକରଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଦେଶରେ ଓମିକ୍ରନ ଫେବୃୟାରୀ ମାସରେ ଶୀର୍ଷକୁ ଛୁଇଁବ। ଏପରିକି ଦୈନିକ ସଂକ୍ରାମଣ ଦେଢ ଲକ୍ଷ ଟପିବ ବୋଲି ଅନୁମାନ କରାଯାଇଛି। ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ତିନିଗୁଣା ସଂକ୍ରମଣ ଲକ୍ଷଣ ରହିଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ସେଥିପାଇଁ ଏବେଠାରୁ ଏହା ବିରୋଧରେ ପ୍ରସ୍ତୁତି ନ କଲେ ପରବର୍ତ୍ତି ସମୟରେ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର 213 ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ଓମିକ୍ରନ୍ ଭାରିଆଣ୍ଟର 11 ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି। ଫଳରେ ସେହି ରାଜ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ 54 କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଓମିକ୍ରନ୍ ମାମଲା 57 କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲା ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି କଲେ ଜିଲ୍ଲାପାଳ: ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ଖୋର୍ଦ୍ଧା: ତୃତୀୟ ଲହର ତଥା ନୂଆ ଭାରିଆଣ୍ଟର ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି। ଯାହାଦ୍ୱାରା ବିଶ୍ଵର ଅନେକ ଦେଶଗୁଡିକ ଓମିକ୍ରନ ଭାରିଆଣ୍ଟକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସେହିଭଳି ଭାରତରେ ଏହାଠାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ତେଣୁ ରାଜ୍ୟ ସରକାର ଏହାପାଇଁ ତତ୍ପରତା ଦେଖାଇବା ସହ ଜିଲ୍ଲାପାଳମାନଙ୍କୁ ଉଚିତ ପଦକ୍ଷେପ ପାଇଁ କୁହାଯାଇଛି।

ତେବେ ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ କରୋନା କଟକଣା ଜାରି କରିଛନ୍ତି। ସେଥିପାଇଁ କରୋନା କଟକଣାକୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବ ପରି ମାସ୍କ ଚେକିଂ, ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଖୋର୍ଦ୍ଧାର ସହର ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ହୋଇଛି। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ଏହି ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଖୋର୍ଦ୍ଧା, ଜଟଣୀ, ବାଣପୁର ଏବଂ ବାଲୁଗାଁ ସହରରେ ଦୋକାନ ବଜାର ୧୦ ଟା ପୂର୍ବରୁ ବନ୍ଦ କରାଯିବା ପାଇଁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ୧୦ ଟା ପରେ ବାହାରେ ନବୁଲିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୂଢ କରିଛନ୍ତି। ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏହି ନିୟମକୁ ଅବମାନନା କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ଡିସେମ୍ବର ମାସରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ବାହାରକୁ ନଯାଇ ଲୋକେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଭାରତକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଜାରୀ ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରିଚାଳନା ପାଇଁ ସକ୍ରିୟ ଏବଂ ବିପଦ ମୁକାବିଲା ଦୃଷ୍ଟିକୋଣ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୮ ତାରିଖରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ, ‘ବିପଦରେ ଥିବା ରାଷ୍ଟ୍ର’ ଭାବେ ଚିହ୍ନଟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀ (କୋଭିଡ-୧୯ ଟିକା ଗ୍ରହଣ କରିବା ନିର୍ବିଶେଷରେ) ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି କୋଭିଡ-୧୯ ନମୁନା ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି।

ଏହାବ୍ୟତୀତ ସେମାନଙ୍କୁ ଭାରତକୁ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ପ୍ରସ୍ଥାନ ପୂର୍ବବର୍ତ୍ତୀ କୋଭିଡ-୧୯ ପରୀକ୍ଷା କରାଇବାକୁ ହେବ। ଏହି ପରୀକ୍ଷାରେ ପଜିଟିଭ ଚିହ୍ନଟ ହେଉଥିବା ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ଚିକିତ୍ସା ପରିଚାଳନା ନିୟମ ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ। ଏହାଛଡ଼ା ସେମାନଙ୍କର ନମୁନା ହୋଲ ଜିନୋମ ସିକୁଏନ୍ସିଂ ପାଇଁ ନିଆଯିବ। ଯେଉଁ ଯାତ୍ରୀମାନେ ନେଗେଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ଦିଆଯିବ, କିନ୍ତୁ ଏହାପରେ ତାଙ୍କୁ ୭ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଯାତ୍ରୀଙ୍କର ପୁଣିଥରେ କୋଭିଡ ପରୀକ୍ଷା କରାଯିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ୮ ଦିନିଆ ଆତ୍ମନିରୀକ୍ଷଣ ପର୍ଯ୍ୟାୟରେ ରହିବେ।

ଆହୁରି, କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବ୍ୟାପୁଥିବା ଦେଶମାନଙ୍କର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ‘ବିପଦରେ ଥିବା ରାଷ୍ଟ୍ର’ ତାଲିକାରେ ସାମିଲ ହୋଇନଥିବା ଦେଶଗୁଡ଼ିକରୁ ଭାରତକୁ ଆସୁଥିବା ୫ ପ୍ରତିଶତ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ କୋଭିଡ ପରୀକ୍ଷା କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ରେଣ୍ଡମ ସାମ୍ପଲିଂ ଆଧାରରେ ଏହି ନମୁନା ପରୀକ୍ଷା କରାଯିବ। ସେମାନଙ୍କର ନମୁନା ମଧ୍ୟ ହୋଲ ଜିନମ ସିକୁଏନ୍ସିଂ ପାଇଁ ଆଇଏନଏସଏସିଓଜି ନେଟଓ୍ବର୍କ ପରୀକ୍ଷାଗାରକୁ ପଠାଯିବ। ସେଠାରେ ସେମାନଙ୍କର ନମୁନାରେ‍ ସାର୍ସ-କୋଭ-୨ ଭାରିଆଣ୍ଟ (ଓମିକ୍ରନ ସମେତ)ର ଉପସ୍ଥିତି ଅନୁଧ୍ୟାନ କରାଯିବ।

ବି.୧.୧.୫୨୯ ଭାରିଆଣ୍ଟ (ଓମିକ୍ରନ) ପ୍ରଥମ ଥର ପାଇଁ ୨୪ ନଭେମ୍ବର, ୨୦୨୧ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରାଯାଇଥିଲା। ସାର୍ସ-କୋଭ-୨ ଉପରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଏହାକୁ ଭାରିଆଣ୍ଟ ଅଫ କଂସର୍ନ ବା ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରିଥିଲା। ଏହି ଭାରିଆଣ୍ଟର ବିଭିନ୍ନ ପ୍ରକାର ସ୍ବରୂପ ବା ମ୍ୟୁଟାଣ୍ଟ ରହିଛି ଏବଂ ସେଥିମଧ୍ୟରୁ କେତେକ ମ୍ୟୁଟେସନରେ ଅଧିକ ସଂକ୍ରାମକ ଓ ରୋଗ ପ୍ରତିଷେଧକ ଶକ୍ତି ଅକାମି କରି ଦେବାର ଲକ୍ଷଣ ରହିଥିବା କାରଣରୁ ଏହାକୁ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରାଯାଇଛି। ଏ କ୍ଷେତ୍ରରେ ସାମ୍ନାକୁ ଆସିଥିବା ପ୍ରମାଣକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ କରାଯାଉଛି।

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା, ନମୁନା ପରୀକ୍ଷା ବଢ଼ାଇବା, କୋଭିଡ-୧୯ର ହଟସ୍ପଟକୁ ନିରୀକ୍ଷଣ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ସହିତ ନମୁନାଗୁଡ଼ିକୁ ହୋଲ ଜିନୋମ ସିକୁଏନ୍ସିଂ ପାଇଁ ପଠାଇବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାମାରୀର ବଦଳୁଥିବା ପ୍ରକୃତି ଉପରେ ଅତି ନିକଟରୁ ଦୃଷ୍ଟି ରଖିଛି। ତେବେ କୋଭିଡ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରିବା (ମାସ୍କ/ଫେସ କଭର ବ୍ୟବହାର କରିବା, ଶାରୀରିକ ଦୂରତା, ହାତର ଓ ଶ୍ବାସକ୍ରିୟାର ସ୍ବଚ୍ଛତା ବଜାୟ ରଖିବା) ଏବଂ କୋଭିଡ ଟିକା ଗ୍ରହଣ କରିବା ଏବେ ସୁଦ୍ଧା ଗୋଷ୍ଠୀ ସ୍ତରରେ କୋଭିଡ-୧୯ ପରିଚାଳନାର ପ୍ରମୁଖ ଅସ୍ତ୍ର ହୋଇରହିଛି।