Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ ରେ ଗଣଶିକ୍ଷା ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଓସେପା ଅଫିସରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଭିଯୋଗ ପ୍ରକୋଷ୍ଠରେ ସାତ ଦଫା ଦାବି ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା। ଯଦି ଆଜି ସମାଧାନ ନ ହେବ ଆସନ୍ତା ୧୫ରୁ ଘେରାଓ କରିବାକୁ ନିଷ୍ପତି ନେଇଥିଲା।

ପୂର୍ବରୁ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ, ସି ବି ଏସ ଇ ର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ, ଏନ ସି ଇ ଆର ଟି ଭୁବନେଶ୍ୱରଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଆଲୋଚନାରେ ଭଗନେଇ ୭ ଦଫା ଦାବି ଉପସ୍ଥାପନା କରିଥିଲେ।

ପ୍ରଥମ ଦାବୀରେ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଦ୍ଧାରଣ ଓ ସ୍କୁଲକୁ ନିୟମ ଅନୁସାରେ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ ଫିସ ସ୍ଥିରୀକୃତ କରିବା ଉପରେ ସରକାର ପୂର୍ବରୁ କରିଥିବା ସ୍କୁଲ ଫିସ ନିର୍ଦ୍ଧାରଣ କମିଟିର ସୁପାରିଶକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହୋଇଥିଲେ।

ଦ୍ଵିତୀୟ ଦାବୀ ଅନୁଯାଇ କୋଭିଡ ମହାମାରୀ ସମୟରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲ ଫିସ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ରିପୋର୍ଟକୁ ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି ପାଇଁ ରାଜି ହୋଇଥିଲେ।

ତୃତୀୟ ଦାବୀରେ ପ୍ରାଇଭେଟ ସ୍କୁଲରେ ସବୁ ଶ୍ରେଣୀରେ ଏନସିଇଆରଟି ବହି ବ୍ୟବହାର ଓ ସ୍କୁଲ ବ୍ୟାଗ ଓଜନ ନିୟମର କଡାକଡି ଲାଗୁ ପାଇଁ ଥିବା ଆଲୋଚନା ରେ ସିବିଏସଇ ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସଙ୍କ ଦ୍ଵନ୍ଦ୍ଵତ୍ମାକ ମନ୍ତବ୍ୟ ଓ ସୁପାରିଶ ଯୋଗୁଁ ଆଲୋଚନା ରେ ଅସୁବିଧା ସୃଷ୍ଟି ହେତୁ ପରବର୍ତ୍ତୀ ସମୟରେ ବିଶେଷ ତର୍ଜମା ହୋଇ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ଚତୁର୍ଥ ଦାବିରେ ଶିକ୍ଷା ଅଧିକାର ଆଇନରେ ୨୫% ସିଟରେ ମାଗଣାରେ ପଢ଼ୁଥିବା ସବୁ ପିଲାଙ୍କୁ ନିୟମ ଅନୁଯାଇ ମାଗଣାରେ ସ୍କୁଲ ଡ୍ରେସ, ବହି ଓ ଜୋତା ଆଦି ପ୍ରଦାନ ପାଇଁ ତୁରନ୍ତ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆଦେଶ ଦିଆଯାଇଥିଲା।

ଶିକ୍ଷା ଅଧୁକାର ଆଇନରେ ମାଗଣାରେ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପଢ଼ା ଯାଉଛି ହେଲେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେହି ପିଲାମାନଙ୍କୁ ଦିଲ୍ଲୀ, ଛତିଶଗଡ, ରାଜସ୍ତାନ ଭଳି ମାଗଣା ପଢାଇବାକୁ ବ୍ୟବସ୍ଥା କରିବାକୁ ଦାବୀ ଉପରେ ସରକାରଙ୍କ ସହିତ ଆର୍ଥିକ କମିଟିର ପରାମର୍ଶ ନେଇ ପଦକ୍ଷେପ ନେବାକୁ ରାଜି ହୋଇଥିଲେ।

ପଞ୍ଚମ ଦାବୀ ଅନୁଯାଇ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ତତ୍ପର ହେବାକୁ କୁହାଯାଇଥିଲା।

ଷଷ୍ଠ ଦାବୀ ଅନୁଯାୟୀ ଯେଉଁ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବ ସେହି ସ୍କୁଲର ସ୍ପେଶାଲ ଅଡିଟ କରାଯାଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସପ୍ତମ ଦାବୀ ଅନୁଯାୟୀ ଦଶମରୁ ଏକାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେଉଥିବା ସବୁ ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କେ ପି ମହାପାତ୍ର କମିଟିର ସୁପାରିଶ ଆଧାରରେ କ୍ଲାସ ପ୍ରମୋସନ ନିୟମ ଅନୁସାରେ ସେହି ସ୍କୁଲ ରେ ଆଡ଼ମିସନ କରି ପାଠ ପଢାଇବାକୁ ସବୁ ପ୍ରାଇଭେଟ ସ୍କୁଲ ଅନୁପାଳନ କରିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ମାନଙ୍କର ଦୌରାତ୍ମ୍ୟ ବହୁ ପରିମାଣରେ ବଢ଼ି ଯାଇଛି ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି। ଅନେକ ପିଲା ଡମୀ ସ୍କୁଲ ରେ ପଢୁ ଛନ୍ତି। ଏମାନେ ଶିକ୍ଷାକୁ ଏକ ଚିଟ ଫଣ୍ଡ ରେ ପରିଣତ କରିଦେଇଛନ୍ତି। ତେଣୁ କୋଚିଂ ସେଣ୍ଟର ଗୁଡିକ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ହେଲେ ଆଜି ପର୍ଯ୍ୟନ୍ତ ଆଲୋଚନା ଅନୁଯାୟୀ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ସାତଦଫା ଦାବୀରେ ଗଣଶିକ୍ଷା ସଚିବଙ୍କ ବାସଭବନ ସମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଛି।

ଆଜି ଓସେପା କାର୍ଯ୍ୟାଳୟର ଅଭିଯୋଗ ଶୁଣାଣିରେ ମହାସଂଘର ଏକ ପ୍ରତିନିଧି ଦଳ ସଚିବଙ୍କୁ ଭେଟି ଦାବୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବାକୁ ଯାଇଥିଲେ ହେଲେ ସଚିବ ପ୍ରାୟତଃ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହୁଥିବାରୁ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମହାସଂଘ କହିଛି। ଯଦି ଆସନ୍ତା ୧୩ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା ୧୫ ତାରିଖ ଦିନ ୧୧ ଟା ସମୟରେ ଗଣଶିକ୍ଷା ସଚିବ ଆଶ୍ବଥୀ ଏସଙ୍କ ସରକାରୀ ବାସଭବନ ସମ୍ମୁଖରେ ମହାସଂଘ ଦାବୀ ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସିବ।

ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟାକ୍ଷ ଅଶୋକ ପଟ୍ଟନାୟକ, ଶିଶିର ସାହୁ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ ପ୍ରଭୃତି ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଠ ପଢ଼ା ସ୍ୱାଭାବିକ ପାଇଁ ସବୁ ସ୍କୁଲ ସାମ୍ନାରେ ଧାରଣା ଦେବେ ଅଭିଭାବକ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦଶମ ଦିନରେ ଓ ସମୂହ ଛୁଟି ପଞ୍ଚମ ଦିନରେ ପହଂଚିଛି। ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହେବା ସହିତ ଶିକ୍ଷାଦାନ ସଂପୂର୍ଣ୍ଣ ଠପ ହୋଇ ପଡିଛି।  ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ଏକ ଚରମ ବିଚ୍ୟୁତି ସୃଷ୍ଟି ହୋଇଛି।

ଶିକ୍ଷକ ଆନ୍ଦୋଳନ ଚଳାଇଥିବା ଦୃଷ୍ଟିରୁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ? ଆଜିର ଦିନରେ ଯେତେବେଳେ ସାଧାରଣ ଦିନ ମଜୁରିଆ ଦିନକୁ ୫୦୦ ଟଙ୍କା ପାଉଛି, ସେତେବେଳେ କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ ୭୫୦୦ ଟଙ୍କାରେ ଦିନକୁ ୨୫୦ ଟଙ୍କାରେ ଶିକ୍ଷାଦାନ କରୁଛନ୍ତି।

ଗୁରୁ ମାନଙ୍କ ପ୍ରତି ଏହି ଚରମ ଅବହେଳା ଓ ହୀନମାନ୍ୟତା ଆମ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ଅପବାଦ ସୃଷ୍ଟି କରୁଛି। ଶିକ୍ଷକ ମାନେ ଉଚିତ ପ୍ରାପ୍ୟ ସହିତ ନିଯୁକ୍ତି ସ୍ଥାୟୀତ୍ୱ ନହେଲେ ସେମାନେ କିଭଳି ଆମର ଆଗାମୀ ଭବିଷ୍ୟତ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବେ? ପୂର୍ବରୁ ବହୁବାର ଶିକ୍ଷକ ସଙ୍ଘ ସହିତ ବିଭିନ୍ନ ପର୍ଯ୍ୟାୟରେ ସରକାର ଆଲୋଚନା କରି ସମାଧାନ ପାଇଁ ପ୍ରତିଶୃତି ଦେଇ ସାରିଛନ୍ତି। ତେଣୁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ସହିତ ଶିକ୍ଷକ ମାନଙ୍କ ୪୨୦୦ ଗ୍ରେଡ଼ ପେ, କଳା ଓ ଖେଳ ଶିକ୍ଷକ ୧୦ ବର୍ଷରୁ ଉର୍ଦ୍ଧ୍ଵ, ପୂର୍ବରୁ ଶିକ୍ଷା ସହାୟକ ୧୫୦୦ ଠାରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟ କରୁଥିବା ଶିକ୍ଷକ ମାନଙ୍କୁ ଏବଂ ଅସ୍ଥାୟୀ ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀଙ୍କୁ ସରକାର ତୁରନ୍ତ ସମାଧାନ ସହ ପୁରୁଣା ପେନସନ ପାଇଁ ଆଲୋଚନା ବ୍ୟବସ୍ଥା କରନ୍ତୁ ଓ ସମାଧାନ ଜଲଦି କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ଦୃଢ଼ ଦାବୀ ଜଣାଇଛି।

ବିଭିନ୍ନ ଚାକ ଚକ୍ୟ ଖର୍ଚ୍ଚ କାଟ କରି ଶିକ୍ଷକ ମାନଙ୍କ ପାଇଁ ଅର୍ଥ ବରାଦ କରିବାପାଇଁ ମହାସଂଘ ଦାବି କରିଛି। ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଭୁବନେଶ୍ୱର, ବାଲିପାଟଣା, ବାଲିଅନ୍ତା, ବୋଲଗଡ, ବେଗୁନିଆ, ରଣପୁର, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ -ବିଇଓ ଅଫିସରେ ପହଂଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ଆନ୍ଦୋଳନରତ ଶିକ୍ଷକ ମାନଙ୍କ ସହିତ ଆଲୋଚନା ବେଳେ ଅଭିଭାବକ ମାନେ ଆମ ପାଖକୁ ପିଲାଙ୍କୁ ଆଠ ଘଣ୍ଟା ପର୍ଯ୍ୟନ୍ତ ନିଶ୍ଚିନ୍ତ ରେ ରହି ସ୍କୁଲକୁ ପଢି ବାକୁ ଛାଡ଼ୁଛନ୍ତି। ସବୁ ପିଲା ଆମର ନିଜ ପିଲା ଆନ୍ଦୋଳନ ଯୋଗୁ ସେମାନେ ସ୍କୁଲରେ ପାଠ ପଢାଇ ପାରୁ ନଥିବାରୁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେମାନଙ୍କର ପେଟ ପାଟଣା, ଅସୁବିଧା, ସମସ୍ୟା, ଦୁଃଖ କଷ୍ଟ ତଥା ନିଜର ନ୍ୟାର୍ଯ୍ୟ ଅଧିକାର ପ୍ରାପ୍ତି ଯୋଗୁଁ ଆନ୍ଦୋଳନ ରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କରିଥିବା ବେଳେ ପୁଣି ଠିକା ବ୍ୟବସ୍ଥା ଗୁରୁ ମାନଙ୍କ ଆତ୍ମସମ୍ମାନ କ୍ଷେତ୍ରରେ କୁଠାର ଘାତ ହୋଇଛି। ସରକାର ସ୍କୁଲ ଖୋଲା ଅଛି ଓ ପାଠ ପଢା ଠିକ ଚାଲିଛି ବୋଲି କହୁଛନ୍ତି। ବାସ୍ତବରେ ରାଜ୍ୟରେ ୧୫ ହଜାର ସ୍କୁଲ ରେ ଜଣେ ମାତ୍ର ଶିକ୍ଷକ ଓ ୮ ହଜାର ସ୍କୁଲ ରେ ଦୁଇ ଜଣ ଶିକ୍ଷକରେ ପାଠ ପଢ଼ା ଚାଲିଥାଏ।

ତେଣୁ ଶିକ୍ଷକ ଆନ୍ଦୋଳନ ହେଲେ ସେହି ତଥ୍ୟ ଅନୁଯାଇ ପ୍ରାୟ ୨୫ ହଜାର ସ୍କୁଲରେ ତ ଏମିତି ଭାବେ ସ୍କୁଲରେ କେହି ଶିକ୍ଷକ ୧୦ ଦିନ ହେଲା ଯାଇନାହାନ୍ତି। ବାକି ରହିଲା ସ୍କୁଲ ଖୋଲା ରହିବା କଥା ସ୍କୁଲ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଖୋଲାଯାଇନି ସେଠାରେ ପାଠ ପଢ଼ାଯିବା କଥା। ତେଣୁ ସରକାର ତୁରନ୍ତ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସର୍ବନିମ୍ନ ଦାବୀ ପୂରଣ କରି ସ୍କୁଲ ଖୋଲି ପାଠ ପଢ଼ାଇବାର ବନ୍ଦୋବସ୍ତ କରନ୍ତୁ।

ଯଦି ଶିକ୍ଷକ ମାନଙ୍କ ଦାବୀ ତୁରନ୍ତ ପୂରଣ ନହୁଏ, ତେବେ ଆସନ୍ତା କାଲି ଅର୍ଥାତ ସୋମବାର ଦିନ ଠାରୁ ରାଜ୍ୟରେ ସବୁ ସ୍କୁଲରେ ଅଭିଭାବକ ମାନେ ସ୍କୁଲ ସାମ୍ନାରେ ଧାରଣା ଦେବେ ଏବଂ ସରକାର ଶିକ୍ଷକ ମାନଙ୍କ ଦାବୀ ପୂରଣ କରି ସ୍କୁଲରେ ପାଠ ପଢାକୁ ସ୍ୱାଭାବିକ କରିବାକୁ ଅନୁରୋଧ କରିବେ। ଏପରି ଯଦି ରାଜ୍ୟରେ ୪୮,୬୦୦ ସ୍କୁଲ ସାମ୍ନାରେ ଅଭିଭାବକ ମାନେ ଧାରଣା ଦେବେ ଆଗକୁ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ଆସନ୍ତା ଦିନରେ ଏହି ସମସ୍ୟା ନେଇ ମହାସଂଘ ଗଣଶିକ୍ଷା ସଚିବଙ୍କ ବାସ ଭବନ ଘେରାଉ କରିବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକଙ୍କ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ

ରଣପୁର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ନୟାଗଡ ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରରେ ଏହି ଆନ୍ଦୋଳନ ଜାରି ରହିଛି। ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ୯ ଦିନ ଧରି ଜାରି ରହିଛି।

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି।

ଆଜି ଏହି ଧାରଣା ସ୍ଥଳରେ ଅଲଓଷ୍ଟା ରାଜ୍ୟ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ଓ ନୟାଗଡ ଜିଲା ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ପହଞ୍ଚି ଶିକ୍ଷକଶିକ୍ଷୟତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଦାବି ହାସଲ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ମତାମତ ଦେଇଥିଲେ।

ସେହିପରି ପୂର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢ଼ୀ ମଧ୍ୟ ଆଜି ରଣପୁର ବ୍ଲକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଦାବିଗୁଡିକ ଯୁକ୍ତି ସଙ୍ଗତ ଏବଂ ଦାବିଗୁଡିକ ପାଇଁ ସେମାନେ ହକ ଦାର ବୋଲି ମତ ରଖିଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରି ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ସେହିପରି ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଏହି ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜଣା ପଡିଛି। ଓଡିଶା ଅଭିଭାବକ ମହାସଂଘର ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅକ୍ଷୟ କୁମାର ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଧାରଣାକୁ ସମର୍ଥନ ଜଣାଇ ଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ଦାବି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଅଭିଭାବକ ମହାସଂଘର ନୂତନ ସାଙ୍ଗଠନିକ କର୍ମକର୍ତ୍ତା ମନୋନୀତ

ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ଉଚ୍ଚ ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।  ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ଏବଂ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ” ଟାସ୍କ ଫୋର୍ସ କମିଟି ” ବା STF Committee ଗଠନ କରାଯାଇ ବିଭିନ୍ନ ବିଭାଗ ନିମନ୍ତେ କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରାଯାଇଛି।

ନୂତନ କମିଟିରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ସ୍ଵପ୍ନେନ୍ଦୁ ସାମନ୍ତରାୟ, ସାଧାରଣ ସଂପାଦକ ଅଶୋକ ପାଇକରାୟ, ଡଃ ସତ୍ୟଜିତ ଦାସ୍, ପ୍ରଦୀପ୍ତ ମିଶ୍ର, ସୁର୍ଯ୍ୟ ନାରାୟଣ ଜେନା। ଉପାଧ୍ୟକ୍ଷ ଭାବେ କାର୍ତ୍ତିକ ସାହୁ, ଅଶୋକ ପଟ୍ଟନାୟକ ଏବଂ ରଞ୍ଜନ ଦାସଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଛି ବୋଲି ମହାସଂଘର ପ୍ରବକ୍ତା ତଥା ସାଧାରଣ ସମ୍ପାଦକ ପ୍ରଦୀପ୍ତ ମିଶ୍ର ଗଣମାଧ୍ୟମ କୁ ଅବଗତ କରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଠିକା ଶିକ୍ଷକ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ।

ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଜନା ଭିତିକ ବା ସମଗ୍ର ଶିକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ।

ସେହି ଶିକ୍ଷକ ମାନଙ୍କୁ ବର୍ଷିକିଆ ଠିକା ନିଯୁକ୍ତି ଦିଆଯିବ। ବର୍ଷ କୁ ବର୍ଷ ସେମାନଙ୍କ ନିଯୁକ୍ତି ନବୀକରଣ କରାଯିବ। ଏହି ବ୍ୟବସ୍ଥାକୁ ଓଡିଶା ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହିତ ତୁରନ୍ତ ନିଷ୍ପତି ବଦଳାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛି।

ଫିନଲାଣ୍ଡ, ଡେନମାର୍କ, ନାରୱେ ଭଳି ବିକଶିତ ଦେଶର ସ୍ଥାୟୀ ନିଯୁକ୍ତି ଭଳି ଆମ ରାଜ୍ୟରେ ମଧ୍ୟ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରିଛି। ନଚେତ ଆଗାମୀ ଦିନରେ ଅଧୋପତନ ଆଡକୁ ଯାଉଥିବା ଓଡିଶାର ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମହାସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ବିଗତ ବର୍ଷ ମାନଙ୍କରେ ସରକାର ଶିକ୍ଷା ସହାୟକ, ଶିକ୍ଷlକର୍ମୀ, ଗଣ ଶିକ୍ଷକ, ପାରା ଶିକ୍ଷକ, ବ୍ଲକ ଗ୍ରାଣ୍ଟ, ଗ୍ରାଣ୍ଟ ଇନ ଏଡ଼, ଆଦି ଅନେକ ଶିକ୍ଷକ ନିଯୁକ୍ତି ଦେଇ ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଆଜି ସମ୍ପୂର୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଛି।

ଠିକା ନିଯୁକ୍ତି ଦେଲେ ଶିକ୍ଷକ ମାନଙ୍କ ପାଖରେ ଜବାବ ଦେହି, ଉତ୍ତର ଦାୟିତ୍ୱ ଓ ଦାୟିତ୍ୱ ବୋଧ ରହିବ ନାହିଁ। ତେଣୁ ସେମାନଙ୍କର ପିଲାମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଦୌ ସ୍ପୃହା ରହିବ ନାହିଁ। ଯେହେତୁ ସେମାନେ ମାତ୍ର ବର୍ଷକ ପାଇଁ ନିଯୁକ୍ତି ହେବେ ତେଣୁ ପିଲାମାନଙ୍କ ଶିକ୍ଷା ପ୍ରାପ୍ତିରେ ଏହି ବ୍ୟବସ୍ଥା ଏକ ବିରାଟ ପ୍ରାଚୀର ସହିତ ପ୍ରତିବନ୍ଧକ ହୋଇ ଛିଡା ହେବ।

ଶିକ୍ଷକ ମାନେ ସେମାନଙ୍କ ନିଯୁକ୍ତି ଓ ଦରମା ତଥା ପ୍ରାପ୍ୟ ପାଇଁ ସବୁବେଳେ ସାନ୍ଦିହାନ ଅବସ୍ଥାରେ ରହିବେ। ବର୍ଷର ଅନେକ ସମୟରେ ବିଭିନ୍ନ ବର୍ଗର ଶିକ୍ଷକ ମାନେ ଯେପରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୁଣି ସେହି ବ୍ୟବସ୍ଥା ଓ ବିଭ୍ରାଟ ରେ ଆଉ ଏକ ଫର୍ଦ୍ଦ ଯୋଡି ହେବ।

ସ୍କୁଲ ବନ୍ଦ କରି ଶିକ୍ଷକ ମାନେ ପୁଣି ଆନ୍ଦୋଳନକୁ ଆସିବେ ସେପଟେ ଶିକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ହୋଇ ପିଲାମାନେ ଉତ୍ତମ ଶିକ୍ଷା ପାଇବାରେ ବଂଚିତ ହେବା ସହିତ ଆଗାମୀ ଭବିଷ୍ୟତ ମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ସନ୍ଦିହାନ ଅବସ୍ଥାରେ ରହିବେ। ଏହା ମଧ୍ୟ ପ୍ରାଇଭେଟ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁହାଇବ।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଭିଭାବକ ମାନେ ଆର୍ଥିକ ଶୋଷଣର ଶିକାର ହେବେ। ସରକାର ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ପାଇଁ ଗତ ଅକ୍ଟୋବର ମାସରେ ଘୋଷଣା କରିସାରିଥିବା ବେଳେ ପୁଣି କାହିଁକି ଠିକା ନିଯୁକ୍ତି ତାହା ପୁଣି ବିକାଶର ଅତ୍ୟନ୍ତ ଉପଯୋଗୀ ଶିକ୍ଷା ବ୍ୟବସ୍ଥାରେ ପୁଣି ଗୁରୁ ମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଆପଣାଇ ଅଛନ୍ତି ତାହା ଆଦୌ ବୁଝା ପଡ଼ୁ ନାହିଁ। ତେଣୁ ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରିବା ସହିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜନ ନ କରିବାକୁ ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଦାବୀ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱୀକୃତି ନଥିବା ଘରୋଇ ସ୍କୁଲ ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟରେ ଆଡ଼ମିସନ ନିର୍ଦ୍ଦେଶକୁ ସ୍ୱାଗତ

ଭୁବନେଶ୍ୱର: ସ୍ୱୀକୃତି ନଥିବା ଘରୋଇ ସ୍କୁଲର ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟ ଭଳି ସ୍କୁଲରେ ଆଡ଼ମିସନ କରିବାକୁ ପରୀକ୍ଷା ଦେଇ ଯୋଗ୍ୟ ହୋଇଥିଲେ ମଧ୍ୟ ଆଡ଼ମିସନ କରି ପାରୁ ନ ଥଲେ। ବହୁତ ପିଲା ଏହି ସ୍କୁଲରେ ପାଠ ପଢ଼ାରୁ ବଞ୍ଚିତ ହେଉଥିଲେ। ଏନେଇ ଓଡିଶା ଅଭିଭାବକ ମହାସଂଘ ସରକାରଙ୍କ ନଜରକୁ ଆଣିଥିଲା। ଆଜି ବିଧିବଦ୍ଧ ଭାବେ ଗଣଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି।

ଏହା ଦ୍ୱାରା ରାଜ୍ୟରେ ଅନେକ ପିଲା ସ୍ୱୀକୃତି ନଥିବା ଶିଶୁମନ୍ଦିର, ବିଦ୍ୟାମନ୍ଦିର ତଥା ଛୋଟ ଛୋଟ ଘରୋଇ ସ୍କୁଲର ପିଲା ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଯେଉଁ ଅସୁବିଧାର ସମୁଖୀନ ହେଉଥିଲେ, ସେଥିରେ ପୂର୍ଣ୍ଣଛେଦ ପଡିଛି। ଦୀର୍ଘଦିନ ହେଲା ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରି ଆସୁଥିଲା।

ରାଜ୍ୟରେ ବିଭିନ୍ନ ଅଂଚଳରେ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଘରୋଇ ସ୍କୁଲ ସ୍ଥାପନ ହୋଇଛି। ସରକାରୀ ସ୍ୱୀକୃତି ପାଇଁ ଭିତ୍ତିଭୂମି ସହ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା ହେଲେ ଘରୋଇ ସ୍କୁଲ ସ୍ୱୀକୃତି ପାଇପାରିବେ। ଅନେକ ସ୍କୁଲ ଭଲ ଶିକ୍ଷାଦାନ କରୁଥିଲେ ମଧ୍ୟ ବିଭିନ୍ନ କାରଣରୁ ସ୍ୱୀକୃତି ପାଉନଥିଲେ। ଯଦ୍ୱାରା କି ଛାତ୍ର ଛାତ୍ରୀ ଓ ଅଭିଭାବକ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖେଇବା ପାଇଁ ଶିକ୍ଷା ଅଧିକାରୀଙ୍କ ଦସ୍ତଖସ୍ତ ପାଇଁ ହଇରାଣ ହେଉ ଥିଲେ। ଏବେ ଏହାର ପୂର୍ଣ୍ଣଛେଦ ପଡିଛି।

ଏହି ନିର୍ଦ୍ଦେଶନାମକୁ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସ୍ୱାଗତ କରିଛନ୍ତି। ଯେହେତୁ ବିଭିନ୍ନ ସମସ୍ୟା ନେଇ ଘରୋଇ ସ୍କୁଲ ସ୍ୱୀକୃତି ପାଇ ପାରିନାହାନ୍ତି କିମ୍ବା ଆବେଦନ କରି ବିଚରାଧୀନ ରହିଛି ସେହି ସ୍କୁଲର ପିଲାମାନେ ତାଙ୍କର ମେଧାତ୍ୱ ଥାଇ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଆଡ଼ମିସନ କରିପାରୁନଥିଲେ। ସାରା ରାଜ୍ୟରୁ ବହୁତ ଅଭିଭାବକ ଯୋଗାଯୋଗ କରିବାପରେ ମହାସଂଘ ଏହାକୁ ସରକାରଙ୍କ ନଜରକୁ ଆଣିଥିଲେ।

ଗଣଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଏହି ସମସ୍ୟାର ସମାଧାନ କରିଛନ୍ତି। ଏହି ଚିଠି ଦ୍ୱାରା ଶହ ଶହ ଅଭିଭାବକ ଏହାର ସୁଯୋଗ ନେଇପାରିବେ। ଏହା ସରକାରଙ୍କ ଓ ଘରୋଇ ସ୍କୁଲର ପ୍ରଶାସନିକ ବିଧିବ୍ୟବସ୍ଥାର ତ୍ରୁଟି, ତେଣୁ ମେଧାବୀ ପିଲାଙ୍କ ଉତ୍ତମ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ନକରିବାକୁ ଗଣଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଜାରି କରିଥିବାରୁ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବମରୁ ଦ୍ୱାଦଶ ନିଃଶୁଳ୍କ ପାଠପଢ଼ା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ବା ଆରଟିଇ ରେ ଅନୁଚ୍ଛେଦ ୧୨ (୧) ର ଧାରା “ଗ” ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପରେ ନବମରୁ ଦ୍ୱାଦଶ ପଯ୍ୟନ୍ତ ନିଃଶୁଳ୍କ ପାଠପଢ଼ା ପାଇଁ ଓଡିଶା ହାଇକୋର୍ଟ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏକ ନୂଆ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଲୋକସେବା ଭବନରେ ଗଣଶିକ୍ଷା ସଚିବ  ଆଶ୍ବସ୍ତି ଏସ ଙ୍କୁ ଭେଟି ଦାବୀ କରିବା ସହ ଅଫିସିଆଲ ଭାବେ ଦାବୀ ପତ୍ର ଓ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗଣଶିକ୍ଷା ସଚିବ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ କହିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ କି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ ବର୍ତ୍ତମାନ ନର୍ସରୀ ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା କରାଯାଉଛି। ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ। ବାଧ୍ୟ ହୋଇ ସେମାନେ ପାଠ ଛାଡ଼ିବେ।

ତେଣୁ ଓଡିଶା ଅଭିଭାବକ ମହାସଂଘ ଏହି ବ୍ୟବସ୍ଥାକୁ ଅନ୍ତତଃ ପକ୍ଷେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବହୁ ଦିନରୁ ଦାବୀ କରି ଆସୁଛି। ସେପଟେ ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହିତ ଅନେକ ରାଜ୍ୟ ମଧ୍ୟ ନିଜସ୍ୱ ଅର୍ଥରେ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି।

ସରକାରଙ୍କୁ ବାରମ୍ବାର ନିବେଦନ ପରେ କାର୍ଯ୍ୟକାରୀ ନହେବାରୁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ମାନ୍ୟବର ହାଇକୋର୍ଟ ଶୁଣାଣି କରି ଗଣଶିକ୍ଷା ସଚିବଙ୍କୁ ଏକ ନୂଆ ଆବେଦନ କରିବେ। ଗଣଶିକ୍ଷା ସଚିବ ଆସନ୍ତା ଜୁନ ମାସ ୧ ତାରିଖ ସୁଦ୍ଧା ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକି ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ। ଓଡିଶା ଅଭିଭାବକ ମହାସଂଘ ମାନ୍ୟବର କୋର୍ଟଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବା ସହ ଯଦି ଠିକ ନିଷ୍ପତି ହୋଇ ନଥିବ ତାହାଲେ ନୂତନ ଭାବେ ଏକ କେସ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ ମହାସଂଘ ଆସନ୍ତା କାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବୀ କରିବାକୁ ସମୟ ନେଇଛନ୍ତି ଓ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧ୍ୟ ଦାବୀ କରିବାକୁ ନିଷ୍ପତି ନେଇଥିବା ମହାସଂଘର ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନକଲି ଘରୋଇ ସ୍କୁଲ ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ଦାବି କଲା ଓଡ଼ିଶା ଅଭିଭାବକ ମହାସଂଘ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରିବା ସହ ଏହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଆଜି ସାମ୍ବାଦିକ ସମ୍ବଳିତ ମାଧ୍ୟମରେ ଓଡ଼ିଶା ଅଭିଭାବକ ମହାସଂଘ ସରକାରଙ୍କୁ ଜଣାଇଛି। ଏହାସହ ରାଜ୍ୟରେ ଚାଲିଥିବା ବେଆଇନ ବେସରକାରୀ ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଥିଲେ ଯେ ନିକଟ ଅତିତରେ ଏକ ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ କମ୍ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ସରକାରୀ ଓ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏହାର ଏକ ରିପୋର୍ଟ ପ୍ରଦାନ କରନ୍ତୁ। ରାଜ୍ୟରେ ପ୍ରାୟ ୧୦ହଜାର ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍ ଦିଆଯାଇ ଗିରଫ କରାଗଲେ ଏଭଳି ବେଆଇନ ସ୍କୁଲ ଚାଲିବ ନାହିଁ। ଜିଲ୍ଲାସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି, ଜିଲ୍ଲାସ୍ତରୀୟ ସ୍କୁଲ କନ୍‌ସଲିଡ଼େସନ କମିଟିକୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଞ୍ଚାୟତରାଜ ଜନ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଗମାନଙ୍କୁ ଦିଆଯାଉ। ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଗଂଜାମ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏଥିରେ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ସ୍ଥଗିତ ରଖିବା, ବେସରାକରୀ ବେଆଇନ ନକଲି ସ୍କୁଲକୁ ବନ୍ଦ କରିବା, ଜିଲ୍ଲାସ୍ତରୀୟ ସ୍କୁଲ ମିଶ୍ରଣ କମିଟିକୁ ସାଂସଦ, ବିଧାୟକ ଓ ନିର୍ବାଚିତ ଲୋକପ୍ରତିନଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିକୁ ନେଇ ଆଲୋଚନା କରିବା ରହିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ବିଷୋୟୀ, ସଂଗଠନ ସଂପାଦକ ସୂର୍ଯ୍ୟନାରାୟଣ ଜେନା, ଜିଲ୍ଲା ଆବାହକ ମଧୁସୂଦନ ସାହୁ, ସହ ଅଧ୍ୟକ୍ଷ ଜି. ରାଜେନ୍ଦ୍ର ପ୍ରସାଦ, ଅଶୋକ କୁମାର ସାହୁ, ପ୍ରଦୀପ ଆଚାର୍ଯ୍ୟ, ନରେଶ କୁମାର ବେହେରା, ଦେବୀପ୍ରସାଦ ପାଢ଼ୀ, ରାମକୃଷ୍ଣ ପଣ୍ଡା, ଗଜେନ୍ଦ୍ର ଚୌଧୁରୀ, ବିନୋଦ ବିହାରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।