Categories
ଆଜିର ଖବର ରାଜ୍ୟ ଖବର

ମଣିପୁର ହିଂସା ପାଇଁ ଓଡ଼ିଶା ନାଗରିକ ସମାଜ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ଶାନ୍ତି ସଦ୍‌ଭାବନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତବର୍ଷ ହେଉଛି ଅହିଂସା, ସଦ୍‌ଭାବନା, ଭାଇଚାରା ଓ ଏକତାରେ ବାନ୍ଧି ହୋଇଥିବା ଦେଶ। ଏହି ଦେଶରେ ସବୁ ଧର୍ମର ସମନ୍ୱୟ ଓ ଏକତ୍ୱ ସମଗ୍ର ବିଶ୍ୱକୁ ଆକର୍ଷିତ କରିଥିଲା ବେଳେ ଗାନ୍ଧୀଙ୍କ ବିଚାର ଠାରୁ ଆମେ ଅନେକ ଦୂରରେ ଅଛୁ ବୋଲି ମଣିପୁର ହିଂସାରୁ ଜଣାପଡ଼େ।

ବିଗତ ୩ ମାସ ଧରି ନିରନ୍ତର ହିଂସା, ବ୍ୟଭିଚାର, ସାମ୍ପ୍ରଦାୟିକତା ମନୋଭାବ ଭାରତବାସୀଙ୍କୁ ଲଜ୍ଜିତ କରିଥିବା ବେଳେ ମଣିପୁରଠାରେ ଜନ ଜୀବନକୁ ନଷ୍ଟଭ୍ରଷ୍ଟ କରିଚାଲିଛି। ଯେପରି ଶରୀରର ଗୋଟିଏ ଅଂଶରେ କ୍ଷତ ହେଲେ ସମଗ୍ର ଶରୀରକୁ ଯନ୍ତ୍ରଣା ଦେଇଥାଏ, ଠିକ୍ ସେହିଭଳି ମଣିପୁର ହିଂସା ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କୁ କଷ୍ଟ ଦେଇଚାଲିଛି।

ଆମ୍ଭେମାନେ ଜଣେ ଜଣେ ଭାରତୀୟ ହିସାବରେ ମଣିପୁରଠାରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଓଡ଼ିଶାର ନାଗରିକ ସମୂହ, ବୁଦ୍ଧିଜୀଜୀ, ଛାତ୍ର ସଂଗଠନ ଓ ବିଭିନ୍ନ ବର୍ଗର ଲୋକମାନଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସାମୂହିକ ପ୍ରାର୍ଥନା ସହ ଦୀପଦାନ କରାଯାଇଥିଲା।

ବିଶିଷ୍ଟ ସ୍ତମ୍ଭକାର, ଭାରତ ନିର୍ବାଚନ ଆୟୋଗର ପୂର୍ବତନ ପରାମର୍ଶଦାତା ଡ. ଭଗବାନ ପ୍ରକାଶ, ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଓ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ. ଅରୁନ୍ଧତୀ ଦେବୀଙ୍କ ନିବେଦନକ୍ରମେ ବହୁ ସଂଖ୍ୟାରେ ନାଗରିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଏହିଭଳି ସଦ୍‌ଭାବନା କାର୍ଯ୍ୟରେ ଭାଗ ନେଇ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ଜଗଦାନନ୍ଦ, ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ରମାଦେବୀ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡ. ସୁଶାନ୍ତ ପଟ୍ଟନାୟକ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂ, ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ସର୍ବଧର୍ମ ପ୍ରାର୍ଥନାକୁ ଶ୍ରୀ ସୋମ ଓ ବିକ୍ରମ ମହାପାତ୍ର ପରିଚାଳନା କରିଥିବା ବେଳେ ଦୀପଦାନ କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ସ୍ୱାଇଁ, ପ୍ରଫେସର ରଘୁନାଥ ମଣ୍ଡଳ, ଇଂ ଦୀପକ ମହାନ୍ତି, ସୂର୍ଯ୍ୟ ସେଠୀ, ସରୋଜ ମାଝୀ, ରାକେଶ ବଳ, ରାଣି ମହାରଣା, ଅରୂପା ଗୌଡ଼, ପୂଜା ଡାକୁଆ ପ୍ରମୁଖ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ। ଶେଷରେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ନାଗରିକ ସମାଜର ଦାବି: ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଉ

ଭୁବନେଶ୍ୱର: ଓଡ଼ିଶା ନାଗରିକ ସମାଜର ୧୨ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଐତିହାସିକ, ଗବେଷକ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

ଓଡ଼ିଶା ନାଗରିକ ସମଜାର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଐତିହାସିକ ପ୍ରଫେସର ନାରାୟଣ ରାଓ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶା ପାଇକ ବିଦ୍ରୋହ ଯେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏ ନେଇ ଅନେକ ଗବେଷଣାତ୍ମକ ତଥ୍ୟ ରହିଛି ଏବଂ ଏହାକୁ ଗବେଷଣା ପରିଷଦରେ ସଠିକ୍ ଭାବରେ ଉପସ୍ଥାପନ କରି ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ଏକବଦ୍ଧ ହୋଇ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଓ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତା ପ୍ରସାଦ ହରିଚନ୍ଦନ ଓଡ଼ିଆ ଜାତିର ବୀରତ୍ୱ ଓ ଐତିହ୍ୟର ସ୍ମୃତି ରୋମନ୍ଥନ କରିଥିଲେ। ଲଢୁଆ ଓଡ଼ିଆ ଜାତି କେବେ ଶୋଇନାହିଁ କି ଶୋଇବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପାଇକ ବିଦ୍ରୋହ ଯେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଗଣବିଦ୍ରୋହ ଏହା ଦୃଢ ଭାବେ କହିଥିଲେ।

ପୂର୍ବତନ ସାଂସଦ ବ୍ରଜକିଶୋର ତ୍ରିପାଠୀ ଓ ଓଡ଼ିଶା ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ସୁଚିନ୍ତିତ ମାର୍ଗ ଦର୍ଶନରେ ଏହି ଦାବୀ ପୂରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକସ୍ଥଳେ ଏହା ଏକ ଆନ୍ଦୋଳନରେ ପରିଣତ କରାଯିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ।

ଏହି ଅବସରରେ ଐତିହାସିକ ପ୍ରଫେସର ନାରାୟଣ ରାଓ, ରିକ୍ସାଚାଳକଙ୍କୁ ସମସ୍ତ ସମ୍ପତ୍ତି ଦାନ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଶ୍ରୀମତୀ ମିନତୀ ପଟ୍ଟନାୟକ ଓ ନାଲ୍‌କୋର ପୂର୍ବତନ ନିର୍ଦ୍ଦେଶକ ଶଶୀଭୂଷଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ଝିଅମାନେ ନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଶା ନାଗରିକ ସମାଜର ଉପସଭାପତି ଡଃ ରୀନା ରାଉତରାୟଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରରମ୍ଭରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିଷ୍ଠାତା ସମ୍ପାଦକ ମଜୋନ ଜେନା ଓଡ଼ିଶା ନାଗରିକ ସମାଜର ଦୀର୍ଘ ବାରବର୍ଷର ଯାତ୍ରା, ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ଲିଲି ଜେନାମଣି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଭକ୍ତଚରଣ ଧନ୍ୟବାଦ ଅର୍ପଣ କରିଥିଲେ। ଅପର୍ଣ୍ଣା ନାୟକ, ଡଃ ଅରୁନ୍ଧତୀ ଦେବୀ, ଆଇନଜୀବୀ ବୀର କିଶୋର ନାୟକ, ଦିଲ୍ଲୀପ ହରିଚନ୍ଦନ, ମାନସ ଜେନା, ସଞ୍ଜୟ ପଟ୍ଟନାୟକ, ପ୍ରମୋଦ ସାମନ୍ତରାୟ, ଜ୍ୟୋତ୍ସ୍ନା ଦାସ, ବାସୁଦେବ ଭଟ୍ଟ ପ୍ରମୁଖଙ୍କ ପରିଚାଳନାରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଓଡ଼ିଶା ନାଗରିକ ସମାଜ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟର କୌଣସିସ୍ତରରେ ଏହାକୁ ଗ୍ରହଣ କରାଯାଉ ନଥିବାରୁ ଓଡ଼ିଶା ନାଗରିକ ସମାଜ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି। ଆବଶ୍ୟକ ହେଲେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବହୁସଂଖ୍ୟକ ପାଇକ ଧାରଣା ଦେବେ।

ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଲୋଚନା କରିବା ପାଇଁ ଓଡ଼ିଶା ନାଗରିକ ସମାଜ ତାର ପ୍ରତିଷ୍ଠା ଦିବସରେ ଏକ ଆଲୋଚନାଚକ୍ରର ଆୟୋଜନ କରିଛି। ଏହି ଆଲୋଚନାଚକ୍ର ଡ଼ିସେମ୍ବର ୧୮ ତାରିଖ ୧୦.୩୦ମିନିଟ୍ ସମୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରସାଦ ରହିଚନ୍ଦନ, ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗ ଦେବେ। ଏହି ଉତ୍ସବରେ କଟକର ବଦାନ୍ୟ ମହିୟସୀ ମହିଳା ମୀନତି ପଟ୍ଟନାୟକ, ଇଞ୍ଜିନିୟର ଶଶୀଭୂଷଣ ନାଏକ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ମନୋଜ ଜେନା ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି।

ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ।

ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହ ଗୋବିନ୍ଦ ସାହୁ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ଶାସନ ସଚିବମାଙ୍କୁ ଝିଅ ଯୋଗାଉଥିଲେ। ଏହାଦ୍ୱାରା ଗୋବିନ୍ଦ ବଡ଼ ବଡ଼ କାର୍ଯ୍ୟ ହାସଲ ସହ ପ୍ରଚୁର ଅର୍ଥ ମଧ୍ୟ କମାଉଥିଲେ। ଗୋବିନ୍ଦର ଏସବୁ କାରବାର ଜାଣିବା ପରେ ମମିତା ଏହାର ପ୍ରତିବାଦ କରି ଗୋବିନ୍ଦ କାରବାରର ପର୍ଦ୍ଦାଫାସ କରିବାକୁ ସୂଚନା ମଧ୍ୟ ଦେଇଥିଲେ।

ଗୋବିନ୍ଦ ଘଟଣାର ଗୁରୁତ୍ୱ ବୁଝି ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏହି ଘଟଣା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନଙ୍କ ସମ୍ପୃକ୍ତି ଅଛି, ତାଙ୍କୁ ଧରି କାରାଦଣ୍ଡ ଦେବାକୁ ନାଗରିକ ସମାଜ ଦାବି କରିଛି। ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ନାଗରିକ ସମାଜ ପ୍ରସ୍ତାବ ରଖିଛି। ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।