ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ

Published: Oct 21, 2021, 9:56 pm IST

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି।

ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ।

ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହ ଗୋବିନ୍ଦ ସାହୁ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ଶାସନ ସଚିବମାଙ୍କୁ ଝିଅ ଯୋଗାଉଥିଲେ। ଏହାଦ୍ୱାରା ଗୋବିନ୍ଦ ବଡ଼ ବଡ଼ କାର୍ଯ୍ୟ ହାସଲ ସହ ପ୍ରଚୁର ଅର୍ଥ ମଧ୍ୟ କମାଉଥିଲେ। ଗୋବିନ୍ଦର ଏସବୁ କାରବାର ଜାଣିବା ପରେ ମମିତା ଏହାର ପ୍ରତିବାଦ କରି ଗୋବିନ୍ଦ କାରବାରର ପର୍ଦ୍ଦାଫାସ କରିବାକୁ ସୂଚନା ମଧ୍ୟ ଦେଇଥିଲେ।

ଗୋବିନ୍ଦ ଘଟଣାର ଗୁରୁତ୍ୱ ବୁଝି ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏହି ଘଟଣା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନଙ୍କ ସମ୍ପୃକ୍ତି ଅଛି, ତାଙ୍କୁ ଧରି କାରାଦଣ୍ଡ ଦେବାକୁ ନାଗରିକ ସମାଜ ଦାବି କରିଛି। ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ନାଗରିକ ସମାଜ ପ୍ରସ୍ତାବ ରଖିଛି। ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Related posts