Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଆକ୍ରମଣ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏହା ଷଡଯନ୍ତ୍ର, ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କଣ୍ଟାବାଞ୍ଜି ବିଧାୟକ ଦାବୀ କରିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି।

ସେହିଭଳି ଏହି ଘଟଣା ପରେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରାଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଯାହାଦ୍ୱାରା ସରକାରୀ ଦଳରେ ଥିବା କିଛି ନେତା ଧରାପଡିଯିବେ ଭାବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ସମସ୍ତ ତଥ୍ୟ ଲୁଚିଯିବ ଏବଂ ଅନ୍ୟ ଅଭିଯୁକ୍ତମାନେ ଏଥିରୁ ମୁକ୍ତି ପାଇଯିବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ତେଣୁ ଏହା ଆତ୍ମହତ୍ୟା ନା ମାରିବାକୁ ବାଧ୍ୟ କରାଯାଇଛି, ଏହାର ତଦନ୍ତ କରାଯିବା ଉଚିତ ବୋଲି ସ୍ମୃତି ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାର ଏକ ବଡ ଖବର ହସ୍ତଗତ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କଣ୍ଟାବାଞ୍ଜି ଜେଲରେ ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା ଖବର ମିଳିବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ରହିଛି।

ତେବେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଋାଷ୍ଟ୍ରୀୟ ମହିଳା କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି

ଭୁବନେଶ୍ୱର : ଓଡିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ମହିଳା କମିଶନର ରେଖା ଶର୍ମାଙ୍କୁ ଓଡିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି। ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ବିଜେପିର ଏହି ପ୍ରତିନିଧି ଦଳ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମମିତା ହତ୍ୟାକାଣ୍ଡ ଏବଂ ଘଟଣା ପରବର୍ତୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

ମମିତା ମେହେର ହତ୍ୟାକାଣ୍ଡକୁ ରାଷ୍ଟ୍ରୀୟ ମହିଳା କମିଶନ ବହୁ ଗମ୍ଭୀରତାର ସହ ବିଚାର କରିଛନ୍ତି ବୋଲି ବିଜେପି କହିଛି। ଆଜିର ଗସ୍ତ ଅବସରରେ କମିଶନ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଆଲୋଚନା କରିଛନ୍ତି । ମମିତାକୁ ନ୍ୟାୟ ପ୍ରଦାନ ପାଇଁ କମିଶନ ସମସ୍ତ ପ୍ରକାରର ଉଦ୍ୟମ ଜାରୀ ରଖିଛି ବୋଲି ଶ୍ରୀ ଶର୍ମା ବିଜେପି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ମମିତା ହତ୍ୟାକାଣ୍ଡ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ନିହାତି ଆବଶ୍ୟକ ରହିଛି । ତେଣୁ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ କରାଯିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସୁଜିତ୍ କୁମାର ଦାସ୍ ଏବଂ ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏମିତି କଥା

ଭୁବନେଶ୍ୱର : ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି ଓ ବ୍ୟାପକ ହିଂସାକାଣ୍ଡ ଘଟାଇଛି । ଆଜିର ଘଟଣାରେ ଓଡିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୁଲିସ ଆହତ ହୋଇଥିବାବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି । କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ହାତ ଭାଙ୍ଗିଛି । ରକ୍ତମୁଖା ହୋଇ ସେମାନେ ପୁଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡିଯାଇଛି । କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି ।

କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଆଜି ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଯେଉଁ ଫଟୋକୁ ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।

ଆମେ ପୂର୍ବରୁ ବି କହିଥିଲୁ, ଆଜି ବିକ୍ଷୋଭର ନେତୃତ୍ୱ ନେଉଥିବା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧ ପ୍ରବଣ ବ୍ୟକ୍ତି । ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି । ପୂର୍ବରୁ ବରଗଡ଼ବାସୀ ତାଙ୍କର ହିଂସାତ୍ମକ ଆଚରଣର ଝଲକ ଦେଖିଥିଲେ । ପୁରୀରେ ମଧ୍ୟ ଅନେକ ବାର ଗୁଣ୍ଡା ଗର୍ଦ୍ଦି କରିଥିବାରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଆଜି ରାଜଧାନୀର ରାଜରାସ୍ତାରେ ପୂରା ଓଡ଼ିଶା ତାଙ୍କ ହିଂସାର ତାଣ୍ଡବ ଦେଖିଲା । ଶାନ୍ତିପ୍ରିୟ ଓଡ଼ିଶାବାସୀ କେବେ ବି ଏଭଳି ହିଂସାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ ଦେବେ । ବିଜେପି ଶୀର୍ଷ ନେତାମାନେ ମଧ୍ୟ ଏଭଳି ଚରିତ୍ରର ବ୍ୟକ୍ତିକୁ ଦଳରେ ପ୍ରଶ୍ରୟ ଦିଅନ୍ତୁ ନାହିଁ । ନ ହେଲେ ଓଡ଼ିଶାବାସୀ ସେମାନଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପିଏମଜି ଛକ ପାଲଟିଲା ରଣକ୍ଷେତ୍ର, ବିଜେପି ଯୁବାମୋର୍ଚ୍ଚା ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଲାଠିଚାର୍ଜ

ଭୁବନେଶ୍ବର: ଆଜି ଭୁବନେଶ୍ବରର ପିଏମଜି ଛକ ପାଲଟିଛି ରଣ କ୍ଷେତ୍ର। ବିଜେପି ଯୁବାମୋର୍ଚ୍ଚା କର୍ମିମାନେ ଆଜି ବିଧାନସଭା ଘେରାଉ କରିଥିଲେ। ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ସେମାନେ ଏକ ବଡ ରାଲି କରି ବିଧାନସଭା ଆଡକୁ ମାଡି ଚାଲିଥିଲେ। ପିଏମଜି ପାଖରେ ପୋଲିସ ସେମାନଙ୍କୁ ଅଟକାଇଥିଲା।

ଏହି ସମୟରେ ପୋଲିସ ଏବଂ ମୋର୍ଚ୍ଚା କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏଥିରେ ପୋଲିସ କର୍ମି ଆହତ ହୋଇଥିବାର ସୂଚନା ମିଳିଛି। କର୍ମିମାନେ ବିଶୃଙ୍ଖଳା ବୃଦ୍ଧି ପାଇବା ଦେଖି ପୋଲିସ ଲାଠି ଚାର୍ଜ କରିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବିଧାନସଭା ଭିତରେ ପଶିଗଲେ ଜଣେ ପୂଜାରୀ, ସୁରକ୍ଷା କର୍ମି ହେଲେ ବାଉଳା

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ ବିଧାନସଭା ଗୃହ ଭିତରକୁ ଜଣେ ବ୍ରାହ୍ମଣ ପଶିଗଲେ। ସୁରକ୍ଷା କର୍ମି ଟିକିଏ ହଡବଡେଇ ଗଲେ। କାରଣ ହଠାତ୍ ସେମାନେ ଏହି ବ୍ରାହ୍ମଣଙ୍କୁ ଚିହ୍ନିପାରିଲେ ନାହିଁ। କିଛି ମୁର୍ହୁତ ପରେ ଜାଣିଲେ ଯେ ସେ ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଆଜି କଂଗ୍ରେସ ବିଧାୟକ ଏକ ଅଭିନବ ଢଙ୍ଗରେ ବିଧାନସଭାରେ ପ୍ରତିବାଦ କରିବାକୁ ଆସିଥିଲେ। ସେ ବ୍ରାହ୍ମଣ ବା ପୂଜାରୀ ବେଶଧାରଣ କରି ବିଧାନସଭାରେ ପ୍ରବେଶ କରିଥିଲେ। ତାଙ୍କର ସହିକ କଥା ହେଲା ଯେ, ଏହି ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ତେଣୁ ତାହାକୁ ପୂଜାପାଠ କରି ପବିତ୍ର କରାଯିବ। ସେଥିପାଇଁ ସେ ପୂଜା କରିବା ପାଇଁ ଆସିଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟକୁ ଉଠି ଆସି ମମିତା ମେହେରଙ୍କ ନ୍ୟାୟ ଦାବୀ କରିଥିଲେ। ପୂଜକ ବେଶରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଗୃହରେ ପୂଜାର୍ଚ୍ଚନା କରିବା ସହ ତୁଳସୀ, ଗୋମୂତ୍ର, ଗଙ୍ଗାଜଳ ଛିଞ୍ଚିଥିଲେ।

ସେହିପରି ବିଧାୟକ ମହମ୍ମଦ ମୋକ୍କିମ ନମାଜ ପଢିଥିବା ବେଳେ ବିଧାୟକ ଏସ ରାଜନ ଏକ୍କା ବାଇବେଲ ଗ୍ରନ୍ଥ ପାଠ କରିଥିଲେ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶିଖ ଧର୍ମ ଗ୍ରନ୍ଥ ପାଠ କରିଥିଲେ। ଅନ୍ୟ ବିଧାୟକ ମାନେ ଘଣ୍ଟ ବଜେଇ ଓ ପ୍ଲା କାର୍ଡ ପ୍ରଦର୍ଶନ କରି ଅଭିନବ ଉପାୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହରେ ପ୍ରତିବାଦ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିନିଦିନ ଧରି ଚାଲିପାରୁ ନାହିଁ ବିଧାନସଭା, ଆଜି ମଧ୍ୟ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ତିନିଦିନ ଧରି ବିଧାନସଭାର ଶୀତକାଳିନ ଅଧିବେସନ ଠିକରେ ଚାଲିପାରୁ ନାହିଁ। ବିରୋଧୀ ଦଳ ବାରମ୍ବାର ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଗୃହରେ ହଟ୍ଟଗୋଳ କରୁଛନ୍ତି। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି।

ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି 11ଟା 30 ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେହିପରି ହଟ୍ଟଗୋଳ ବଜାଇ ରହିଲା। ଫଳରେ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

Categories
ଆଞ୍ଚଳିକ

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ବାଲୁଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି ଯୁବ ମୋର୍ଚ୍ଚା

ସୀତାରାମ ଅଗ୍ରୱାଲ

ଚିଲିକା: କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ପ୍ରଦାନ ଦାବି ନେଇ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଘେରାଉ କରିଛି ଭାରତୀୟ ଜନତା ପାର୍ଟି। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ କୂଶପୁତ୍ତଳିକା ଦାହ କରିଛି ବିଜେପି। ବିଜେପି ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଚରଣ ପଲାଇଙ୍କ ନେତୃତ୍ୱରେ ବାଲୁଗାଁ ଗାନ୍ଧୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବାଲୁଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବାସହ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରାଯାଇଛି। ମମିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକଙ୍କୁ ଦାବିପତ୍ର ଦିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠି, ସାଧାରଣ ସମ୍ପାଦକ ଅଜୟ ତରାଇ, ଲକ୍ଷ୍ମୀକାନ୍ତ ବେହେରା, ପ୍ରଶାନ୍ତ ପ୍ରଧାନ, ରତିକାନ୍ତ ତ୍ରିପାଠୀ, ପ୍ରଶାନ୍ତ ବେହେରା, ବବି ତରାଇ, ବୁଲାରାମ ପ୍ରଧାନ ଏବଂ ବରିଷ୍ଠ ନେତା ଲୋଚନ ମହାରଣା, ଯୁବ ନେତା ବାପୁନି ପ୍ରଧାନ ଏବଂ କେଦାର ମାଝୀଙ୍କ ସମେତ ବହୂ ବିଜେପି ଯୁବମୋର୍ଚ୍ଚା କର୍ମୀ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗୋବିନ୍ଦଙ୍କ ଅଟକ ନେଇ ଦୁଇ ଜିଲ୍ଲାର ପୋଲିସ୍ ଏସ୍‌ପି,ରାଜ୍ୟ ପୋଲିସ୍ ମୁଖ୍ୟ ଅବଗତ ଥିଲେ; କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ୍ ଅଫିସରଙ୍କ ସଲାସୁତରାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ଘଟଣା ଘଟିବାର ପ୍ରଥମ ଦିନରୁହିଁ ପୋଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ଦେଖାଯାଉଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶିକ୍ଷୟିତ୍ରୀ ମମିତା ନିଖୋଜ ହେବା ପରଠାରୁ ପୋଲିସ୍ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଆଧାରରେ କେ ନୂଆଗାଁ ଏବଂ ସିନ୍ଧେକାଲା ପୋଲିସ୍ ଯେଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ସ୍ଥଳେ ଏତଲା ଦାୟର ସମୟରେ ପୋଲିସ ସର୍କୁଲାର ଅର୍ଡର ୩୪୩ / ୨୦୧୩କୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଛି । ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ ସଂପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ରାଜ୍ୟର ଯେକୌଣସି ଥାନାରେ ଅଭିଯୋଗ କରିପାରିବେ ଏବଂ ସଂପୃକ୍ତ ଥାନାଅଧିକାରୀ ଉକ୍ତ ଏତଲାକୁ ପଞ୍ଜିକରଣ କରିବା ସହିତ ଯେଉଁ ଥାନା ଅଂଚଳରେ ଘଟଣା ଘଟିଛି ସେହି ଥାନାକୁ ସ୍ଥାନାନ୍ତର କରିବେ ।

ଏହି ଘଟଣାରେ ସଂପୃକ୍ତ ଦୁଇଥାନା ଏହି ପରିବାରର ମୌଖିକ ସୂଚନାକୁ ଆମ ଥାନା ଅଂଚଳର ନୁହେଁ କହି ଏଡ଼ାଇ ଦେଇଥିଲେ । ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ୧୩ ତାରିଖରେ ଏଫଆଇଆର ପଂଜିକରଣ ପରେ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପୋଲିସ୍ ଅଟକ ରଖିଥିଲା । ଲିଡିଂ ଟୁ ଡିସ୍କଭରି କୁ ଆଭଏଡ କରିବା ଅର୍ଥାତ ଅପରାଧିକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗଦେବା ଅର୍ଥାତ ଅପରାଧିକୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା କରି ପୋଲିସ ୧୭ ତାରିଖରେ ଗୋବିନ୍ଦ ଖସିଯିବାର ନାଟକ ରଚିଥିଲା ଏବଂ ୧୯ ତାରିଖରେ ମମିତାଙ୍କ ମୃତଦେହ ମିଳିବାପରେ ପୁଣିଥରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଆରେଷ୍ଟ କରିଥିଲା ।

ଏହି ସମସ୍ତ ଘଟଣା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ପୋଲିସ୍ ମୁଖ୍ୟ ଏବଂ ଡିଆଇଜି (ତଦନ୍ତକାରୀ ଅଫିସର) ଏବଂ ଦୁଇ ଜିଲ୍ଲାର ଏସ୍‌ପି ଅପରାଧି ମୁହଁରେ ଯେଭଳି ଗୃହମନ୍ତ୍ରୀଙ୍କ ସଂପୃକ୍ତିର ବୟାନ ନଆସେ ସେଥିପାଇଁ ଏଭଳି ଖସେଇବାର ନାଟକ କରିଛନ୍ତି ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ତଦନ୍ତର ସ୍ୱଚ୍ଛତା ପାଇଁ ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସାମନାକୁ ଆସି ତାଙ୍କ କ୍ୟାବିନେଟ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଶୁଭ୍ରଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମମିତା ମେହେରଙ୍କ ମା’ ତୁଲସୀ ମେହେର ଗୁରୁତର ଅସୁସ୍ଥ: ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର

ଭୁବନେଶ୍ବର: ମମିତା ମେହେରଙ୍କ ମା’ ତୁଲସୀ ମେହେର ଗୁରୁତର ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି। ତୁଲସୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାରମ୍ବାର ଅଚେତ ହୋଇପଡୁଥିବା ଶୁଣିବାକୁ ମିଳିଛି। ତେବେ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ତୁଲସୀଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଉଥିବା ସୂଚନା ମିଳିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ମମିତାଙ୍କ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ବିରୋଧୀ ଦଳ ସକ୍ରିୟ ହୋଇପଡିଥିବା ବେଳେ ସରକାର ବିରୋଧରେ ଆନ୍ଦୋଳନ କରୁଛି। ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଦଳ କ୍ରମାଗତ ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆଇନଗତ ତଦନ୍ତ କରିବା ସହ ତାଙ୍କୁ ମନ୍ତ୍ରୀ ପଦବୀରୁ ବହିସ୍କାର ପାଇଁ ଦାବି କରୁଛନ୍ତି। ଗତକାଲି ବିଜେପିର ଏକ ମହିଳା ଦଳ ମମିତାଙ୍କ ଘରକୁ ଯାଇ ପରିବାର ଲୋକ ସହ ସାକ୍ଷାତ କରିଥିଲେ। ସେହିଭଳି କଂଗ୍ରେସ ମଧ୍ୟ ଆଜି ନବୀନ ନିବାସ ଆଗରେ ବିକ୍ଷୋଭ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟଶଙ୍କରଙ୍କ ପାଇଁ ଗୋବିନ୍ଦଙ୍କ ଅନୁଷ୍ଠାନକୁ ମିଳୁଥିଲା କୋଟି କୋଟି ଟଙ୍କାର ସରକାରୀ ସହାୟତା; କଂଗ୍ରେସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି। ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ।

୨୦୧୩ ମସିହାରେ +୨ ପରିକ୍ଷାରେ କେମେଷ୍ଟ୍ରି ପେପରର ପ୍ରଶ୍ନପତ୍ର ଲିକ୍‌ରେ କେନ୍ଦ୍ରସ୍ଥଳ ଥିଲା। ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି। ଗୋଟି ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ। ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି।

ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ।

ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହ ଗୋବିନ୍ଦ ସାହୁ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ଶାସନ ସଚିବମାଙ୍କୁ ଝିଅ ଯୋଗାଉଥିଲେ। ଏହାଦ୍ୱାରା ଗୋବିନ୍ଦ ବଡ଼ ବଡ଼ କାର୍ଯ୍ୟ ହାସଲ ସହ ପ୍ରଚୁର ଅର୍ଥ ମଧ୍ୟ କମାଉଥିଲେ। ଗୋବିନ୍ଦର ଏସବୁ କାରବାର ଜାଣିବା ପରେ ମମିତା ଏହାର ପ୍ରତିବାଦ କରି ଗୋବିନ୍ଦ କାରବାରର ପର୍ଦ୍ଦାଫାସ କରିବାକୁ ସୂଚନା ମଧ୍ୟ ଦେଇଥିଲେ।

ଗୋବିନ୍ଦ ଘଟଣାର ଗୁରୁତ୍ୱ ବୁଝି ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏହି ଘଟଣା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନଙ୍କ ସମ୍ପୃକ୍ତି ଅଛି, ତାଙ୍କୁ ଧରି କାରାଦଣ୍ଡ ଦେବାକୁ ନାଗରିକ ସମାଜ ଦାବି କରିଛି। ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ନାଗରିକ ସମାଜ ପ୍ରସ୍ତାବ ରଖିଛି। ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘଟଣାକୁ କେମିତି ପରିଚାଳନା କରିବେ ବିଜେଡି କ୍ୟାପେଟନ ?

ଭୁବନେଶ୍ବର: ବର୍ତ୍ତମାନ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଶୁଭୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ଯେପରି ଏହି ଘଟଣାକୁ ମାଡି ବସିଛନ୍ତି ତାହା ବର୍ତ୍ତମାନ ବିଜେଡିକୁ ଅଡୁଆ ସୃଷ୍ଟି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦେବା ପାଇଁ ଉଭୟ ଦଳ ରାଜ୍ୟପାଳକୁ ସାକ୍ଷାତ କରିସାରିଲେଣି।

ସେହିପରି ଏହି ଘଟଣାରେ ଜାତୀୟ ମହିଳା କମିଶନର, ମାନବିକ ଅଧିକାର କମିଶନର ପରି ଅନୁଷ୍ଠାନର ଦ୍ବାରସ୍ଥ ହେଲେଣି ବିରୋଧୀ। ଏ ନେଇ ଉଭୟ ଦଳ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଚାପ ପ୍ରୟୋଗ କଲେଣି। ଫଳରେ ଏପରି ପରିସ୍ଥିତିକୁ କିପରି ବିଜେଡିର ମଙ୍ଗୁଆଳମାନେ ମ୍ୟାନେଜ କରିବେ ତାହା ଉପରେ ସମସ୍ତଙ୍କର ନଜର।

ଅନ୍ୟପକ୍ଷରେ ସନସାଇନ କଲେଜ ଏବଂ ଏହାର ମାଲିକ ସହିତ ମନ୍ତ୍ରୀଙ୍କର ଯେଉଁ ସଂପର୍କ ରହିଛି ତାହାକୁ ମଧ୍ୟ ବିରୋଧୀ ଖୋଲାସା କରିବାରେ ଲାଗିଛନ୍ତି। ଦିନକୁ ଦିନ କ୍ୟାପେଟନ ଦିବ୍ୟଶଙ୍କର ଉପରେ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡିବାରେ ଲାଗିଛନ୍ତି ବିରୋେଧୀ। ମନ୍ତ୍ରୀ ସେହି କଲେଜର ଗେଷ୍ଟ ହାଉସକୁ କାହିଁକି ବାରମ୍ବାର ଯାଉଥିଲେ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଜେଡିର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।

ଏହିପରି ପରିସ୍ଥିତିକୁ ବିଜେଡି ତଥା ଏହାର ସୁପ୍ରିମ ନବୀନ ପଟ୍ଟନାୟକ କିପରି ପରିଚାଳନା କରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ନବୀନ ଏପରି କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ଦୃଷ୍ଟାନ୍ତ ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ତତକାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ। ବହୁ ତୁମ୍ବି ତୋଫାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଧ୍ୟ ନବୀନ ଦଳରୁ ନିଳମ୍ବିତ କରିଦେଲେ। ଅବଶ୍ୟ ତାହା କୌଣସି ମହିଳା ଅତ୍ୟାଚାର ଘଟଣା ନ ଥିଲା। ହେଲେ ମଧ୍ୟ ନବୀନ କଠୋର ପଦକ୍ଷେପ ନେବାକୁ ପଛାଇ ନ ଥିଲେ। ଜଣେ ବିଜେପି କର୍ମିଙ୍କୁ ମାଡମାରିବା ଘଟଣାରେ ତାଙ୍କୁ ଦଳରୁ ନିଳମ୍ବିତ କରିଦେଲେ ନବୀନ।

ହେଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘଟଣା ତାହାଠାରୁ ଆହୁରି ବଳିଯାଇଛି। ଉଭୟ ବିରୋଧୀ ଦଳ ଏକାଠି ହୋଇ ଇସ୍ତଫା ଦାବୀ କରିବାରେ ଲାଗିଛନ୍ତି। ଏପରିକି କେତେକ ଅନୁଷ୍ଠାନ ମଧ୍ୟ ମନ୍ତ୍ରୀଙ୍କ ବହିସ୍କାର ନେଇ ତୁମ୍ବିତୋଫାନ କରିବାରେ ଲାଗିଛନ୍ତି। ଦିନକୁ ଦିନ ଘଟଣାଟି ବଢୁଥିବାରୁ ବିଜେଡି ସୁପ୍ରିମୋ କଣ କରିବେ ସେ ନେଇ ସମସ୍ତଙ୍କ ନଜର ନବୀନ ନିବାସ ଉପରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ବର୍ଗର ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ଏବଂ ମହିଳା ନିର୍ଯ୍ୟତନା ବୃଦ୍ଧି ଘଟଣାରେ ରାଜ୍ୟପାଳଙ୍କୁ ଭେଟିଛି ରାଜ୍ୟ ବିଜେପି। ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଛି ବୋଲି ଦଳ କହିଛି। ଏଭଳି ଏକ କୁତ୍ସିତ ଓ ଲଜ୍ଜାଜନକ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସର୍ବପ୍ରଥମେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହିତ ଗିରଫ କରାଯିବା ନିହାତି ଆବଶ୍ୟକ ବୋଲି ଦଳ ଦାବୀ କରିଛି।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ଏହି ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ବୁଧନ ମୁର୍ମୁ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଉକ୍ତ ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତି ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି ।

ଏ ସଂପର୍କରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶରେ ପିସିସି ପକ୍ଷରୁ ପିସିସି ଉପସଭାପତି ତଥା କଂଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଠାରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏବଂ ପ୍ରଶାସନର ଚାପ ଏଡାଇବା ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦଳ ଦାବି କରିଛି ।

ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲେ ପୀଡ଼ିତା ପରିବାର ନ୍ୟାୟ ପାଇପାରିବେ ବୋଲି ମାନ୍ୟବ ର ରାଜ୍ୟପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରତିନିଧି ଦଳ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ଏହି କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପଂଚାନନ କାନୁନଗୋ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ସତ୍ୟ ପ୍ରକାଶ ନାୟକ, ୟାସିର ନୱାଜ, ଦୀପକ କୁମାର ମହାପାତ୍ର ଓ ପ୍ରତିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ଜିଲ୍ଲାସାରା ବିକ୍ଷୋଭ, ଭାଜପାର କଳାହାଣ୍ଡି ବନ୍ଦ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି। ସମଗ୍ର କଳାହାଣ୍ଡି ଜିଲ୍ଲା ସାରା ଏହି ସମ୍ବେଦନଶୀଳ ଘଟଣା କୁ ନିନ୍ଦା କରାଯାଇଛି। ମୂଖ୍ୟ ଅଭିଯୁକ୍ତ ସନସାଇନ ପବ୍ଲିକ ସ୍କୁଲର ମାଲିକ ନିଜେ ମମିତା ମେହେରଙ୍କୁ ମାରି କଲେଜ ପରିସର ଷ୍ଟିୟମ ରେ ପୋତିଦେଇ ଥିବା ବଲାଙ୍ଗୀର ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣାପଡିଛି। ଅଭିଯୁକ୍ତ ଗୋବିନ୍ଦ ସାହୁ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସହେଯାଗୀ ଥିଲେ ଏବଂ ସେହି ସାହସରେ ଏଭଲି ନାରକୀୟ କାଣ୍ଡ ଘଟାଇଥିବା ଆଲୋଚନା ହେଉଛି। ସେହିପରି ମହାଲିଙ୍ଗ ସ୍ଥିତ କଲେଜ ପରିସର ମଧ୍ୟରେ ଅନୈତିକ କାର୍ଯ୍ୟ ଚାଲିଥିବା ଏପରିକି ଶାରିରୀକ ନିର୍ଯ୍ୟାତନା କାରବାର ଏପରିକି ସେକ୍ସ ରେକେଟ ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି।

ଏହି ଘଟଣାରେ ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ଖେଲିଯାଇଥିବା ବେଳେ ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି। ମମିତା ମେହେରଙ୍କ ନ୍ୟାୟ ପ୍ରଦାନ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର, ମମିତା ମିଷ୍ଟ୍ରୀ ଘଟଣାର ସିବିଆଇ ତଦନ୍ତ ଆଦି ବିଭିନ୍ନ ଦାବୀ ନେଇ ଜିଲ୍ଲାର ଗୋଲାମୁଣ୍ଡା ମୂଖ୍ୟ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରାଯାଇଛି। ସେହିପରି ଜୁନାଗଡ ସହର ମଧ୍ୟରେ ଏବିଭିପି, କଂଗ୍ରେସ ପକ୍ଷରୁ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କ ସଂପୃକ୍ତିଥିବା ନେଇ କୁଶପୁତଲିକା ଦାହ କରାଯିବା ସହିତ ଭାଜପା ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀଙ୍କ ଘର ଉପରେ ମହିଳାମୋର୍ଚ୍ଚା ପକ୍ଷରୁ ଅଣ୍ଡା ମାଡ କରାଯାଇଥିବା ଜଣାପଡିଛି। ନର୍ଲା ବିଜେପି ପକ୍ଷରୁ ନର୍ଲା ଠାରେ, ଭବାନୀପାଟଣା ବିଜେପି ପକ୍ଷରୁ ଭବାନୀପାଟଣା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ଦାବୀ କରାଯାଇଛି।

ଗୋଲାମୁଣ୍ଡା କେଗାଁ ଥାନା ଅଧିନସ୍ଥ ମହାଲିଙ୍ଗ କଲେଜ ତଥା ସନସାଇନ ପବ୍ଲିକ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସାମିଲ ହେଉଥିବା ବେଳେ ସେଠାରେ ଅନେକ ପାଣ୍ଠି ବିନିଯୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଷ୍ଟାଡିୟମ ନିର୍ମାଣ ରେ ଗୋବିନ୍ଦ ସାହୁ ହିଁ ଦାୟୀତ୍ୱ ନେଇଥିବା ବେଳେ ସେହି ସେହି ପରିସରରେ ମମିତାଙ୍କ ଶରୀରର ଅଂଶ ବିଶେଷ ମିଳିବା ନିଶ୍ଚିତ ଭାବେ ପୂର୍ବ ପରିକଳ୍ପିତ ଏବଂ ସୁଚିନ୍ତିତ ଯୋଜନା ହୋଇଥାଇପାରେ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି।

ଏହି ଘଟଣାରେ ମନ୍ତ୍ରୀ ସିଧାସଳଖ ସଂପୃକ୍ତଥିବା ବିରୋଧି ଦାବୀ କରୁଥିବା ବେଳେ ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଅନ୍ୟପକ୍ଷରେ ବିଜେଡି ସରକାରଙ୍କ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ସେହି କଲେଜକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯାଇଥିବା କୁହାଯାଉଛି।

ମମିତାଙ୍କୁ ସୁଚିନ୍ତିତ ଉପାୟରେ ହତ୍ୟା କରିଥିବା ସ୍ୱୀକାର କରୁଥିଲେ ହେଁ ଗୋବିନ୍ଦ ସାହୁଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଏଭଲି ଜଘନ୍ୟ କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି।