ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘଟଣାକୁ କେମିତି ପରିଚାଳନା କରିବେ ବିଜେଡି କ୍ୟାପେଟନ ?

Published: Oct 21, 2021, 1:56 pm IST

ଭୁବନେଶ୍ବର: ବର୍ତ୍ତମାନ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଶୁଭୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ଯେପରି ଏହି ଘଟଣାକୁ ମାଡି ବସିଛନ୍ତି ତାହା ବର୍ତ୍ତମାନ ବିଜେଡିକୁ ଅଡୁଆ ସୃଷ୍ଟି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦେବା ପାଇଁ ଉଭୟ ଦଳ ରାଜ୍ୟପାଳକୁ ସାକ୍ଷାତ କରିସାରିଲେଣି।

ସେହିପରି ଏହି ଘଟଣାରେ ଜାତୀୟ ମହିଳା କମିଶନର, ମାନବିକ ଅଧିକାର କମିଶନର ପରି ଅନୁଷ୍ଠାନର ଦ୍ବାରସ୍ଥ ହେଲେଣି ବିରୋଧୀ। ଏ ନେଇ ଉଭୟ ଦଳ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଚାପ ପ୍ରୟୋଗ କଲେଣି। ଫଳରେ ଏପରି ପରିସ୍ଥିତିକୁ କିପରି ବିଜେଡିର ମଙ୍ଗୁଆଳମାନେ ମ୍ୟାନେଜ କରିବେ ତାହା ଉପରେ ସମସ୍ତଙ୍କର ନଜର।

ଅନ୍ୟପକ୍ଷରେ ସନସାଇନ କଲେଜ ଏବଂ ଏହାର ମାଲିକ ସହିତ ମନ୍ତ୍ରୀଙ୍କର ଯେଉଁ ସଂପର୍କ ରହିଛି ତାହାକୁ ମଧ୍ୟ ବିରୋଧୀ ଖୋଲାସା କରିବାରେ ଲାଗିଛନ୍ତି। ଦିନକୁ ଦିନ କ୍ୟାପେଟନ ଦିବ୍ୟଶଙ୍କର ଉପରେ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡିବାରେ ଲାଗିଛନ୍ତି ବିରୋେଧୀ। ମନ୍ତ୍ରୀ ସେହି କଲେଜର ଗେଷ୍ଟ ହାଉସକୁ କାହିଁକି ବାରମ୍ବାର ଯାଉଥିଲେ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଜେଡିର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।

ଏହିପରି ପରିସ୍ଥିତିକୁ ବିଜେଡି ତଥା ଏହାର ସୁପ୍ରିମ ନବୀନ ପଟ୍ଟନାୟକ କିପରି ପରିଚାଳନା କରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ନବୀନ ଏପରି କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ଦୃଷ୍ଟାନ୍ତ ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ତତକାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ। ବହୁ ତୁମ୍ବି ତୋଫାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଧ୍ୟ ନବୀନ ଦଳରୁ ନିଳମ୍ବିତ କରିଦେଲେ। ଅବଶ୍ୟ ତାହା କୌଣସି ମହିଳା ଅତ୍ୟାଚାର ଘଟଣା ନ ଥିଲା। ହେଲେ ମଧ୍ୟ ନବୀନ କଠୋର ପଦକ୍ଷେପ ନେବାକୁ ପଛାଇ ନ ଥିଲେ। ଜଣେ ବିଜେପି କର୍ମିଙ୍କୁ ମାଡମାରିବା ଘଟଣାରେ ତାଙ୍କୁ ଦଳରୁ ନିଳମ୍ବିତ କରିଦେଲେ ନବୀନ।

ହେଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘଟଣା ତାହାଠାରୁ ଆହୁରି ବଳିଯାଇଛି। ଉଭୟ ବିରୋଧୀ ଦଳ ଏକାଠି ହୋଇ ଇସ୍ତଫା ଦାବୀ କରିବାରେ ଲାଗିଛନ୍ତି। ଏପରିକି କେତେକ ଅନୁଷ୍ଠାନ ମଧ୍ୟ ମନ୍ତ୍ରୀଙ୍କ ବହିସ୍କାର ନେଇ ତୁମ୍ବିତୋଫାନ କରିବାରେ ଲାଗିଛନ୍ତି। ଦିନକୁ ଦିନ ଘଟଣାଟି ବଢୁଥିବାରୁ ବିଜେଡି ସୁପ୍ରିମୋ କଣ କରିବେ ସେ ନେଇ ସମସ୍ତଙ୍କ ନଜର ନବୀନ ନିବାସ ଉପରେ ରହିଛି।

Related posts