Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ! ଏବେ ବିରୋଧୀ ଭଲ ଭାବେ ଜାଣିଲେ

ଭୁବନେଶ୍ବର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ନେଇ ସାରା ଓଡିଶା ପଡିଲା ଉଠିଲା। ବିରୋଧୀମାନେ ରାଜରାସ୍ତା ଉପରେ ବିକ୍ଷୋଭ କଲେ। ବିଧାନସଭା ଘେରାଉ କଲେ। ବ୍ଲକ ସ୍ତରରେ ପ୍ରତିବାଦ କଲେ। ବିଭିନ୍ନ ମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଲେ। ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଦିବ୍ୟଶଙ୍କର ମିଶ୍ରଙ୍କ କିପରି ହତ୍ୟାକାଣ୍ଡରେ ସଂପର୍କ ରହିଛି ତାହାର ଗଣ୍ଡଗଣ୍ଡା ପ୍ରମାଣ ଦେଲେ। କହିବାକୁ ଗଲେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ବେଶ ତୁମ୍ବି ତୋଫାନ କଲେ।

ସାରା ଓଡିଶାରେ ଦିବ୍ୟଶଙ୍କର ଇସ୍ତଫା ଜୋର ଧରିଥିଲେ ମଧ୍ୟ ସେ ଇସ୍ତଫା ଦେଲେ ନାହିଁ। ଓଲଟି ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ। କହିଲେ ତମ ପାଖରେ ଯଦି ପ୍ରମାଣ ଅଛି ତେବେ କୋର୍ଟରେ ଦିଅ। ଗଦାଗଦା ପ୍ରମାଣ ଅଛି ବୋଲି କହୁଥିବା ବିରୋଧୀ ନେତାମାନେ କୋର୍ଟ ଗଲେ ନାହିଁ । ହେଲେ ବିରୋଧ ଜାରୀ ରଖିଲେ। ଏତେ ସବୁ ପରେ ଦିବ୍ୟଶଙ୍କର ଇସ୍ତଫା ନ ଦେବାର କାରଣ ସେମାନେ ଖୋଜିବାକୁ ଲାଗିଲେ।

ସେମାନେ ସ୍ପଷ୍ଟ ଭାବେ ପ୍ରମାଣ ପାଇଲେ ଯେ, ବିଜେଡି ଦିବ୍ୟଶଙ୍କରଙ୍କ ଇସ୍ତଫା ନ ଦିଆଇ ତାଙ୍କ ପଛରେ ସେମାନଙ୍କୁ ଲଗାଇଲା। ବିରୋଧୀମାନେ ଦିବ୍ୟଶଙ୍କର ଇସ୍ତଫା ପଛରେ ଧାଇଁଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ବୁଲି ପଞ୍ଚାୟତ ନିର୍ବାଚନ ପ୍ରଚାର ସାରି ଦେଲେ। ବିରୋଧୀ ପ୍ରକୃତ କଥା ଜାଣିବା ବେଳକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ପ୍ରଚାର ଶେଷ କଲେ। ସେହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡକୁ ବିରୋଧ କରିବା ପାଇଁ ବିରୋଧୀଙ୍କୁ ଆଉ ସମୟ ମିଳିଲା ନାହିଁ। ବିଜେଡି ଜାଣିଶୁଣି ବିରୋଧୀଙ୍କୁ ଦିବ୍ୟଶଙ୍କର ପଛରେ ଲଗାଇ ସେପଟେ ଭୋଟ ସାଉଁଟିବାରେ ଲାଗିଲା।

ଯଦି ବିରୋଧୀଙ୍କ ଚାପରେ ବିଜେଡି ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବା ପାଇଁ କହିଥାଆନ୍ତେ ତେବେ ବିରୋଧୀଙ୍କ ନାଟ ଶେଷ ହୋଇଯାଇ ଥାଆନ୍ତା। ସେମାନଙ୍କ ଏହି ଲୋକପ୍ରିୟ ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସାଜି ଥାଆନ୍ତେ। ହେଲେ ବିଜେଡିର ଏହି ରଣନୀତିକୁ ନ ଜାଣିପାରି ବିରୋଧୀ ସେହି ଗୋଟିଏ ଦାବୀ ପଛରେ ଲାଗି ରହିଲେ। ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ, ଦିବ୍ୟଶଙ୍କରଙ୍କ ଘଟଣାରେ ଲାଭ କାହାର ହେଲା। ଦୁଇ ବିରୋଧୀ ଦଳ ଏପରି ଆନ୍ଦୋଳନ କରି ପ୍ରକୃତରେ ବିଜେଡିର ଲୋକପ୍ରିୟତାରେ କିଛି ଆଘାତ କରିପାରିଲେ କି ?

ଏଥିରେ ସମସ୍ତେ ନିଶ୍ଚିତ ହେବେ ଯେ, ଦୁଇ ବିରୋଧୀଙ୍କ ଆନ୍ଦୋଳନରେ ନା ବିଜେଡିର ଲୋକପ୍ରିୟତା ହ୍ରାସ ଘଟିଲା ନା ବିରୋଧୀ ଲୋକପ୍ରିୟତା ପାଇଲେ। ବରଂ ଏହି ଘଟଣାରେ ବିଜେଡି ବେଶ ଚତୁର ଭାବେ ଗୋଟି ଚାଳନା କରିବାରେ ସକ୍ଷମ ହୋଇପାରିଲା।

ଏବେ ବିରୋଧୀ ଦଳ ହୃଦୟଙ୍ଗମ କରିସାରିଲେଣି ଯେ, ବିଜେଡିର ରଣନୀତିକୁ ଟକ୍କର ଦେବାରେ ସେମାନେ ଅକ୍ଷମ। କେଉଁ ଉପାୟରେ କିପରି ଭାବେ ଲୋକଙ୍କ ବିଶ୍ବାସ ଭାଜନ କରିହେବ ତାହା ବିଜେଡିକୁ ବେଶ୍ ଭଲ ଜଣା । ଏକଥା ବହୁବାର ପ୍ରମାଣିତ ହୋଇସାରିଛି। ସେପଟେ ବିରୋଧୀ ଏହି ରଣନୀତିକୁ ମୁକାବିଲା ନ କରିପାରି ବାରମ୍ବାର ନିର୍ବାଚନ ହାରିବାରେ ଲାଗିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ଦ ଡାକରାକୁ ବିଜେଡିର ବିରୋଧ, ବିଜେପିର ଇସାରରେ କଂଗ୍ରେସ ନାଚୁଛି ବୋଲି କଲେ ସମାଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବୀ କରି ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରଦେଶ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି। କଂଗ୍ରେସ ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କ ଇସାରାରେ ନାଚୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ସସ୍ମିତ କହିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି। ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନ କରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି ।

ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି ।

ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଓଡିଶା ବିଜେପିର ଏକ ବି-ଟିମ୍ ଭାବରେ ନ ରୁହନ୍ତୁ ଏବଂ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ । ଓଡ଼ିଶାର ଲୋକମାନେ ବନ୍ଦ ଚାହାନ୍ତି ନାହିଁ । ସେମାନେ କାମକୁ ଯାଇ ନିଜର ରୋଜଗାର କରିବାକୁ ଚାହୁଁଛନ୍ତି । ଓଡ଼ିଶା କଂଗ୍ରେସ ଓଡ଼ିଶାର ଲୋକଙ୍କୁ ରୋଜଗାର କରିବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ । ରୋଜଗାର ହରାଇବା ଦ୍ୱାରା ଓଡିଶାବାସୀଙ୍କ ଜୀବନ ଦୁର୍ବିସହ ହେବ ଯେଉଁଥିପାଇଁ ରାଜ୍ୟବାସୀ କଦାପି ଓଡିଶା କଂଗ୍ରେସକୁ କ୍ଷମା କରିବେ ନାହିଁ ଏବଂ ବନ୍ଦର ପ୍ରାୟୋଜକ ସାଜିଥିବା କଂଗ୍ରେସର ଏ-ଟିମ୍‍ ଓଡିଶା ବିଜେପିକୁ ଲୋକେ ଠିକଣା ସମୟରେ ଉଚିତ୍‍ ଜବାବ ଦେବେ ।

ଓଡ଼ିଶାର ଲୋକମାନେ ଉଭୟ ଓଡ଼ିଶା କଂଗ୍ରେସ ଓ ଓଡିଶା ବିଜେପିର କଳୁଷିତ ରାଜନୀତିକୁ ଦେଖିଛନ୍ତି । ତଥାପି ଓଡ଼ିଶା କଂଗ୍ରେସ ଏଥିରୁ କିଛି ଶିଖିଲା ନାହିଁ, ଯେଉଁଥିପାଇଁ ଓଡିଶା ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି । ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଆପଣ କୋର୍ଟକୁ ଯାଆନ୍ତୁ ବୋଲି ସସ୍ମିତ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଜାଣୁ ଆପଣ କୋର୍ଟକୁ ଯିବେ ନାହିଁ କାରଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଆପଣ ଏହି ହୀନ ରାଜନୀତିରେ ଲିପ୍ତ ରହିବେ । ବିଗତ ଦେଢ ବର୍ଷଧରି କୋଭିଡ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ସାଧାରଣ ଲୋକଙ୍କ ପାଇଁ କିଛି ସହାନୁଭୂତି ଦେଖାନ୍ତୁ, ନଚେତ ଓଡିଶାବାସୀ ଆପଣଙ୍କୁ ଭୁଲିବେ ନାହିଁ କି କ୍ଷମା ବି କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କେତେଟା ପର୍ଯ୍ୟନ୍ତ ହେବ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ପ୍ରଦେଶ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି। ମମିତା ମେହେର ହତ୍ୟାକାଣ୍ଡରେ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଏହି ବନ୍ଦ କରାଯିବ। ସେଥିପାଇଁ ଦଳ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ବନ୍ଦ ସକାଳ 6ଟାରୁ ଆରମ୍ଭ ହୋଇ ଦିନ 12ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ବର୍ତ୍ତମାନ କରୋନା ସମୟରେ ସାଧାରଣ ବ୍ୟବସାୟୀ ଖାଉଟି ହଇରାଣ ନ ହେବା ପାଇଁ କଂଗ୍ରେସ ଗୋଟେ ଓଳି ବନ୍ଦ ଡକରା ଦେଇଛି। ତେବେ ଏହି ବନ୍ଦ ସମୟରେ କୌଣସି ଅତ୍ୟାବଶ୍ୟକ ଜିନିଷ ନେବାଆଣିବାରେ ଅସୁବିଧା ହେବ ନାହିଁ। ଦଳ ତରଫରୁ କଂଗ୍ରେସ ଭବନରୁ ଏକ ରାଲି ବାହାରି ଲୋକସେବା ଭବନ ପର୍ଯ୍ୟନ୍ତ ଯିବ। ସେଠାରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟା ଘଟଣାରେ କହିଲେ ଏମିତି କଥା

ଭୁବନେଶ୍ବର: ବହୁ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ ବିବୃତି ଦେଇ ସେ କହିଛନ୍ତି ଯେ, ମମିତା ଘଟଣାରେ ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରକୁ ନ୍ୟାୟ ମିଳୁ ଏହା ମଧ୍ୟ ମୋର ଦାବୀ। ଯେ ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ତେବେ ତାଙ୍କର ଏହି ଘଟଣାରେ ସଂପୃକ୍ତି ନେଇ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତିଯେ, ମୋ ବିରୋଧରେ ବିରୋଧୀ ଦଳ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପୋଲିସକୁ ଦିଅନ୍ତୁ। ମମିତା ହତ୍ୟାକାଣ୍ଡରେ ମୋର କୌଣସି ସଂପର୍କ ନାହିଁ। ଯଦି କେହି ଏହାର ପ୍ରମାଣ ଦେବ ତେବେ ମନ୍ତ୍ରୀ ପଦରୁ ନୁହେଁ ରାଜନୀତିରୁ ମଧ୍ୟ ସନ୍ନାସ ନେବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ମୋତେ ଏହି ଘଟଣାରେ ସଂପୃକ୍ତି ରହିଛି ବୋଲି କହିଆସୁଛନ୍ତି। ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଜଣେ ସ୍ଥାନୀୟ ବିଧାୟକ ଭାବେ ମୁଁ କୌଣସି ଅନୁଷ୍ଠାନରେ ଯୋଗ ଦେବା କଣ ମୋର ଭୁଲ ବୋଲି କହିଛନ୍ତି ଦିବ୍ୟଶଙ୍କର। ଯଦି ଯୋଗ ଦେବା ପରେ ସେଠାରେ କିଛି ଅଘଟଣ ଘଟେ ତେବେ ମୋର ଭୁଲ କେଉଁଠି ରହିଲା ବୋଲି ଦିବ୍ୟଶଙ୍କର ପ୍ରଶ୍ନ କରିଛନ୍ତି।

ଏଥିସହିତ ଦିବ୍ୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ମୁଁ ବାୟୁ ସେନାରେ କାମ କରୁଥିଲି। ମୋର ଧର୍ମ ହେଲା ଅନ୍ୟକୁ ସାହାଯ୍ୟ କରିବା। ସେହି ଆଦର୍ଶରେ ମୁଁ ରାଜନୀତିରେ କାର୍ଯ୍ୟ କରୁଛି। ହେଲେ ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ବିନା କୌଣସି ପ୍ରମାଣରେ ମୋତେ ଅପରାଧୀ ସଜାଇ ଦେଲେଣି। ଏହା ଠିକ ନୁହେଁ ବୋଲି ଦିବ୍ୟଶଙ୍କର କହିଛନ୍ତି।

ବର୍ତ୍ତମାନ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ରହିଛିବୋଲି ବିରୋଧୀ ଦାବୀ କରିଆସୁଛନ୍ତି। ତାଙ୍କର ଇସ୍ତଫା ଦାବୀ କରି ବିରୋଧୀଦଳ ସାରା ରାଜ୍ୟରେ ଆନ୍ଦୋଳନ କରିବାରେ ଲାଗିଛନ୍ତି। ହେଲେ ବିରେୋଧୀଙ୍କ ଏହି ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କର ଦୀର୍ଘଦିନ ଧରି ଚୁପ ରହିବା ପରେ ଏବେ ସେ ସ୍ପଷ୍ଟି କରଣ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟଶଙ୍କରଙ୍କ ପାଇଁ ଗୋବିନ୍ଦଙ୍କ ଅନୁଷ୍ଠାନକୁ ମିଳୁଥିଲା କୋଟି କୋଟି ଟଙ୍କାର ସରକାରୀ ସହାୟତା; କଂଗ୍ରେସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି। ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ।

୨୦୧୩ ମସିହାରେ +୨ ପରିକ୍ଷାରେ କେମେଷ୍ଟ୍ରି ପେପରର ପ୍ରଶ୍ନପତ୍ର ଲିକ୍‌ରେ କେନ୍ଦ୍ରସ୍ଥଳ ଥିଲା। ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି। ଗୋଟି ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ। ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ

ଭୁବନେଶ୍ବର: ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମମିତା ହତ୍ୟା ମାମଲାରେ ଯୋଡିହେବା ପ୍ରସଂଗକୁ ଖୁବ ଗମ୍ଭିରତା ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ପ୍ରମାଣ ହେଲା ଗତକାଲି ମୟୁରଭଂଜରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏଥିରେ ଦିବ୍ୟଶଙ୍କର ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ମୟୁରଭଂଜର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅତିଥୀ ଭାବେ ଯୋଗ ଦେଇଥାଆନ୍ତେ। ସେଠାରେ ସେ 4 ମିନଟ ପାଇଁ ଭାଷଣ ଦେଇ ଥାଆନ୍ତେ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ମମିତା ହତ୍ୟା ପ୍ରସଂଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବକୁ ନବୀନ ବାତିଲ କରି ଦେଇଥିଲେ।

ପରବର୍ତ୍ତି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ନ ବସିଲେ ମଧ୍ୟ ଉଦଳାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନରେ ଯୋଗଦେବେ ବୋଲି ନିଷ୍ପତି ହେଲା। ସେହି ଅନୁସାରେ ମନ୍ତ୍ରୀ ଦିବ୍ୟଶଙ୍କର ଉଦଳା ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ହେଲେ ଗୁଇନ୍ଦା ରିପୋର୍ଟ ଅନୁସାରେ ତାହାକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ତାଙ୍କର ଗସ୍ତ ଥରେ ବାତିଲ ହେବା ପରେ ପୁଣି ଉଦଳାରେ ଅତିଥୀ କରିବା ନିଷ୍ପତିକୁ ନେଇ ନବୀନ କୁଆଡେ ଖପ୍ପା ହୋଇପଡିଛନ୍ତି।

ମୟୁରଭଂଜରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏ ନେଇ ତନାଘନା ଆରମ୍ଭ କରିଛନ୍ତି। ପ୍ରକୃତରେ ସେହି ଘରୋଇ କଲେଜକୁ ବେଆଇନି ଭାବେ ସରକାରୀ ସାହାଯ୍ୟ ଦିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ତନାଘନା ଦେଖି ଦିବ୍ୟଶଙ୍କରଙ୍କ ଗଡଫାଦରମାନେ ହତୋତ୍ସାହ ହୋଇପଡିଛନ୍ତି। ତାଙ୍କୁ ବର୍ତ୍ତମାନ ସୁରକ୍ଷା ଦେବା ଅସମ୍ଭବ ବୋଲି ସେମାନେ ଅନୁମାନ କରିସାରିଲେଣି।

ତେବେ ମୁଖ୍ୟମନ୍ତ୍ରୀଙ୍କ ମୁଡ ଦେଖି ଏହି ଗଡଫାଦରମାନେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ଯେ ବର୍ତ୍ତମାନ ତତଲା ପରିସ୍ଥିତିରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ। ଯଦି ଦିବ୍ୟଶଙ୍କରଙ୍କ ଉପରେ ପଦକ୍ଷେପ ନିଆଯିବ ତେବେ ତାହାର ଶ୍ରେୟ ବିରୋଧୀ ଦଳ ନେବେ। ସେଥିପାଇଁ ଏହି ଘଟଣାଟି ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଉପଦେଶ ଦିଆଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ସେଥିରେ ସମ୍ମତି ଦେଇ ନ ଥିଲେ ମଧ୍ୟ କେତେବେଳେ କଣ କରିଦେବେ ତାହା କହି ହେବ ନାହିଁ ।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘଟଣାକୁ କେମିତି ପରିଚାଳନା କରିବେ ବିଜେଡି କ୍ୟାପେଟନ ?

ଭୁବନେଶ୍ବର: ବର୍ତ୍ତମାନ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଶୁଭୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ଯେପରି ଏହି ଘଟଣାକୁ ମାଡି ବସିଛନ୍ତି ତାହା ବର୍ତ୍ତମାନ ବିଜେଡିକୁ ଅଡୁଆ ସୃଷ୍ଟି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦେବା ପାଇଁ ଉଭୟ ଦଳ ରାଜ୍ୟପାଳକୁ ସାକ୍ଷାତ କରିସାରିଲେଣି।

ସେହିପରି ଏହି ଘଟଣାରେ ଜାତୀୟ ମହିଳା କମିଶନର, ମାନବିକ ଅଧିକାର କମିଶନର ପରି ଅନୁଷ୍ଠାନର ଦ୍ବାରସ୍ଥ ହେଲେଣି ବିରୋଧୀ। ଏ ନେଇ ଉଭୟ ଦଳ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଚାପ ପ୍ରୟୋଗ କଲେଣି। ଫଳରେ ଏପରି ପରିସ୍ଥିତିକୁ କିପରି ବିଜେଡିର ମଙ୍ଗୁଆଳମାନେ ମ୍ୟାନେଜ କରିବେ ତାହା ଉପରେ ସମସ୍ତଙ୍କର ନଜର।

ଅନ୍ୟପକ୍ଷରେ ସନସାଇନ କଲେଜ ଏବଂ ଏହାର ମାଲିକ ସହିତ ମନ୍ତ୍ରୀଙ୍କର ଯେଉଁ ସଂପର୍କ ରହିଛି ତାହାକୁ ମଧ୍ୟ ବିରୋଧୀ ଖୋଲାସା କରିବାରେ ଲାଗିଛନ୍ତି। ଦିନକୁ ଦିନ କ୍ୟାପେଟନ ଦିବ୍ୟଶଙ୍କର ଉପରେ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡିବାରେ ଲାଗିଛନ୍ତି ବିରୋେଧୀ। ମନ୍ତ୍ରୀ ସେହି କଲେଜର ଗେଷ୍ଟ ହାଉସକୁ କାହିଁକି ବାରମ୍ବାର ଯାଉଥିଲେ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଜେଡିର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।

ଏହିପରି ପରିସ୍ଥିତିକୁ ବିଜେଡି ତଥା ଏହାର ସୁପ୍ରିମ ନବୀନ ପଟ୍ଟନାୟକ କିପରି ପରିଚାଳନା କରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ନବୀନ ଏପରି କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ଦୃଷ୍ଟାନ୍ତ ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ତତକାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ। ବହୁ ତୁମ୍ବି ତୋଫାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଧ୍ୟ ନବୀନ ଦଳରୁ ନିଳମ୍ବିତ କରିଦେଲେ। ଅବଶ୍ୟ ତାହା କୌଣସି ମହିଳା ଅତ୍ୟାଚାର ଘଟଣା ନ ଥିଲା। ହେଲେ ମଧ୍ୟ ନବୀନ କଠୋର ପଦକ୍ଷେପ ନେବାକୁ ପଛାଇ ନ ଥିଲେ। ଜଣେ ବିଜେପି କର୍ମିଙ୍କୁ ମାଡମାରିବା ଘଟଣାରେ ତାଙ୍କୁ ଦଳରୁ ନିଳମ୍ବିତ କରିଦେଲେ ନବୀନ।

ହେଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘଟଣା ତାହାଠାରୁ ଆହୁରି ବଳିଯାଇଛି। ଉଭୟ ବିରୋଧୀ ଦଳ ଏକାଠି ହୋଇ ଇସ୍ତଫା ଦାବୀ କରିବାରେ ଲାଗିଛନ୍ତି। ଏପରିକି କେତେକ ଅନୁଷ୍ଠାନ ମଧ୍ୟ ମନ୍ତ୍ରୀଙ୍କ ବହିସ୍କାର ନେଇ ତୁମ୍ବିତୋଫାନ କରିବାରେ ଲାଗିଛନ୍ତି। ଦିନକୁ ଦିନ ଘଟଣାଟି ବଢୁଥିବାରୁ ବିଜେଡି ସୁପ୍ରିମୋ କଣ କରିବେ ସେ ନେଇ ସମସ୍ତଙ୍କ ନଜର ନବୀନ ନିବାସ ଉପରେ ରହିଛି।