ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ

Published: Oct 23, 2021, 1:28 pm IST

ଭୁବନେଶ୍ବର: ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମମିତା ହତ୍ୟା ମାମଲାରେ ଯୋଡିହେବା ପ୍ରସଂଗକୁ ଖୁବ ଗମ୍ଭିରତା ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ପ୍ରମାଣ ହେଲା ଗତକାଲି ମୟୁରଭଂଜରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏଥିରେ ଦିବ୍ୟଶଙ୍କର ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ମୟୁରଭଂଜର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅତିଥୀ ଭାବେ ଯୋଗ ଦେଇଥାଆନ୍ତେ। ସେଠାରେ ସେ 4 ମିନଟ ପାଇଁ ଭାଷଣ ଦେଇ ଥାଆନ୍ତେ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ମମିତା ହତ୍ୟା ପ୍ରସଂଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବକୁ ନବୀନ ବାତିଲ କରି ଦେଇଥିଲେ।

ପରବର୍ତ୍ତି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ନ ବସିଲେ ମଧ୍ୟ ଉଦଳାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନରେ ଯୋଗଦେବେ ବୋଲି ନିଷ୍ପତି ହେଲା। ସେହି ଅନୁସାରେ ମନ୍ତ୍ରୀ ଦିବ୍ୟଶଙ୍କର ଉଦଳା ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ହେଲେ ଗୁଇନ୍ଦା ରିପୋର୍ଟ ଅନୁସାରେ ତାହାକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ତାଙ୍କର ଗସ୍ତ ଥରେ ବାତିଲ ହେବା ପରେ ପୁଣି ଉଦଳାରେ ଅତିଥୀ କରିବା ନିଷ୍ପତିକୁ ନେଇ ନବୀନ କୁଆଡେ ଖପ୍ପା ହୋଇପଡିଛନ୍ତି।

ମୟୁରଭଂଜରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏ ନେଇ ତନାଘନା ଆରମ୍ଭ କରିଛନ୍ତି। ପ୍ରକୃତରେ ସେହି ଘରୋଇ କଲେଜକୁ ବେଆଇନି ଭାବେ ସରକାରୀ ସାହାଯ୍ୟ ଦିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ତନାଘନା ଦେଖି ଦିବ୍ୟଶଙ୍କରଙ୍କ ଗଡଫାଦରମାନେ ହତୋତ୍ସାହ ହୋଇପଡିଛନ୍ତି। ତାଙ୍କୁ ବର୍ତ୍ତମାନ ସୁରକ୍ଷା ଦେବା ଅସମ୍ଭବ ବୋଲି ସେମାନେ ଅନୁମାନ କରିସାରିଲେଣି।

ତେବେ ମୁଖ୍ୟମନ୍ତ୍ରୀଙ୍କ ମୁଡ ଦେଖି ଏହି ଗଡଫାଦରମାନେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ଯେ ବର୍ତ୍ତମାନ ତତଲା ପରିସ୍ଥିତିରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ। ଯଦି ଦିବ୍ୟଶଙ୍କରଙ୍କ ଉପରେ ପଦକ୍ଷେପ ନିଆଯିବ ତେବେ ତାହାର ଶ୍ରେୟ ବିରୋଧୀ ଦଳ ନେବେ। ସେଥିପାଇଁ ଏହି ଘଟଣାଟି ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଉପଦେଶ ଦିଆଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ସେଥିରେ ସମ୍ମତି ଦେଇ ନ ଥିଲେ ମଧ୍ୟ କେତେବେଳେ କଣ କରିଦେବେ ତାହା କହି ହେବ ନାହିଁ ।

Related posts