Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ଭିନ୍ନ ନିତି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ଅଣ୍ଡା ମାଡ, ଅନ୍ୟପଟେ ସେହି ସଭାରେ କୋଳାକୋଳି

ଭୁବନେଶ୍ବର: ରାଜ୍ୟ ବିଜେପି ମମିତା ହତ୍ୟା ଘଟଣାରେ ଏକ ପ୍ରକାରର ବାଉଳା ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବାରମ୍ବାର ତୁମ୍ବି ତୋଫାନ ଆଉ ହୋ ହାଲ୍ଲା କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହଟାଉ ନାହିଁନ୍ତି। ଫଳରେ ଦଳ ରାଗିଯାଇ ବର୍ତ୍ତମାନ ମନ୍ତ୍ରୀମାନଙ୍କ ଗସ୍ତକୁ ବିରୋଧ କରିବାରେ ଲାଗିଛି। ମନ୍ତ୍ରୀମାନେ ଯେଉଁଆଡେ ଯାଉଛନ୍ତି ତାଙ୍କ ଗାଡି ଉପରକୁ ଅଣ୍ଡା ଫିଙ୍ଗୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ବୈଠକକୁ ବିଜେପି ବିରୋଧ କରୁଛି ସେହି ବୈଠକରେ ବିଜେପି ସାଂସଦ ମନ୍ତ୍ରୀଙ୍କ ସହିତ ବସୁଛନ୍ତି। ଏକାଠି କୋଳାକୋଳି ହେଉଛନ୍ତି। ଏହିପରି ଘଟଣା ଝାରସୁଗୁଡାରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନରେ ଦେଖିବାକୁ ମିଳିଛି। ଯେଉଁଥିରେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନକୁ ସଫଳ କରାଇଥିଲେ।

ଝାରସୁଗଡାରେ ଆୟୋଜିତ ଏହି ସଭା ମଞ୍ଚରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ବଡକଥା ହେଲା ଏହି ସଭାକୁ ବିଜେପି ବିରୋଧ କରୁଥିବା ବେଳେ ସେହି ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ବସିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

ପୂର୍ବରୁ ସେହି ବରଗଡରେ ଆଉ ଏକ ସଭା ହୋଇଥିଲା ଯେଉଁଥିରେ ବିଜେପି କର୍ମିମାନେ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ କରି ସଭାକୁ ବିରୋଧ କରିଥିଲେ। ବିଜେଡି ବିଜେପି କର୍ମି ମୁହାଁମୁହିଁ ହୋଇଥିଲେ। ହେଲେ ସେତେବେଳେ ସେହି ବୈଠକରେ ବିଜେପି ସାଂସଦ ସୁରେଶ ପୂଜାରୀ ନିଜ ନିର୍ବାଚନ ମଣ୍ଡଳି ହୋଇଥିଲେ ମଧ୍ୟ ଯୋଗଦେଇ ନ ଥିଲେ। ସେହି ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ। ଗୋଟିଏ ସଭାରେ ଯୋଗଦେଲେ ନାହିଁ ହେଲେ ଆଉ ଏକ ସଭାରେ ସେ ଯୋଗଦେଲେ। ଯାହାକୁ ନେଇ ସାଂସଦଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ସୁରେଶ ପୂଜାରୀଙ୍କୁ ପଚରାଯିବାରୁ ତାଙ୍କର ଉତ୍ତର ଭିନ୍ନ ପ୍ରକାରର ଥିଲା। ଯାହାକୁ କୁହାଯିବ ପିଲାଳିଆମି ଉତ୍ତର।  ସେ କହିଲେ ଯେ ବରଗଡରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ, ସେଥିପାଇଁ ଯୋଗ ଦେଇ ନ ଥିଲି। ହେଲେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନିଜେ ନ ଆସି ଭଚ୍ୟୁୟାଲି ଥିଲେ। ସେଥିପାଇଁ ଯୋଗଦେଲି। ଏପରି ଉତ୍ତରକୁ ନେଇ ଅନେକ ସମାଲୋଚନା ହେଉଛି। କାରଣ ଯାହା ହେଲେ ବି ମୁଖ୍ୟମନ୍ତ୍ରୀ ସେହି ସଭାରେ ଭାଷଣ ଦେଇଥିଲେ ଏବଂ ତାହା ସରକାରୀ କାର୍ଯ୍ୟକ୍ରମ ଥିଲା। ଯାହାକୁ ବିଜେପି ବିରୋଧ କରୁଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର କିଏ କେତେବେଳେ କଣ କରୁଛି ତାହା ଜାଣିବା ମୁସ୍କିଲ। କହିବାକୁ ଗଲେ ଦଳରେ ଯିଏ ଯାହା ଚାହିଁବ ସିଏ ତାହା କରିବ। ଏଥିରେ ଯେପରି କୌଣସି ଲଗାମ ନାହିଁ। ମମିତା ଘଟଣା ପୂର୍ବରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ବିଜେପି ବିଧାୟକମାନେ ଯୋଗ ଦେଇଥିଲେ। ହେଲେ ସେତେବେଳେ ତାହାକୁ ସମାଲୋଚନା କରାଯାଉ ନ ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଦଳର ନିତି ପଦାରେ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରିବ ରାଜ୍ୟ ବିଜେପି

ଭୁବନେଶ୍ବର: ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଉଛନ୍ତି। ସେହିଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ଓ ପ୍ରତିବାଦ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ୍ ଓ ସହ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟା ଘଟଣାରେ କହିଲେ ଏମିତି କଥା

ଭୁବନେଶ୍ବର: ବହୁ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ ବିବୃତି ଦେଇ ସେ କହିଛନ୍ତି ଯେ, ମମିତା ଘଟଣାରେ ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରକୁ ନ୍ୟାୟ ମିଳୁ ଏହା ମଧ୍ୟ ମୋର ଦାବୀ। ଯେ ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ତେବେ ତାଙ୍କର ଏହି ଘଟଣାରେ ସଂପୃକ୍ତି ନେଇ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତିଯେ, ମୋ ବିରୋଧରେ ବିରୋଧୀ ଦଳ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପୋଲିସକୁ ଦିଅନ୍ତୁ। ମମିତା ହତ୍ୟାକାଣ୍ଡରେ ମୋର କୌଣସି ସଂପର୍କ ନାହିଁ। ଯଦି କେହି ଏହାର ପ୍ରମାଣ ଦେବ ତେବେ ମନ୍ତ୍ରୀ ପଦରୁ ନୁହେଁ ରାଜନୀତିରୁ ମଧ୍ୟ ସନ୍ନାସ ନେବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ମୋତେ ଏହି ଘଟଣାରେ ସଂପୃକ୍ତି ରହିଛି ବୋଲି କହିଆସୁଛନ୍ତି। ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଜଣେ ସ୍ଥାନୀୟ ବିଧାୟକ ଭାବେ ମୁଁ କୌଣସି ଅନୁଷ୍ଠାନରେ ଯୋଗ ଦେବା କଣ ମୋର ଭୁଲ ବୋଲି କହିଛନ୍ତି ଦିବ୍ୟଶଙ୍କର। ଯଦି ଯୋଗ ଦେବା ପରେ ସେଠାରେ କିଛି ଅଘଟଣ ଘଟେ ତେବେ ମୋର ଭୁଲ କେଉଁଠି ରହିଲା ବୋଲି ଦିବ୍ୟଶଙ୍କର ପ୍ରଶ୍ନ କରିଛନ୍ତି।

ଏଥିସହିତ ଦିବ୍ୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ମୁଁ ବାୟୁ ସେନାରେ କାମ କରୁଥିଲି। ମୋର ଧର୍ମ ହେଲା ଅନ୍ୟକୁ ସାହାଯ୍ୟ କରିବା। ସେହି ଆଦର୍ଶରେ ମୁଁ ରାଜନୀତିରେ କାର୍ଯ୍ୟ କରୁଛି। ହେଲେ ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ବିନା କୌଣସି ପ୍ରମାଣରେ ମୋତେ ଅପରାଧୀ ସଜାଇ ଦେଲେଣି। ଏହା ଠିକ ନୁହେଁ ବୋଲି ଦିବ୍ୟଶଙ୍କର କହିଛନ୍ତି।

ବର୍ତ୍ତମାନ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ରହିଛିବୋଲି ବିରୋଧୀ ଦାବୀ କରିଆସୁଛନ୍ତି। ତାଙ୍କର ଇସ୍ତଫା ଦାବୀ କରି ବିରୋଧୀଦଳ ସାରା ରାଜ୍ୟରେ ଆନ୍ଦୋଳନ କରିବାରେ ଲାଗିଛନ୍ତି। ହେଲେ ବିରେୋଧୀଙ୍କ ଏହି ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କର ଦୀର୍ଘଦିନ ଧରି ଚୁପ ରହିବା ପରେ ଏବେ ସେ ସ୍ପଷ୍ଟି କରଣ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ

ଭୁବନେଶ୍ବର: ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମମିତା ହତ୍ୟା ମାମଲାରେ ଯୋଡିହେବା ପ୍ରସଂଗକୁ ଖୁବ ଗମ୍ଭିରତା ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ପ୍ରମାଣ ହେଲା ଗତକାଲି ମୟୁରଭଂଜରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏଥିରେ ଦିବ୍ୟଶଙ୍କର ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ମୟୁରଭଂଜର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅତିଥୀ ଭାବେ ଯୋଗ ଦେଇଥାଆନ୍ତେ। ସେଠାରେ ସେ 4 ମିନଟ ପାଇଁ ଭାଷଣ ଦେଇ ଥାଆନ୍ତେ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ମମିତା ହତ୍ୟା ପ୍ରସଂଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବକୁ ନବୀନ ବାତିଲ କରି ଦେଇଥିଲେ।

ପରବର୍ତ୍ତି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ନ ବସିଲେ ମଧ୍ୟ ଉଦଳାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନରେ ଯୋଗଦେବେ ବୋଲି ନିଷ୍ପତି ହେଲା। ସେହି ଅନୁସାରେ ମନ୍ତ୍ରୀ ଦିବ୍ୟଶଙ୍କର ଉଦଳା ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ହେଲେ ଗୁଇନ୍ଦା ରିପୋର୍ଟ ଅନୁସାରେ ତାହାକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ତାଙ୍କର ଗସ୍ତ ଥରେ ବାତିଲ ହେବା ପରେ ପୁଣି ଉଦଳାରେ ଅତିଥୀ କରିବା ନିଷ୍ପତିକୁ ନେଇ ନବୀନ କୁଆଡେ ଖପ୍ପା ହୋଇପଡିଛନ୍ତି।

ମୟୁରଭଂଜରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏ ନେଇ ତନାଘନା ଆରମ୍ଭ କରିଛନ୍ତି। ପ୍ରକୃତରେ ସେହି ଘରୋଇ କଲେଜକୁ ବେଆଇନି ଭାବେ ସରକାରୀ ସାହାଯ୍ୟ ଦିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ତନାଘନା ଦେଖି ଦିବ୍ୟଶଙ୍କରଙ୍କ ଗଡଫାଦରମାନେ ହତୋତ୍ସାହ ହୋଇପଡିଛନ୍ତି। ତାଙ୍କୁ ବର୍ତ୍ତମାନ ସୁରକ୍ଷା ଦେବା ଅସମ୍ଭବ ବୋଲି ସେମାନେ ଅନୁମାନ କରିସାରିଲେଣି।

ତେବେ ମୁଖ୍ୟମନ୍ତ୍ରୀଙ୍କ ମୁଡ ଦେଖି ଏହି ଗଡଫାଦରମାନେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ଯେ ବର୍ତ୍ତମାନ ତତଲା ପରିସ୍ଥିତିରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ। ଯଦି ଦିବ୍ୟଶଙ୍କରଙ୍କ ଉପରେ ପଦକ୍ଷେପ ନିଆଯିବ ତେବେ ତାହାର ଶ୍ରେୟ ବିରୋଧୀ ଦଳ ନେବେ। ସେଥିପାଇଁ ଏହି ଘଟଣାଟି ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଉପଦେଶ ଦିଆଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ସେଥିରେ ସମ୍ମତି ଦେଇ ନ ଥିଲେ ମଧ୍ୟ କେତେବେଳେ କଣ କରିଦେବେ ତାହା କହି ହେବ ନାହିଁ ।