ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସରକାରଙ୍କୁ ଘେରିଲେ ବିରୋଧୀ

Published: Dec 20, 2022, 12:47 pm IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଆକ୍ରମଣ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏହା ଷଡଯନ୍ତ୍ର, ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କଣ୍ଟାବାଞ୍ଜି ବିଧାୟକ ଦାବୀ କରିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି।

ସେହିଭଳି ଏହି ଘଟଣା ପରେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରାଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଯାହାଦ୍ୱାରା ସରକାରୀ ଦଳରେ ଥିବା କିଛି ନେତା ଧରାପଡିଯିବେ ଭାବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ସମସ୍ତ ତଥ୍ୟ ଲୁଚିଯିବ ଏବଂ ଅନ୍ୟ ଅଭିଯୁକ୍ତମାନେ ଏଥିରୁ ମୁକ୍ତି ପାଇଯିବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ତେଣୁ ଏହା ଆତ୍ମହତ୍ୟା ନା ମାରିବାକୁ ବାଧ୍ୟ କରାଯାଇଛି, ଏହାର ତଦନ୍ତ କରାଯିବା ଉଚିତ ବୋଲି ସ୍ମୃତି ଦାବି କରିଛନ୍ତି।

Related posts