Categories
ବିଶେଷ ଖବର

କଟକ ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଉନ୍ନତିକରଣର ଶିଳାନ୍ୟାଶ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 

କଟକ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଏବଂ ପରୀକ୍ଷେତ୍ରର ବିକାଶ ପାଇଁ ଶିଳାନ୍ୟାଶ କରିଛନ୍ତି।

କଟକ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଓ ପରୀକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ଥିବାବେଳେ ଚୌଡା ଆପ୍ରୋଚ୍ ରୋଡ୍ ଅନ୍ତର୍ଭୁକ୍ତ।

କଟକ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବାବେଳେ ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କଟକ ରେଳ ଷ୍ଟେସନ ଉନ୍ନତି ପାଇଁ ବକ୍ତବ୍ଯରେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଉପସ୍ଥିତ କଟକର ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଲେ ରେଳ ମନ୍ତ୍ରଣାଳୟ କଟକ ଷ୍ଟେସନର ବିକାଶ ପାଇଁ ପ୍ରତିବଦ୍ଧ। ଏହାର ଉନ୍ନତିକରଣ ପାଇଁ ପାଣ୍ଠି ପ୍ରତିବନ୍ଧକ ହେବ ନାହିଁ। ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳାନ୍ୟାଶ ପରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ପ୍ରଦାନ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ତଥା ସୁବିଧା ବିଷୟରେ ପଚାରି ବୁଝିଥିଲେ।

ପୂର୍ବ ତଟ ଏବଂ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ପୂର୍ବ ତଟ ରେଳପଥ ପ୍ରଦର୍ଶନ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନକୁ ‘ହେରିଟେଜ ଷ୍ଟେସନ’ ଘୋଷଣା କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର: ରେଳ ବିଭାଗକୁ ବର୍ଷକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ବେଳେ ଓଡ଼ିଶା ଅନୁଦାନ ଆକାରରେ ହାରାହାରି ପାଉଛି ୩ ରୁ ୪ ହଜାର ଟଙ୍କା। ଓଡ଼ିଶା ତୁଳନାରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ରେଳ ସାନ୍ଦ୍ରତା ଯଥାକ୍ରମେ ୪୨ କିଲୋମିଟର ଥିଲାବେଳେ ୪୨ ଓ ୩୫ କିଲୋମିଟର ପ୍ରତି ହଜାର ବର୍ଗକିଲୋମିଟରେ ଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୧୫ କି.ମି.।

ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରେଳ ଲାଇନ ଯାଇପାରିଲା ନାହିଁ। ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବା ଯୋଗୁ ଓଡ଼ିଶା ପ୍ରତି କରାଯାଇଥିଲା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି କରି ଏକ ପତ୍ର ଲେଖାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲେଖା ଯାଇଥିôବା ଏହି ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ରେଳ ମନ୍ତ୍ରଣାଳୟର ଅବହେଳାର ଶିକାର କ୍ରମାଗତ ଭାବରେ ହୋଇଚାଲିଛି। ଆପଣ ଯେତେବେଳେ ରେଳ ବିଭାଗର ଦାୟିତ୍ୱ ନେଇଛନ୍ତି ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି ସେହି ପରିପ୍ରେକ୍ଷୀରେ ଆମେ ଓଡ଼ିଶାର ନିମ୍ନୋକ୍ତ ରେଳ ପ୍ରକଳ୍ପ ପାଇଁ ଆପଣଙ୍କ ହସ୍ତକ୍ଷେପ ଦାବି କରୁଛୁ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସମ୍ବଲପୁର-ଗୋପାଳପୁର-ଫୁଲବାଣୀ, ରାୟଗଡ଼ା-ଗୋପାଳପୁର ନୂଆ ରେଳ ଲାଇନ ଏବଂ କୋରାପୁଟ-ମାଲକାନାଗିରି, କୋରାପୁଟ-ନବରଙ୍ଗପୁର ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ। ଦ୍ୱିତୀୟତଃ ରାୟଗଡ଼ା, ରାଉରକେଲା-ଯାଜପୁର କେନ୍ଦୁଝର ରୋଡ଼ ଠାରେ ତିନୋଟି ରେଳ ଡ଼ିଭିଜନ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ କେନ୍ଦୁଝର-ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜବହୁଳ ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଳ ଜୋନରୁ ପୂର୍ବତଟ ରେଳ ଜୋନ୍‌କୁ ଅଣାଯାଉ।

ସେହିଭଳି ବଣାଇ, ରାଜଗାଙ୍ଗପୁର ଓ ଇବ୍ ଭ୍ୟାଲି ଶିଳ୍ପାଞ୍ଚଳକୁ ରାଉରକେଲା ଡ଼ିଭିଜନକୁ ଆଣି ପୂର୍ବତଟ ରେଳ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା-ଢେଙ୍କାନାଳ-ଅନୁଗୁଳ-ତଳେଚର ଓ ସମ୍ବଲପୁର ଏବଂ ଭୁବନେଶ୍ୱର-ବେଙ୍ଗାଲୁର ଓ ଭୁବନେଶ୍ୱର-ମୁମ୍ବାଇ ମଧ୍ୟରେ ତିନୋଟି ନୂଆରେଳ ଚଳାଚଳ କରିବାକୁ ଏହି ପତ୍ରରେ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି।

ଏହା ବ୍ୟତୀତ ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନରେ ଗାନ୍ଧିଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ କଟକ ଷ୍ଟେସନକୁ ଏକ ‘ଐତିହ୍ୟ’ ଷ୍ଟେସନର ମାନ୍ୟତା ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ପାଇକ ବିଦ୍ରୋହର ସ୍ମୃତିରେ ଏହାର ନେତୃତ୍ୱ ନେଇଥିବା ଓଡ଼ିଆ ଜାତିର ଗର୍ବ ଓ ଗୌରବ ବକ୍ସି ଜଗବନ୍ଧୁଙ୍କ ନାମରେ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନକୁ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି। ଆଶା କରାଯାଉଛି ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ।