Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା: ପୋଲିସର ତଦନ୍ତ ଜାରି

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ (୫୩) ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ଆଜି ଭଡ଼ାଘର ବାଣପୁରରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ।  ତେବେ ଅପରାହ୍ନରେ ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବା ବେଳେ କବାଟ କେହି ଖୋଳିନଥିଲେ। ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ।

ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନୁରୂପ ଭାବେ ଖବର ପାଇ ଘଟଣାସ୍ଥଳରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗାଲୁଆ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଏବଂ ଅନ୍ୟମାନେ ଉପସ୍ଥିତ ଅଛନ୍ତି।

ସୂଚନା ଥାଉକି ପାଖାପାଖି ଦୁଇ ବର୍ଷ ହେବ ଶ୍ରୀ ନାୟକ ବାଣପୁର ବ୍ଲକରେ ନିଯୁକ୍ତି ପାଇଥିଲେ। ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହଘେରରେ ଥିବା ବେଳେ ତଦନ୍ତ ପରେ ମୃତ୍ୟର କାରଣ ଜଣାପଡିବ।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ଫସିଲେ ଜଣେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି। କାରଣ ହେଲା ଆଜି ସକାଳୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ ଆରମ୍ଭ କରିଛି। ସେ ହେଲେ ତାଳଚେର ବିଡିଓ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ। ତାଙ୍କର ଚାରୋଟି ସ୍ଥାନରେ ଚଢାଉ ଚାଲିଛି।

ଭିଜିଲାନ୍ସ ତଥ୍ୟ ଅନୁସାରେ ବିରଞ୍ଚିଙ୍କ ଅନୁଗୁଳ ସଦରରେ ଥିବା କୁମୁଦ ଗାଁରେ ତାଙ୍କର ପୌତୃକ ଘର, ଅନୁଗୁଳ ସଦରରେ ଥିବା ତାଙ୍କର ବାସଭବନ, ଢେଙ୍କାନାଳରେ ଥିବା ତାଙ୍କର ସଂପର୍କୀୟ ଘର ଏବଂ ତାଙ୍କ ଅଫିସରେ ଏକକାଳୀନ ଏହି ଚଢାଉ ଜାରି ରହିଛି। ଏଥିରେ 4 ଜଣ ଡିଏସପି ଏବଂ 8 ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଛନ୍ତି। ତେବେ ଚଢାଉ ଚାଲିଥିବାରୁ କେତେ ଆୟ ବର୍ହିଭୂତ ସଂପତ୍ତି ରହିଛି ତାହାର କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କନିଷ୍ଠ ଯନ୍ତ୍ରୀଙ୍କ ପିସି କାରବାର ଘଟଣା: ଦୁର୍ନୀତି ନିବାରଣ ବିଭାଗର ତଦନ୍ତ ଆରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିିଦିନ ତଳେ ଗୁରୁଣ୍ଠି ଗ୍ରାମର ଏକ ୩ ଲକ୍ଷ ଟଙ୍କାର ରାସ୍ତାକାମ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ୩୦ ହଜାର ପିସି ମାଗିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହ ଭିଜିଲାନସ ତଦନ୍ତ ପାଇଁ ଦାବି ହୋଇଥିଲା। ତେବେ ଆଜି ଏହି ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ପରିସରରେ ଦୁର୍ନୀତି ନିବାରଣ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି। ଫଳରେ ଏଭଳି ଦୁର୍ନୀତି କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି।

ସୂଚନାଯୋଗ୍ୟ ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ରାଓ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିବା ନେଇ ଟି. ଫକୀର ପାତ୍ର ଜିଲ୍ଲା ପରିଷଦଙ୍କୁ କହିଥିଲେ।

ଏହାସହ ଟି. ଫକୀର ପାତ୍ର କାହିଁକି ଏତେଟଙ୍କା କାଟୁଛନ୍ତି ବୋଲି ପଚାରିବାରେ ଯନ୍ତ୍ରୀ କହିଥିଲେ ଏହି ପିସି କେବଳ ମୋର ନୁହେଁ ବ୍ଲକ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ଭାଗିଦାର ଅଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ନେଇ ଫକୀର ଅଭିଯୋଗ କରିଥିଲେ ଏବଂ ଗୋଟିଏ ହାତଲେଖା କାଗଜରେ ସମସ୍ତ ହିସାବ କରି ବଳକା ଟଙ୍କା ଚେକ୍ ଆକାରରେ ଫକୀର ପାତ୍ରଙ୍କୁ ପ୍ରଦାନ କରିଥିଲେ। ଏନେଇ ଫକୀର ଜିଲ୍ଲା ପରିଷଦ ଏଲ୍ ମୋହନ ଦାସଙ୍କୁ ଜଣାଇବା ପରେ ଶ୍ରୀ ଦାସ ଏହି ଘଟଣାର ଭିଜିଲାନସ ତଦନ୍ତ ଦାବି କରିଥିଲେ। ଘଟଣା ପରଦିନ ଟି. ଫକୀରଙ୍କୁ ବ୍ଲକ୍ କାର୍ଯ୍ୟାଳୟକୁ ଡ଼ାକି ବିଡ଼ିଓ, ଚେୟାରମ୍ୟାନ, ସରପଞ୍ଚ, ସମିତିସଭ୍ୟ ଭୟଭୀତ କରି ଅନ୍ୟ ଏକ କାଗଜରେ କିଛି ଲେଖିବା ପାଇଁ ମଧ୍ୟ କହିଥିବା ନେଇ ଟି. ଫକୀର ପାତ୍ର ଅଭିଯୋଗ କରିଥିଲେ। ଫଳରେ ଘଟଣାଟି ବେଶ୍ ଚର୍ଚ୍ଚା ହୋଇଥିଲା। ତେବେ କୁକୁଡ଼ାଖଣ୍ଡି ବ୍ଲକ୍‌ଟି ଦୁର୍ନୀତିରେ ଉବୁଟୁବୁ ହୋଇଥିବା ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା କୌଣସି ତଦନ୍ତ ହେଉନଥିଲା। ବର୍ତ୍ତମାନର ତଦନ୍ତ କେତେଦୂର ଯାଇ ଦୋଷୀ ଦଣ୍ଡ ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।