Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ ଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା।

ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ।

ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ ରୀତିନୀତି ହେବା ପାଇଁ ସ୍ଥିର ହୋଇଛି।

କ’ଣ ରହିଛି କଟକଣା?: 

୧- ପ୍ରତ୍ୟେକ ଦୋଳ/ବିମାନ ବାହାନକୁ ଧରି ସୀମିତ ସେବାୟତଙ୍କୁ ନେଇ(କମିଟି ଦ୍ୱାରା ନିର୍ଦ୍ଧାରିତ) ପଡିଆକୁ ଆସିବେ।

୨- ବିମାନଯାତ୍ରା ସହ କୌଣସି ଆତସ ବାଜି, ପଟୁଆର, ରୋଷଣୀ, ଡ଼ିଜେ ଓ ଜେନେରେଟର ଆଣିବାକୁ ବାରଣ କରାଯାଇଛି।

୩- କେବଳ ସୀମିତ ସଂଖ୍ୟାରେ (କମିଟି ଦ୍ୱାରା ନିର୍ଦ୍ଧାରିତ) ଘଣ୍ଟ, କାହାଳି, ଦିହୁଡି, ପୂଜକ ସେବକ ପଡିଆକୁ ଆସିବେ।

୪- ଯାତ୍ରା ଦିନ ପଡିଆର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ।

୫- ମିନାବଜାର, ଉଠା ଦୋକାନ ଆଦିକୁ ମନା।

୬- ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି।

୭- କୋଭିଡ ଲକ୍ଷଣ ଥିବା ସେବାୟତ ପଡିଆକୁ ଆସିପାରିବେ ନାହିଁ।

୮- ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସମସ୍ତଙ୍କ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

୯- ସାଧାରଣ ଲୋକଙ୍କୁ ପଡିଆ ମଧ୍ୟକୁ ଯିବା ଅନୁମତି ନାହିଁ।

ଆସନ୍ତାକାଲି ସମ୍ପୂର୍ଣ୍ଣ କଟକଣା ବିବରଣୀ ପଞ୍ଚଦୋଳ କମିଟି ଦ୍ୱାରା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ସରକାରଙ୍କ ଦ୍ୱାରା ଯଦି କିଛି ନୂତନ ଗାଇଡଲାଇନ ଜାରି ହୁଏ, ତେବେ ସେହି ଗାଇଡଲାଇନ ଆଧାରରେ ଉକ୍ତ ନିୟମର ପରିବର୍ତ୍ତନ କରାଯିବ ବୋଲି କମିଟି ପ୍ରକାଶ କରିଛି।

 

ଉକ୍ତ ବୈଠକରେ ତହସିଲଦାରଙ୍କ ସମେତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର, ପଞ୍ଚଦୋଳ କମିଟି ଉପସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ବୀରଭଦ୍ର କାଣ୍ଡି, କମିଟି ସମ୍ପାଦକ ମାଧବ ଚନ୍ଦ୍ର ବାରିକ, କୋଷାଧକ୍ଷ ନବ ପ୍ରଧାନ, ସୁବ୍ରତ ଜେନା, ସହ ସମ୍ପାଦକ ମହେଶ୍ୱର ଜେନା, ଶେଖ୍ ମୋଇନିଉଲ୍ ହକ୍, ବାଣପୁର ଏବିଡ଼ିଓ ସୀମାଦ୍ରୀ ପାତ୍ର, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଜ, କେଦାରେଶ୍ୱର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ଦାସଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଏବଂ ଦୋଳ ମେଳଣ ପାଇଁ ରାଜଧାନୀ ଭୁବନେଶ୍ବରରେ ଲାଗିଲା କରୋନା କଟକଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମହାନଗର ଅଞ୍ଚଳରେ ହୋଲି ଏବଂ ଦୋଳ ମେଳଣ ପାଇଁ କରୋନା କଟକଣା ଲାଗିଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରିବା ପାଇଁ ନିଷେଦ୍ଧ କରାଯାଇଛି। ଗୋଟିଏ ସ୍ଥାନରେ ୬୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ୧୦ ଟି ଦୋଳ ବିମାନ ଏକତ୍ରିତ ହୋଇ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଠାକୁରଙ୍କ ସାଥିରେ ୪/୫ ଜଣ ଆସିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ହୁବନେଶ୍ବରର କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। କିନ୍ତୁ ଗାଇଡ଼ଲାଇନ ନମାନିଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଲୋକଙ୍କୁ ସତର୍କ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ବର: ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। କରୋନା କଟକଣାକୁ ମାନି ଦଣ୍ଡଯାତ୍ରା କରିବାକୁ ଅନୁମତି ମିଳିଛି। ପୂର୍ବ ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ କଳାକାରମାନଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶୈବପୀଠ କପିଳାସରେ ମହାଶିବରାତ୍ରୀ ପାଇଁ କଟକଣା: ବାବା ଚନ୍ଦ୍ରଶେଖରଙ୍କ ଦର୍ଶନରୁ ବଂଚିତ ରହିବେ ଶ୍ରଦ୍ଧାଳୁ

ଢ଼େଙ୍କାନାଳ: ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାସ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା କରୋନା କଟକଣା ଯୋଗୁଁ ପୀଠକୁ ଦର୍ଶନ କିମ୍ବା ଜାଗର ଜାଳିବା ପାଇଁ ଆସିପାରିବେ ନାହିଁ ଶ୍ରଦ୍ଧାଳୁ। କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ବାବାଙ୍କ ନୀତିକାନ୍ତି ସମାପନ କରିବେ। ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଛୁଟି ଆସିଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଶିବ ଦର୍ଶନ ସାଙ୍ଗକୁ ଜାଗର ଜାଳିବା ପାଇଁ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ। ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ କପିଳାସରେ ଜାଗର ଯାତ୍ରା ଫିକା ପଡିବ।

Categories
ଆଜିର ଖବର ରାଜ୍ୟ ଖବର

ଆଖଣ୍ଡଳମଣି ପୀଠରେ ଆସନ୍ତା କାଲି ସକାଳ ୭ରୁ ୧୪୪ ଧାରା

ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ। ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ। ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକରେ ଜାଗର ଯାତ୍ରା ଦିନ ମଣିବାବାଙ୍କ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ନୀତି ନିର୍ଘଂଟ ସ୍ଥିର ହୋଇଥିଲା। ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ।

ବୈଠକରେ ନିଷ୍ପତି ପ୍ରକାରେ ପୀଠକୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ବଳବତର ରହିବ। ଏହି କଟକଣା ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଳବତର ରହିବ। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା: ଲାଗିବ ୧୪୪ ଧାରା

ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତ୍ତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା। ୧୦ ତାରିଖ ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି। କେବଳ ମନ୍ଦିର ସେବାୟତ ମାନେ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି କଟକଣା ଜାରୀ, ଏଣିକି ଫେବୃୟାରୀ 26 ତାରିଖରୁ ଏହି ରାଜ୍ୟରୁ ଆସିଲେ କରୋନା ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର, ବର୍ତ୍ତମାନ କରୋନା ପୁଣି ଥରେ ଡରାଇବା ଆରମ୍ଭ କଲାଣି। ଫଳରେ ଓଡିଶାରେ ଏହି କଟକଣା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ଏହି କଟକଣା ଆରମ୍ଭ କରିଛି। ଏଣିକି ଯେଉଁମାନେ ଏହି 6ଟି ରାଜ୍ୟରୁ ଆସିବେ ସେମାନେ କୋଭିଡ ପରୀକ୍ଷା ପ୍ରମାଣପତ୍ର ଦେଖାଇବେ। ନେଗେଟିଭ RTPCR ରିପୋର୍ଟ ଦେଖାଇଲେ ରାଜ୍ୟ ଭିତରକୁ ପ୍ରବେଶ କରିବେ। ଏହି ରାଜ୍ୟଗୁଡିକ ହେଲା ନୂଆଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଂଜାବ ଏବଂ ଛତିଶଗଡ।

ଏଥିସହିତ ବିଏମସି ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛି। ଏହି କେନ୍ଦ୍ରରେ ବିମାନ ଯାତ୍ରୀଙ୍କୁ ପରୀକ୍ଷା କରାଯିବ। ଯଦି କୌଣସି ଯାତ୍ରୀଙ୍କ ନିକଟରେ କିଛି ଲକ୍ଷଣ ପ୍ରକାଶ ପାଇବ ତେବେ ତାଙ୍କୁ କ୍ବାରଣ୍ଟାଇନରେ ରଖାଯିବ ବୋଲି ନିଷ୍ପତି କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଏହି ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମସି କମିଶରନ ପ୍ରେମଚାନ୍ଦ ଚୈଧୁରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବଧାନ, ପୁଣି ଥରେ କଟକରେ ଆରମ୍ଭ କରୋନା କଟକଣା ନିୟମ ଯାଞ୍ଚ ପକ୍ରିୟା

କଟକ, କରୋନା ପୁଣି ଥରେ ଡରାଇବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଚିଠି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ପୁଣିଥରେ ଉଦବେଗ ହେବାକୁ ଥିବାରୁ କରୋନା କଟକଣା ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାକୁ ଦୃଷ୍ଟିରେ ରଖି କଟକ ପୋଲିସ କମିଶନରେଟ ତରଫରୁ ଧରପଗଡ ଆରମ୍ଭ ହୋଇଯାଇଛି। ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ମଲ, ହୋଟେଲ ପ୍ରଭୃତି ସ୍ଥାନରେ ଚଢାଉ ଆରମ୍ଭ ହୋଇଯାଇଛି। ଲୋକମାନଙ୍କୁ ମାସ୍କ ପିନ୍ଧିବା, ଶାରୀରିକ ବ୍ୟବଧାନ ରଖିବା ପ୍ରଭୃତି ମାନିବା ପାଇଁ ସଚେତନତା କରାଯାଉଛି। ଏଥିସହିତ ଟ୍ରାଫିକ ଜାମ କରୁଥିବା ଉଠା ଦୋକାନୀକୁ ମଧ୍ୟ ତାଗିଦ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା କଟକଣାରେ ୨ ହଜାର ଲୋକଙ୍କ ପାଇଁ ଭୋଜି: ୫୦ ହଜାର ଜୋରିମାନା ପକାଇଲେ ତହସିଲ୍‌ଦାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାର ପ୍ରକୋପ କମିଥିଲେ ମଧ୍ୟ ଏହା ସମୁଦାୟ ବିଦାୟ ନେଇନି। ଏହି ପରିପ୍ରେକ୍ଷରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଲୋକ ଜମା ହେବା ପାଇଁ ନିଷିଦ୍ଧାଦେଶ ଜାରି କରିବା ସହ ଅଳ୍ପ ଲୋକରେ ଭୋଜିଭାତ, ସାମାଜିକ କାର୍ଯ୍ୟକ୍ରମ ଏବଂ ବିବାହ, ବ୍ରତ ଆଦି କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହି କଟକଣାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରି କୁକୁଡ଼ାଖଣ୍ଡି ଅଂଚଳର ଜନୈକ ବ୍ୟକ୍ତି ଆଜି ୨ ହଜାର ଲୋକଙ୍କ ପାଇଁ ଖାଦ୍ୟ ରନ୍ଧନ କରିଥିବାବେଳେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ପହଞ୍ଚି ଏହାକୁ ଭଣ୍ଡୁର କରିବା ସହ ଜୋରିମାନା ପକାଇଛନ୍ତି।

ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ଗ୍ରାମର ପି. ସୁବାଷ ଆଜି ୨ ହଜାର ଲୋକ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। କୌଣସି ବିଶେଷ ସୂତ୍ରରୁ ଖବରପାଇ ତହସିଲ୍‌ଦାର ପ୍ରିୟଦର୍ଶିନୀ ମିଶ୍ର ଏଭଳି ଏକ ଭୋଜି ହେଉଥିବା ବିଷୟ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ସ୍ଥାନୀୟ ପୋଲିସ୍ ସହାତୟାରେ ଚଢ଼ାଉ କରିଥିଲେ। ଏତେ ପରିମାଣରେ ରନ୍ଧାଖାଦ୍ୟ ଦେଖି ତହସିଲ୍‌ଦାର ଶ୍ରୀମତୀ ମିଶ୍ର, ପି. ସୁବାଷଙ୍କୁ ଏହି କଥା ପଚାରିବାରେ ସେ କହିଥିଲେ ମୋର ପିତାଙ୍କ ଅଗଷ୍ଟ ମାସରେ ବିୟୋଗ ଘଟିଛି। କିନ୍ତୁ ଏହାର ଭୋଜି ବର୍ତ୍ତମାନ ମୁଁ ଦେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜାଣି ତହସିଲ୍‌ଦାର ତାଙ୍କୁ ତାଗିଦ୍ କରିବା ସହ ସମସ୍ତ ଖାଦ୍ୟକୁ ପାର୍ସେଲ୍ କରି ପ୍ରଦାନ ଯେଭଳି କରିବେ ବୋଲି ସତ୍ୟପାଠ ଲେଖିବାକୁ କହିଥିଲେ। ପି. ସୁବାଷ ସତ୍ୟପାଠ ଲେଖିବା ସହ କୋଭିଡ଼୍ ନିୟମର ଉଲ୍ଲଂଘନ କରୁଥିବାରୁ ୫୦ ହଜାର ଟଙ୍କା ଜୋରିମାନା ଦେଇଥିଲେ।

ସୂଚନାଯୋଗ୍ୟ ପି. ସୁବାଷ ଜଣେ ରାଜନୈତିକ ଗୋଷ୍ଠୀର ହୋଇଥିବାବେଳେ ଅଂଚଳର ଜନପ୍ରତିନିଧିଙ୍କ ସହାୟତାରେ ଏଭଳି ଭୋଜି ହେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ ତହସିଲ୍‌ଦାରଙ୍କ ଏଭଳି ବଳିଷ୍ଠ ନେତୃତ୍ୱକୁ ସବୁ ମହଲରୁ ସ୍ୱାଗତ କରାଯିବା ସହ ଏଭଳି କରୋନା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ପୂର୍ବରୁ ମଧ୍ୟ ତହସିଲ୍‌ଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କା ସାମଗ୍ରୀ ଜବତ କରୁଥିବାରୁ ସେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା, ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ରହିବନି ପାସେଞ୍ଜର ଟ୍ରେନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ପାସେଞ୍ଜର ଟ୍ରେନ ରହିବ ନାହିଁ। ଗୋଟିଏ ଟ୍ରେନ ବାତିଲ କରିବା ସହ ରହଣୀ ଉପରେ କଟକଣା ଲଗାଇଲା ରେଳବାଇ ବିଭାଗ। ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ସ୍ପେଶାଲ ଟ୍ରେନ ବାତିଲ କରି ଦିଆଯାଇଛି। ଆଉ ଦୁଇଟି ଏକ୍ସପ୍ରେସ ଟ୍ରେନର ଗଂଜାମ ଜିଲ୍ଲାରେ ରହଣୀ ମଧ୍ୟ ବାତିଲ କରି ଦିଆଯାଇଛି। ଏହି ଟ୍ରେନ ଦୁଇଟି ହେଲା ଭୁବନେଶ୍ବର-ଛତ୍ରପତି ଶିବାଜୀ ଟର୍ମିନସ କୋଣାର୍କ ଏବଂ ହାୱଡା-ସିକନ୍ଦରାବାଦ-ସ୍ପେଶାଲ । ଏହି ଦୁଇ ଏକ୍ସପ୍ରେସ ଟ୍ରେନ ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁରରେ ରହିବନି।

ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରେଳବାଇ ଏଭଳି ପଦକ୍ଷେପ ନେଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଟ୍ରେନ ରହଣୀ ଉପରେ କଟକଣା ବଳବତ୍ତର ରହିବ। ଗଂଜାମ ଜିଲ୍ଲା ଦେଇ ଯାଉଥିବା ଟ୍ରେନ ରହଣୀ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଚିଠି କରି ଜଣାଇଥିଲେ। ଏହି ଚିଠି ପାଇବା ପରେ ପୂର୍ବତଟ ରେଲୱେ ଏହି କଟକଣା ଲଗାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାର ଲଗାଇଲେ କରୋନା କଟକଣା: ନୂଆ ନିଯୁକ୍ତି, ନୂଆ ଗାଡ଼ି କିଣା, ବିଦେଶ ଗସ୍ତ ମନା

ଭୁବନେଶ୍ବର : କରୋନା କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି। କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ। ଆସନ୍ତା ଦୁଇ ବର୍ଷ ଭିତରେ କୌଣସି ବିଭାଗ ନୂଆ ଗାଡ଼ି କିଣି ପାରିବେ ନାହିଁ।

ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି। ସରକାରୀ ଖର୍ଚ୍ଚରେ ବିଜିନେସ କ୍ଲାସରେ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ସେହିପରି ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର ଓ କର୍ମଶାଳା ମନା କରାଯାଇଛି। ପ୍ରମୁଖ ସଚିବ ସରକାରଙ୍କ ନିଷ୍ପତ୍ତି ନେଇ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଭିଡିଓ କନଫରେନ୍ସିଂକୁ ବେଶି ପ୍ରାଧାନ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।